ନାଁ ମାନେ ନାହିଁ

 

 

 

 

 

 

 

 

 

 

ନାଁ ମନେ ନାହିଁ

ଶ୍ରୀ ଗୋପୀନାଥ ମହାନ୍ତି

 

ସୂଚୀପତ୍ର

 

୧.

ନାଁ ମନେ ନାହିଁ

୨.

ହସିବାକୁ ହେବ

୩.

ସମାଧାନ

୪.

ଗବେଷକ

୫.

କବିଟିଏ

୬.

ପରିଚୟ

୭.

ପିମ୍ପୁଟ୍‍କାର୍‍ଙ୍କ ଶୁଆ

୮.

ଦୁଇ ବୀର

୯.

ଚିତ୍

Image

 

ନାଁ ମନେ ନାହିଁ

 

ହଠାତ୍ ଦିନେ ସକାଳ ଆଠଟାବେଳେ ଅଶୋକ ଅନୁଭବ କଲା, ତା’ର ସ୍ମରଣରେ କ’ଣ ଗୋଳମାଳ ଘଟିଛି; ନାଁ ମନେ ରହୁନାହିଁ । ଅଶୋକ ସଭ୍ୟସମାଜର ଜଣେ ସର୍ବବ୍ୟାପୀ ଜୀବ; ରାସ୍ତାକୁ ବାହାରିଲେ ସହରର ପ୍ରଧାନ ଅପ୍ରଧାନ ରାସ୍ତା ସମେତ ଦିନକେ ଅନ୍ତତଃ ତା’ର ଦେଖା ମିଳିପାରେ ଛଅ ଥର । କେଉଁଠି ପ୍ରବଳ ବେଗରେ ତା’ର ପୁରୁଣା ହର୍କ୍ୟୁଲସ ସାଇକଲ ଖଣ୍ଡି ଚଢ଼ି ଭିଡ଼ କଟେଇ ସେ ଚାଲିଥିବ । ସୁସ୍ଥ ସୁଶ୍ରୀ ନଓଯୋଆନ୍ ଭେଣ୍ଡା, ସାଇକଲ ଚଲାରେ ଖୁବ୍ ବୀର ଦର୍ପ, ସାଇକଲର ପୁରୁଣା ହ୍ୟାଣ୍ଡଲରେ ଧଳା ଚିକ୍‍ଚିକ୍ ଏକ ପ୍ରକାଣ୍ଡ ଗୋଲ ଘଣ୍ଟି, ଘୋଡ଼ାଗାଡ଼ିର ଘଣ୍ଟିପରି ସେ ଅବାଜ୍‍ କରେ ଢଣଣ ତଣଣ ଢଂ । କେଉଁଠି ପାନ ଦୋକାନ ପାଖେ ସେ ନୂଆ ସିଗାରେଟ୍‍ ଏକ ପ୍ୟାକେଟ କିଣୁଥିବ, କେଉଁଠି ରାସ୍ତା ବନ୍ଦ କରି ସାଇକଲ ଉପରେ ପିଠି ନୁଆଁଇଦେଇ ବନ୍ଧୁ ଦଳେ ଭେଳେଇ ସେ ରାଜ୍ୟର ବିଭିନ୍ନ ସମସ୍ୟା ଉପରେ ସ୍ୱାଧୀନ ତୁଣ୍ଡରେ ଟାଣୁଆଁବକ୍ତୃତା ଦେଉଥିବ, ମତାମତ ଶୁଣୁଥିବ, ଗୋଲ ଗୋରା ମୁହଁରେ ପ୍ରଜାପତି ନିଶ ତଳେ ଧୋବ ଦାନ୍ତ ଫାଙ୍କରେ ସିଗାରେଟ୍‍ର ଧୂଆଁ ଛାଡ଼ୁଥିବ ମଠେଇ ମଠେଇ, ଦୂରରୁ ବାରିହୁଏ । କାରଣ ସେ ନାତିଉଚ୍ଚ ଜନଗୋଷ୍ଠୀରେ ଅପେକ୍ଷାକୃତ ଡେଙ୍ଗା ଓ ତା’ର ଓସାର ଛାତି । କେଉଁଠି ସାଇକଲଟିକୁ ହାତରେ ଧରି ଦେହ ସିଧା କରି ମାର୍ଚ୍ଚ କଲା ଭଙ୍ଗୀରେ ଗୋଟିଏ ଛୋଟଦଳ ସଙ୍ଗେ ଚାଲିଚାଲି ଯାଉଥିବ ଏବଂ ସବୁଠି ବାଟ ମଝିରେ, ରାସ୍ତା କରରେ, ଘରରେ ପିଣ୍ତା ଉପରୁ, ଚଳନ୍ତା ଗାଡ଼ିରୁ, ‘‘ନମସ୍କାର ଅଶୋକବାବୁ, ନମସ୍କାର ନମସ୍କାର ।”

 

ସୁତରାଂ, ହଠାତ୍ ଯଦି ଏପରି ଲୋକର ସ୍ମୃତିନାଶ ହୁଏ ଯେ ନାଁ ମନେ ରହେ ନାହଁ, ବିପଦ ନିଶ୍ଚୟ ।

 

ଅବଶ୍ୟ ତା’ର ସ୍ମରଣଶକ୍ତିରେ ଅନ୍ୟ କୌଣସି ଉପଦ୍ରବ ଘଟିନାହିଁ, କେବଳ ନାଁ ଭୁଲିବା ଛଡ଼ା । ପରିସ୍ଥିତି ବିଷୟରେ ସେ ସମ୍ପୂର୍ଣ୍ଣ ସଚେତ ତା’ର ବୈଷୟିକ ଜ୍ଞାନର ଏତେ ଟିକିଏ ବି କ୍ଷୟ ହୋଇନାହିଁ; ସମାନ ଭାବେ ସେ ଆଗପରି ଚଳାଇପାରୁଛି ତା’ର ଓକିଲାତି ବୃତ୍ତି, ସାଧାରଣ କିଛି ବିକାକିଣା ବେପାର, କିଛି ରାଜନୀତି ଚର୍ଚ୍ଚା ଏବଂ ନାଁ ବି ତା’ର ସବୁ ଭୁଲି ହୋଇନାହିଁ; ପର୍ବତର ନାଁ ହିମାଳୟ, ଦେଶର ନାଁ ଭାରତବର୍ଷ, ନଈ ନାଁ କାଠଯୋଡ଼ି ସେହିପରି ଦେଶରେ ନାମଗଣ୍ୟ ଲୋକଙ୍କ ନାଁ । ଆଲୋଚନା ପଡ଼ିଲେ ଖବରକାଗଜର ବଡ଼ ବଡ଼ ନାଁ ଟିକିଟିକି ହୋଇ ତା’ର ମନେ ଅଛି । ସେ ଖେର୍ ଓ ଖାରେ ଏ ଦୁଇନାଁର ଦୁଇ ଲୋକଙ୍କ ବିଷୟରେ ଅଲଗା ଅଲଗା ସବୁ କହିପାରେ; ସେହିପରି କାରିଅପ୍‍ପା ଓ କୁମାରପ୍‍ପା । କିନ୍ତୁ ଭୁଲିଯାଉଛି ସାଧାରଣ ଲୋକଙ୍କ ନାଁ, ଚିହ୍ନାଜଣା, ବନ୍ଧୁବାନ୍ଧବ, କିଏ ସାଙ୍ଗପଢ଼ୁଆ, କିଏ ସହକର୍ମୀ, କାହାଠୁ ଟଙ୍କା ଧାରିଛି ତ କାହାଠି ପାଉଣା ଅଛି କିଛି, ଏହି ନିତିଦିନିଆଁ ଲୋକେ–ଯାହାଙ୍କ ବିଷୟରେ ସେ ସବୁ ଜାଣେ । ସେମାନେ ତା’ ପକ୍ଷରେ ଖେର୍ ବା ଖାରେ ନୁହନ୍ତି, ନୁହନ୍ତି ହିମାଳୟ ବା ଭାରତବର୍ଷ, ଅଥଚ ନିଶ୍ୱାସ ନେଉଥିବା ପବନ ପରି, ପିଉଥିବା ପାଣି ପରି ସେମାନେ ତା’ର ସବୁଦିନିଆ–ନାଁ ମନେ ନାହିଁ ।

 

ସକାଳ ଆଠଟା ବେଳ । ଶାଗବିକା ବୁଢ଼ାଟି ଆସିଛି । ଚାହା ଖାଉ ଖାଉ ଅଶୋକ ମୁଁହ ଟେକି ଚାହଁଲା । ମୁଣ୍ଡରେ କୋତରା ଠେକା, ଛାତିବାଳ ଧଳା, ପେଟ ଉପରେ ଯାଦୁ ଅରାଏ । ଏଇ ତ ସେ । କ’ଣ ନାଁଟା ଟି ? ଗୋପିଆ ? ମଧୁଆ ? ଜଗୁଆ ? ନୁହେଁ । ବୁଢ଼ାବିଷୟରେ ସବୁ ସେ ଜାଣେ । ଜାଣିବାର କାରଣ ଅଛି ବି । ଭାବିଲେ ଦିଶିଯାଏ ତା’ର ଦି ବଖୁରିଆ ଚାଳଘର, ବୁଜା ବାରି । ସାହିଠୁ ଅଲଗା । ବୁଢ଼ାର ଯୁବତୀ ଝିଅ ସ୍ୱାମୀଠୁ ଅଲଗା । ଦିନେ ଆସି ବୁଢ଼ା କହିଥିଲା–‘‘ବାବୁ, ମୋ କଥା ଟିକିଏ ବୁଝିଦବ ନାଇଁ ? ବାଡ଼େଇ ପିଟି ଘରୁ ତଡ଼ିଦେଲା; ଆଉ ଗୋଟାଏ ଆଣିଲା । ତେଣେ ସେ ଦୁଧରେ ଆଞ୍ଚୋଇ ଘିଅରେ ପାଣି ସାରୁଚି, ଏଣେ ୟେ ଉପାସରେଗଡ଼ୁଚି।ଦିଅନ୍ତ ଭଲା କାନ ମୋଡ଼ି ଖୋରାକ ପୋଷାକ ଅସୁଲ କରି ବାବୁ, ତମ ଯଶ ରହନ୍ତା ।” ବୁଢ଼ା କଇଲାଣ କରନ୍ତା ।’’

 

“ହଉ, ଯିବା ତୋ ସାଙ୍ଗେ ତୋ ଘରକୁ ଦିନେ; ଝୁଅଠୁ ସବୁ କଥା ବୁଝି ତା’ପରେ ଉପାୟ କରିବା ।”

 

ଯାଇଥିଲା । ସେ ସ୍ମୃତି ବି ମନେ ଅଛି । ଭଗବାନ ଅବହେଳାରେ ସଢ଼ିବାକୁ ଏତେ ରୂପ ଦିଏ ? ପାଠ ନ ପଢ଼ିଥିବା ସାଧାରଣ ମନରେ ଦିଏ ଏତେ ଚତୁରପଣ ପୁଣି ଏତେ କବିତା ? ବର୍ଷେକାଳ ସେମାନଙ୍କ ସଙ୍ଗେ ସମ୍ୱନ୍ଧ । ଖୋରାକ ପୋଷାକ ହେଲା, ଆହୁରି କିଛି ବି ହେଲା, ଶେଷରେ ଦିନେ ଅକାଳରେ ବସନ୍ତ ରୋଗରେ ଅଦିନରେ ମଉଳିପଡ଼ିଲା ଫୁଲ । ଝିଅ ଚାଲିଗଲା । ବୁଢ଼ା ତଥାପି ଶାଗ ବିକୁଛି । ତା’ର ସ୍ମୃତି ଭୁଲି ହୁଏ ନାହିଁ । କିନ୍ତୁ ନାଁଟି କ’ଣ ? ଉମା, ରମା, ମଲ୍ଲୀ, ମନେ ନାହିଁ ?”

 

“ଆରେ ହେ, ହେ ବୁଢ଼ା !”

 

ନାଁ ପଚାରିବ ? କାଳେ କ’ଣ ଭାବିବ ଏ ବୁଢ଼ା । ଧୋବଧାଉଳିଆ ବାବୁ ଯେତେ ସମସ୍ତଙ୍କର ଏମିତିଆ ମନ; କାମ ସରିଗଲେ ମନରୁ ଅନ୍ତର ! ଏତେ ସ୍ନେହ, ଆଦର; ଏତେଦିନର ସୁଖର ସ୍ମୃତି । ମନର ତଳେ ତଳେ ଅଦ୍ୟାପି ସେ ରହିଚି । ଭାବିଲେ ଆଖି ପାଣିଚିଆ ହୁଏ । ତା’ର ନାଁ ମନେ ନାହିଁ ! ଆପଣାର ମନ କହୁଛି, ପଚାରିଦେଲେ ବୁଢ଼ା କ୍ଷମା କରିବ ନାହିଁ । ହଳଦିଆ କୋଟଳିଆ ଆଖି ଗାରଡ଼େଇ ଚାହିଁବ, ଯେମିତି ସେ ଚାହୁଁଥିଲା ତା’ର ଜୋଇଁ କଥା ପଡ଼ିଲେ ।

 

“କଣ କହୁଚ, ବାବୁ ?”

 

ପାଖେ କଥା ବାଆଁରେଇ ପାଖେ ଅତୀତରେ ଭାସିଯାଇ ଅନ୍ୟମନସ୍କ ହେଲା ପରି ଅଶୋକ କହିଲା ‘‘ପଚାରୁଚି, ଆମ୍ୱଡ଼ା ବିକି ଆଣିଛୁ କି ?”

 

ଆମ୍ୱଡ଼ା ? ଆମ୍ୱଡ଼ା ତ କେବେ ଆଣେ ନାଇଁ, ବାବୁ ! ଏ ଦିନେ କି ଆମ୍ୱଡ଼ା ? କଷି ବି ଧରି ନ ଥିବ ଗଛରେ ।”

 

ଆଶ୍ଚର୍ଯ୍ୟ ହୋଇ ବୁଢ଼ାଟି ଅନେଇଁ ରହିଲା ।

 

ଅଶୋକ ଉଠି ଚାଲିଗଲା ଘର ଭିତରକୁ ।

 

ସେତେବେଳଠୁ ସେ ଘାରିହେଉଛି, ପ୍ରକୃତରେ ତା’ର ନାଁ ମନେ ରହୁନାହିଁ । କେବଳ ଆଜି ନୁହେଁ, ଭାବିଲେ ଜଣାପଡ଼ୁଛି, କେତେଦିନ ହେଲା ଏପରି ଅବସ୍ଥା ତା’ର ଆସିଲାଣି । କାଲି ସନ୍ଧ୍ୟାରେ ଜଣେ ବଡ଼ଲୋକଙ୍କ ଘରେ–ପାର୍ଟିରେ ଜଣେ ଆଗନ୍ତୁକଙ୍କ ଆଗରେ ଦୁଇଜଣ ଭଦ୍ରମହିଳାଙ୍କୁ ଚିହ୍ନା କରେଇ ଦେଉ ଦେଉ ସେ ସେମାନଙ୍କ ସ୍ୱାମୀ ଦୁହିଁଙ୍କ ନାଁକୁ ଓଲଟପାଲଟ କରିଦେଇଥିଲା–‘‘ୟେ ହେଉଛନ୍ତି ମିସେସ୍ ବିଶ୍ୱନାଥମ୍, ୟେ ମିସେସ୍ ପରୀକ୍ଷିତନ୍‍ ।” ଠିକ୍ ତା’ର ମୁହଁ ଉପରେ ମିସେସ୍ ବିଶ୍ୱନାଥମ୍ ଚିତ୍କାର କରିଉଠିଥିଲେ, ‘‘ଆପଣ ଭୁଲ୍ କହିଲେ ଯେ, ମିସେସ୍ ପରୀକ୍ଷିତନ୍ ହେଲା ସେ ।” ଆଗନ୍ତୁକ ତା’ରି ମୁହଁକୁ ହସି ହସି ଚାହିଁଥିଲେ, ଯେପରି କି ତାକୁ ସେ ବୁଝେଇବାକୁ ଚାହାନ୍ତି ଅପରିପକ୍ୱ ଜ୍ଞନର ପରିଣାମ ।

 

ତା’ପରେ ଆଜି ସକାଳେ ଏ ବୁଢ଼ା ।

 

କେବଳ ଏତିକି ନୁହେଁ, ରାସ୍ତାକୁ ବାହାରି ଚିହ୍ନା ଲୋକଙ୍କୁ ଅନେଇଁ ନାଁ ଭାବେ, ଦେଖେ, ନାଁ ମନେ ନାହିଁ । ଯେତେ ଅଧିକ ଭାବେ, ସେତେ ଅଧିକ ଭ୍ରମରେ ପଡ଼େ । ଠିଆ ହୋଇଛନ୍ତି ମାଧବବାବୁ । ପାନ କିଣୁଛନ୍ତି । ପାଞ୍ଚମାସ ତଳେ ବହି ଦି’ଖଣ୍ଡ ପଢ଼ି ଫେରେଇଦେବେ ବୋଲି ନେଇଥିଲେ; ତା’ପରେ ଆଉ ଦେଖା ନାହିଁ । ଅଶୋକ ଚିତ୍କାର କଲା, ‘‘ଶଙ୍କରବାବୁ, ହୋ ଶଙ୍କରବାବୁ !” ମାଧବବାବୁ ଶୁଣୁନାହାନ୍ତି; ନିରୁଦ୍‍ବିଗ୍ନ ମନରେ ପାନ କିଣୁଛନ୍ତି–“ଭୁଲରେ ଖଇର ଦେଇଦେଲ ଯେ ! ଆଉ ଖଣ୍ଡେ ଭାଙ୍ଗ । ଦେଖ, ଚୁଆମିଶା ଗୁଣ୍ଡି ଦବ ନାହିଁ ।” ବାରମ୍ବାର ‘ଶଙ୍କରବାବୁ’ ‘ଶଙ୍କରବାବୁ’ ଡାକିଲେ ବି ଟିକିଏ ଅନୋଉନାହାନ୍ତି । ଅଶୋକ ପହଞ୍ଚୁ ପହଞ୍ଚୁ ସେ ପାନ କିଣିସାରି ସାଇକଲରେ ପାଦ ଥୋଇଲେଣି । ଆଗରୁ ଓଗାଳି ଅଶୋକ କହିଲା, ‘‘କ’ଣ ଆଜ୍ଞା, ଡାକିଲେ ବି ଶୁଣୁନାହାନ୍ତି ଯେ ? ଭାରି କାର୍ଯ୍ୟବ୍ୟସ୍ତ ନିଶ୍ଚୟ ?” ହସି ହସି ମାଧବବାବୁ କହିଲେ, ‘‘କାର୍ଯ୍ୟର କଥା ଆଉ କହନ୍ତୁ ନାହିଁ ଆଜ୍ଞା, ଆପଣଙ୍କ ପରି ସ୍ୱାଧୀନ ଲୋକ ହୋଇଥିଲେ ଆଉ କଥା ନ ଥିଲା । ଯା ହଉ, ଦେଖା ହେଲେଇଁ ବହୁତ ଦିନରେ । ସବୁ ଭଲ ତ ?”

 

“ଚାଲିଚି” ଅଶୋକ କହିଲା, ‘‘ଡାକି ଡାକି ଯୋଉଠୁ ଜବାବ ନ ପାଇଲି, ଭାବିଲି ଆପଣ ଭୁଲିଗଲେଣି ।”

 

“ମତେ ଡାକୁଥିଲେ ଆପଣ ?”

 

“ହଁ, ଖୁବ୍ ବଡ଼ପାଟିରେ ।”

 

“ଆଶ୍ଚର୍ଯ୍ୟ ! ତେବେ ମୋର କାନ ଦି’ଟା ଥିଲା କୁଆଡ଼େ? ହେଇ ତ ଶୁଣୁଥିଲି ଡେଙ୍ଗୁରା ଦେଇ ଜଣେ ଗଲା, ମ୍ୟୁନିସିପାଲଟି ହାତରେ ଗୋରୁ ପୂରେଇଲେ କାଞ୍ଜିଆଉଦାରେ ଦେବେ । ତା’ପରେ ଡାକି ଡାକି ଗଲା ପରିବାବାଲା ‘ଲବ–ଲହର ଜହ୍ନି’ । ହଁ, ଭୁଲିଯାଉଚି, ଜଣେ କିଏ ‘ଶଙ୍କରବାବୁ ଶଙ୍କରବାବୁ’ ପାଟି କରି କରି ଗଲେ । ବୋଧହୁଏ ପଛରେ ଦୋକାନ ଅଛି ଶଙ୍କର ପାନବାଲାର; ତାକୁହିଁ ଖୋଜୁଥିବେ । ଆଜିକାଲି ସମସ୍ତେ ବାବୁ କିନା ! –ଆଉ ମତେ କେତେବେଳେ ଆପଣ ଡାକିଲେ ?’’

 

ଅଶୋକର ମୁଁହରୁ ଝାଳ ବୋହିବାକୁ ଆରମ୍ଭ କଲାଣି । ଜଣାଗଲା, ଏ ଶଙ୍କରବାବୁ ନୁହଁନ୍ତି । ନାଁ ଆଉ କିଛି । ‘‘ଛାଡ଼”, ସେ କହିଲା, ‘‘ମୁଁ ତ ଆଉ ବୋବୋଉ ନଥିଲି । ଆସ୍ତେ ଆସ୍ତେ ଡାକୁଥିଲି ।”

 

“ତେବେ ବି ନ ଶୁଣିବି କାହିଁକି ? କାନରେ ନିରୋଳା ସୋରିଷତେଲ ପକାଏଁ, ଆଜ୍ଞା, ଡାକିଲେ ଆଉଥରେ କେମିତିଆ ଡାକୁଥିଲେ ।”

 

“ଥାଉ, ଆପଣ ଯାଇହଉ କାନରେ ସୋରିଷତେଲ ପକାନ୍ତି । ନାକରେ ପକାନ୍ତି ନାହିଁ ତ-? ନିଉନ୍ତୁ ସିଗାରେଟ୍ । ହଁ, ବହି ଦି’ଖଣ୍ଡ ପଢ଼ା ସଇଲା-?”

 

‘‘କୋଉ ବହି, କହିଲେ ?’’

 

ଫେର୍ ବିପଦ । ବହିର ନାଁ ମନେ ନାହିଁ । ‘‘ସେଇ ମ, ଆପଣ ସେ ଯୋଉ ବହି ଦି’ଟା ମୋଠୁଁ ଆଣିଥିଲେ–ପଢ଼ିସାରିଲେଣି ଯଦି ଫେରେଇଦେଲେ ଭଲ ହୁଅନ୍ତା । ନ ପଢ଼ିଛନ୍ତି ଯଦି, ରଖନ୍ତୁ ଆଉ ସାତ ଆଠଦିନ, କ’ଣ ହେଲା ?”

 

“ବଡ ଆଶ୍ଚର୍ଯ୍ୟ କଥା ! ଅଶୋକବାବୁ, ଆପଣ ମତେ ବିଶ୍ୱାସ କରନ୍ତୁ, ମୁଁ ଆପଣଙ୍କର କୌଣସି ବହି ନେଇନାହିଁ । କି ନାଁ କହିଲେ–ସବୁ ବହିତ ଦାଣ୍ଡଘର ଆଲମାରିରେ ଥାଏ ; ମୁଁ ହେଲେ ଖୋଜି ଦେଖିବି ।”

 

“ଥାଉ, ଆପଣ କ’ଣ ଅନ୍ୟ କାର୍ଯ୍ୟରେ ଯାଉଛନ୍ତି, ନାଁ ଭୁଲିଯିବେ । ଆପଣ କେତେବେଳେ ଘରେ ଥିବେ, କହିଲେ ?”

 

“ଆଜି ତ ଛୁଟି, ବର୍ତ୍ତମାନ ବଜାରରୁ ବୁଲିସାରି ମୁଁ ଏଗାରଟା ପରେ ବରାବର ଘରେ ଅଛି । ଆପଣ ଆସନ୍ତୁ । ନିଜେ ଟିକିଏ ଖୋଜି ଦେଖିବେ । କାଳେ ବହି ଥାଏ । କିନ୍ତୁ ମୋର ଠିକ୍ ମନେଅଛି, ବହି ନାହିଁ । ଆଣିନାହିଁ ତ, ଥିବ କୁଆଡ଼ୁ ? ଆପଣ ହେତୁ କରନ୍ତୁ । ହଉ ନମସ୍କାର ।”

 

ସେ ଚାଲିଗଲା ପରେ ଅଶୋକ ତାଙ୍କ ପଛେ ପଛେ ଚାହିଁ–ରହିଲା ବହୁତ ବେଳ । ରାଗ ଆସିଲା, ମଣିଷ ଏମିତି ଭୁରୁଡ଼େଇ ଦେଇପାରେ ? ଦୁନିଆର ରୀତି କଥା ଭାବି ରାଗିରାଗି ଚାଲୁ ଚାଲୁ ମନର ଅନ୍ୟମନସ୍କପଣ ଭାଙ୍ଗିଲା କାହାର ‘‘ଅଶୋକବାବୁ, ଅଶୋକବାବୁ” ଡାକରେ । ଅତି ଆଗ୍ରହରେ ଦି’ହାତ ବଢ଼େଇଦେଇ ମାଡ଼ି ଆସୁଛନ୍ତି ବନ୍ଧୁବର । ହସରେ ସୁନାତାରରେ ବନ୍ଧା ଲମ୍ୱ ଲମ୍ୱ ପୋକରା ଦାନ୍ତର ଛବି । ଖଣ୍ତେ ସାବଜା ହାୱାଇ ସାର୍ଟ, ଖାକି ପ୍ୟାଣ୍ଟ, ମୁଣ୍ତରେ ନାସ-ବର୍ଣ୍ଣର ଫେଲ୍‍ଟ୍ ଟୋପି, ହାତରେ ଚମଡ଼ା ମୁଣି ।

 

“ହେଲୋ–ହେଲୋ,–ୟୁ ସି–ୟୁ ସି–ଅଶୋକବାବୁ, କ’ଣ କେମିତି ଚାଲିଚି, ଦୁନିଆର ଖବର କ’ଣ, ହାଉ ଡୁ ୟୁ ଡୁ, ସବୁ ଭଲ ତ ?”

 

ଆଦୌ ମନେ ପଡ଼ୁନାହିଁ ଏ କିଏ; ଅଥଚ ଲାଗୁଛି, ଚିହ୍ନା ଚିହ୍ନା । ଅଶୋକର ମନ ତୀବ୍ରଭାବେ ଭାବି ଲାଗିଲା ୟେ କିଏ ହୋଇପାରନ୍ତି; ପାରିଲା ନାହିଁ ।

 

ଏଣେ ବନ୍ଧୁ–ଖାକି ପ୍ୟାଣ୍ଟ୍‍ର ପକେଟରୁ ସିଗାରେଟ୍‍ ଟିଣ କାଢ଼ି ବଢ଼େଇ ଧରିଲେ, କହିଲେ, ‘‘କେମିତି ? ୟୁ ସି–ବହୁଦିନ ପରେ । ହ୍ୟାଭ୍ ଓ୍ୟାନ୍, ତା’ପରେ ସବୁ ଭଲ ତ ?”

 

ଲୋକଟା କିଏ ? ଏତେ ଆପଣାର ପରି କଥା ହେଉଛି । ବେଶଭୂଷା, କଥାର ଭଙ୍ଗୀ, ଚେହେରା, ସବୁଥିରୁ ଅନୁମାନ ଉଠାଇ ଅଶୋକ ଅନୁମାନ କଲା, ଏ କେହି ଏ.ସି.ଏସ୍‍.ଓ., ସମ୍ଭବତଃ ଗଡ଼ଜାତରେ ପୋଷ୍ଟିଂ । ସି.ଏସ୍.ଓନୁହନ୍ତି, ନୁହନ୍ତି ସୁପରଭାଇଜର, ନିଶ୍ଚୟ ଏ.ସି.ଏସ୍.ଓ, ହଠାତ୍ ଏ ସିଦ୍ଧାନ୍ତରେ ପହଞ୍ଚିବାର ବି ସେ ସ୍ଥୂଳ କାରଣ କିଛି ପାଇଲା ନାହିଁ । ଗୋଟାଏ କିଛି ଅନୁମାନରେ ବାଜେ, ତା’ପରେ ମନଯାକ ସତେ କି ଚହଳ ପଡ଼େ; ଭାବେ ଏଇ ଠିକ୍, ଏଇ ଠିକ୍ ।”

 

“କ’ଣ ଆପଣଙ୍କ କଥା କହନ୍ତୁ ଆଗ, ବହୁଦିନ ପରେ ଦେଖା ।”

 

“ହଁ, ଚାଲିଚି; ମନ୍ଦ ନୁହେଁ, ୟୁ ସି ।”

 

“ତା’ ତ ଚାଲିଥିବ । ତା’ପରେ ?”

 

“ୟୁ ସି–ଫାଦର ଇନ୍ ଲ’ଏକ୍‍ସପାୟାର୍କଲେ ।”

 

“କରନ୍ତେ ତ, ବୁଢ଼ା ହେଇଯାଇଥିଲେ ।”

 

“ହ୍ୱାଟ୍ ଡୁୟୁ ମୀନ୍ ? ବୁଢ଼ା ! ପଇଁଚାଳିଶ ବର୍ଷର ଲୋକଙ୍କୁ ବୁଢ଼ା କୁହାଯାଏ, ୟୁ ସି !”

 

“ବୁଢ଼ା ଆଜିକାଲି ସମସ୍ତିଙ୍କି କୁହାଯାଇପାରେ, ଆଜ୍ଞା, ଦୁନିଆର ଯେଉଁ ଅବସ୍ଥା, ମିଶା ତେଲ, ମିଶା ଘିଅ, ପାଣି ଦୁଧ ଖାଇ ସ୍ୱାସ୍ଥ୍ୟ ବି ଯାଉଛି । ଅର୍ଥଚିନ୍ତା କରୁ କରୁ ମନ ଭାଙ୍ଗିପଡ଼ୁଛି । ଅବଶ୍ୟ ସେ ସବୁ ଚିନ୍ତା ଆପଣଙ୍କର ନାହିଁ ।’’

 

ବନ୍ଧୁ କିପରି ଯେପରିକି ଅପ୍ରସ୍ତୁତ ହେଲେ; କହିଲେ, ‘‘ଛାଡ଼ନ୍ତୁ, ଆମେ ବେଶି ପର୍ସନାଲ୍ ହେଇଯାଉଛୁ, ୟୁ ସି–’’

 

“ଆଚ୍ଛା, ଏଥର ତେବେ ଇମ୍ପର୍ସନାଲ ହେଉଁ । ଆପଣଙ୍କର କାମ କେମିତି ଚାଲିଚି ?”

 

ବନ୍ଧୁ ହସିଲେ, କହିଲେ, ‘‘ଆମ କାମ ଆପଣ ଖବରକାଗଜରୁ ଦେଖିପାରୁଥିବେ ।”

 

“ଦେଖୁଛୁଁତ । ତା’ ସତ୍ତ୍ୱେ ?ଆପଣ କ’ଣ ଭାବୁଛନ୍ତି ?”

 

ବନ୍ଧୁ ମୁହଁ ଭୁର୍କୁଣ୍ତେଇଲେଣି । ଗମ୍ଭୀର ହୋଇ କହିଲେ, ‘‘କାମ ଚାଲିଚି ଯେମିତି ଚାଲିବା କଥା, ମୁଁ ଆଉ ଭାବିବି କ’ଣ ?”

 

‘‘ଆପଣଙ୍କର କଲେକ୍ଟର କେମିତି ଅଛନ୍ତି ?”

 

‘‘କଲେକ୍ଟର ? ହ୍ୱାଟ୍ ଡୁୟୁ ମୀନ୍ ? ୟୁ ସି, କି କଲେକ୍ଟର ?”

 

ହଠାତ୍ ଆଶୋକର ଧୈର୍ଯ୍ୟଚ୍ୟୁତି ଘଟିଲା । ଲାଗିଲା,ତେବେ ଏ ଲୋକ ଏ.ସି.ଏସ୍‍.ଓ.ବି ନୁହନ୍ତି ! ତେବେ କ’ଣ କିଏ ବାଜେ ଲୋକ ? ନା, କେହି ଇନ୍‍ସ୍ୟୁରେନ୍‍ସ ଭାଲୁ, ‘ଆମ କାମ ଆପଣ ଖବରକାଗଜରେ ଦେଖିପାରୁଥିବେ’, ହାତରେ ମୁଣି । ଉପରେ ପଡ଼ି ଆକ୍ରମଣ, ହଠାତ୍ ସିଗାରେଟ୍‍ଯଚା, ଯାବତ କଥାର ଫନ୍ଦି । ସମୟ ବହେ ଗଲାଣି । ଅଶୋକ ବିରକ୍ତ ହୋଇ କହିଲା, ‘‘କ୍ଷମା କରିବେ, ଆଜ୍ଞା, ଆପଣଙ୍କ ନାଁଟା କ’ଣ କହିଲେ ? ମୋର ଆଦୌ ମନେ ପଡ଼ୁନାହିଁ-।”

 

ବନ୍ଧୁ ମୁହଁ ଲମ୍ବେଇ ସୁ-ସୁ ଶବ୍ଦ କରି ପବନ ଶୋଷିଲେ ଦୁଇ ମିନିଟ୍‍ । ବଡ଼ ବଡ଼ ଆଖିର ଦୃଷ୍ଟି ଅଶୋକବାବୁଙ୍କ ମୁହଁରେ ସ୍ଥିର ରଖିଲେ । କହିଲେ, ‘‘ଗୁଡ୍‍ ହେଭ୍‍ନ୍‍ସ୍–ୟୁ ସି ! କି ତାଜୁବ କଥା-! ଭୁଲିଗଲେ ? ଆପଣଙ୍କ ସାନଭାଇକି ଟିଉସନ କରୁଥିଲି ଏକବର୍ଷ–’’

 

“ଅନେକ ତ ପଢ଼ୋଉଥିଲେ–’’

 

“ଏକାଠି ଲ’ ପରୀକ୍ଷା ଦେଲେ–’’

 

“ସେ ତ ଅନ୍ତତଃ ଅଢ଼େଇଶ ଜଣ ଦେଇଥିଲେ ।’’

 

“ଆପଣଙ୍କ ବାପାଙ୍କ ସାଙ୍ଗେ ମୋର ଏତେ ଘନିଷ୍ଠତା–’’

 

“ବାପାଙ୍କ ବନ୍ଧୁଙ୍କ ସଂଖ୍ୟା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।’’

“ତା’ପରେ କଚିରିରେ ଦେଖାଦେଖି–କଅଣ ଆପଣ କହୁଛନ୍ତି, କିଛି ମନେ ନାହିଁ ?” ତାଙ୍କର ଆତ୍ମାଭିମାନ ଅପମାନ ଦାଉରେ ଚିତ୍କାର କରିଉଠିଛି । କିନ୍ତୁ ଅଶୋକର ବିରକ୍ତି ବଢ଼ୁଛି । ସାଇକଲରେ ଏକ ଘୋସରା ଦେଇ କହିଲା, ‘‘ଲମ୍ବ କାହାଣୀ ଛୋଟ କରିଦେଇ କହନ୍ତୁ ନା, ଆଜ୍ଞା, ଆପଣଙ୍କ ନାଁ–’’

“ଓ ! ଆଇ ସି–’’ ବନ୍ଧୁ କହିଲେ, ‘‘ମୋ ନାଁ ନୀଳମାଧବ ଦାସ । ଆଇ.ଏ.ଏସ୍‍. ହେଲା ପରେ ବର୍ତ୍ତମାନ କାଶ୍ମୀର କମିଶନରେ ଅଛି । ଫାଦର ଇନ୍‍ ଲ’ ହଠାତ୍‍ ଏକ୍‍ସପାୟାର କଲେ କିନା, ତେଣୁ ଛୁଟିରେ ଆସିଥିଲି, ୟୁ ସି । ଭୁଲିଗଲେଣି ତା’ହେଲେ ? ହଉ, ଆପଣଙ୍କ ଦୟା–ନମସ୍କାର ।’’

ଲଜ୍ଜାରେ ଥର ଥର ହେଲା ଅଶୋକ, କହିଲା, ‘‘ଓଃ, ଏତେ ଦିନ ଏତେ ରାତି ଏକାଠି ! ଆପଣ ଚପ୍‍ ଖାଇବାକୁ ଭଲ ପାଉଥିଲେ, ତେଣୁ ପାର୍କ ହୋଟେଲ–ନରିବାବୁ–ଆଉ–ଛାଡ଼ନ୍ତୁ ! ସବୁ ମନେ ଅଛି, ଆଜ୍ଞା ! ଆପଣଙ୍କୁ ଭୁଲିପାରେ ? ଆପଣ ଦୁଃଖିତ ହେବେ ଶୁଣି, ମୋର ନର୍ଭସ୍‍ ବ୍ରେକ୍‍ଡାଉନ୍‍ହୋଇଛି । ସବୁ ଭୁଲିଯାଉଛି । କ’ଣ କରିବି, କହନ୍ତୁ ?”

କିନ୍ତୁ ବନ୍ଧୁ ଯେପରିକି ବିଶ୍ୱାସ କଲେ ନାହିଁ–ବୁଲିପଡ଼ିଲେ-କହିଲେ, ‘‘ହଉ, ନମସ୍କାର ।’’

“କାଶ୍ମୀର ପହଞ୍ଚି ଚିଠି ଦେବେ, ଆଜ୍ଞା !”

ବନ୍ଧୁ ନ ଶୁଣିଲାପରି ଚାଲିଯାଉଚନ୍ତି ।

ତା’ପରେ ରାସ୍ତାରେ ସବୁଦିନ ପରି ଚାରିଆଡ଼ୁ ‘‘ନମସ୍କାର, ନମସ୍କାର”, ‘‘କି ଅଶୋକବାବୁ, କେମିତି ଅଛନ୍ତି ?” ଅଭ୍ୟାସ ଅନୁସାରେ ତା’ ତରଫରୁ ବି ପ୍ରତି-ନମସ୍କାର, ଦୁଃଖସୁଖ-। କିନ୍ତୁ ଆଜି ସେ ନାଁ ଖୋଜୁଛି, ନା ପାଉନାହିଁ । ଏମାନଙ୍କ ସଙ୍ଗରେ ଏତେ ସମ୍ବନ୍ଧ, ଏତେଦିନର ହସଖେଳ, ସୁଖଦୁଃଖର ଜୀବନଯାତ୍ରା । ଅଥଚ ନାଁ ମନେ ପଡ଼ୁନାହିଁ ! ଆଶଙ୍କା ହେଉଛି, ଯଦି ପୁଣି ସେପରି ଅବସ୍ଥା ଉପୁଜେ, ଯେତେବେଳେ ‘କ’ର ନାକୁ ସେ ‘ବ’ କହିବସିବ । ତେଣୁ କାହାକୁ ଡାକ ଛାଡ଼ିଲେ ସେ ନାଁ ଧରୁ ନାହିଁ, କେବଳ ଓଡ଼ିଆ ସମ୍ବୋଧନ ପଦରେ କାମ ଚଳୋଉଛି–‘ହୋ’, ‘ହେ’, ‘ଆଜ୍ଞା’, ‘ରେ–’

ବହି ଦି’ଖଣ୍ଡ ନେବାକୁ ପଡ଼ିବ । ଏହି ସେ ବାବୁଙ୍କ ବସାଘର ନା କ’ଣ ? ଦୁଆରମୁହଁରେ ଠିଆହୋଇ ଅତି ଉଗ୍ରଭାବେ ଭାବିବାକୁ ଲାଗିଲା । ଜଗତରେ ଏତେ ଲୋକ; ଗଣଙ୍କ ଛାଇତଳ ବିନା ବଢ଼ିପାରେ ନାହିଁ ଜଣକ । ଏକାପରି ମଣିଷ, ଏକ ନିଦାନ ଉପାଦାନ, ଦଖଲ ଘେନି ପାର୍ଥକ୍ୟ; ଯେତେ ଭାଇ ସେତେ ଘର, ଯେତେ କନିଆଁ ସେତେ ବର । କିନ୍ତୁ ନାଁ ମନେ ନ ରଖି ଚଳିପାରିବ କେମିତି ? ନାଁ ମନେ ରଖିବାକୁ ହେବ, ଲାଗୁ ସେଥିପାଇଁ ଯେତେ ବ୍ରାହ୍ମୀଘୃତ, ଯେତେ ଟନିକ୍‍, ଯେତେ ଔଷଧ । ନାଁ,–ଚଳନ୍ତି ଦୁନିଆ ସହିତ ଗଣ ସହିତ ଜଣକର ଡୋର; ତାକୁ ଅତୁଟ ରଖିବାକୁ ପଡ଼ିବ ଯେକୌଣସି ଉପାୟରେ । କିନ୍ତୁ ଭାବୁ ଭାବୁ ସ୍ମୃତି ଚହଲି ଚହଲି ଯାଉଛି, ବାମ୍ଫ ହୋଇ ଉଡ଼ିଯାଉଛି ଉଗ୍ର କେନ୍ଦ୍ରିକତା । ଏହି ତ ସେ ବାବୁଙ୍କ ବସା ନା କ’ଣ !

 

ଆକୁଳ ଆଖିରେ ଏପାଖ ସେପାଖ ଅନେଇଁ ଅଶୋକ ଭାବିଲାଗିଲା, ନାଁ କ’ଣ ? କି ନାଁ ତାଙ୍କର ? ବହି ଦି’ଖଣ୍ଡ ଅସୁଲ କରିବାକୁ ହେବ ଯେ କୌଣସିମତେ । ମନେ ପଡ଼ିଯାଏ–ସହରର ଭଦ୍ରଲୋକ ଏମାନେ; ଖଣ୍ଡିଏ ଖଣ୍ଡିଏ ବହି ନେଇ ତା’ପରେ ପାସୋରି ପକାଇବାହିଁ ଏମାନଙ୍କର ସ୍ଵଭାବ । ଏଥିରେ ଦବିଲେ, ବ୍ୟକ୍ତିଗତ ସମ୍ପତ୍ତି ବଜାୟ ରଖିବାହିଁ ଅସମ୍ଭବ । ସୁତରାଂ ।

 

ଅତି ଜୋରରେ ଭାବି ଭୁଲିଗଲା ଅଶୋକ ଯେ ବଡ଼ ସହରରେ କାହା ଘରକୁ ଯାଇ ଡାକିଲେ ତାଙ୍କର ନାଁ ମନେ ରଖିବା ଆବଶ୍ୟକ ପଡ଼େ ନାହିଁ–କେବଳ ପଦେ ‘ବେହେରା’ ବା ‘ପୂଝାରି’, ତା’ପରେ ଖାଲି ଦେହରେ ଲୁଙ୍ଗିପିନ୍ଧା ବାବୁ ନିଜେହିଁ ବେହେରା ବା ପୂଝାରି ବେଶରେ ଆସି ପଚାରିବେ, ‘‘କ’ଣ ଆଜ୍ଞା ? କାହାକୁ ଖୋଜୁଛନ୍ତି ?”

 

ସାଇନ ବୋର୍ଡ଼ଦିଶୁଛି, ଇଂରେଜୀରେ ଲେଖା ହୋଇଛି ‘‘ଏମ୍‍.ସି.ମହାନ୍ତି” । ଅଶୋକ ଆଶ୍ୱସ୍ତିର ହସଟାଏ ହସି ସେହି ଆଡ଼କୁ ଚାହିଁରହିଲା । ନାଁଟା ଯେପରିକି ମନେ ପଡ଼ୁନାହିଁ । ଜିଭ ଅଗରେ ଥାଇ ପାସୋରି ହୋଇଯାଉଛି । ଏମ୍‍.ସି.–ମନଶ୍ଚନ୍ଦ୍ର, ମୋହନଚରଣ, ହଠାତ୍‍ ଯେପରିକି ଶୂନ୍ୟରେ ଆଲୁଅ ଝଲସିଲା, –ଠିକ୍‍, ଠିକ୍‍.–ମାର୍କଣ୍ଡଚରଣ–ୟୁରେକ୍‍କା ! ଦମ୍ଭ ଗମ୍ଭୀର ଗଳାରେ ଦଖଲି ସ୍ଵତ୍ଵର ପୂର୍ଣ୍ଣତେଜ ଅଜାଡ଼ିଦେଇ ଅଶୋକ ରଡ଼ିଲାଗିଲା–“ମାର୍କଣ୍ଡବାବୁ, ହୋ ମାର୍କଣ୍ଡବାବୁ, ମାର୍କଣ୍ଡବାବୁ ଘରେ ଅଛନ୍ତି ?”

 

ଭିତରୁ ଝରକାବାଟେ ମୁହଁ ଦେଖାଇଲେ ଜଣେ ସ୍ତ୍ରୀଲୋକ, ଆଶ୍ଚର୍ଯ୍ୟ ହୋଇ ଅନାଇଁ ରହିଲେ । ଭିତରେ କାହାକୁ ଯେପରି କ’ଣ କହୁଛନ୍ତି । ଜଣେ କିଏ ପଦାକୁ ଆସିଲା, ବଚନିକା ନ କରି କହିଲା–“ମାର୍କଣ୍ଡବାବୁ ନାହାନ୍ତି କେହି ଏଠି, ଆଗରେ ଦେଖନ୍ତୁ ।’’

 

“କ’ଣ ?ଏ ମାର୍କଣ୍ଡବାବୁଙ୍କ ଘର ନୁହେଁ ? ମୁଁ କ’ଣ ମାର୍କଣ୍ଡବାବୁଙ୍କ ଘର ଚିହ୍ନିନାହିଁ, ଭାବିଚ ? ଯା, କହିଦିଅ, ଅଶୋକବାବୁ ଡାକୁଛନ୍ତି ?”

 

“କୋଉ ମାର୍କଣ୍ଡବାବୁ, ଆଜ୍ଞା ? ଆପଣ ଭୁଲ କରୁଛନ୍ତି । ଏଠି କେହି ନାହାନ୍ତି କହିଦେଲି ପରା–ଯାଉନ୍ତୁ, ଆଗରେ ପଚାରନ୍ତୁ । ‘‘ଲୋକଟା ଅବଜ୍ଞାଭରେ ଅନ୍ୟ କଥା ନ କହି ଦୂରରେ ଯାଉଥିବା ମାଛବାଲାକୁ ଦେଖି ପାଟିକଲା, ‘‘ହେ ମାଛବାଲା, ହେ–ଆଇଲୁ ଆଇଲୁ ।’’ ଅଶୋକ ବିରକ୍ତ ହେଲାଣି । ସହରର ପିଲା, ସହରର ଫଜିଲାମି ବୁଝେ । ସାଇକଲକୁ ପିଠିପଟେ ଡେରିଦେଇ ଆଉଜି ପଡ଼ି ଛାତିକୁ ପୂରା ଓସାର କରିଦେଇ ସାମ୍ନାକୁ ଚାହିଁ କହିଲା–

“ହୋ !”

“କ’ଣ ?’’

“ତମ ସାଙ୍ଗେ ବୁଝାସୁଝା ଅଛି ।’’

“ଏଁ, ବୁଝାସୁଝା ।’’

“ହଁ, ତମେ କିଏ କହ ତ ?’’

‘‘ମୁଁ ଏ ଘରର ଚାକର ।’’

“ହଁ, କେଇଟଙ୍କା ଦରମା ପାଅ ?’’

‘‘କିଓ ବାବୁ, ମୁଁ କେତେ ଟଙ୍କା ପାଇଲେ କାହାର ସେଥିରେ କ’ଣ ଯାଏ ?”

“ଯିବ ନାହିଁ ? ବୋକା ଚାକର ରଖିଲେ ଘରମାଲିକର ସବୁ ଯାଏ; ବଜାରୀ ଚାକର ରଖିଲେ ସର୍ବନାଶ ହୁଏ । ଶସ୍ତା ଚାକର ରଖିଲେ ମଣିଷ ଶେଷରେ ମହଙ୍ଗାରେ ପଡ଼େ । ଏ ଘର ଭିତରରଅନ୍ଦିସନ୍ଧିକନ୍ଦି ବିକନ୍ଦି ସବୁ ମତେ ମାଲୁମ୍‍, ତମେ ଜାଣିଚ ? ଫାଜିଲାମି କରୁଚ କାହା ସାଙ୍ଗେ ? ମତେ କହୁଚ କ’ଣ ନା ଏ ମାର୍କଣ୍ଡବାବୁଙ୍କ ଘର ନୁହେଁ, ଏଁ ? ଜାଣିଚ, ତମ ମୁନିବ ମୋର ପୁରୁଣା ବନ୍ଧୁ, ମୋର ଦୋସ୍ତ, ମଝିରେ ଦିନାକେତେ ଆସିପାରିନାହିଁ ସିନା; ବରାବର ଏ ଘରକୁ ମୋର ଆତଯାତ ଥିଲା । ଏଇ ଦାଣ୍ଡଘରେ କେତେଥର ଯେ ବସି ଉଠି ଯାଇଛି ତା’ର ଲେଖା ନାଇଁ-। କ’ଣ ଭାବିଚ ତମେ ? ମୋ ସାଙ୍ଗେ ଫାଜିଲାମି ?”

କଥାଗୁଡ଼ାକ କହିବାକୁ ମନେ ମନେ ସେ ଦ୍ୟୋତନା ପାଇଲା ଘରର ଝରକାଆଡ଼କୁ ଚାହିଁ । ସେଠି ତଥାପି ରହିଛି ସେହି ମୁହଁ । ରାଗ ଭିତରେ ସାନ୍ନିଧ୍ୟର ପରିଚୟ ଦେବାକୁ ସେହି ଯେପରିକି କହିଦେଉଛି । ଘରର ଚାକର ଚାହିଁକି ଉଠି ‘‘ଦେଖିବଟି ହୋ’’ ‘‘ଅନେଇଁବଟି ହୋ’’ ବୋଲି ପ୍ରତ୍ୟାକ୍ରମଣ କରିଉଠିଲା ବେଳକୁ ସେହି ଝରକାବାଟେ ସରୁ ଗଳାରେ ଡାକ ଆସିଲା–

“ଭଗିଆ, ଭଗିଆ–ଶୁଣିଯା ।’’

ଭିତରକୁ ଯାଇ ଆଖିପିଛୁଡ଼ାକେ ଫେରିଆସି ଚାକର କହିଲା–“ଆପଣଙ୍କ ବନ୍ଧୁ ମାର୍କଣ୍ଡବାବୁ ଏ ବସାରେ କେବେ ଥିଲେ, ମା’ ପଚାରୁଚନ୍ତି ।’’

ଅପରିଚିତ ଲୋକ ଆଗରେ‘ମା’ ପଚାରୁଚନ୍ତି’ ଯୋଡ଼ିବାକୁ ଟିକିଏ ବୋଲି ବାଟୁଳି ବାଜିଲା ନାହିଁ ତା’ ପାଟିରେ–ନିଜର ଆତ୍ମ ସମ୍ମାନ ଖାତିରିରେ । କୋଉ ମାର୍କଣ୍ଡବାବୁ, ତା’ର କି ଯାଏ-?

 

“ବରାବର ଥିଲେ, ବରାବର ଅଛନ୍ତି’’ ଅଶୋକ କହିଲା, ‘‘ହେଇ ତ ନ’ମାସ ତଳେ ଦେଖା ହୋଇଥିଲା ଏଇ ଘରେ ।’’

 

ଝରକାବାଟେ ପିଚ୍‍କିନାପାନପିକ ପଇଲା । ମୁହଁଟି ଦିଶିଲା ଏଥର ଅତି ପରିଷ୍କାର । ଭିତରୁ ଶୁଭିଲା, ‘‘ଭାଗିଆ, କହିଦେ–ଆମେ ଏଇ ବସାରେ ପାଞ୍ଚବର୍ଷ ହେଲା ଅଛୁଁ । ଏଠି ମାର୍କଣ୍ଡବାବୁ ଫାର୍କଣ୍ଡବାବୁ କେହି ନାହାନ୍ତି । ଏଠି ଥାଆନ୍ତି ମାଧବଚନ୍ଦ୍ର ମହାନ୍ତି, ସାଇନ୍‍ବୋର୍ଡ଼ରେ ନାଁ ଲେଖା ଅଛି, କହି ଦେ–’’

 

ଅଶୋକ ଆଉ ଦଣ୍ଡେ ବି ଅପେକ୍ଷା କଲା ନାହିଁ; ସିଧା ସାଇକେଲ୍‍ ମାରି ଦାଣ୍ଡେ ଦାଣ୍ଡେ-। ଏତେବେଳକେ ହଠାତ୍‍କୁହୁଡ଼ିଆ ସ୍ମୃତି ଭିତରେ ସତରେ ସତର ସୂର୍ଯ୍ୟ ଉଇଁଛି । ସତେ ତ-! ମାଧବବାବୁ ସେ, ଏମ୍‍.ସି. ମହାନ୍ତି, ନିତିଦିନର ଚିହ୍ନା ମାଧବବାବୁ । ଆଉ କେତେ ମୂର୍ଖ ସେ ନିଜେ ? ମାଧବକୁ ମାର୍କଣ୍ଡ ! ଝରକା ସେ ପାଖର ସେହି ମୁହଁ ଦିଶିଯାଉଛି । ମନେ ମନେ ଲଜ୍ଜା ଘାରୁଛି । ସେହି ମୁହଁ ସତେ କି ଦୂରକୁ ଠେଲିଦେଉଛି–ପଳା, ପଳା, ଦୂର ପଳା ।

 

ଦୂରରୁ ଦିଶୁଛି, ମାଧବବାବୁ ନିଜେ ଆସୁଛନ୍ତି । ଦେଖା ହେଲେ ହୁଏତ ବହି ଦି’ଖଣ୍ଡ ମିଳିପାରନ୍ତା । କିନ୍ତୁ ଯଦି ବନ୍ଧୁତାର ଆତିଶଯ୍ୟରେ ସେ ଘରକୁ ଭିଡ଼ନ୍ତି, ତେବେ ? ସେହି ଝରକା

 

ଯାଉ ପଛେ ବହି, ଯଃ ପଳାୟତି ସ ଜୀବତି।

 

ଆପଣା ଘରମୁହାଁ ଖଣ୍ଡେଦୂର ଗଲା ପରେ ପୁଣି ମନେପଡ଼ିଲା ସେହି ମୁହଁ ଓ ତା’ ସଙ୍ଗେ ଆହୁରି ଗୋଟିଏ ମୁହଁ–କମଳୀର । କମଳୀ ପଡ଼ୋଶୀର ଝିଅ, ଭାଇ ବୋଲି ଡାକୁଥିଲା ପିଲା ଦିନୁଁ, କମଳୀ ବିଭା ହୋଇଯାଇଛି । ତା’ଛଡ଼ା, କମଳୀର ଜାତି ଭିନେ, ସେ ଏମ୍‍.ସି.ମହାନ୍ତିଙ୍କ ସହଧର୍ମିଣୀ ହେବା ଅସମ୍ଭବ ।

 

କିନ୍ତୁ କି ସାଦୃଶ୍ୟ ! ଅବିକଳ ସତେ କି କମଳୀ । ଭାବୁ ଭାବୁ ମନ ପୁରିଉଠେ; ଅତୀତର ଯେତେ ଛିଡ଼ିପଡ଼ିମଉଳି ପଡ଼ିଥିବା ପୃଷ୍ଠାସବୁ ସତେ କି କଅଁଳିଉଠି ସଜେଇହୋଇ ରହେ ଆପଣା ସ୍ଥାନରେ । ମହକିଉଠେ ଚେତନା–କମଳୀ ଅବିକଳ ତ !

 

ଭୁଲ ମନରେ ସାନ୍ତ୍ଵନା ଆସୁଛି ଆପେ ଆପେ, ଗୁଣ ଭୁଲି ହୁଏ ନାହିଁ, ଆପଣା ଚେତନାର ଦର୍ପଣରେ ଫଳିତ ମରମ ଭାବର ଛବି ଭୁଲି ହୁଏ ନାହିଁ । ବୈଷୟିକ ସମ୍ପର୍କରେ ଭଟା ପଡ଼ିବ ପଡ଼ୁ, ଜୀବନ ବଞ୍ଚିହେବ । ଗୋଟାଏ ଦେହ–ଯାହା ହେଉ ତା’ର ନାଁ–ଏକା ମନୁଷ୍ୟ ଦେହ, ସେଠି କିଛି ଅଛପା ନାହିଁ, ସବୁ ବିଧାତାରସୃଷ୍ଟି । ଅବସ୍ଥା ଅନୁପାତରେ ଜୀବୀର ସେହି ଏକ ପ୍ରକାର ବ୍ୟବହାର, ସେହି ମନ, ସେଠି ସୁଖଦୁଃଖର ଲହର, ଛାଇ ଆଲୁଅର ଖେଳ । ସେହି ଜୀବନର ଜଳ ସବୁ ଘଟରେ, ପାତ୍ରରେ ବିଚିତ୍ରତା । ଦର୍ଶନର ତଥ୍ୟ ଆନନ୍ଦ ଦିଏ ମନକୁ, ଚକ୍ଷୁ ଦିଏ ଭିତରଟା ଦେଖିବାକୁ । ସେହି ଚକ୍ଷୁରେ ସେ ଦେଖିଲାଗିଲା । ସେ ନିଜେ ବି ହୋଇପାରିଥାନ୍ତା ମାଧବବାବୁ– ।

 

ଆଉ ଝରକା ସେ ପାଖେ ସେ–ଅବିକଳ କମଳୀ ।

 

ସେ ନିଜେ ବିଭା ହୋଇନାହିଁ–ନ ହେଉ; ଦାଣ୍ଡଘରେ ଏପାଖ ସେପାଖ ଦଉଡ଼ା ଦଉଡ଼ି କରୁଥିଲା ଗୋଟାଏ ଛୋଟ ପିଲା । ସେ ହୋଇପାରିଥାନ୍ତା ତା’ର ଆତ୍ମଜ, ତା’ରି ସନ୍ତାନ ।

 

ହୋଇପାରିନାହିଁ, ନହେଉ–ନାଁ ଭୁଲିଲେ ଉପାଦାନ ସମାନ ।

 

ଭାବୁ ଭାବୁ କରୁଣ ହୋଇଆସୁଛି ମନ । ଦିନ ଚାଲିଯାଇଛି, ସେ ଉଡ଼ି ଉଡ଼ି ଚାଲିଛି, ବସା ଧରିନାହିଁ । ଯୌବନ ନ ସରୁଣୁ ଓହ୍ଲେଇଛି ବିସ୍ମରଣ, କାହିଁକି ? ସେ କ’ଣ ଚିଆଁଲଗା ମନର ହାକୁହାକୁ ଭୁଲିବାପାଇଁ ପ୍ରକୃତିର ଅଞ୍ଜନ ?

 

ହେଇ, ଜଣେ ଯାଉଛି । ତିରିଶଟା ଟଙ୍କା ଧାରେ ସେ । ଅସମୟରେ ଉଧାର ନେଇଥିଲା-। ତା’ପରେ ସବୁ ଭୁଲିଯାଇଛି । ଅଶୋକ ମୁହଁ ଟେକି ଚାହିଁଲା । ନାଁଟା ମନେପଡ଼ୁନାହିଁ-। ଲୋକଟା ତରତର କରି ପାଖ ଗଳିରେ ପଶୁଛି । ଅଶୋକ ଅପେକ୍ଷା କଲା ନାହିଁ-। ସାଇକେଲ୍‍ର ବେଗ ବଢ଼ାଇ ପିଁ ପିଁ କରି ଉଡ଼ିଗଲା ତା’ର ପଛେ ପଛେ ।

 

Image

 

ହସିବାକୁ ହେବ

 

ସକାଳୁ ନିଦରୁ ଉଠି ବିନୟ ଚାରିଆଡ଼କୁ ଚାହିଁଲା । ବହଳ ହୋଇ କୁହୁଡ଼ି ଘୋଟିଛି । ଏ ଯେପରିକି ଏକ ଭୂତ-ପୃଥିବୀ । କିଛି ପରିଷ୍କାର ହୋଇ ନ ଦିଶିଲେ ବି ଆଖି ସମ୍ପୂର୍ଣ୍ଣ ଅନ୍ଧ ନୁହେଁ । ଅର୍ଥାତ୍‍, ଦିଶୁଛି ତ କିଛି, ଯଦିଚ ସେ ଦୃଶ୍ୟ ସାଧାରଣ ଦେଖିଲା ଦୃଶ୍ୟ ନୁହେଁ । ସବୁ ଛାଇ ଛାଇ, ଭୂତିଆ ଭୂତିଆ, ଆଉ ଫାଳ ଫାଳ, ଚିରୁଡ଼ା ଚିରୁଡ଼ା । ସବୁ ଆଉଟି ଗୋଳି ହୋଇଯାଇ ହୋଇଛି ଗୋଟାଏ ସମୁଦ୍ର ଏବଂ ସଂସାର ଗୋଟାକଯାକ ଯେପରି ତା’ରି ତଳ ପତ୍ତନରେ ଗୋଟାଏ ମାୟା ସୃଷ୍ଟି । କୁକୁରଟାଏ ଦଉଡ଼ୁଛି, କି ସମୁଦ୍ର ଭିତରେ ଦୌଡ଼ ଦୌଡ଼ି ନାହିଁ; କେବଳ ଅଛି ପହଁରା । ଏମିତି ପହଁରି ପହଁରିକା କିଏ କେତେବେଳେ ତା’ର ଦୃଷ୍ଟିକୁ ଭେଟୁଛି, ତା’ପରେ ଅଦୃଶ୍ୟ ହୋଇଯାଉଛି । ଦୂରେଇ ଦୂରେଇ ବଡ଼ ବଡ଼ ଛାଇ, ଗଛ, ଘର, ଆଲୁଅ ଖୁଣ୍ଟ, ଇଟା ଗଦା, ମିଞ୍ଜି ମିଞ୍ଜି ହୋଇ ଦିଶୁଛି, ପୁଣି ଅଦୃଶ୍ୟ ହୋଇଯାଉଛି । ଲାଗୁଛି, ପହଁରି ପହଁରିକା ସେଗୁଡ଼ା ବି ପାଖକୁ ଆସିବ; ପୁଣି ଭାସିଯିବ ।

 

ବିନୟ ଖୁସି ହୋଇ ଏ ନୂଆ ଦୁନିଆକୁ ଅନେଇଁ ରହିଲା । ଭାବିଲା, ସେ ବାଇସ୍କୋପ ଦେଖୁଛି । ପିଲାଦିନେ ବାଇସ୍କୋପଦେଖିବାକୁ ଭାରି ମନ ଥିଲା; କିନ୍ତୁ ଟିକଟର ଦାମ୍‍ ଭାରି ଚଢ଼ା, ଦେଖିଯିବା ସମ୍ଭବ ହୁଏ ନାହିଁ । ଅଫିସ ଯାଉଣୁ ଆସୁଣୁ କାନ୍ଥରେ ବାଡ଼ରେ ନୂଆ ନୂଆ ସିନେମାର ବିଜ୍ଞାପନ ଛବି ଦେଖି ଦେଖି ଯାଏ; କେଉଁ ସିନେମାଟା କେତେ ଭଲ ତା’ର ଆଲୋଚନା ଶୁଣେ, ଲୋକେ କହନ୍ତି । ସଞ୍ଜବୁଡ଼େ ରାତି ପହରକେ ଅନେକ ଥର ଶୁଣେ ବାଇସ୍କୋପ ଘରର ବାଜଣା, ଗୀତ । ଅତୀତର ମନଟା ନିଦ ଭାଙ୍ଗିଲା ସାପ ପରି ଫଁ ଫଁ ହୁଏ, କାନ ଠିଆ କରି ଚଂଚଆଖିରେ ରାସ୍ତାକୁ ଅନାଇଁ ଭାବେ, ଯିବ ବାଇସ୍କୋପ୍‍ଦେଖି । ସଙ୍ଗେ ସଙ୍ଗେ ମନେ ପଡ଼େ–ଖାଲି ଏକୁଟିଆ ସେ ଯିବ ?

 

ସକାଳୁ ରାତିଅଧଯାକେ ଘର କାମରେ ଲୋଟୁଛି ତା’ର ସ୍ତ୍ରୀ; ପିନ୍ଧିଛି ଛିଣ୍ଡା ମସିଣା ଲୁଗା, ମୁଣ୍ଡକୁ ତେଲ ନାହିଁ; କାହିଁ ତାକୁ ତ ସିନେମା ଦେଖାଇ ନେବାକୁ ପଇସା ନାହିଁ । ପିଲା ଯୋଡ଼ିକ–ଅଜି ଆଉ ଉଷା–ଗୋଟିକୁ ଦଶ ବର୍ଷ, ଆରଟି ଆଠ ବର୍ଷର । କଷ୍ଟେ ମଷ୍ଟେ ଶାଗପଖାଳ ଖାଇ ମଣିଷ ମରା ମଟର ଗହଳିରେ ରାସ୍ତାଏ ରାସ୍ତାଏ ଚାଲି ଚାଲି ଯାଇ ଇସ୍କୁଲରେ ପଢ଼ିଆସନ୍ତି; ବଜାରରେ ଜିନିଷ ଦେଖି ରଙ୍କସରସର ହୁଅନ୍ତି । ବାରମ୍ବାର ଲଗାନ୍ତି, ‘‘ବାପା, ଯିବା ନାହିଁ ବାଇସ୍କୋପ୍‍ ଦେଖି ?” ସେମାନଙ୍କୁ ତ ନେଇହେବ ନାହିଁ ।

 

ଦୀର୍ଘଶ୍ଵାସ ସଙ୍ଗେ ସଙ୍ଗେ ତା’ର ଦୁଃସ୍ଥ ମନରେ ରାଗ କୁହୁଳି ଉଠେ । ଭାବିପାରେ ନାହିଁ ସେ କେଉଁ ଜଣକ ଉପରେ ରାଗିବ । ବହୁତ ଲୋକଙ୍କୁ ଏକାଥରେ ଦାୟୀ କରିପକାଏ ତା’ର ଦାରିଦ୍ର୍ୟ ପାଇଁ । ଦାନ୍ତ କଡ଼ମଡ଼ କରି ଆଖି ତରାଟି କହେ–“ସଂସାର, ଏ ଅନୀତି ରହିବ ନାହିଁ ।’’

 

ରାଗରେ ତା’ର ଅବସ୍ଥା ସୁଧୁରେ ନାହିଁ; ନିଜେ ଅଶାନ୍ତି ହୁଏ । କିନ୍ତୁ ଗୋଟାଏ ପୁରୁଣା ବିଶ୍ୱାସରେ ସେ ଭରସା ପାଏ; କହେ ମାୟାସବୁ, ସବୁ ଦି’ଦିନିଆ ।

 

ଅଭାବର ଫୋପଡ଼ମାଡ଼ଖାଇ ସେ–ଦୁର୍ନୀତି (........)ଦର୍ଶନଶାସ୍ତ୍ରର ମାୟାପାଶ । ସେହି ତଥ୍ୟ ବଖାଣି (.........) ଆଶ୍ଚର୍ଯ୍ୟ ବୀରତ୍ଵ ବାହାରେ । ସେହି ବାଟେ ସେ ଅବସ୍ଥା ସହିତ ସାଲିସ କରେ ।

 

ସକାଳର କୁହୁଡ଼ି ତା’ର ମାୟାବାଦ ସହିତ ଖାପିଯାଇଥିଲା । ଏମିତି ତ ସବୁ, ବିନୟ ଭାବୁଥାଏ, ରାତି କଥା ସକାଳକୁ ନାହିଁ, ସକାଳ ତଥା ଦ୍ଵିପ୍ରହରକୁ ଭିନେ, ଆଉ ଏ ଅଭାବ, ଏ କଷ୍ଟ, ଏ ବି ଖାଲି ମାୟା । ଭାବି, ମନ ଖରାପ କରି କ’ଣ ହେବ ? ଭାଗବତରେ ଲେଖିଛି ତ, ‘‘ଏ ସର୍ବ ବିଜୁଳି ପ୍ରକାଶ ।’’

 

ସଚ୍ଚରିତ୍ର ବଜାୟ ରଖି ସମାଜକୁ, ସଂସ୍କାରକୁ ମୁଣ୍ଡପାତି ଗ୍ରହଣ କରିନେଇ ବିନୟ ଭାଗବତ ପଢ଼ିଦିନ ବିତେଇଦିଏ । ଆଉ ଭୁଲିଯିବାକୁ ଚେଷ୍ଟା କରେ ଯେ, ଦେହ ରଖିବାକୁ ହେଲେ ଖାଦ୍ୟ ଦରକାର–ଗୋଟାଏ ଚଳିବାମାନିଆ ସୁସ୍ଥ ମନ ରଖିବାକୁ ଗୋଟାଏ ଚଳିବାମାନିଆ ସ୍ଵଚ୍ଛଳ ଅବସ୍ଥା ଦରକାର–ଆବଶ୍ୟକ ମେଣ୍ଟାଇବାକୁ ହେଲେ ପରିଶ୍ରମ କରିବା ଦରକାର–ବାଧାବିଘ୍ନ ଦେଖିଲେ ତାକୁ ଏଡ଼ିବାକୁ ବଳ ଦରକାର ।

 

ଆପଣା ଆବଶ୍ୟକ ପାଇଁ ଦର୍ଶନଶାସ୍ତ୍ରର ପଥ ଗ୍ରହଣ କଲେ ବି ଆପଣା ମନ ଭିତରୁ ସେ ରାଗ, ଦୁଃଖ ଓ ଅଶାନ୍ତି ଦୂର କରିପାରେ ନାହିଁ; ତା’ର ପୂଜା ହୁଏ ଖାଲି ଗୋଟାଏ ନିଜକୁ ଠକିଲା ଭଳି ଭେକ, ଭିତରେ ଡହଳବିକଳ ମନ, ଡହଡହ ଭାବନା ।

 

ଏଇ କୁହୁଡ଼ିଆ ସକାଳେ, ସମସ୍ତଙ୍କର ଯେତେବେଳେ ନିଦ ଭାଙ୍ଗିନାହିଁ, ରାସ୍ତାରେ ଗହଳ ଚହଳ ବଢ଼ିନାହିଁ, ଅଭାବବୋଧ ବିଛୁଆତି ପରି ଦେହରେ ଲାଗିନାହିଁ, ବିନୟ ସେହି କୁହୁଡ଼ିର ଅଳୀକ ସୃଷ୍ଟିରେ ଆପଣାକୁ ଉଦାରଭାବେ ଚାରିଆଡ଼େ ବିଛେଇ ଦେଇ ପାରିବ ।

 

ଆଉ ମନେ ପକାଇଲା ବନ୍ଧୁ ନାରଣର ସଦୁପଦେଶ–ହସିବାକୁ ହେବ ଯେ, ନ ହେଲେ ଆଉ ସଂସାରରେ ମଣିଷ କ’ଣ ? ଅଭାବ ଦୁର୍ଦ୍ଦଶାରେ ବି ହସିବାକୁ ପଡ଼ିବ, ରୋଗରେ ଶୋକରେ ହସିବାକୁ ପଡ଼ିବ, ତେବେ ସିନା ସଂସାରକୁ ଜିତିହେବ । ଲୋକେ ଏତେ ଆଦର୍ଶ ପଛରେ ଧାଆଁନ୍ତି, ଏତେ ଗୁରୁ କରନ୍ତି; ମୋର ତ ଭାଇ ଗୋଟିଏ ଆଦର୍ଶ, ଗୋଟିଏ ଗୁରୁ–ଫୁଟବଲ । ତାକୁ ଯେତେ ପିଟିବ ସେ ସେତେ ଜୋରରେ ଡେଇଁବ; ହଟିବ ନାହିଁ ।

 

ନାରଣର ଆଦର୍ଶ କଥା ଭାବିଲାବେଳକୁ ବିନୟକୁ ହସ ମାଡ଼ିଲା । ସେ ଆପେ ଗୋଲଗାଲ ଗେଟମ୍‍ଗାଟମ ହୋଇ ଗୋଟିଏ ଫୁଟ୍‍ବଲ୍‍ । ଘରେ ସବୁଦିନେ ବେମାରିଆ ସ୍ତ୍ରୀ, ତା’ ଅବସ୍ଥା ଦିନୁଁଦିନ ଖରାପ ହୋଇଯାଉଛି । ଚିକିତ୍ସା ପାଇଁ ଡାକ୍ତର ଡାକି ଡାକି ଔଷଧ କିଣି କିଣି ନାରଣ କରଜରେ ବୁଡ଼ିଲାଣି । ସାତଟି ପିଲା, ତାଙ୍କ ପାଇଁ ମା’ର କାମ ବି କରିବାକୁ ହୁଏ । କେତେ ରାତି ଅନିଦ୍ରାରେ କଟେ, ରୋଗିଣୀର କଫ ବଢ଼େ, ସେ ଛଟପଟ ହୁଏ । ସକାଳୁ ନାରଣ କସରା ଆଖିରେ ବାସନ ମାଜେ, ରୋଷେଇ ବସାଏ, ବଜାର କରେ, ଡାକ୍ତର ଡାକେ, କରଜ ଆଣିଯାଏ, ପୁଣି ପାନ ଚୋବେଇ ଚୋବେଇ ଠିକ୍‍ ସାଢ଼େ ଦଶଟାରେ ଅଫିସରେ ପହଞ୍ଚେ, ରହସ୍ୟ ଲଗେଇ କଥା ଗପେ, ହସରେ ପେଟ ନଚାଏ, ଆଉ ବଖାଣେ ଫୁଟ୍‍ବଲ୍‍ ତଥ୍ୟ ।

 

ଏପରି ଅବସ୍ଥାରେ ବି ମଣିଷ ହସିପାରେ, ନା ?

 

କିନ୍ତୁ ନାରଣ ହସେ, ହସି ହସି ତା’ ମୁହଁରେ ସବୁବେଳେ ହସର ଦାଗ ଲାଗିରହିଛି; ଆଖି ତଳେ ପାଟି ଉପରେ ଗୁଡ଼ାଏ ସ୍ଵାଭାବିକ ଭାଙ୍ଗ, ଭଲ ଇସ୍ତ୍ରୀ ହୋଇଥିବା ଟାଣ କନାର ଜାମାର ଭାଙ୍ଗ ପରି; ତାକୁ ଯେତେ ଝାଡ଼ିବ, ଯେତେ ଓଲାରିବ, ତଥାପି ସେଥିରେ ଦିଶୁଥିବ ସେହିପରି ଭାଙ୍ଗ, ସେହି ଭାଙ୍ଗରେ ଖଞ୍ଜା ହୋଇ ଗୋଟିଏ ହସକୁରି ମୁହଁ ହେବାକୁ ଯେପରିକି ନାରଣର ମୁହଁର ସ୍ଵାଭାବିକ ପ୍ରବୃତ୍ତି । ପଚାରିଲେ କହେ, ‘‘ହସ ଏକାଦିନକେ ଆସେ ନାହିଁ । ସେ ବି ଏକ ସାଧନା । ସବୁଦିନେ ଟିକିଏ ଟିକିଏ ପ୍ରାକ୍‍ଟିସ୍‍ କଲେ ଯାଇ ହୁଏ । ପ୍ରାକ୍‍ଟିସ୍‍ କର, ଦେଖିବ, ଆୟୁଷ ବଢ଼ିଯିବ, ରୋଗ ଭଲ ହୋଇଯିବ, ଆଉ ତୁମେ ବି ଖାଲି ପଖାଳ ତୋରାଣି ଖାଇ ବମ୍‍ ବନିଯିବ ଗୋଲ ଗାଲ ଫୁଟ୍‍ବଲ୍‍ପରି ।’’

 

ବିନୟ ସବୁଦିନେ ଯେଉଁ ପୃଥିବୀକୁ ଦେଖେ, ସେଥିରେ ନାରଣର ତଥ୍ୟ ଲାଗେ ପାଗଳର ପ୍ରଳାପ ପରି । ଘରେ ଏତେ ଅଭାବ ଯେ ମଣିଷ ପରି ମୁଠାଏ ଖାଇବା ତ ଅସମ୍ଭବ, ପିଲାଏ ସବୁବେଳେ ଖିନି ଖିନି, ଗୃହିଣୀ ସବୁବେଳେ ଚିଡ଼ିଚିଡ଼ି, ନିଜର ବୋଲି ଘର ନାହିଁ କି ଜମି ନାହିଁ, ଖାଲି ଅଳ୍ପ କେଇଟଙ୍କା ଦରମାର ଏଇ ଚାକିରି ଖଣ୍ଡକୁ ଭରସା, ଏ ଦି’ଦିନର ତାଳଗଛ ଛାଇ ଅପସରିଗଲେ କ’ଣ ହେବ, ଭାବିଲାବେଳକୁ ଗୋଡ଼ତଳେ ବସୁନ୍ଧରା ଫାଟି ଆଁ କରେ; ଏଥିରେ ମଣିଷ ହସିବ କ’ଣ ? କେବଳ ଯେତେବେଳେ ଆଖିରୁ ଲୁହ ଶୁଖିଯାଏ, ସେତେବେଳେ ଗୋଟାଏ ମୂକ ନିରାଶାରେ ଭଗବାନଙ୍କୁ ମନେ ପକାଇ ବସ୍ତ୍ରହରଣ ବେଳେ ଦ୍ୱୌପଦୀ ଦି’ହାତ ଉପରକୁ ଟେକିଦେଲା ପରି ତାଙ୍କୁହିଁ ସବୁ ସମର୍ପିଦେଇ ଆଖିକାନ ବୁଜି ଦିନ ବିତେଇଦେବା କଥା; ହସିବ କ’ଣ ? ମଣିଷ ପାଗଳ ନ ହେଲେ ହସିବ ?

 

କିନ୍ତୁ ଆପଣା ସମସ୍ୟା କଥା ଉଠେଇ ନାରଣ ସଙ୍ଗେ ଯଦି ସେ ଆଲୋଚନା କରେ, ନାରଣ କହେ, ‘‘ତମେ କାନ୍ଦି କାନ୍ଦି ଯେଉଁଠି, ମୁଁ ହସି ହସି ସେଇଠି । କାନ୍ଦିଲେ ଯଦି ଅବସ୍ଥା ସୁଧୁରେଇପାରିବକାନ୍ଦ ତେବେ, କାନ୍ଦି କାନ୍ଦି ମହାନଦୀ ବୁହାଅ, ବସିଚ କାହିଁକି, କାନ୍ଦ–ଇଁ ଇଁ ଇଁ– ।’’ କାନ୍ଦିବାକୁ ଅନୁପଯୁକ୍ତ ତା’ର ମୋଟା ମୁହଁରେ ସେ ଏମିତି କାନ୍ଦ କାନ୍ଦେ ଯେ, ଯେ ଶୁଣନ୍ତି, ହସି ହସି ତାଙ୍କ ପେଟ ଫାଟିଯାଏ ।

 

ସ୍ଥାନର ଚେହେରା ବଦଳିବା ସଙ୍ଗେ ସଙ୍ଗେ ଯେଉଁ ନିୟମରେ ଆପଣା ଧାରଣା ବଦଳିଯାଏ ସେହି ନିୟମରେ କୁହୁଡ଼ିଆ ମାୟା ପୃଥିବୀକୁ ଦେଖି ବିନୟର ପୁରୁଣା ଧାରଣା ଓଲଟିଥିଲା । ସକାଳଟାରୁ ସେ ଭାବିଲା, ସତେ ତ, ନାରଣର ମତଟାକୁ ଥରେ କାର୍ଯ୍ୟରେ ପରୀକ୍ଷା କରି ଦେଖିଲେ କ୍ଷତି କ’ଣ ? ଲୋକେ ଏତେ ଉଦ୍ଦେଶ୍ୟରେ ଚେଷ୍ଟା କରନ୍ତି; ଭଲା ମୁଁ ଚେଷ୍ଟା କରିବି ଟିକିଏ ହସିବାପାଇଁ, ଖୁସି ରହିବାପାଇଁ, ଦେଖାଯାଉନା ।

 

ଭଲ, ତେବେ ଆଜି ମୁହଁ ଶୁଖେଇବି ନାହିଁ, କାହା ଉପରେ ରାଗିବି ନାହିଁ, କାହା କଥାକୁ ଛଳ କରିବି ନାହିଁ । ଅଫିସ ବାହାରିଲାବେଳକୁ ଯଦି ତରକାରୀ ହୋଇ ନ ଥିବ, କି ପାନ ଭାଙ୍ଗିବାକୁ ଗୁଆ ନ ଥିବ ତେବେ ଆଦୌ ଚିଡ଼ିବି ନାହିଁ । ଅଫିସରୁ ଫେରିଲେ ଯଦି ଶୁଣେ, ଏକାଥରକେ ସବୁ ସରିନାହିଁ, ପୁଣି ବଜାରକୁଯିବାକୁ ପଡ଼ିବ, କାରଣ ‘ସେ’ ସକାଳେ କହିବାକୁ ଭୁଲିଯାଇଥିଲେ, ତେବେ ଆଦୌ ବିଗିଡ଼ିବି ନାହିଁ, କି ତାଙ୍କୁ ଗାଳି ଦେବିନାହିଁ । ପିଲାଏ ଜିଦି ଧରିଲେ ଆଦୌ ଚିଡ଼ିବି ନାହିଁ । ଅଭାବ କଥା ଭାବି ମନ ଖରାପ କରିବି ନାହିଁ ।

 

ଏହିପରି ମନକୁ ମନ କେତେ ପ୍ରତିଜ୍ଞା ।

 

ପ୍ରତିଜ୍ଞା କଲାବେଳକୁ ସତକୁ ସତ ସେ ଅଧା ଖୁସି ହୋଇସାରିଥିଲା, ମନ ଉଦାର ହୋଇଥିଲା, ସଜ ସକାଳ ପରି ସଜ ମନରେ ସେ ଭାବୁଥିଲା, ସମସ୍ତିଙ୍କି ସେ କ୍ଷମା କରିପାରିବ, ଏପରିକି ନିଜ ଭାଗ୍ୟକୁ ବି ।

 

ବହୁଦିନର ଗୁମ୍‍ସୁମ୍‍ ବିନୟ ଗୁଣୁ ଗୁଣୁ ହୋଇ ବିନା ଭାଷାରେ ‘ନାନାନାନା’ କରି ଗୋଟିଏ ରାଗିଣୀ ଆରମ୍ଭ କରିଦେଲା । କୁହୁଡ଼ି ପାତଳ ହୋଇଆସୁଛି, ସକାଳ ଆଗେଇଲାଣି । କାନ ଅତରା ପକେଇ କାଉ ରଡ଼ିଲେ, ଗୋରୁଗାଈଙ୍କ ବୋବାଳି ଶୁଭିଲା, ଦୂରରୁ ଶୁଭିଲା କାର୍ତ୍ତିକର ସକାଳୁଆ ନଗର ସଂକୀର୍ତ୍ତନ । ଅଜିବୋଉ ଉଠି ରୋଷେଇଘରେ ପାଉଁଶ କାଢ଼ିବାକୁ ଚାଲିଗଲେ । ଆଖି ମଳି ମଳି ଉଷା ଆସି ଠିଆ ହେଲା । ଅଜିଟିର ଡେରିରେ ନିଦ ଭାଙ୍ଗେ; ସେ କର ଲେଉଟାଇଲା । ବିନୟର ମନ ଭିତରେ ସତେକି ମୋଡ଼ି ମୋଡ଼ି ହୋଇ ମୁର୍କୁଟି ଯାଇଥିବା ପତ୍ରସବୁ ପୁଣି କଅଁଳିଉଠିଲା; ଆଉ ମନେ ପଡ଼ିଲା–ଏ ସକାଳକୁ ସେ କେଡ଼େ ଭଲ ପାଉଥିଲା ସତେ !

 

ଭାବୁ ଭାବୁ ପହିଲି ଖରା କୁହୁଡ଼ି ଭିତରେ ହସି ଉଠୁଛି । ଏଥର ସେ ବାରିଆଡ଼େ ପଡ଼ିଥିବା ଗୋଟିକିଆ ପଥର ଉପରେ ଓ ଆଖ-ପାଖରେ ଢାଳି ହୋଇପଡ଼ିବ । ସେହି ପଥର ଉପରେ ବସି ବସି ବିନୟ ବହୁତ ବେଳଯାଏ ଗୁଡ଼ାଖୁରେ ଦାନ୍ତ ଘଷେ । ଗୁଡ଼ାଖୁ ଘଷୁ ଘଷୁ ପାଟିରୁ ଯେତେବେଳେ ରୁଗୁ ରୁଗୁ ହୋଇ ଲାଳ ବୋହୁଥାଏ ମୁଣ୍ଡ ଭିତର ଝିମି ଝିମି ଲାଗୁଥାଏ, ଦେହରେ ବାଜୁଥାଏ କଅଁଳ ଖରା, ସେତେବେଳେ ଅଳସେଇ ଅଳସେଇ ବସି ବସି ସେ ଏକ ପ୍ରକାର ବ୍ୟସନ ସୁଖ ଅନୁଭବ କରେ ଓ ସେତିକି ସମୟ ଆପଣାକୁ ଆପେ ପାଇ ଆପଣା ଦୁର୍ଦ୍ଦଶା କଥା ଭାବେ । ସେଇଠି ଆଜି ସେହିପରି ବସିରହି ସେ ଖାଲି ଗୋଟାଏ ଅନୁଶୀଳନ, ତା’ପରେ ଅଲୋଚନା ପଡ଼ିବ ପରେ ।

 

ତା’ର ରହିବା ବସାରେ ଚାଳ ତଳେ ଗୋଟାଏ ଖୁମ୍ବ ଉପରେ ଶୁଖିଲା ପତ୍ରରେ ମୋଡ଼ାହୋଇ ଥୁଆ ହୋଇଥାଏ ଟେଳାଏ ଦାନ୍ତଘଷା ଗୁଡ଼ାଖୁ ।

 

ବିନୟ ସେଠିକି ହାତ ବଢ଼େଇଲା ।

 

କିଛି ନାହିଁ ।

 

ଆଲୋ ଲୋ ! ତା’ର ଛାତି ଚାଉଁ କଲା । ଥକ୍‍କା ହୋଇ ଦଶ ସେକେଣ୍ଡ ସେ ସେହି ଖୁଣ୍ଟ ପାଖେ ଠିଆ ହୋଇ ରହିଲା । ଯେପରିକି ସୁସ୍ଥ ହୋଇ ବାଟ ଚାଲୁ ଚାଲୁ ହଠାତ୍‍ ଖସଡ଼ିଯାଇ ସେ ବୁଡ଼ିଯାଇଛି ଗହୀର ପୋଖରୀର ଦି’ ପୁରୁଷ ପାଣି ଭିତରେ । କାନ ଭାଁ ଭାଁ ହେଉଛି, ଚେତନାରେ ନିଶ୍ଵାସ ବନ୍ଦ ଉଦୁମୁଦା ଅବସ୍ଥା । ଖୁଣ୍ଟ ଉପରେ ଗୁଡ଼ାଖୁ ପତ୍ରଟି ନାହିଁ ।

 

ଆଖିକାନ ବୁଜି ବିକଳ ହୋଇ ହାତଗୋଡ଼ ଛାଟି ରନ୍ଥାଳି ହୋଇ ଉପରକୁ ଉଠି ସ୍ଵାଭାବିକ ସ୍ତରକୁ ଲେଉଟିଯିବାକୁ ଚେଷ୍ଟା କଲା ପରି ବିନୟ ଚଞ୍ଚଳ ଚଞ୍ଚଳ ଏକର ସେକର ଖୋଜିଲାଗିଲା । ଚାଳ ତଳ ଅଣ୍ଡାଳୁଛି, ଖୁଣ୍ଟ ଚାରିକରେ ଖୋଜୁଛି, ଓଳିତଳେ ନଇଁ ପଡ଼ୁଛି, ଦି’ ଖେପାରେ ଏକର ସେକର ହୋଇଯାଉଛି ସାନ ବସାଟିର ଏମୁଣ୍ଡ ସେମୁଣ୍ଡ, ବଣୁଆ ଜନ୍ତୁର ଆଦିମ କାମନା-ବୁହା ଅରଣା ଚିତ୍କାର ପରି କର୍କଶ ବିକୃତ ଅସ୍ୱାଭାବିକ କଣ୍ଠରେ ଗର୍ଜନ ଛାଡ଼ୁଛି–“ଏଇ, ମୋ ଗୁଡ଼ାଖୁ କୁଆଡ଼େ ଗଲା ? ଆରେ, ମୋ ଗୁଡ଼ାଖୁ କିଏ ନେଇଚ ?”

 

ରୋଷେଇଘରୁ ଅଜିବୋଉ ଜବାବ ଦେଲେ–“ତମ ଗୁଡ଼ାଖୁ ଫେର୍‍ କିଏ ନେଲା ମ ? ତମେ ତ ଘଷ, ଆଉ କିଏ ଛୁଏଁ ଯେ, ନେଇଥିବ ? ତମର ତ ସେମିତି ଭୁଲା ମନ; କୋଉଠି ରଖି କୋଉଠି ବୋଲି ଖୋଜୁଥିବ–’’

 

ବିନୟ କାହାରି କଥା ଶୁଣିବାକୁ ନାରାଜ ।

 

କୁଦାକୁଦି କରି ଓଲରା ଓଲରି ଓଟରା ଓଟରି କରି ଖୋଜୁ ଖୋଜୁ ନିଘା ପଡ଼ିଗଲା–ଖୁଣ୍ଟଠୁ ଅଳ୍ପ ଦୂରରେ ଗୁଡ଼ାଖୁପତ୍ରଟି ପଡ଼ିଛି । ଗବେଷକ ତା’ର ଅଭୀଷ୍ଟର ସନ୍ଧାନ ପାଇଲା ପରି ବିନୟର ଆନନ୍ଦ ଉଛୁଳିଲା । ପିଣ୍ଡାତଳକୁ ଡେଇଁପଡ଼ି ଅଳିଆ ଉପରୁ ସେ ମୋଡ଼ାମୋଡ଼ି ଶୁଖିଲା ପତ୍ରଟି ଉଠେଇନେଲା । କହିଲା, ‘‘ଏଇଠି ଖସିପଡ଼ିଚି, ଆଉ ମୁଁ ଏତେ ଖୋଜିଲିଣି !”

 

ଏଇ ମୁହୂର୍ତ୍ତରେ ସଂସାର ଭିତରେ ତାକୁ ସବୁଠୁ ବେଶି ଯାହା ଆନନ୍ଦ ଦେବ ତା’ ରହିଛି ଏହି ମୋଡ଼ା ପତ୍ର ଭିତରେ । ଖୋଲିଲାବେଳକୁ ତା’ ଆଙ୍ଗୁଠି ଯେପରିକି କାବ୍ୟରସିକ କଳାବିତ୍‍ର ଆଙ୍ଗୁଠି ପରି ଭାବବିହ୍ଵଳ ହୋଇ ଥରିଉଠିଥିଲା । ଲାଗିଥିଲା, ଜୀବନ ସୁନ୍ଦର, ଜୀବନ ସରସ ।

 

ବିନୟ ପତ୍ରପୁଡ଼ିଆକୁ ଖୋଲିଦେଲା ।

 

ସେଥିରେ କିଛି ନାହିଁ; ସବୁ ଚଟାଚଟି, ପୋଛାପୋଛି । ଅତି ଦୁଃଖରେ ହେତୁ କଲା, ଦି’ ଦିନ ହେଲା ଗୁଡ଼ାଖୁ ସରିଯାଇଛି । ଦି’ ଦିନ ହେଲା ବୁଢ଼ା ଆଙ୍ଗୁଠି କରରେ ଖାଲି ପତ୍ରକୁ ଆଞ୍ଚୁଡ଼ି ଆଞ୍ଚୁଡ଼ି ସେ କାମ ଚଳେଇଛି । ଆଉ ନାହିଁ । ହଠାତ୍‍ ସୁନ୍ଦର ସୃଷ୍ଟି କୁତ୍ସିତ ହୋଇଗଲା; କବିର ସାଇତା ବଗିଚା ଶୁଖି ଉଡ଼ିଗଲା ତତଲା ଧକ୍‍କା ଗରଡ଼ି ବତାସରେ । ତା’ର ମଲା ଦରମଲା ଡାଳ ଓ ଲଟାକୁ ଚିରିବସିଲେ ରାଇଜଯାକର ଯେତେ ଭଟାଚାରି ଛେଳି, ଗଧ, ଖେଚର, ଆଉ ଓଲିଆ ଗୋରୁ, ଆଉ ଅମରାବତୀର ତୋରଣଦ୍ଵାରରେ ସତେ କି ଶୁଭିଲା ଭାତ-ବିପ୍ଳବୀ ଭୂତପଲଙ୍କ ସମବେତ ହୁଙ୍କାର । କିଛି ନ ହେଲେ ଛାତିରେ ଚଢ଼ି ହେନା-ରଞ୍ଜିତ ଦାଢ଼ିକୁ ବି ସେମାନେ ଓପାଡ଼ି ଘେନିଯିବେ ଗୋଟିଏ ଗୋଟିଏ ।

 

ଏଥର ଜାନ୍ତବ ଆବଶ୍ୟକ ତାଡ଼ନରେ ବିନୟ ଏକର ସେକର ହେଲା । ମନେ ପଡ଼ିଲା, ଗୁଡ଼ାଖୁ ଘଷୁଘଷୁ ଶେଷାଶେଷି ଯାହା ରହେ ତାକୁ ସେ ଖୁଣ୍ଟରେ କାନ୍ଥରେ ମାରିଦିଏ । ପୁଣି ଲାଗିଲା ତା’ର ଗବେଷଣା ସବୁ ଖୁଣ୍ଟ ଚାରିପାଖ ଦରାଣ୍ଡି ଦରାଣ୍ଡି, ଚଟାଣ ତଳ ଉଣ୍ଡି ଉଣ୍ଡି ।

 

ହଠାତ୍‍ ତା’ର ନିକୁଟା ଆଖି ଆବିଷ୍କାର କଲା, ଗୋଟିଏ ଖୁଣ୍ଟ ତଳେ କ’ଣ ଟେଳାଏ ଥୁଆ ହୋଇଛି । ବିରିବିରି କଳା ଜିକିଜିକି । ଫଉଲିଗଲେ ଗୁଡ଼ାଖୁ ଟେଳାଟା ଏହିପରି ଦିଶେ । ଆଗ୍ରହରେ ସାଉଣ୍ଟିନେଇ ଅଭ୍ୟସ୍ତ ଆଙ୍ଗୁଠି ଅଗରେ ସେଥିରୁ ଟିକିଏ ନାକ ଅଗ ପାଖେ ଦେଖାଇଲା-। ପରଖ କରିବ, ଉପଯୁକ୍ତ ପରିମାଣରେ କଡ଼ା ଅଛି କି ନା ।

 

ଇସ୍‍, ଥୁଃ –ଗୁଡ଼ାଖୁ ନୁହେଁ, ବେଙ୍ଗ ଘୁଅ ।

 

ଭାଗ୍ୟର ଏ ବିକଟ ଉପହାର ପରେ ଦପ୍‍ କରି ତା’ର ଖୋଜିବା ସାଉଣ୍ଟିବା ଉତ୍ସାହ ନିଭିଗଲା ।

 

ଗୁଡ଼ାଖୁ ନାହିଁ–ଲଗେଇବାକୁ ତେଲ ନାହିଁ–ପିନ୍ଧିବାକୁ ସଫା ଦର୍‍ହ ଲୁଗା ନାହିଁ–କେତେ କଥା ନାହିଁ, ଗୋଟି ଗୋଟି ହୋଇ ମନେପଡ଼ିଲା ।

 

ଏଥର କୁହୁଳି କୁହୁଳି ରାଗ ଜଲିଉଠିଲା । ଉଷା ରୋଷେଇଘର ସାମନାରେ ଦାନ୍ତ ଘଷୁଛି । ଦଉଡ଼ିଯାଇ ବିନୟ ଦାଉଁକରି ଗୋଇଠାଏ ଥୋଇଦେଲା । ଆକସ୍ମିକ ବ୍ଲିଜ୍‍ ଆକ୍ରମଣରେ କାବା ହୋଇଯାଇ ଉଷା କାନ୍ଦିବାକୁ ଭୁଲିଗଲା; ମୁହଁ ଟେକି ଦୋଷଦିଆ ଚାହାଣିରେ ବାପା ମୁହଁକୁ ଅନେଇ ରହିଲା । ଗେହ୍ଲା ଝିଅ, ତାକୁ ନାଉ କରି ନ ବୁଲିଲେ ବିନୟର ଆତ୍ମା ଶାନ୍ତି ହେଉ ନ ଥିଲା-। କିନ୍ତୁ ବିନୟ ଗର୍ଜନ ଛାଡ଼ିଲା–ଅଲକ୍ଷଣା ପିଲା, ହଜାରେଥର ମନା କରିଚି ଓଳିତଳେ ପାଣି ଢାଳନା, ଜକୋଉଚି ବୋଲି; କେବେହେଲେ ମୋ କଥା ମାନିବ ନାଇଁ ।’’

 

“ଭାଇ ତ ଏଠି ଦାନ୍ତ ଘଷିଗଲା–’’

 

“ଫେର୍‍, ଫେର୍‍ ଦଉଚୁ ଜବାବ୍‍ ! ତୋ ମୁହଁ ଭାଙ୍ଗିଦେବି, ଜାଣିଚୁ ? ହଇବେ, ଅଜି ! କୁଆଡ଼େ ଗଲୁ, ଆ, ତତେ ଦେଖୁଚି । ଆଜି ତୋର ଦିନେକୁ ମୋର ଦିନେ ।’’

 

‘ଅଜି’ ‘ଅଜି’ ରଡ଼ି–ବିନୟ ଚାରିଆଡ଼େ ରଡ଼ି ରଡ଼ି ବୁଲିଲା । ଅଜି ପାଇଖାନାରୁ ବାହାରିଲା ନାହିଁ ।

 

ବିନୟ ଶାନ୍ତି ସ୍ଥାପନ ବାହାନାରେ ଯୁଦ୍ଧ ଚାହେଁ । ଜଳନ୍ତା ବିଡ଼ିଗୁଲ ପରି ଚାହେଁ ନିଜେ ଜଳି ସବୁଥିରେ ଫୋଡ଼ କରିବାକୁ । ମଝିଦୁଆରେ ଠିଆ ହୋଇ ରଡ଼ି ଛାଡ଼ିଲା–

 

“ଯେତେ ଅବାଧ୍ୟତା, ସେତେ ଅଲକ୍ଷଣା ପ୍ରକୃତି, ସବୁ ମା’ଙ୍କ ଗୁଣ ।’’

 

ଅଜିବୋଉ ତା’ର ଯୁଦ୍ଧ ପ୍ରସ୍ତାବ ଗ୍ରହଣ କଲେ ନାହିଁ । ରୋଷେଇଘରେ ଜଳିଉଠିଲାଣି ହସ ହସ ଚୁଲି । ମାନବସଭ୍ୟତାର ନିଦାନ ମୂଳକୁ ସ୍ଥାପନା କରିସାରି ଘରର ଘରଣୀ ହସି ହସି କହିଲେ–

 

“ଆଗୋ, ଏ କିଏ କ’ଣ କରିବ ? ଗୁଡ଼ାଖୁ ନାହିଁ ବୋଲି ତେମେ ବେଙ୍ଗ ଘୁଅ ସାଉଁଟିବ, ସେ କ’ଣ ମୋର ଦୋଷ ? ଗୁଡ଼ାଖୁ ପେଇଁ ତେମେ ଏ ଘରଦୁଆର ଭଙ୍ଗିବ ? ମା’ଲୋ ! ମିଣିପେ ଯେବେ ଏମିତି ହେବେ, ତେବେ ଗେଧକୁ ମଣିଷ କାହିଁକି ଧୁଓ ଧୁଓ କହିବ ? ଛ’ ଅଣା ପଇସା ତ ପଡ଼ିଚି ମୋ କୋଥଳିରେ । ନଉନା ଦି’ଟା ପଇସା, ଗୁଡ଼ାଖୁ ଆଣ । ଯିବୁଟିରେ ଅଜି, କୁଆଡ଼େ ଗଲୁ,–ବାପାପେଇଁ ଗୁଡ଼ାଖୁ ଦି’ପଇସାର କିଣିଆଣ ।’’

 

ବିନୟ, ଏଥର ହୋ ହୋ ହୋଇ ହସିଲା ।

 

ଭାବିଲା, ନାରଣର ଫୁଟ୍‍ବଲ୍‍ ତଥ୍ୟକୁ ଏଇ ତା’ର ପ୍ରଥମ ଅନୁଶୀଳନ । ହସିବାକୁ ପଡ଼ିବ, ବଢ଼େଇ କରି କହିବ, ଅଭାବ ସତ୍ତ୍ୱେ ସେ ହସିପାରୁଚି ।

 

ଛ’ଅଣା ପଇସା ଆବିଷ୍କାର ହେବାର ଶୁଣି ଅଜି ବାରିଆଡ଼ୁ ଆସି ଅଳି କଲା, ‘‘ବୋଉଲୋ, ପେନ୍‍ସିଲ୍‍ ନାହିଁ, ମତେ ତିନିଅଣା ପଇସା ହେଲେ ଦେ–’’

 

ଉଷା ମାଂସ ଖାଇବାକୁ ଭଲ ପାଏ, ପାଏ କ୍ଵଚିତ୍‍ । ବୋଉର ଥୋମଣିରେ ହାତ ବୁଲେଇ ଅଲିଅଳୀ ହୋଇ ପାଟି କଲା, ‘‘ବୋଉ, ଆଜି ମାଉଁସ ଆଣ୍‍, ମାଉଁସ ହବ !’’

 

ସବୁ ଶୁଣି ବିନୟ ମନକୁ ମନ କହିହେଲା, ‘‘ହସିବାକୁ ପଡ଼ିବ ।’’ କ୍ରମେ ତା’ର ହସ ନଟରା କାଶ ପରି ବଢ଼ି ବଢ଼ି ଚାଲିଲା । ତାକୁ ଦେଖି ପିଲାଏ ବି ହସିଲେ । ଆଉ ଅଜିବୋଉ କହିଲେ, ‘‘ଥାଉ ମଁ, ଏତେ କାହିଁକି ହସୁଚ ? ଛୋପରା ହଉଚ ?”

Image

 

ସମାଧାନ

 

ଅଫିସ୍‍ କାର୍ଯ୍ୟରେ ବ୍ୟତିବ୍ୟସ୍ତ ଦଧିବାମନ ଯେତେବେଳେ ଦିନ ଗୋଟାକର ଦରଜ ଓ ତାତି କଥା ସ୍ମରଣ କରି ଝାଇଁ ଝାଇଁ ମୁଣ୍ଡରେ ଡବ ଡବ କରି ଅନେଇଁ ରହିଲା ଦୂରକୁ, ସେତେବେଳେ ମନଟା ତା’ର ଅପମାନ ଜ୍ଵାଳାରେ କଇଁଥା ପଡ଼ିଯାଇଥିଲା । ଦିନର ଆଲୁଅ ଆଉ ଅଳ୍ପ ଅଛି । ସେ ଅଫିସ୍‍ରୁ ଫେରିଛି । ଦଶରୁ ପାଞ୍ଚ ଅଫିସ୍‍; ଜାଣ, ଦିନଟାଯାକ । ଖଟି ଖଟି ଝାଳନାଳ; ତଥାପି କାମ ଉପରେ କାମ ମାଡ଼ିଦିଅନ୍ତି । କାମ ସରେ ନାହିଁ । ତା’ପରେ କୈଫିୟତ୍‍ ଆଉ ଗାଳି ।

 

ଦରମା ପଚସ୍ତରି ଟଙ୍କା । ଏଇ ମହରଗ ଦିନେ ତିନି ବସ୍ତା ଚାଉଳ ବି ନୁହେଁ । ସହରରେ ବସା କରି ବସା ଭଡ଼ା ଅଛି, ଡାକ୍ତର ଖର୍ଚ୍ଚ ଅଛି; ଏକା ଧୋବା ପଡ଼ିଯାଏ ସାତ ଟଙ୍କା, କାଠ ପନ୍ଦର ଟଙ୍କା, ତା’ଛଡ଼ା ଅନ୍ୟାନ୍ୟ ଖର୍ଚ୍ଚ । ଛୋଟ ପଣତ ପାଏ ନାହିଁ । ଘିଅଦୁଧର ପାଖ ନ ପଶି, ଘରେ ଛିଣ୍ଡା ଲୁଗା ଦୋପୁରି କରି ବେଢ଼େଇ ହୋଇ, ପାଣି ପିଇ ପିଇ ସେ ଯତ୍ର କତ୍ର କୁଟୁମ୍ବ ପୋଷ କାଳ ଗଡ଼ାଏ । ଏଇ ତ ଦଶ ବର୍ଷ ଚାକିରିର କରାମତି, ଖାଲି କାଳି ବଢ଼େଇବା । ତଥାପି କାମ ଚୋଟରେ ମୁଣ୍ଡ ଫାଟିଯାଏ, ତା’ ଉପରେ ପୁଣି ବାର ବେଜମାନ ଗାଳି ।

 

ସେଇଠି, ତା’ର ବସା ପଛଆଡ଼େ ସାହାଡ଼ାଗଛ ମୂଳେ, ସେ ପଛକୁ ଅନେଇଁ ଦେଖିଲା, ଖାଲି ଖଟି ମାରିବା ଆଉ ଗାଳି ଖାଇବା; ଆଗକୁ ଅନେଇଁ ଦେଖିଲା, ସେଇଆ କେବଳ । ଏଇ ତା’ର ଗୋଟା ଜୀବନର ଚିତ୍ର, ଆଉ ଅଧିକା ନାହିଁ ।

 

“ମେଁ......ମଁୟଁ...ମଁୟଁ....ମୟଁୟଁ....” ବେଢ଼େଇ ହୋଇଥିବା ଦୋପୁରି ଚିରା ଲୁଗାରେ ଗୋଟାଏ ଝାଙ୍କ, ଦଧିବାମନ ଓଟାରି ହୋଇ ଆସିଲା ଜାଗ୍ରତ ବାସ୍ତବତାକୁ । ଗୋଳ କରୁଛି ତା’ର ପୋଷା ଛେଳିଟି । ରାଷ୍ଟ୍ରଭାଷାରେ ଆତ୍ମନିବେଦନ କରୁଛି–“ମେଁ......ମଁୟଁ...ମଁୟଁ....ମୟଁ...”

 

ଦଧିବାମନ ବସିପଡ଼ି ତା’ର ପିଠି ଆଉଁସିଦେଲା । ଏତିକି ଘରୋଇ ସ୍ପର୍ଶରେ ଅଫିସର ଦୁଃଖ ତା’ର କଟିଗଲା ଆଠଅଣା । ଆଉଁସି ଆଉଁସି ଗେହ୍ଲା କରି ଡାକିଲା–

 

“ବେଟୁ ! ବେଟୁ !”

 

ବେଟୁଟି ଲାଞ୍ଜ ହଲେଇଲା; ଦି’ ଗୋଡ଼ ଟେକି ମୁହଁ ପାଖକୁ ମୁହଁ ଆଣି କେତେ କ’ଣ କହିଗଲା ତା’ର ଛେଳିଭାଷାରେ । କରଛଡ଼ା ଦେଇ ବେକର ଘୁଙ୍ଗୁର ଝୁଣୁ ଝୁଣୁ କରି ଘେରାଏ ନାଚିଆସିଲା । ପୁଣି ଚାରିକରଯାକ ଗୁରେଇ ହୋଇ ତା’ ଦେହରେ ପିଠି ଘଷିଲା; ଡାକିଲା, ‘‘ମଁୟଁ....ମଁୟଁ ।’’

 

ବର୍ଷକର ପ୍ରାଣୀଟି ବେଟୁ; ଭଲ ବଢ଼ିଉଠିଛି । ଶିଶୁ ଥିଲାବେଳେ ଛୋଟ ପୁଅର ସଉକ ଏଡ଼ି ନ ପାରି ସେ ଛୁଆଟିକି ଘରକୁ ଆଣିଥିଲା । ତା’ପର ବିତିଗଲାଣି ବାର ମାସ । ଖାସି କରେଇବ କି କରେଇବ ନାହିଁ ଭାବୁ ଭାବୁ ବେଟୁ ବଢ଼ିଉଠିଛି; ଦାଢ଼ି ଛାଡ଼ିଲାଣି ।

 

ଦଧିବାମନ ବେଟୁକୁ ଅନୁଭଗ କଲା । ମାଈଟିଏ ଆଣି ବଢ଼େଇଲେ କେତେ ଛେଳି ହୁଅନ୍ତେ । ଛେଳି ଦାମ୍‍ ବଢ଼ିଛି । ମାଂସ ସେର ତିନିଟଙ୍କା । ମାଂସ, ମାଂସ ଭଜା, ମାଂସ ଝୋଳ । ଛେଳିକି ଚାହିଁଲେ ଭୋଜ୍ୟ ଭକ୍ଷକର ନିବିଡ଼ ସମ୍ୱନ୍ଧ ଗୋପନରେ ଉପୁଜାଏ ସ୍ପର୍ଶ-ଆକାଙ୍‍କ୍ଷା । ଦଧିବାମନ ଆଉଁସି ଲାଗିଛି ।

 

ଖିଦଖିଦା ହୋଇ ଛୁଆ ତିନୋଟି ଦଉଡ଼ି ଆସିଲେ, ପଛେ ପଛେ ମା’ । ବେଟୁ ଘୁଙ୍ଗୁର ଝଣକେଇ କୁଦା ମାରି ବୁଲିଲା । ଛୁଆମାନେ ପାଟି କଲେ ‘‘ବେଟୁ–ବେଟୁ–’’

 

ଦଧିବାମନ ଆପଣା ଘରକରଣାକୁ ଅନେଇଁ ଠିଆ ହୋଇଛି । ପୁଣି ଭାବିଲାଗିଛି ନିଜ କଥା । ୟାଙ୍କରି ପାଇଁ ତ’–ନ ହେଲେ କାହିଁକି ଏ ପରିସ୍ଥିତିରେ ତା’ର ଚାକିରି ? ବଜାରରେ ଜୋତା ମରାମତ୍‍ ମୋଚି ବି ଦିନକୁ ପାଏ ପାଞ୍ଚ ଟଙ୍କା, ରିକ୍‍ସାବାଲା ଦିନକୁ ପାଏ ତିନି ଟଙ୍କା, ଇଟା ବାଲି ବୁହା କୁଲି,–ତା’ର ବି ମଜୁରି ଦେଢ଼ ଟଙ୍କା । ସାମାନ୍ୟ ଖଣ୍ଡେ ପାନଦୋକାନ ପକେଇପାରିଲେ କୋଠା ତୋଳିହୁଅନ୍ତା । ହେଇ ତ ସାଇକଲ୍‍ ମରାମତି କରେ ଫେଦା ମିଆଁ, ବାରବରଷରେ ସେ ଚାରିଟା କୋଠାର ମାଲିକ, ଟଙ୍କା କରଜ ଦିଏ ।

 

ଆଉ ସେ ନିଜେ କ’ଣ ପାରନ୍ତା ନାହିଁ ?

 

ଏଇମାନଙ୍କ ପାଇଁ ଆଶଙ୍କା–ବେପାରରେ ନିଜ ଗୋଡ଼ରେ ଠିଆ ହେଉ ହେଉ ଧର, ଲାଗିବ ଦି’ବର୍ଷ,–ସେତେ ଦିନ ? ମାସକୁ ନିୟମିତ ପଚସ୍ତରିଟା ଟଙ୍କା ମିଳୁଥିବ ତ ? ଯଦି ନ ମିଳେ-?

 

ଆଗରେ କେହି ନାହିଁ, ପଛରେ କେହି ନାହିଁ । ଗଡ଼ିମଲେ କେହି ଅନେଇବେ ନାହିଁ । ଏଇ ଆଶଙ୍କାରେ ସେ ଝୁଣ୍ଟେ, ଦୁର୍ବଳ ମନର ପଙ୍ଗୁଭାବନାକୁ ମଠାମଠି କରି ଭାବେ–ଭାଗ୍ୟରେ ନାହିଁ । ନ ହେଲେ ସୌଦାଗର ହୋଇଛନ୍ତି ଯେଉଁମାନେ ସେମାନେ ଅଧିକ କ’ଣ ? ଚାକିରି ଛାଡ଼ିବାକୁ ବାରମ୍ୱାର ମନସ୍ଥ କରି ସେ ଏହି ଭରସିଲା ବେଳେ ହିଁ ପଛେଇଯାଏ–ପିଲାଏ କ’ଣ ଖାଇବେ ?

 

ନ ହେଲେ ଆଜି ଛାଡ଼ିଦିଅନ୍ତା–ଏହି ମୁହୂର୍ତ୍ତରେ । ଆଜିକା କଥା,–ଅନ୍ୟାୟରେ ଗାଳି ଅପମାନ । ବଡ଼ ସାହେବ ଚୁଃ-ଚୁଃ-ଚୁଃ ହେଲେ ଘଡ଼ିଏ କାଳ, ଯେପରିକି ଦଧିବାମନହିଁ ତାଙ୍କର ଘର ଉଜୁଡ଼େଇଛି । ଫେର୍ ଗୋଟାଏ କୈଫିୟତ୍ କାଗଜ, ତୁମେ କାହିଁକି ଅମୁକ କାମ ପକେଇ ରଖିଛ ?

 

ଦଧିବାମନ ପକେଟ୍ ଅଣ୍ଡାଳି ସେହି କୈଫୟତ୍ କାଗଜଟା କାଢ଼ିଲା । ଘା’କୁ ବାରମ୍ୱାର ଉଖାରି ଦେଖିବାକୁ ମନ ହେଲା ପରି ବାରମ୍ୱାର ସେ କୈଫୟତ୍ କାଗଜଟା ପଢ଼ିବାକୁ ମନ ହୁଏ । ପଢ଼ି ପଢ଼ି ମୁଖସ୍ଥ ହୋଇଗଲାଣି ସେ ଚିଠିଟା । ବଜ୍ରବାଣ ପରି ଅନ୍ତରଦହା ଭାଷା, କି ଅଭଦ୍ର ଗାଳି, କି ବେଜମାନ ! ତା’ର ଉତ୍ତର ଦେବାକୁ ହେବ । କାମ ଭିଡ଼–ଏ ଉତ୍ତର କେହି ନେବେ ନାହିଁ । ପେଟପୂରା ଖାଇବାକୁ ମିଳୁ ନାହିଁ, ରାତିରେ ପିଲାଙ୍କ ଅସୁସ୍ଥତା ଯୋଗୁଁ ନିଦ ହୁଏ ନାହିଁ–ଏ ଉତ୍ତର କେହି ନେବେ ନାହିଁ । ଅତି ଅଧିକ ଖଟିଲେ ବ୍ରହ୍ମାଙ୍କ ବିଚାରବୁଦ୍ଧିରେ ବି ଭୁଲ୍ ହୁଅନ୍ତା–ଏ ଉତ୍ତର କେହି ନେବେ ନାହିଁ । ନିରାଟ ସତ କଥାରେ ଉତ୍ତର କେହି ନେବାକୁ ନାରାଜ । ସେମାନେ ଚାହାନ୍ତି ମିଛର ପତିଆରା । କିନ୍ତୁ ମିଛ ଲେଖିବ ସେ, ତା’ର କଳ୍ପନା କାହିଁ ?

 

ଦଧିବାମନ କାଗଜ ଖଣ୍ଡ ବିଛେଇ ଆହୁରି ଥରେ ପଢ଼ିଲା । ଆଖିରେ ଲୁହ ଟଳଟଳ କରୁଛି । ହାୟରେ ଦୁନିଆ–

 

“ମେଁ...ମଁୟଁ...”

 

ଦୁଃଖିତ ଆଖି ଦୋଟି ସେ ଥାପିଦେଲା ଛେଳିର ମୁହଁରେ । ଛେଳି ମୁହଁ ଝାଡ଼ିଦେଉଛି, କାନ ହଲୋଉଛି, ମୁଣ୍ଡକୁ ଘଷୁଛି ତା’ର ଆଣ୍ଠୁରେ, ପୁଣି ମୁଁହକୁ ଅନୋଉଛି ।

 

ଭଲା ଅଛି ଏ ଛେଳି, ଦଧିବାମନ ଭାବୁଛି,–ଭଲା ଅଛନ୍ତି ସମସ୍ତେ, କେବଳ ମଣିଷ ନୁହେଁ ।

 

ହଠାତ୍ ବେଟୁ ଓଟାରିନେଲା ତା’ ହାତରୁ କାଗଜଖଣ୍ଡ । ତା’ର ଥୋଡ଼ି ଅଗର ଲମ୍ୱ ଛାଲ କୁଞ୍ଚ୍ କୁଞ୍ଚ୍‍ ହେଲା ଅତି ତରତରରେ । ‘‘ହାଁ ହାଁ, ବେଟୁ” କହି ଗୋଡ଼େଇ ଯାଉ ଯାଉ ସମୁଦାୟ କୈଫିୟତ୍ ଚିଠିଟା ବେଟୁର ଗର୍ଭ ଭିତରେ ।

 

“ଏଁ, ତୁ ଖାଇଦେଲୁ ? କ’ଣ କଲୁ ବେଟୁ ! କ’ଣ ଏଥର କୈଫୟତ୍ ଦେବି ମୁଁ ?”

 

“ମଁୟଁ–ମଁୟଁ–’’ ଦାଢ଼ି ସମେତ ମୁଣ୍ଡ ହଲେଇଲା ବେଟୁ ଅତି ନିର୍ଭର ଦମ୍ଭରେ–ମୁଁ ଅଛି, ଚିନ୍ତା ନାହିଁ ।

 

ଦଧିବାମନ ହଠାତ୍ ବେଟୁର କୃତକର୍ମର ପୁରା ଫଳ ବୁଝିପାରିଲା ନାହିଁ । ତା’ପରେ ସେ ବୁଝିଲା, ଏ କ’ଣ କଲା ! ଏ ତ ସର୍ବନାଶ ! କୈଫିୟତ୍‍ ନ ଦେଇ କେଉଁ ମୁହଁରେ ସେ ଯାଇ ବଡ଼ ବାବୁଙ୍କୁ ମାଗିବ–ଆଜ୍ଞା, ଆଉ ଖଣ୍ଡେ ନକଲ ? ମୁଖସ୍ଥ ପରି ହୋଇଯାଇଥିଲା । କିନ୍ତୁ ଦଧିବାମନ ବର୍ତ୍ତମାନ ଅନୁଭବ କଲା, କାଗଜ ସଙ୍ଗେ ସଙ୍ଗେ ସେ ସ୍ମୃତି ବି ଯାଇଛି, ବିସ୍ୱାଦ ସ୍ମୃତି, ଭାବି ଭାବି ସବୁ କଥା ମନେ ପଡ଼ୁନାହିଁ ।

 

ଯାଉ ଯାହା ଯିବାର । ଦଧିବାମନ ଚାଉଁକିନା ଉଠି ଠିଆ ହେଲା । ବେଟୁର ଗୋଳିଆ ଆଖିରେ ନାଲି ଚହଟିଛି । ହଠାତ୍ ମନେ ପଡ଼ିଗଲା । ଆଖି କୁହୁଳି ଉଠିଲା । ଭାବିଲା, ଯେଉଁଠି କୈଫିୟତରେ ବୋଧ ହେବାକୁ ଲୋକେ ନାମଙ୍ଗ, ସେଠି କୈଫିୟତ୍ ଦେଇଥିଲେ ଅଧିକ କ’ଣ ହୁଅନ୍ତା ? କିଛି କୈଫିୟତ୍ ସେ ଦେବ ନାହିଁ । ଯାହା କରିବେ କରନ୍ତୁ । ଏତେଦିନକେ ଯେପରିକି ତା’ର ସଂଯମ ଭାଙ୍ଗିପଡ଼ୁଛି । ସେ ଗୋଟାସୁଦ୍ଧା ତୋଫାନ ।

 

ଘରଭିତରେ ପଶିଲା, ବେଟୁ ପିଛା ଧରିଛି । ଟେବୁଲରେ ତୋଡ଼ାଏ ଫାଇଲ୍ । ଦଧିବାମନ ଟେକି ଧରିଲା । ବେଟୁର ପ୍ରଚୁର ଆଗ୍ରହ । ତୋଫାନ ମନରେ ମୋହିଁଦେଲା ଗୋଟାଏ ଫାଇଲ୍ ବେଟୁଆଡ଼କୁ । ବେଟୁ ତା’ର ଟିକି ଲାଙ୍ଗୁଡ଼ହଲେଇ କୃତଜ୍ଞତା ଜଣେଇଁ ଫଇସଲାରେ ମନ ଦେଲା । ସେ ସ୍ଥାନୀୟ ଖବରକାଗଜ ଚାଖିଛି ଏବଂ ପିଲାଙ୍କ ବାଜେ କାଗଜ; କିନ୍ତୁ ଏ ତା’ର ନୂଆ ଅଭିଜ୍ଞତା । ଦି’ଗୋଡ଼ ଟେକି ଦେହରେ ଚଢ଼ି ବେଟୁ ମନକଥା ଜଣେଇଲା–ଅତି ସରସ ଏ ଫାଇଲ୍; କିନ୍ତୁ ପେଟ ପୂରିଲା ନାହିଁ ।

 

ଦଧିବାମନ ଧରେଇଦେଲା ଆଉ ଗୋଟିଏ ।

 

ତହିଁ ଆରଦିନ ।

 

ଅଫିସ୍ ଘର ବସାଠୁ ବେଶି ଦୂର ନୁହେଁ ।

 

ଠିକ୍ ଦଶଟାବେଳେ ଦରୱାନ୍ ଦେଖିଲା, ଦଧିବାମନବାବୁଙ୍କ ପଛେ ଆସୁଛି ଗୋଟିଏ ଛେଳି । ତା’ର ବେକରେ ଓସାର ନାଲି ଫିତା, ସେଥିରେ ଘୁଙ୍ଗୁର ଝଣ ଝଣ ବାଜୁଛି ।

 

“ହେଇ, ଛେଳି ପଶିଲା, ବାଡ଼ା, ବାଡ଼ା, ବାଡ଼ା ।”

 

“ନା, ଥାଉ,” ଦଧିବାମନ କହିଲା, ‘‘ପୋଷା ଛେଳି । କାହାର କିଛି କରିବ ନାହିଁ । ମଣିଷ ପରି କଥା ମାନେ । ଆ’ରେ ବେଟୁ, ଆ, ମୋ ପଛେ ପଛେ ଆ ।”

 

ବେଟୁ ବୋଲ ମାନିଲା । ଦରୁଆନ୍ କହିଲା, ‘‘ଆଚ୍ଛା ପୋଷା ମାନିଚି ତ !”

 

“ହଁ ଅବିକଳ ମଣିଷପରି । ସବୁ କଥା ବୁଝିପାରେ । ଛେଳି ଜାତି ସେଇଆ, ଦେଖିନଁ, ସର୍କସରେ ଛେଳି ନାଚେ ?”

 

ଅଫିସ୍ ଭିତରେ ସମସ୍ତିଙ୍କ ସାଙ୍ଗରେ ବେଟୁର ପରିଚୟ ହୋଇଗଲା ।

 

“ବାଃ ବାଃ, ଭଲ ବୋଦାଟେ ହେଇଚି । କେତେ ହବ, ଦଶସେର ମାଉଁସ ହବ ନାଇଁ-?”-–ରାମବାବୁ କହିଲେ ।

 

“ହେଲେ କ’ଣ ହେବ ? ଖାସି କରେଇଥାନ୍ତେ କି ? ବୋଦା ମାଉଁସ ଗନ୍ଧ ହୁଏ–’’ ଗୋପାଳବାବୁ କହିଲେ ।

 

ପ୍ରଶ୍ନସୂଚକ ଚାହାଣିରେ ବେଟୁ ପଚାରିଲା–“ମୟଁ ?”

 

“କିଛି ଗନ୍ଧ ହବ ନାଇଁ–” ଫେଦା ମିଆଁ କହିଲେ, ‘‘ହଲାଲ୍ କରନ୍ତୁ ଏଇଟାକୁ, ଦେଖିବେ, ମୁଁ ବତେଇଦେବି ।”

 

ବୋଦା ରାନ୍ଧିବାର ନାନା ପ୍ରକାର ଉପାୟ ବିଷୟରେ ଆଲୋଚନା ଚାଲିଲା । ବେଟୁ ଚାରିଆଡ଼ ବୁଲିଆସି ଦଧିବାମନର ଗୋଡ଼ରେ ମୁଣ୍ଡିଆ ମାରି ପଚାରିଲା, ‘‘ମଁୟଁ ?”

 

ଦଧିବାମନ ଅଳିଆକାଗଜର ଝୁଡ଼ି ଅଜାଡ଼ିଦେଲା । ବେଟୁ ତା’ର ଗୋଡ଼ପାଖେ ଶୋଇରହି ସେଇଥିରେ ମନ ଦେଲା ।

 

କାମ ଲାଗିଛି ଜୋରସୋରରେ । ଘଣ୍ଟାପରେ ଘଣ୍ଟା ବିତିଯାଉଛି । ବେଟୁ ଅଳିଆକାଗଜ ଶେଷ କରିସାରି ଦେଖିଲା କାମ କରୁଛି । ତାକୁ ସମୟ ଲାଗୁନାହିଁ ଫାଇଲଟିଏ ଶେଷ କରିବାକୁ । ଧରିଲା ତ ସରିଲା–ଡିସପୋଜଡ୍‍ ଅଫ୍ । ଖୋଲା ରାକ୍‍ରୁ ଉଠେଇ ନେଇ ଥରେ ମନ ଦେଇ ଆଠଦଶଟି ଫାଇଲ୍ ଫଇସଲା କରିଦିଏ । ଘଡ଼ିଏ ଅପେକ୍ଷା କରି ବିଶ୍ରାମ କରେ । ତା’ପରେ ପହଞ୍ଚେ ଆଉ କାହା ରାକ୍ ପାଖେ । ବେଟୁର ଆଜି ଭୋଜିଦିନ ।

 

ବୁଲି ବୁଲି ବଡ଼ ବାବୁଙ୍କ ଟେବୁଲପାଖେ । ‘ଜରୁରୀ’ ମାର୍କା କାଗଜ ଥାକ ଥାକ । ବଡ଼ବାବୁ ନାହାନ୍ତି, ସାହେବ ପାଖକୁ ଯାଇଛନ୍ତି । ବେଟୁ ତାଙ୍କର କାର୍ଯ୍ୟ ଲାଘବ କରିଦେଇ କିଛି ଉତ୍କୃଷ୍ଟ ଖତ ରଖିଦେଇ ଫେରିଆସିଲା ।

 

ଦଧିବାମନ ଡାକିଲା–“ବେଟୁ !”

 

ଧାଇଁ ଅଇଲା ଝଣ ଝଣ ହୋଇ ।

 

“ଶୋ’ଏଠି ।”

 

ଦଧିବାମନର ଦୁଇଗୋଡ଼ ସନ୍ଧିରେ ବେଟୁ ଅଟକିଲା ।

 

ବଡ଼ବାବୁ ଫେରିଲେ ।

 

“କଣ ଆପଣମାନେ ଫାଇଲ୍‍ ସବୁ ପକେଇ ରଖିଛନ୍ତି; ସାହେବ ଚିଡ଼ୁଛନ୍ତି । ପଦେ କଥା କହନ୍ତୁ ତ ମତେ–ମୁଁ ନିର୍ଭର ଜବାବ୍ ଚାହେଁ, ଫାଇଲ୍ ସବୁ ସରିବ କି ନାହିଁ ? କି ଦଧିବାମନବାବୁ-?”

 

“ସରିଲାଣି, ସାର୍ !”

 

“ସତେ ! ମୁଁ ବଡ଼ ଖୁସି ହେଲି ।”

 

ବେଟୁ ଉଠିପଡ଼ି ରଡ଼ିଲା–“ମଁୟଁ–ମଁୟଁ ।”

 

“ଆରେ, ଏ କାହାର ଛେଳି ପଶିଚି, ହେ ଦରୱାନ !”

 

“ସେଇଟା ମୋର ସାର୍, ସାଙ୍ଗରେ ଗୋଡ଼େଇ ଆସିଚି । କିଛି କରିବ ନାଇଁ ସାର୍, ଥାଉ ସେ । ଜାଣନ୍ତି ତ ସାର୍, ଗାରଡ଼ର ଗନ୍ଧ ବାଜିଲେ ଯକ୍ଷ୍ମାରୋଗର ବୀଜାଣୁ ମରିଯାଆନ୍ତି–ଡାକ୍ତର କହନ୍ତି । ଆମେସବୁ ଯେଉଁ ଅନ୍ଧାର ଘରେ ଏଠି କାମ କରୁଛୁଁ–”

 

“ହଁ” ବଡ଼ବାବୁ ଭାବି ଭାବି କହିଲେ, ‘‘ଅକ୍ଳେଶରେ ଆଠ ସେର ମାଉଁସ ହୁଅନ୍ତା । ଖାସି କରେଇଲେ ନାଇଁ କାହିଁକି ?”

 

ବେଟୁ ଦାଢ଼ି ହଲେଇ କହିଲା, ‘‘ମଁୟଁ” । ତା’ପରେ ଗୋଟିଏ ଗୋଟିଏ ଆଗେଇଗଲା ବଡ଼ବାବୁଙ୍କ ଜରୁର ମାର୍କ କାଗଜ ରହୁଥିବା ରାକ୍ ଆଡ଼କୁ । ସେଠି ତା’ର କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଯାଇଛି । ଆହୁରି କିଛି ଡିସପୋଜେଲ୍‍ ବାକି ।

Image

 

ନାଁ ମାନେ ନାହିଁ

ଗବେଷକ

 

ଗରୀୟାନ ଗବେଷକ ଗୋପାଳ ଗଡ଼ବାଡ଼ ଉତ୍କଳରେ ସୁପରିଚିତ । ପତ୍ରପତ୍ରିକାରେ ଯେଉଁଠି ହେଲେ ଦେଖିଲେ ତାଙ୍କ ନାଁରେ କିଛି ହେଲେ ଥିବ । ଇଂରେଜୀରେ ଛପା ହୋଇଥିଲେ ‘‘ଜି-ଜି”, ଓଡ଼ିଆରେ ‘‘ଗୋପାଳ ଗଡ଼ବାଡ଼”। ନହେଲେ ସଂକ୍ଷେପରେ ‘‘ଗୋ-ଗ”, କବି ସନ୍ଥଚରଣ ଯେମିତି ଲେଖନ୍ତି ‘‘ସ-ଚ”, ସେହିପରି ।

 

କିନ୍ତୁ ଆମ ପକ୍ଷରେ ସେ କେବଳ ଗୋଟିଏ ନାଁ । ତାଙ୍କୁ ଦେଖିବାର ସୁଯୋଗ ଘଟି ନ ଥାଏ । କେବଳ ଆମେ ପରିଚୟ ପାଇଥାଉଁ ତାଙ୍କ ଅଭିନବ ଗବେଷଣାପ୍ରସୂତ ତଥ୍ୟମାନଙ୍କର । ତହିଁରୁ ଗୋଟିଏ ହେଉଛି ଯେ ଅଷ୍ଟ୍ରେଲିଆର ମରୁଭୂମି ଯେତେବେଳେ ମରୁଭୂମି ହୋଇ ନ ଥିଲା ସେତେବେଳେ ତା’ ଥିଲା ଫୁଲଫଳଶୋଭିତ ଏକ ଉଦ୍ୟାୟନମୟ ଉର୍ବର ଦେଶ । ସେତେବେଳେ ସେଠି କଳିଙ୍ଗର କେଶରୀବଂଶ ରାଜତ୍ୱ କରୁଥିଲେ । ବସ୍ତୁତଃ ତାଙ୍କ ମତରେ ଅଷ୍ଟ୍ରେଲିଆଟା କଳିଙ୍ଗର ଆଦିମତମ କଲୋନି । ସେଉଠୁ କଳିଙ୍ଗର ଆଉସବୁ ଉପନିବେଶ ଲାଗି ରହିଥିଲା । ହେଇ ଯେପରିକି ଫିଲିପାଇନ (ସେ ‘ଖିଲିପାନ’ ଶବ୍ଦରୁ ଉତ୍ପତ୍ତି ହୋଇଥିବା ଯଥେଷ୍ଟ ସମ୍ଭବ । ତା’ର କାରଣ, ସେ କାଳରେ ମଧ୍ୟ କଳିଙ୍ଗୀମାନଙ୍କ ମଧ୍ୟରେ ଖିଲିପାନର ଯଥେଷ୍ଟ ଆଦର ଥିଲା ।) ଫିଲିପାଇନଟା ଏବେ ସେଠୁ ‘ଟିକିଏ’ ଦୂର ଜଣାପଡ଼ୁଛି ସିନା, ସେତେବେଳେ ଦେଶକୁ ଦେଶ ଲାଗିଥିଲା; ପଛେ ଭୂଇଁ ଡୁବିଯାଇ ଭୂଇଁ ସମୁଦ୍ର ହୋଇଗଲା ।

 

ମନେପଡ଼ୁଛି, ସେତେବେଳେ ଏହି ଫିଲିପାଇନ୍ ଶବ୍ଦର ବ୍ୟୁତ୍ପତ୍ତି ଘେନି ଲାଗିଗଲା ବହୁତ ଘଣ୍ଟାଚକଟା । କାରଣ, ଭାଷାତତ୍ତ୍ୱବିତ୍‍ ଡକ୍ଟର ଯମେଶ୍ୱର ମହାନ୍ତି ଏକ ସାରଗର୍ଭଜ ପ୍ରବନ୍ଧ ଲେଖି ‘ପ୍ରମାଣ କଲେ’ ଯେ ଫିଲିପାଇନ ଶବ୍ଦଟା ଓଡ଼ିଆ ‘ଫୁଲପାଣି’ ଶବ୍ଦରୁ ଅପଭ୍ରଷ୍ଟ । ସେ ଯୁକ୍ତି ‘ଦେଖାଇଲେ’–ଫୁଲପାଣି–ଫୁଲ୍‍ପାଏନ୍ (ସମ୍ୱଲପୁରୀ)–ଫିଲପାଇନ୍–ଫିଲିପାଇନ୍ । ଆଉ ଆରପଟେ ଗବେଷକ ଗୋପାଳ ଗଡ଼ବାଡ଼ ଯୁକ୍ତି ‘ବାଢ଼ିଲେ’ ଯେ ଖିଲିପାନ–ଖିଲିପାନି–ଖିଲିପାଇନ୍‍–ହିଲିପାଇନ୍ (କୋରାପୁଟ ପରଜା ଭାଷାରେ ପାଣି ହାଣି)–ଫିଲିପାଇନ । ଫୁଲପାଣି ଦଳ ଓ ଖିଲିପାନ ଦଳ ଏହିପରି ଦୁଇ ଦଳ ହୋଇ ସମାଲୋଚକମାନେ ଯୁଝିଲେ । ସେମାନେ ଯୁଝିଲେ ପତ୍ରପତ୍ରିକାରେ, କଲେଜ ଆଲୋଚନା ସଭାରେ, କ୍ଲାସ୍‍ରୁମରେ, ବହି ଦୋକାନରେ, ଶେଷରେ ରାସ୍ତାରେ ଚାରିଆଡ଼େ । ଚାରିଆଡ଼ୁ ହଟିଆସି ଏହି ଯୁଦ୍ଧ ଶେଷରେ ବଡ଼ କଲେଜରେ ରହିଗଲା । ଦିନୁଦିନ ଯୁଦ୍ଧ ତେଜିଲା, କାମିଜ୍ ଚିରାଚିରି ହେଲା, ମୁଣ୍ଡରୁ ରକ୍ତ ବୋହିଲା, ନାକରେ ମୁଥ ବସିଲା, ଶୋଇଲାବେଳେ ମଶାରିରେ ଅଗ୍ନିସଂଯୋଗ କରାହେଲା । ଏହି ସୁଯୋଗରେ କେତେକ ଅଧ୍ୟାପକଙ୍କ ମଧ୍ୟରେ ବି କଳହ ଲାଗିଗଲା । କାରଣ ସେଠି ଏକ ପ୍ରସ୍ତାବିତ ବୈଷୟିକ ଉନ୍ନତି ଘେନି ବାଦବୁଦିଆ ଚାଲିଥିଲା । ଜଣଙ୍କର ବଦଳି ହେଲା । ଷ୍ଟ୍ରାଇକ ହେଲା, ଧରପଗଡ଼ର ସୂତ୍ରପାତ ହେଲା, ତା’ପରେ ସବୁ ବନ୍ଦ ହେଲା ।

 

ସେ ହୋଇଥିଲା ଏକ ଧର୍ମଯୁଦ୍ଧ; ସଂସ୍କୃତି ନାଁରେ, ପୁଣି ପୃଥିବୀରେ ଏକ ସତ୍ୟ ସ୍ଥାପନ କରିବା ପାଇଁ–ଫିଲିପାଇନ ଶବ୍ଦ ଫୁଲପାଣିରୁ ଉଦ୍ଭୂତ ନା ଖିଲିପାନରୁ ।

 

ଗବେଷକ ଗୋପାଳ ଗଡ଼ବାଡ଼ ଗୋଟିଏ ବଡ଼ ନାଁ । ବହୁକାଳ ପରେ ପଞ୍ଜାବର ଖାଲସା କଲେଜରେ ସଂସ୍କୃତ ଅଧ୍ୟାପନା କରିସାରି ସେ ଚାକିରିରୁ ଅବସର ନେଇଥାନ୍ତି । ଶିଖମାନେ ପାରସି ଓ ଉର୍ଦ୍ଦୁ ଛାଡ଼ି ସଂସ୍କୃତରେ କେଡ଼େ ଆଗ୍ରହୀ ସେ ପ୍ରଶ୍ନ ଉଠୁନାହିଁ । ଏତିକି କହିଲେ ଯଥେଷ୍ଟ ହେବା ଉଚିତ ଯେ ସେଠି ସଂସ୍କୃତ ଅଧ୍ୟାପକ ଥିଲେ । ସୁଦୂର ଦକ୍ଷିଣରେ ଅନେମଲେ ବିଶ୍ୱବିଦ୍ୟାଳୟର ସଂସ୍କୃତଖାତା ସେ ଦେଖୁଥିଲେ, ବମ୍ୱାଇର ଜେଠାଲାଲ ଫାଉଣ୍ଡେସନ ଆନୁକୂଲ୍ୟରେ ଯେଉଁ ବିଶ୍ୱଶାନ୍ତି ସମ୍ମିଳନ ଓଡ଼ିଶାର ଝାରସୁଗୁଡ଼ାଠାରେ ବସିଥିଲା ସେ ସେଠିକି ପ୍ରଧାନ ଅତିଥିଭାବେ ଆସି ସଂସ୍କୃତ ଓ ସଂସ୍କୃତି ବିଷୟରେ ଏକ ସାରଗର୍ଭକ ଭାଷଣ ଦେଉ ଦେଉ ସଂସ୍କୃତିରୁ ଜ୍ଞାନରନ୍ଧ୍ର, ଜ୍ଞାନରନ୍ଧ୍ରରୁ ନାସ, ନାସରୁ ଧୂଆଁପତ୍ର, ଧୂଆଁପତ୍ରରୁ ବିଡ଼ି ଓ ବିଡ଼ିରୁ କେନ୍ଦୁପତ୍ର ପର୍ଯ୍ୟନ୍ତ ବିଶ୍ଳେଷଣ କରି ଶେଠ୍ ଜେଠାଲାଲଙ୍କ ପ୍ରଥମ ଶ୍ୟାଳକ ଓ କେନ୍ଦୁପତ୍ର ବ୍ୟବସାୟୀ ଶେଠ୍‍ ଓ୍ୱାଘୋଲାଲଙ୍କୁ ଏଭଳି ମୁଗ୍‍ଧ କରିଦେଇଥିଲେ ଯେ ୱାଘୋ ତାଙ୍କୁ ଧନ୍ୟବାଦ ଦେବାକୁ ଯାଇ ତାଙ୍କ ଗଭୀର ଜ୍ଞାନ ଓ ଉଦାରତା ବିଷୟରେ ବହୁତ ପ୍ରଶଂସା କରିଥିଲେ ।

 

ତାଙ୍କରି ସଙ୍ଗେ ଆଜି ଦେଖା ହେବାର କଥା । ଆମେ ଦଳେ କଲେଜରେ ‘ଖିଲିପାନ’ରୁ ଫିଲିପାଇନ୍ ଦଳର । ତେଣୁ ତାଙ୍କର ପ୍ରତିଭାର ଉପାସକ । ଆମେ ବାରମ୍ୱାର କହୁଥିଲୁଁ, ଏ ଦେଶ ତାଙ୍କ ପ୍ରତିଭାକୁ ଚିହ୍ନିଲା ନାହିଁ । ଯାହା ହେଉ ଦେଶ ଆମକୁ ଭୁଲିନାହିଁ । କବି କୈଳାସ ଆଳୁଚାଷ କରି ବଡ଼ଲୋକ ହେଲାଣି । ବହୁତ ଆଳୁ ଲଗାଉଛି, ଆଉ ଅବସର ପାଇଲେ ସର୍ବହରା, ବୁଭୁକ୍ଷିତ–ଏହିମାନଙ୍କ ବିଷୟରେ ବଜ୍ର ଘଡ଼ଘଡ଼ି ଭାଷାରେ କବିତା ଝାଡ଼ୁଛି । କେମିଷ୍ଟ୍ରି ଅନର୍ସ ରାଉତରା ରାଉରକେଲାରେ ଜଣେ ବିହାରି ସୌଦାଗରଙ୍କ ବଙ୍ଗାଳି ଏଜେଣ୍ଟଙ୍କ ଅଧୀନରେ କୁଲି ଯୋଗାଇବା କାର୍ଯ୍ୟ କରି ପେଟର ଚର୍ବି ବଢ଼ାଉଛି; ଚୌରସ ଗଣ୍ଡି ହେଲାଣି । ଇତିହାସରେ ଏମ୍.ଏ. ବସନ୍ତ ଗୋଟିଏ ଜାଳେଣି କାଠ ଗୋଦାମ ଖୋଲି ଚଳୁଛି । ଆଉ ମୁଁ ଦର୍ଶନ ଶାସ୍ତ୍ରରେ ଅନର୍ସ୍‍ ବୀଜଗୋବିନ୍ଦ,–ମୁଁ ବାଲିଗୁଡ଼ା ବଣରେ ଗୋଟିଏ କଳ କରତ ପକାଇଛି; ଭୃଙ୍ଗରାଜ ପକ୍ଷୀ, ପାତି ମାଙ୍କଡ଼, କୁଜି ଭାଲୁ, ଅଣ୍ଡିରା ସମ୍ୱର ଓ ବଳିଆ କୁକୁର ପୋଷି ଗୋଟାଏ ଚିଡ଼ିଆଖାନା ପରି କରିଛି-। ମୋର ବି ବେଳ କଟିଯାଉଛି ସୁଖେଦୁଃଖେ ।

 

ଜୀବନର ବିଚିତ୍ର କ୍ରମରେ ଆମେ ଭେଟାଭେଟି ହେଇ ଯାଇଥିଲୁଁ । କୈଳାସ ତା’ର ଆଳୁ ବିକ୍ରି କରି ଆସିଥିଲା । ରାଉତରା ଆସିଥିଲା ବସନ୍ତ ଝିଅ ସଙ୍ଗେ ତା’ ପୁଅର ବିଭାଘର ପାଇଁ ମହାପ୍ରସାଦ ନିର୍ବନ୍ଧ କରିବ ବୋଲି । ମୁଁ ଆସିଥିଲି କଳ କରତର ଗୋଟାଏ ପାର୍ଟ କିଣିବି ବୋଲି । ଆମେ ସମସ୍ତେ ଅଲଗା ଅଲଗା ଆସି ଛକ ପାଖେ ନାନା ପଦାର୍ଥ ନିଲାମ ହେଉଥିଲା ବୋଲି ଆଁ କରି ଦେଖୁଥିଲୁଁ । ତା’ପରେ ଦେଖା ହୋଇଗଲା । ମନସ୍ଥ କଲୁଁ ଯେ ଏହି ପୁଣ୍ୟ ପବିତ୍ର ଆଉ ଐତିହାସିକ ପୀଠରେ ଯେଉଁଠି ଆମ କଲେଜ ଜୀବନର କେତେ ସ୍ମୃତି ରହିଛି, ସେଠି ଏକାଠି ଆମେ କିଛି ମଉଜ କରିବୁଁ । ଏଇ ଉଦ୍ଦେଶ୍ୟ-ଅଭିସନ୍ଧିମୟ ଦୁନିଆରେ ଯେଉଁଠି ବିନା ମତଲବରେ ପାଟି କେହି ଫିଟାଏ ନାହିଁ, ଏଠି ଆମେ ବିନା ମତଲବରେ ଏକାଠି ବସି ଆମ ଉପାୟରେ ଜୀବନକୁ ଉପଭୋଗ କରିବୁ ଦୃଶ୍ୟ ଦେଖିବୁ, କଥା ଗପିବୁ ।

 

ପାନ ସିଗାରେଟ୍‍ ଚା’ ଆଦାନପ୍ରଦାନ ଏସବୁ ଚାହୁଁ ଚାହୁଁ ସରିଗଲା । ବରଫ ଦେଇ ସର୍ବତ୍‍ ବି ପିଆଗଲା । ଚିନାବାଦାମ, ଚଣାଚୁର ମୁଡ଼ୁମୁଡ଼ୁ ସରିଗଲା ସାତ ମୋଡ଼ା । ଗପ ଅନର୍ଗଳ । ଲାଗୁଥାଏ, ଏଇ ଆମେ ଖରା ଛୁଟି ଶେଷରେ ଯେପରିକି ଏକାଠି ହୋଇଛୁଁ କଲେଜ ଯିବୁଁ ବୋଲି । ଠାଏ ରେଣ୍ଟି ବୁଲୁଛି । କାଠର ଘୋଡ଼ା, ହାତୀ, ବାଘ, ନାନା ଜନ୍ତୁ । ତାଙ୍କ ଚୁଟିରେ ପିଠିରେ ଲୁହା ଜଞ୍ଜିର ବନ୍ଧା ହୋଇ ଓହଳିଛନ୍ତି ସେମାନେ, ଚକା ଚକା ଭଉଁରୀ ଚକା ଚକା ଭଉଁରୀ ।

 

ଚାରି ଚାରି ପଇସା ଦେଇ ଇସ୍କୁଲ ପିଲାଙ୍କ ଈର୍ଷା ଜନ୍ମାଇ ସାଧାରଣ ନାଗରିକଙ୍କଠୁଁ ବାହା ବାହା ସାବାସ ସାବାସ ଆଦାୟ କରି ମୁଁ ଏକ ଅଶ୍ୱ ଉପରେ, ପେଟା ଗଣେଶା ରାଉତରା ଗୋଟିଏ ଓଟ ଉପରେ, ଇତିହାସ ବସନ୍ତ ଗୋଟିଏ ଗଧ ଉପରେ, ଆଳୁ କବି କୈଳାସ ଗୋଟିଏ ବାଘ ଉପରେ ଆରୋହଣ କରି ବୁଲିଲୁଁ ଖୁବ୍, ଚେକା ଚେକା ଭଉଁରୀ, ଚେକା ଚେକା ଭଉଁରୀ । ଓହ୍ଲେଇପଡ଼ି କିଛି ଲେମଞ୍ଚୁସ୍ ଶୋଷି ଶୋଷି ହାତ ଧରାଧରି ହୋଇ ଚାଲିଲୁଁ ଆମେ ଚଉମୂଢ଼ । କେମିତି କ’ଣ ହେଲା, କାହିଁକି କୁଆଡ଼େ ଗଲୁ, ଜଣାନାହିଁ । ଗୋଟିଏ ଏକମାହାଲା କୋଠା ଆଗରେ ଅଟକିଯାଇ ଦାଣ୍ଡଘର ଝରକାଆଡ଼କୁ ହାତ ଦେଖାଇ ଐତିହାସିକ ବସନ୍ତ ଫୁସ୍ ଫୁସ୍ କରି କହିଲା–

 

“ହେଇ, ଗବେଷକ ଗୋପାଳ ଗଡ଼ବାଡ଼ ! ଗ୍ରେଟ୍ ମ୍ୟାନ ।”

 

ଗବାକ୍ଷ ବାଟେ ଗବେଷକଙ୍କୁ ଚାହିଁ ଦେଖିଲୁଁ । ମୁଣ୍ଡେ ଲମ୍ୱା ଲମ୍ୱା ଧଳା ବାଳ ଅଲଗା ହୋଇ ମୁହଁ ଉପରେ ଝୁଲିପଡ଼ି ଲମ୍ୱା ଧଳା ଦାଢ଼ିର ଜଙ୍ଗଲରେ ମିଶିଯାଇଛି । ତା’ ତଳକୁ ଏକ ଢିଲା ତକିଆ ଖୋଳ ପରି ଧଳା ପଞ୍ଜାବି ଏକ ଦୀର୍ଘ ଦେହକୁ ଆଶ୍ରା କରି ଝୁଲି ରହିଛି । ବସନ୍ତ କହିଲା, ‘‘ସେ କ’ଣ କିଛି ଭାବୁଛନ୍ତି । ତଥାପି, ଯିବା ତାଙ୍କ ପାଖକୁ । ଏ ସୁଯୋଗ ଛାଡ଼ିବା ନାହିଁ ।”

 

କୈଳାସ କହିଲା, ‘‘ନାଇଁ, ଛାଡ଼ିବା ନାହିଁ । ଏଇ ସେ ମନୀଷୀ ଯେ ଅଷ୍ଟ୍ରେଲିଆ ଓ ଫିଲିପାଇନରେ ବି କଳିଙ୍ଗ ଇତିହାସ ଆବିଷ୍କାର କରିଛନ୍ତି ।”

 

ରାଉତରା କହିଲା, ‘‘ଅଥଚ ସେ ଭାରତ ବାହାରକୁ ଯିବାକୁ ସୁବିଧା ପାଇଲେ ନାହିଁ । ପୁଣି ସଂସ୍କୃତରେ ଏମ୍.ଏ.; ଇତିହାସଟା ତାଙ୍କ ଘରେ ଘରେ ପଢ଼ା । କି ଅଧ୍ୟବସାୟ ! କି ପ୍ରତିଭା ! ଏ ଦେଶ ତାଙ୍କୁ ଚିହ୍ନିଲା ନାହିଁ ।”

 

କଲୁଁ କବାଟ ଖଡ଼ ଖଡ଼ । କବାଟ ଖୋଲିଲା । ଚିହ୍ନାପରିଚିତ ହୋଇ ଦଣ୍ଡବତ୍‍ ଏ ପଟ ସେ ପଟ କରୁ କରୁ ତାଙ୍କର ଯେଉଁ ମୂର୍ତ୍ତି ମନେ ରହିଗଲା ସେ ଏକ ଅତି ଦୀର୍ଘାକାର ବୃଦ୍ଧଙ୍କର ଧଳା ବାଳ ତଳେ ଯୋଡ଼ିଏ ସ୍ୱପ୍ନାବିଷ୍ଟ ହଳଦିଆ ଆଖି । ଆଙ୍ଗୁଠିରେ ବଡ଼ ବଡ଼ ନଖ । ତାଙ୍କ ନିର୍ଦ୍ଦେଶରେ ଚଉକିରେ ବସିପଡ଼ିଲୁଁ । ଆମର ଶିଷ୍ୟସୁଲଭ ସମ୍ଭ୍ରମ ପ୍ରଦର୍ଶନ, ପ୍ରତୀକ୍ଷା, ବିନୟ ଓ ଧୈର୍ଯ୍ୟ ଅବଶ୍ୟ ତାଙ୍କ ମନରେ ବିଶ୍ୱାସ ଆଣିଥିବ ଯେ ତଥ୍ୟ ପ୍ରଚାର ପାଇଁ ଏ ହେଉଛି ଉପଯୁକ୍ତ ପରିସ୍ଥିତି । କାଳ ବିଳମ୍ୱ ନ କରି ସେ ତାଙ୍କର ବହୁମୂଲ୍ୟ ବ୍ୟାଖ୍ୟାନ ଆରମ୍ଭ କରିଦେଲେ–

 

“ହେଇ, ଦେଖନ୍ତୁ... ।”

 

ତାଙ୍କର ଗଣ୍ଠିଗଣ୍ଠିକିଆ ଲମ୍ୱା ବିଶି ଆଙ୍ଗୁଠିରେ ଗୋଜିଆ ଦାଢ଼ୁଆ ନଖ ଯେଉଁଆଡ଼କୁ ସଙ୍କେତ ଦେଲା ସେଠି ଗୋଟିଏ ସାନ ଟେବୁଲ ଉପରେ ପ୍ରାୟ କୋଡ଼ିଏ ଦିସ୍ତା କାଗଜର ବଣ୍ଡୁଳିଟିଏ ଥୁଆ ହୋଇଥାଏ ଓ ତା’ ଉପରେ ପଥର ଖଣ୍ଡିଏ ଚାପି ଦିଆହୋଇଥାଏ । ବସନ୍ତ ସଙ୍ଗେ ସଙ୍ଗେ ଉଠିପଡ଼ି ସେହି ଆଡ଼କୁ ଯେମିତି ଦି’ ପାହୁଣ୍ଡ ଆଗେଇଛି, ସେମିତି ଅଧ୍ୟାପକ ଗଡ଼ବାଡ଼ ତାଙ୍କର ହାତ ଟେକି ବସିପଡ଼ିବାକୁ ଏକ ଗମ୍ଭୀର ସଙ୍କେତ ଦେଲେ । ବସନ୍ତ ସଙ୍ଗେ ସଙ୍ଗେ ନିଭିଯାଇ ନଥୋକିନା ବସିପଡ଼ିଲା । ଆମ ସମସ୍ତଙ୍କ କୁତୂହଳ ବଢ଼ିଲା । ମୁରୁକି ହସି ଅଧ୍ୟାପକ ଗଡ଼ବାଡ଼ କହିଲେ–“ସେଇ । ହେଇ, ସେଇଠି । ସେଇଠି ମୋ ଜୀବନଯାକର ସାଧନାର ଫଳ । ଜାଣନ୍ତି ସେ କ’ଣ ?”

 

ପ୍ରଶ୍ନସୂଚକ ଭଙ୍ଗୀରେ ସେ ଆମକୁ ଅନାଇଲେ । ଆମେ ବି ସେହିପରି ଭଙ୍ଗୀରେ ଜଣେ ଅନ୍ୟ ଜଣକୁ ଚାହିଁରହିଲୁଁ । କାନରେ ସେହି କଥା–ଜାଣନ୍ତି ସେ କ’ଣ ?

 

ନା, କେହି ଜାଣନ୍ତି ନାହିଁ ।

 

“ଅବସର ଘେନି ମୁଁ ଖାଲି ସେହି କାର୍ଯ୍ୟରେ ବ୍ରତୀ ହୋଇଅଛି । ଜୀବନଯାକର ଗବେଷଣାରେ ଯାହା ମୁଁ ଦେଖିଲି ଯାହା ମୁଁ ଶିଖିଲି, ତା’ର ଅସଲ ମଞ୍ଜି ମୁଁ ପୁସ୍ତକାକାରରେ ଲେଖିଦେଉଛି । ମୋ ଜାତିକୁ ସେତିକି ମୋର ଦାନ । ମୋ ଦେଶକୁ ସେତିକି ମୋର ସେବା । ଆଉ ୟେ ଛପା ସରିଗଲେ, ଇତିହାସ ବିଷୟରେ ଆମ ଧାରଣା ବଦଳିଯିବ । ଓଡ଼ିଶାର ସଂସ୍କୃତି, ଇତିହାସ, ଧର୍ମ ସବୁ ବିଷୟରେ ଲୋକଙ୍କର ଧାରଣା ଓଲଟପାଲଟ ହୋଇଯିବ । ଆଗ ଓଡ଼ିଆରେ ଛପା ହେବ । ତା’ପରେ ହେବ ହିନ୍ଦୀ, ଶେଷରେ ଇଂରେଜୀ ଅନୁବାଦ ତ ହେବ ହିଁ । ଇଂରେଜୀରୁ ପୃଥିବୀର ଅନ୍ୟାନ୍ୟ ଭାଷାରେ ମଧ୍ୟ ଅନୁବାଦ କରାହୋଇଯିବ ଆପେ ଆପେ । ଆଗ ଦଶ ଦିସ୍ତା କାଗଜ ସରିଗଲା । ତା’ପରେ ଏ ଯେଉଁ କୋଡ଼ିଏ ଦିସ୍ତା ସବୁ ଲେଖାଲେଖି ସରି ଥୁଆ ହୋଇଛି । ଆଉ ଯେତେ କୋଡ଼ି ଦିସ୍ତା କାଗଜ ଲାଗିବ ଲାଗୁ ପଛେ, କାମଟା ପକ୍‍କା ହେଉ । ଆଚ୍ଛା, ରାମାୟଣ ଯୁଦ୍ଧ କୋଉଠି ହେଇଥିଲା, ଆପଣ ଜାଣନ୍ତି ?”

 

“ଲଙ୍କାରେ–”

 

ବିଜ୍ଞ ଲୋକ ଅଜ୍ଞତା ଦେଖି ଅବଜ୍ଞାରେ ଯେପରି ମୁରୁକି ହସି ମୁଣ୍ଡ ହଲାଏ ସେ ସେହିପରି ହସି ହସି କହିଲେ–

 

“କୋଡ଼ିଏ ବର୍ଷ ତଳେ ମତେ ବି ଯଦି କିଏ ଏହି ପ୍ରଶ୍ନ କରିଥାନ୍ତା ମୁଁ ଏହି ଉତ୍ତର ଦେଇଥାନ୍ତି । କିନ୍ତୁ ବର୍ତ୍ତମାନ–ହେଃ–”

 

ସେ ହସ ରୋକି ଅଟକିଗଲେ । ଆମ କୁତୂହଳ ବଢ଼ିଗଲା, କିନ୍ତୁ ସେଥିପ୍ରତି ସେ ନିଘା ଦେଲେ ନାହିଁ । ଖୁଡ଼୍ ନାହିଁ ଖାଡ଼୍ ନାହିଁ ଦୁଇମିନିଟ୍‍ ଆମେ ଚୁପ୍‍ଚାପ୍ ରହିଲୁଁ……ସତେକି କୌଣସି ବିଗତ ଆତ୍ମା ଉଦ୍ଦେଶ୍ୟରେ । ଗଳି ରାସ୍ତା । କଡ଼ା ଝଣଝଣେଇ ‘ବରା ଗୁଲୁଗୁଲା ପିଆଜି’ ଡାକି ଡାକି ବୁଲାବିକାଳି ସେ ବାଟେ ଗଲା । ସୂତା କଟିଯାଇଥିବା ଘୁଡ଼ିଟିଏ ଧରିବା ସକାଶେ ଠେଲାପେଲା ହୋଇ ସାହିପିଲା ଦଳେ ହୋ ହୋ ହୋଇ ଧାଇଁଗଲେ । ଆମେ କିନ୍ତୁ ଜିଅନ୍ତାକୁ ଛାଡ଼ି ଅତୀତ ଆଉ ମୁର୍ଦାର ଚର୍ଚ୍ଚାରେ ଅଟକି ରହିଗଲୁଁ ।

 

ହଠାତ୍ ଗଡ଼ବାଡ଼ ମହାଶୟ ଲେକ୍‍ଚର ଦେଇ ବୁଝାଇବାକୁ ଆରମ୍ଭ କରିଦେଲେ । ସେ ଠିଆ ହୋଇପଡ଼ିଲେ, ଧଳା ଦାଢ଼ି ଓ ଅଲରା ବାଳ ସମେତ ମୁହଁକୁ ଆଗକୁ ପଛକୁ କରି ଦି’ଥର ଝାଙ୍କିଦେଲେ । ଡାହାଣ ହାତଟି ସିଧା ଉପରକୁ ଟେକି ବଙ୍କା ବଙ୍କା ଆଙ୍ଗୁଠିରେ ଗୋଟିଏ ମୁଦ୍ରା ଦେଖାଇଲା ପରି ଭଙ୍ଗୀ କରି ଆରମ୍ଭ କଲେ–

 

“ବଖର୍ମେ ଖର୍ମଂ ଧୌତି ।”

 

ଆପଣମାନେ ମତେ ପଚାରିବେ, କ’ଣ ୟାର ଅର୍ଥ ? ଖଣ୍ଡେ ଦୂରରୁ ବାହାରିଥିଲା ପଥରର ଗୋଟିଏ ପ୍ରାଚୀନ ହନୁମାନ ମୂର୍ତ୍ତି; କ୍ଷେତରେ ଚଷା ଆଳୁ ଖୋଳୁ ଖୋଳୁ ହନୁମାନ ବାହାରିଥିଲା । ସେ ଗାଁରେ ଗୋଟିଏ ବଡ଼ କଦମ୍ୱଗଛମୂଳେ ସେ ମୂର୍ତ୍ତିଟି ଥୁଆ ହୋଇଥାଏ । ମୁଁ ସେତେବେଳେ କଲେଜ ପାଠ ଶେଷ କରି ଗାଁ ଗଣ୍ଡାରେ ଗବେଷଣା କରି ବୁଲୁଥାଏଁ । ବିଶେଷତଃ ଖପରାଗଦାରେ ମୋର ବେଶି କାମ । ଜାତି ଜାତି ପୁରୁଣା ଖପରା ଗୋଟେଇ ମୁଣିରେ ପୁରୋଉଥାଏଁ, ପୁଣି ଭଟ୍ଟ ଅମଳର ପୁରୁଣା ପଇସା, କିଏ ଜାଣେ କେଉଁଟା କେତେବେଳେ କାମରେ ଆସିବ ! ସେହି ସୂତ୍ରରେ ପହଞ୍ଚିଲି ସେହି ହନୁମାନ ମୂର୍ତ୍ତି ପାଖରେ । ହନୁମାନ, ବୀର ହନୁମାନ, ଛାତିଏ ଉଞ୍ଚ ମୂର୍ତ୍ତି, ମୁଣ୍ଡରେ ମୁକୁଟ, ବାଁ ହାତରେ ଗନ୍ଧମାର୍ଦନ ପର୍ବତରୁ ଖଣ୍ଡେ, ଡାହାଣ ହାତରେ ଗଦା, ତେର୍ଛାଦୃଷ୍ଟି, ହଁ ତଳେ ପର୍ବତ ଉଞ୍ଚରେ ତାଙ୍କ ଲାଙ୍ଗୁଡ଼, ବୀର ହନୁମାନ, କଳିଙ୍ଗର ଗୌରବ, ଓଡ଼ିଶାର ଗୌରବ ହନୁମାନ, ବୀର ହନୁମାନ–”

 

ଗ୍ରାମଫୋନ ରେକର୍ଡ଼ର ସୂକ୍ଷ୍ମ ସିଆରମାନଙ୍କ ମଝିରେ ଥିବା କାନ୍ଥ ଘୋରି ହୋଇଯାଇଛି-। ରେକର୍ଡ଼ ଖାଲି ସେହି କଥା ବାଜି ଲାଗିଛି–ହନୁମାନ, ବୀର ହନୁମାନ–

 

କରତଚଲାଳି ମୁଁ ସ୍ମରଣ ପକାଇଦେଲି, ‘‘କ’ଣ ବିକିଲେ କର୍ମଂ ନୌତି ପରା–”

 

ସେ ବ୍ୟୂହ ଭିତରୁ ପଦାକୁ ଆସିବାକୁ ବାଟ ପାଇଲେ, କହିଲେ, ‘‘ବଖର୍ମେ ଖର୍ମଂ ଧୌତି, ସୌଭାଗ୍ୟାବନିମେତି” ଏହି କଥା ଲେଖା ହୋଇଥିଲା ସେ ହନୁମାନଙ୍କ ଆସ୍ଥାନ ପଥରରେ । ବ୍ରାହ୍ମୀ ଲିପି ପରି ଲାଗିଲା । ଖାରୋସ୍ତି ବି ହୋଇପାରେ ।”

 

“ହିବୃ ?” କବି କୈଳାସ ପଚାରିଲା । ସେ ବାରମ୍ୱାର ନାହିଁ ସୂଚୋଉଥିବା ଭଙ୍ଗୀରେ ମୁଣ୍ଡକୁ ଝାଙ୍କିଲେ । କହିଲେ ‘‘ନା, ମୋର ବି ସନ୍ଦେହ ହୋଇଥିଲା କାଳେ ସେ ଅକ୍ଷର ଆଉ କ’ଣ ହୋଇଥିବ ପରା; କିନ୍ତୁ ଶେଷରେ ମୁଁ ତାକୁ ଥଏ କଲି, ଆଉ ଧାଡ଼ିକଯାକ ଉତାରିନେଲି–ବଖର୍ମେଂ ଖର୍ମଂ ଧୌତି । ତା’ପରେ–

 

ପୁଣି ସେ ମନକୁ ମନ ଉତ୍ତର ଦେଲେ–“ତା’ପରେ କୋଡ଼ିଏ ବର୍ଷ ମତେ ବିତିଗଲା ସେ ଧାଡ଼ିକର ଅର୍ଥ ବାହାର କରିବାକୁ ।” ଉଚ୍ଛ୍ୱାସରେ ମୁହଁ ଝଲସେଇ କହିଗଲେ–“କି ଯାଏ କୋଡ଼ିଏ ବର୍ଷରେ କି ଦୁଇଶ ବର୍ଷରେ ? ସମୟର ଅନ୍ତ ନାହିଁ କି ମାପ ନାହିଁ । ଏତିକି ଯଥେଷ୍ଟ ଯେ ଶେଷରେ ମୁଁ ତା’ର ଅର୍ଥ ପାଇଲି ।”

 

ଆମେ ସବୁ ବେକ ଉହୁଙ୍କେଇ ବସି ରହିଲୁଁ, ଏଇ ଥର ତଥ୍ୟ ବାହାରିବ ପରା । ଆଉ ସେ ବସିପଡ଼ି ଗୋପନରେ କହିଲା ପରି ଚାରିଆଡ଼କୁ ଅନାଇଁ ଧୀରେ ଧୀରେ କହିଲେ–“ବହି ଛପା ନ ସରୁଣୁ ଅବଶ୍ୟ ଏ ସବୁ ଖୋଲି ପ୍ରକାଶ କରାହୁଏ ନାହିଁ । ତଥାପି ଆପଣମାନଙ୍କର ଯେତେବେଳେ ଏଡ଼େ ଆଗ୍ରହ ଅଛି, ମୁଁ ଆପଣମାନଙ୍କ ଅବଗତ ନିମନ୍ତେ, ପ୍ରଚାର ପାଇଁ ନୁହେଁ–”

 

ଆମେ ଚାରିଜଣଯାକ ଏକାଥରକେ ବ୍ୟକ୍ତିଗତ ପ୍ରତିଶ୍ରୁତି ବଡ଼ ପାଟିରେ କହିବାକୁ ଲାଗିଲୁଁ–“ନାଇଁ ନାଇଁ” ‘‘ହଁ ହଁ” ‘‘ନିଶ୍ଚୟ” ‘‘କେବେ ନୁହେଁ”–ଅର୍ଥାତ୍ ଏଭଳି କାମ ଆମେ କେବେ କରିବୁଁ ନାହିଁ ଯେ ସେ ତଥ୍ୟକୁ ‘ଆଉଟ୍’ କରିଦେବୁଁ । ଆମେ ନିଶ୍ଚୟ ତାକୁ ଗୁପ୍ତ ରଖିବୁଁ । ସେ କହିଲେ ‘‘ଷଟକର୍ଣ୍ଣଂ ମନ୍ତ୍ରଭେଦଂ ।’’ ଆପଣମାନଙ୍କର ତ ଆଠ କର୍ଣ୍ଣ, ତଥାପି କହୁଛି, ଶୁଣନ୍ତୁ–

 

ବଖର୍ମେଂ ଖର୍ମଂ ଧୌତି ।

 

ବ କ’ଣ ?

 

ବାସ୍ତବିକ ‘ବ’ କ’ଣ ? ପ ବର୍ଗର ତୃତୀୟ ଅକ୍ଷର ହେଲା ବ; ପୁଣି ବ କହିଲେ ‘ବସ୍’ର ସଂକ୍ଷିପ୍ତ ବ୍ୟବହାରକୁ ବୁଝାଏ । ଆଉ ଅଧିକା କ’ଣ ? ରାଉତରା ମନକୁ ମନ ଆବୃତ୍ତି କଲା–ପ ଫ ବ–ପ ଫ ବ–ଏହିପରି ।

 

ଗଡ଼ବାଡ଼ ଗବେଷକ ମହାଶୟ କହିଲେ, ‘‘ବ ବୋଲନ୍ତେ ରାହୁ ।

 

ରାହୁ ବୋଲନ୍ତେ ସର୍ପକୁ ବୁଝାଏ ।

 

ସର୍ପ ବୋଲନ୍ତେ କାହାକୁ ବୁଝାଏ ?”

 

କୈଳାସ କହିଲା–“ଯେ ଘୁସୁରି ଘୁସୁରି ଯାଏ ।” ଗଡ଼ବାଡ଼ କହିଲେ–“ସର୍ପ ବୋଲନ୍ତେ କୁଣ୍ଡଳିନୀ, ଯାହା ପ୍ରତ୍ୟେକ ଶରୀରରେ ଥାଏ । କୁଣ୍ଡଳିନୀ ବୋଲନ୍ତେ ଯୋଗସାଧନା । ଅତଏବ ବ ବୋଲନ୍ତେ ଯୋଗସାଧନା । ହେଲା ତ ?”

 

ସେ ପ୍ରସନ୍ନ ହସ ହସି ଆମକୁ ଅନାଇଲେ । ଆମେ ବି ହସିଲୁଁ । ଆମର ହସକୁ ତାଙ୍କର ପ୍ରତିଭାର ସ୍ୱୀକୃତିର ଚିହ୍ନ ବୋଲି ଧରିନେଇ ସେ ଆଗକୁ ମାଡ଼ିଲେ–

 

“ଅତଏବ ବ = ରାହୁ = ସର୍ପ = କୁଣ୍ଡଳିନୀ = ଯୋଗ ସାଧନା । ଖର୍ମ କ’ଣ ? ଖର୍ମ ଅର୍ଥ ପୁରୁଷତ୍ୱ । ବଖର୍ମମାନେ ସେହି ପୁରୁଷତ୍ୱ ଯାହା ଯୋଗସାଧନାରୁ ଆସେ । ଧୌତି ମାନେ ଯୋଗୀ । ବାକ୍ୟଟିର ଅର୍ଥ ହେଉଛି ଯୋଗ ସାଧନା କଲେ ପୁରୁଷତ୍ୱ ଆସେ । ଯେଉଁମାନେ ଯୋଗ ସାଧନା କରନ୍ତି ସେମାନଙ୍କୁ ଯୋଗସାଧନା–ପ୍ରସୂତ ପୁରୁଷତ୍ୱ ମିଳେ, ସେମାନେ ବଳଶାଳୀ ହୁଅନ୍ତି, ସାହାସୀ ହୁଅନ୍ତି, ତାଙ୍କର ସନ୍ତାନ ସନ୍ତତି ହୁଅନ୍ତି–ଏହିପରି । ସୌଭାଗ୍ୟାବନିମ୍ ଅର୍ଥ ଅଶୋକବନ । ଯୋଗସାଧନା, ପୁରୁଷତ୍ୱ, ଅଶୋକବଣ–ଏଥିରୁ କ’ଣ ଗବେଷଣା ହେଲା ?”

 

ଶ୍ରେଣୀବଦ୍ଧ ସମସ୍ୱରରେ ଆମେ ଚିତ୍କାର କଲୁଁ, ‘‘ପୁରୁଷତ୍ୱ ।” ସେ କହିଲେ, ‘‘ଏଡ଼େ ସହଜ ନୁହେଁ । ତା’ହେଲେ ତ ସମସ୍ତେ ଗବେଷଣା କରୁଥାନ୍ତେ । ଏଥିରୁ ଗବେଷଣାରେ ମିଳିଲା ଯେ ପୂର୍ବେ ଓଡ଼ିଆମାନେ ପୁରୁଷତ୍ୱ ବଢ଼ାଇବାପାଇଁ ଯୋଗସାଧନା କରୁଥିଲେ । ସ୍ୱୟଂ ହନୁମାନ ତା’ର ଗୁରୁ ।”

 

ବାଃ–ବାଃ–ଆଶ୍ଚର୍ଯ୍ୟ, ଆଶ୍ଚର୍ଯ୍ୟ ! ଚମତ୍କୃତ ହୋଇ ଆମେମାନେ ସ୍ତବ୍‍ଧ ହୋଇଗଲୁଁ । ତା’ପରେ ସେ କହିଲେ–

 

“କପି ମାନେ କ’ଣ ?କପି ବୋଲନ୍ତେ କପିଳା ଧର୍ମ । କପିଳା ଧର୍ମ ଏକପ୍ରକାର ଧର୍ମ ସମ୍ପ୍ରଦାୟ । ଚିଲିକା ଭିତରେ ଥିବା କାଳିଜାଈ ଠାକୁରାଣୀଙ୍କ ପୂଜାରେ ଏ ଧର୍ମର ପ୍ରମାଣ ଓ ପରିଚୟ ଉଭୟ ମିଳୁଛି । କାଳିଜାଈ କ’ଣ ? ଯେମିତି ବିରିଜାଈ ସେମିତି । ଦେବୀରୁ ଜେୱୀ, ଜେୱୀରୁ ଜେଈ, ଜେଈ ରୁ ଜାଈ । ଏହିପରି ଏ ବ୍ୟୁତ୍ପତ୍ତି । ‘କାଳିଜାଈ’ ହେଉଛି ‘କଳିଙ୍ଗ ଦେବୀ’। ‘କ’ ରେ କାଳକ୍ରମେ ଏକ ଆକାର ଆସିଗଲା । ‘ଳି’ ରୁ ଅନୁସ୍ୱାରଟା ଝଡ଼ି ପଡ଼ିଲା । ‘ଦେବୀ’ ତ ସହଜେ ‘ଜାଈ’ ହୋଇଗଲା । ଆଉ ରହିଲା କ’ଣ ? ବଡ଼ କଠିନ ଏ ବ୍ୟୁତ୍ପତ୍ତି କରି ଦେଖାହୋଇଛି, ଚେଲିତାଲ ଆଉ କିଛି ନୁହେଁ, ‘ଶ୍ରୀକ୍ଷେତ୍ର’ ଶବ୍ଦରୁ ଅପଭ୍ରଷ୍ଟ । ଶି-ରୀ-ଛ-ତ-ରରୁ ଚେ-ଲି-ତା-ଲ, ବଡ଼ ସହଜ । କେବଳ ଟିକିଏ ଗବେଷଣା ଲୋଡ଼ା–”

 

ଆଶ୍ଚର୍ଯ୍ୟ ହୋଇ ମୁହଁ ଚାହାଁଚାହିଁ ହେଲୁଁ । ୟେ କ’ଣ ଆମେ ଶୁଣୁଛୁଁ ! କପିମାନେ କାଳିଜାଈ ପୂଜକ ? ଚମତ୍କାର !

 

ଗବେଷକ ଗଡ଼ବାଡ଼ କହିଗଲେ–‘‘ଅତଏବ ପ୍ରମାଣ ହେଉଛି ଯେ ରାମାୟଣବର୍ଣ୍ଣିତ କପି ଆଉ କେହି ନୁହନ୍ତି; ସେମାନେ କଳିଙ୍ଗୀ ଲୋକେ । କଳିଙ୍ଗ ଦେବୀଙ୍କୁ ପୂଜା କରୁଥିଲେ । କୋଙ୍ଗଦ ଶବ୍ଦଟା ହଁ ବା କ’ଣ ? କଃ ଅଙ୍ଗଦ, କୋଙ୍ଗଦ । ‘ସମାପା’ ସହର ସମ୍ପାତି ନାଁରୁ ହୋଇଛି-। ‘ବାଳି’ମାନେ ବାଳେୟ ଧର୍ମ । ତାରା ତ ତାରା ଠାକୁରାଣୀ–ବୌଦ୍ଧତାରା । ରାମଚନ୍ଦ୍ର ପମ୍ପାସରରେ ଚକ୍ରବାକ ପକ୍ଷୀମାନଙ୍କୁ ଦେଖିଲେ । ନା କ’ଣ ?”

 

“ହଁ ।”

 

“ପମ୍ପାସାର ବୋଲନ୍ତେ ଚିଲିକା । ମୁଁ ତା’ ମୋ ସପ୍ତମ ଅଧ୍ୟାୟରେ ପ୍ରମାଣ କରିସାରିଛି-।” ଟେବୁଲ ଉପରେ କୁଢ଼ା ହୋଇଥିବା କାଗଜ ଆଡ଼କୁ ଆଙ୍ଗୁଠି ଦେଖାଇଲେ । ତା’ପରେ କହିଲେ–

 

‘‘ଚକ୍ରବାକ ବୋଲନ୍ତେ ବୌଦ୍ଧ ଭିକ୍ଷୁ । ସେମାନଙ୍କର ଲଣ୍ଡିତ ମୁଣ୍ଡ । ଚକ୍ରବାକ ଯେ ବୌଦ୍ଧଭିକ୍ଷୁ, ମୁଁ ତାହା ଅନ୍ୟତ୍ର ପ୍ରମାଣ କରିଛି । ରାମଚନ୍ଦ୍ର କିଏ ?’’

 

ଉତ୍ତରକୁ ଅପେକ୍ଷା ନ କରି ହସିଦେଇ ଗଡ଼ବାଡ଼ କହିଲେ–‘‘ଏହି ମୋର ଗବେଷଣା, ଓଡ଼ିଶା ଇତିହାସକୁ ପୁଣି ଭାରତୀୟ ପୁରାଣ-ସାହିତ୍ୟକୁ ଏକ ନୂଆ ରୂପ ଦେବ । ରାମଚନ୍ଦ୍ର ବୋଲନ୍ତେ ସ୍ୱୟଂ ପିଅଦଶ୍‍ଶୀ ଅଶୋକ । ସମଗ୍ର ରାମାୟଣଟା ଅଶୋକଙ୍କ କଳିଙ୍ଗ ବିଜୟ ଛଡ଼ା ଆଉ କିଛି ନୁହେଁ, ଆଜ୍ଞା ! ରାମାୟଣଯାକ ଖାଲି ରୂପକ । ଖାଲି ସନ୍ଧ୍ୟା ଭାଷାର ଖେଳ ! ସେହି କଥା ହିଁ ତ ମୁଁ ପ୍ରମାଣ କରିଛି ।”

 

ପଞ୍ଜାବର ଖାଲ୍‍ସା କଲେଜରେ ମାହାଳିଆ ଅଧ୍ୟାପନା କରି ନ ଥିଲେ ଡକ୍ଟର ଗଡ଼ବାଡ଼-। ‘ଫିଲିପାଇନ’ ଶବ୍ଦ ଓଡ଼ିଆ ‘ଖିଲିପାନ’ରୁ ଅପଭ୍ରଷ୍ଟ ବୋଲି ସେ ପ୍ରମାଣ କରିଥିଲେ ତ ରାମାୟଣଟା ଅଶୋକଙ୍କର କଳିଙ୍ଗ ଯୁଦ୍ଧ ବୋଲି ପ୍ରମାଣ କରିଦେଲେ । ଭୀଷ୍ମଙ୍କର ଇଚ୍ଛାମୃତ୍ୟୁ ପରି ପ୍ରମାଣଟା ତାଙ୍କର ଇଚ୍ଛାପ୍ରମାଣ; ଅର୍ଥାତ୍ ଇଚ୍ଛା ମାତ୍ରେ ।

 

ପରସ୍ପରକୁ ଚୁମୁଟି ଦେହରେ ଦରଜ ହୋଇଯାଇଥିଲା । ଗବେଷକଙ୍କୁ ଦୀର୍ଘ ନମସ୍କାର କରି ଗବେଷଣାର ଜୟଜୟକାର କରି ରାସ୍ତାକୁ ଓହ୍ଲାଇ ପଡ଼ିଲୁଁ ।

Image

 

କବିଟିଏ

 

ଯେତେଠି ଜନସମାଗମ ସେତେଠି ସେ ଦେଖିବାକୁ ମିଳେ ବିଭାଘର, ଦଶାହ, ସମ୍ମେଳନ, ସଭା, ପ୍ରଦର୍ଶନୀ, ସମ୍ବର୍ଦ୍ଧନା ସଭା, ବିଦାୟ ସଭା, । ମଧ୍ୟଭଳିଆ ଉଞ୍ଚ, ସବୁଦିନେ ଅଧାବଅସୀ ପରି ଲୋକଟିଏ, ଦୁର୍ବଳ ସ୍ୱାସ୍ଥ୍ୟ । ସେହି ଏକାପରି ପରିଧେୟ–ମୋଟା ଖଦଡ଼ର ଅତି ସଫା ନୁହେଁ ଲୁଗା ଓ କାମିଜ । ସାମାନ୍ୟରେ ଆଗକୁ ନଇଁଲାପରି ନାକ ଅଗରେ ଅଣଓସାର ଚଷମା, ସୁତୁଲି ବନ୍ଧା ହୋଇ କାନରେ ଅଟକିଛି । ଫୁଲା ଫୁଲା ଛାତି ପକେଟରେ ଖଣ୍ଡ ଖଣ୍ଡ କାଗଜ, ଖଣ୍ଡିଏ ପୁରୁଣା ଫାଉଣ୍ଟେନ ପେନ୍‍ । ହାତରେ ଗୋଟିଏ ଡୋରିଆ କନାର ମୁଣି । ଏ ଅତି ସାଧାରଣ, ଅତି ନଗଣ୍ୟ ଚଳନ୍ତି ଛବିଟି ଲୋକଗହଳିରେ ନଇଁ ନଇଁ ଚାଲିଗଲେ କେଉଁଠି ବାରିହୋଇପଡ଼ନ୍ତା ନାହିଁ । ବାରି ପକାଏ ବାଁ କାଖତଳେ ବଣ୍ଡଲେ କାଗଜ; ଅତି ଆଦରରେ ତାକୁ ସେ ଜାକି ଧରିଥାଏ ।

 

ବ୍ୟବସାୟୀ ଦୁନିଆରେ ସାଧାରଣ ଭିତରେ ଅସାଧାରଣ ଏହି ମୋଟା କାଗଜ ବଣ୍ଡୁଳାଟି ଦୃଷ୍ଟି ଆକର୍ଷଣ କରେ, ଆଶ୍ଚର୍ଯ୍ୟ ଉପୁଜାଏ । ମନରେ ପ୍ରଶ୍ନ ଉଠେ–ଏ କ’ଣ ?

 

ଲୋକଟି ପାଖକୁ ଆସେ, ବଣ୍ଠୁଳାଟି କାଢ଼ି ଖଣ୍ଡିଏ କାଗଜ ଧରେଇଦିଏ । ଖଣ୍ଡିଏ କବିତା । କବିତାର ଏମୁଣ୍ଡୁ ସେମୁଣ୍ଡ ଆଖି ବୁଲାଇଆଣି ଖୋଜି ଦେଖିଲେ ଲୋକଟି ନାହିଁ; ହେଇ ଦୂରରେ ବାଣ୍ଟି ଚାଲିଛି ସେହି କବିତା । କିଏ କ’ଣ ପଚାରୁଛି ଯେ ମୁଣ୍ଡ ହଲାଉଛି ।

 

ପୁଣି ଦୃଷ୍ଟି ଯାଏ କବିତା ଉପରକୁ । ବିକୃତ ଭାଷା, କେତେଠି ସଂସ୍କୃତିଆ, କେତେଠି କଞ୍ଚା, ଯତିପାତ ପାଇଁ ପ୍ରଗାଢ଼ ଅଧ୍ୟବସାୟ ପରିସ୍ଫୁଟ ‘ବିପ୍ଳବ’ ତଳେ ‘ବୃକ୍ଷଗବ’ ଡାଙ୍ଗ ସରୁସରୁ, ସ୍ଥାନେ ସ୍ଥାନେ ଗଣ୍ଠଗଣ୍ଠିଆ କବିତାର ଗଛ, ଅନ୍ୟ ସ୍ଥାନରୁ ଆସିଥିବା ନାନା ବାକ୍ୟାଂଶ, ନାନା ଭାବ ସେଥିରେ ବାୟାବସା ପରି ଦୋହଲୁଛନ୍ତି ‘ନାନା ଦିଗଦେଶାତ୍‍ ଆଗତ୍ୟ ପକ୍ଷିଣସ୍ତତ୍ର ନିବସନ୍ତି’ ପରି । କାହାର ବିଭାଘର ଆଶୀର୍ବାଦ ସଙ୍ଗୀତ–କାହାର ଦଶାହ–ରାଗ ଚିନ୍ତା ଦେଶାକ୍ଷ–କେଉଁଠି ସମ୍ମିଳନୀ, ‘‘ଆଜି ଏ ଆନନ୍ଦଦିନେ ଛାତି ଉଠୁଅଛି ମାତି ।” ତଳେ କବିଙ୍କର ନାମ–ଶ୍ରୀ ଦିଗମ୍ବର ଦାଶ ଓ ତାହା ତଳେ ଇଂରେଜୀରେ ଛପା–‘‘ପୋଏଟ୍ ଲରିଏଟ’’ ।

 

ପୋଏଟ୍‍ଲରିଏଟ୍ ! କିଏ ଦେଲା ଏ ପଦବୀ ?

 

ପଚାରିଲେ ଅତି ବିନୟୀ ହୋଇ ସେ କହନ୍ତି–‘‘ଲାଟ୍‍ସାହେବ ଦେଲେ ।”

 

ତାଙ୍କ ଦେହ ମୁହଁର ଅବସ୍ଥା ଦେଖି ଆଉ ପ୍ରଶ୍ନ ସ୍ଫୁରେ ନାହିଁ–ନୀରବରେ ବାକ୍ୟବହୁଳ, ସଲଜ୍ଜ ହୋଇ ସ୍ପର୍ଦ୍ଧିତ । ବିନୟରେ ନଇଁପଡ଼ିଲେ ବି ଗର୍ବରେ ଟାଣ ଦିଶେ ମୁହଁର ଛବି । ତେଣୁ ପ୍ରଶ୍ନ ଆଉ ଭାଷା ପାଏ ନାହିଁ–ଲାଟ୍‍ସାହେବ ! କେଉଁ ଲାଟ୍‍ସାହେବ ? ଓଡ଼ିଆ ସାହିତ୍ୟରେ କେଉଁଠୁ ତାଙ୍କର ପ୍ରବେଶ ?

 

ହେଇ, ବୁଲୁଛନ୍ତି କବି, ଜଣକଠୁଁ ଆଉ ଜଣଙ୍କ ପାଖକୁ । ପ୍ରତ୍ୟେକଙ୍କୁ ବାଣ୍ଟୁଛନ୍ତି କାଖତଳର ବଣ୍ଡିଲରୁ ଖଣ୍ଡେ ଖଣ୍ଡେ । କିଏ ଥରେ ଚାହିଁଦେଇ ତଳେ ଫୋପାଡ଼ି ଦେଲାଣି । ଖସ୍‍ ଖସ୍‍ ହୋଇ ଚଟାଣରେ ଗଦା ହେଉଛି କବିତାର ସମ୍ପଦ । ୟା’ପରେ ଝାଡ଼ୁରେ ତା’ର ସଂସ୍କାର । ଅଥବା ସଭାସ୍ଥଳର କେଉଁ ହିସାବୀ ସଭ୍ୟ କାଗଜ ଖଣ୍ଡିକ ସମ୍ପାଦି ରଖୁଛନ୍ତି । ରାତିରେ ସଭା ଶେଷରେ ଘରକୁ ଫେରିଲା ବାଟରେ ମାଛ ଶସ୍ତା ହୁଏ, ଅତଏବ…. । କିଏ ମନୋନିବେଶ କରି ଶବ୍ଦ ନ କରି ଓଠ ଥରେଇ ପଢ଼ୁଛନ୍ତି–ଅନ୍ତତଃ ପଡ଼ୋଶୀଙ୍କ ନିଘାରେ ପଡ଼ିବାପାଇଁ ଯେ ସାହିତ୍ୟରେ ତାଙ୍କର ସଉକ୍‍ ଅଛି, ବିଶେଷତଃ କବିତାରେ । ପରର ମନ ଜଗି ବର୍ଷାଆଡ଼କୁ ଛତା ଦେଖାଇ ସଫଳ ଜୀବନଯାତ୍ରା ନିର୍ବାହ କରିବାରେ ଅଭିଜ୍ଞ କେହି କବିଙ୍କୁ ତୁଣ୍ଡେ ସମ୍ବର୍ଦ୍ଧନା ଜଣାଉଛନ୍ତି–

 

“ଆପଣ ନିଜେ ଲେଖିଛନ୍ତି ? ଭାରି ଚମତ୍କାର ହୋଇଛି । ଯାହାହେଉ, ବାଃ !” ଗହଳି ଭିତରୁ ଅତି ଅଳ୍ପ ଏପରି ଚତୁର ସମଝଦାର । କିନ୍ତୁ ପ୍ରଶଂସା ଶୁଣିଲେ କବିଙ୍କ ଆଖି ତେଜିଉଠେ । ସମାଲୋଚକଙ୍କୁ ପ୍ରସନ୍ନ ହେଲାପରି କବି କହନ୍ତି, ‘‘ଆପଣଙ୍କ ବସା କେଉଁଠି, ଆଜ୍ଞା ? ଦୋଦୋଚିହ୍ନା ହେଉଚି, ଚିହ୍ନି ପାରୁନାହିଁ । କବିମାନେ ଭୁଲା ଲୋକ ସବୁ ଦିନେ, ଆପଣ ତ ଜାଣନ୍ତି-। ଆପଣଙ୍କ ନାଁ ? ଆଚ୍ଛା, ଦେଲେ ଖଣ୍ଡେ ପାନ । ହଁ, ମୁଁ ଗୁଣ୍ଡିଖାଏଁ; ଧୂଳିମାଟିର ମଣିଷ ମୁଁ, ଏ ଦେଶର କବି, ଗୁଣ୍ଡିବି ଖାଏଁ, ପଖାଳ ବି ଖାଏଁ ।”

 

ବେଶ୍, ଏତିକି । ତା’ପରେ କବି ଚାଲିଲେ ସ୍ଥାନାନ୍ତର, ନୂଆ ପ୍ରଶଂସକ ଖୋଜି, ନୂଆ ସମାଲୋଚନା ଶୁଣିବାକୁ, ଭଦ୍ରଲୋକଙ୍କ ଗହଣକୁ–ଯେଉଁଠି ପଡ଼ିଚି ବ୍ୟବସାୟର କଥା, ଲାଭ ଲୋକସାନ ଫାଉଦାଉଁ, ଚକ୍ର ଓ ତନ୍ତ୍ରର ବୁଦ୍ଧିର ଖେଳ–ପୁଣି ଭଦ୍ରମହିଳାଙ୍କ ଗହଣକୁ, ଯେଉଁଠି ବିଷୟବସ୍ତୁ ଅଭାବରୁ ଖାଲି ହିଁ ହିଁ ହିଁ ହିଁ।

 

ନୀରବ କବି । କିନ୍ତୁ ଦି’ଚାରି ଥର ଚିହ୍ନା ହେଲେ ଖସ୍‍ ଖସ୍‍ ଶବ୍ଦ କରି ପାଖକୁ ଆସି ସେ ଗୁପ୍ତରେ ପଚାରନ୍ତି, ‘‘ୟାଡ଼କୁ ଆସିବେ କି ଟିକିଏ ?”

 

ତା’ପରେ–‘‘ହୁଁ, ଦେଖନ୍ତୁ, ଭାରି ସୁନ୍ଦର ଅନ୍ଧାର ରାତି, ତାରାଗୁଡ଼ାକ ମିଟି ମିଟି କରୁଛନ୍ତି, ଠିକ୍‍ ଯେମିତିକି ଛାଇତଳିଆ ଗହଳି ତରାଟବୁଦାରେ ତରାଟ ଫୁଲ ଲଦିହୋଇଛି, ନୁହେଁ-?”

 

ତା’ପରେ, ଟିକିଏ କାସି, ‘‘ଶଗଡ଼ ଗାଡ଼ିର ଶବ୍ଦ କେଁ କେଁ ଶୁଭୁଛି; ଅନୁମାନ କରନ୍ତୁ, ସେଥିରେ କ’ଣ କବିତା ପାଇଁ ସଙ୍ଗୀତ ନାହିଁ ?”

 

ଶେଷରେ–‘‘ଦେଇପାରିବେ କିଛି ସାହାଯ୍ୟ ? ଅନ୍ତତଃ ଟଙ୍କାଏ ଦେଲେ ଦିନଟିଏ ଚଳିଯିବ । କବିତା ଲେଖେଁ, ପୁଣି କବିତା ଛାପେଁ–ସବୁ ନିଜ ଖର୍ଚ୍ଚରେ । ଗଦା ହୋଇଛି ସେଗୁଡ଼ାକ-।” କବିର ସ୍ୱର ଥରିଉଠେ, ‘‘ବୁଝୁଚି କିଏ ? କିନ୍ତୁ ମୋର ଗର୍ବ, ମୁଁ ଜନସାଧାରଣଙ୍କ କବି; ରାଜାମହାରାଜାଙ୍କ ଦରବାରର କବି ନୁହେଁ । ବଡ଼ଲୋକଙ୍କ ପାଖେ ହାତ ପାତେ ନାହିଁ, ସେହି ମୋର ଗର୍ବ; ଯାହା ନିଏ, ନିଏଁ ଜନସାଧାରଣଙ୍କଠୁଁ । ଆପଣମାନେହିଁ ମୋର ପୋଷଣାହାରୀ, ଜନତାହିଁ ଶାସକ, ରାଜ୍ୟ ଆପଣଙ୍କର, କବିତାକୁ ଆଶ୍ରା ଦେବା ଆପଣଙ୍କ ଦାୟିତ୍ୱ ।”

 

ଗର୍ବରେ ଯଦି କାହାର ଛାତି ଫୁଲିଉଠେ କବି କିଛି ପାଏ । ସେ ଜାଣେ, ସହାନୁଭୂତି ମୂଲେଇବା ନିରର୍ଥକ; ପେଟମୁଣ୍ଡ ଦେଖାଇ ଭିକ ମାଗିଲେ ମିଳନ୍ତା ଅପମାନ ।

 

ମୁଣି ଖୋଲି ମୁଣି ମନ୍ଦ କରି ଅମ୍ଳାନବଦନରେ କବି ଅନ୍ଧାରରୁ ଆଲୁଅକୁ ଫେରିଆସେ । ହସି ହସି ସମସ୍ତଙ୍କ ଆଖିକୁ ଆଖିରେ ଭେଟେ ମୁହାଁମୁହିଁ । ବଡ଼ଲୋକ ଜଣଙ୍କ ଚାରିପାଖେ ଭିଡ଼ ହୋଇଛି, କବି ସେଠି ମୁହଁ ଗଳାଏ । କେଉଁଠି ଲାଗିଛି ଉନ୍ନତ ଚର୍ଚ୍ଚା କିଛି, କବି ସେଠି ମଝିରେ ଠିଆହୋଇ ମୁଣ୍ଡ ଟୁଙ୍ଗାରେ । ସଭାରେ ଆଗଧାଡ଼ିରେ ଚୌକି ଅଧିକାର କରିନେଇ ବସେ, ତଳେ ବସିଥିବା ଲୋକଙ୍କୁ ସଦୟ ହୋଇ ଚାହେଁ, କରରେ ଠିଆହୋଇ ଗୋଳମାଳ କରୁଥିବା ଲୋକଙ୍କ ଆଡ଼କୁ ସରୁ ହାତ ଟେକି ଚିଁ ଚିଁ ହୋଇ କହେ–‘‘ପାଟି କର ନାହିଁ ।”

 

ନିମନ୍ତ୍ରଣ ପାଇଁ ଅପେକ୍ଷା କରେ ନାହିଁ, ଉପରେ ପଡ଼ି ଆପଣାକୁ ଜାରୀ କରିବାକୁ ଚେଷ୍ଟା କରେ ।

 

ବହୁଦିନୁ ସହରର ଚିହ୍ନା ଦୃଶ୍ୟଟିଏ, କବିଟିଏ ।

 

ସେଦିନ ସକାଳେ କବି ଚଣ୍ଡୀମନ୍ଦିରରୁ ଫେରୁଥିଲେ । ବେକରେ ମନ୍ଦାରମାଳା, କାଖତଳେ ନିଉଜ୍‍ପ୍ରିଣ୍ଟରେ ଛପା କବିତା ପୁଳିଏ, ହାତରେ ମୁଣି । ହଠାତ୍ ଦେଖା ରାଧୁ ଦାସଙ୍କ ସହିତ । ରାଧୁଦାସ ତାଙ୍କର ସମବୟସୀ, କିନ୍ତୁ ଅନ୍ୟପନ୍ଥୀ । ବାଙ୍ଗର ସରୁ କଳା ଲୋକଟିଏ, ବୟସ ହେଲେ ବି ଦୋହଲି ଦୋହଲି ତରତର ଚାଲନ୍ତି ଅଣ୍ଟାରେ ଯେପରିକି ସ୍ପ୍ରିଂ ଲଗାହୋଇଛି । ଫାଳିକିଆ ମୁହଁ, ଧାର ନାକ, ସବୁବେଳେ ଦିଶନ୍ତି କାର୍ଯ୍ୟବ୍ୟସ୍ତ । ସରଳ ଭେକ । କିନ୍ତୁ ରାଧୁଦାସ ଉଧେଇଛନ୍ତି ।

 

ରାଧୁଦାସ ଦୁନିଆର ଦାନାପାଣି ଯୁଦ୍ଧରେ କବିଠୁଁ ବହୁତ ଉଞ୍ଚରେ । କୌଣସି ବେପାରୀ ଅଫିସରେ ଗତ ୨୦ ବର୍ଷ ହେଲା ସେହି ପଚାଶ ଟଙ୍କା ଦରମା; କିନ୍ତୁ ରାଧୁଦାସ ଲେଖକ । ଅବସର ସମୟରେ ଏଠୁ ସେଠିକି ବୁଲି, କଲେଜ ଛାତ୍ର, ଚାକିରିଆ ଓ ଆପଣାର ଜ୍ଞାନ ଅବହେଳିତ ମଣୁଥିବା ଅନ୍ୟାନ୍ୟ ଲୋକଙ୍କ ପାଖକୁ ଯାଇ ସମସ୍ତଙ୍କଠୁଁ ଲେଖା ଉଧାର ଆଣି ଏକାଠି କରି ସେ ଛାପନ୍ତି । ଲେଖକ ଓ ପ୍ରକାଶକ ସେ ନିଜେ ।

 

ଏହିପରି ଉପାୟରେ ସେ ନାନା ପ୍ରକାର ବହିର ଲେଖକ ଓ ପ୍ରକାଶକ–‘‘ଛାତ୍ରଙ୍କ ବ୍ୟାକରଣ,” ‘‘ପ୍ରବନ୍ଧ ପ୍ରଭାକର,” ‘‘ସରଳ ଅନୁବାଦ ଶିକ୍ଷା,” ‘‘ରାଷ୍ଟ୍ରଭାଷା ଶିକ୍ଷା ସୋପାନ’’, ‘‘ପ୍ରତ୍ୟେକଙ୍କ ହୋମିଓପ୍ୟାଥି”, ‘‘ଘର ଡାକ୍ତର”, ‘‘ଅକ୍‍ସନ ବ୍ରିଜ”, ‘‘ଦେଶବିଦେଶର ଢଗଢମାଳି”, ‘‘ଇଂରାଜୀ ଭାଷା ଗନ୍ତାଘର”, ‘‘ଜଡ଼ିବୁଟି” ଇତ୍ୟାଦି ବହିର କାଟ୍‍ତି ଭଲ ହୁଏ । ରାଧୁଦାସ ତର ତର ହୋଇ ବୁଲନ୍ତି ନୂଆ ଜ୍ଞାନ ଆହରଣ କରିବାପାଇଁ ।

 

ଏଇ ରାଧୁଦାସଟା– !

 

ଦେଖିଲେ କବିର ନାହି ଡିଏଁ ।

 

ମୟୂରପୁଚ୍ଛ ଖଞ୍ଜିଦେଇ କାକ । ତଥାପି ଦୁନିଆ ତାକୁ ହିଁ ପ୍ରଶୟ ଦିଏ, ରାଧୁଦାସର ବହି ସଂସ୍କରଣ ପରେ ସଂସ୍କରଣ ଛପା ହୁଏ, ରାଧୁଦାସ ଧନୀ ହୁଏ ।

 

ଦେଖାହେଲା ମାତ୍ରେ ମନେ ମନେ ରାଗିଯାଇସାରିଥିଲେ କବି । ଦେବୀଙ୍କ ପାଖେ ପୂଜା ଜଣାଇବାବେଳର ମନର ପ୍ରଶାନ୍ତି ତାତି ଉଡ଼ିଯାଇସାରିଥିଲା । ତଥାପି ଭଦ୍ରତା ଖାତିରିରେ କହିଲେ–‘‘କିହୋ ଦାସେ, କୁଆଡ଼େ ଛେଳିଗୋଡ଼ରେ ?”

 

“କୁଆଡ଼େ ଆଉ, ଧନ୍ଦାରେ ବୁଲୁଚି; ଆମେ କ’ଣ ତମ ଭଳି କବି ହେଇଚୁଁ ?”

 

“ଏତେ ପରିଶ୍ରମ କରୁଚ, ଭଲା ସାହିତ୍ୟ କିଛି ଲେଖନ୍ତ ! ଖାଲି ଅପାଳ ପାଉଁଶ ଗଦା ଗଦା; ମରିଗଲେ ରହିବଟି?”

 

“ଆରେ ବାବୁ, ଏଇ ଅପାଳ ପାଉଁଶ ଗଦାଗଦାରେହିଁ ଭଲ ପାଳୁଆ ବାଇଗଣ ଫଳେ । ମରିଗଲେ ବି ରହିଥିବ, ଫଳୁଥିବ, ପୁଅନାତି ତୋଳି ତୋଳି ଖାଉଥିବେ, ଗୁଣ ଗାଉଥିବେ । ଆଉ କବିତା ଗଦେଇଗଲେ କ’ଣ ହେବ ? ଭଲ ଖତ ବି ହେବ ନାହିଁ । କ’ଣ ତା’ର ମୂଲ୍ୟ, କହିଲ ? ତେବେ କବିତା ବହି ଖଣ୍ଡେ ମୁଁ ଲେଖିଚି । ଏଇ ନୂଆ ଛାପା ହୋଇଚି, ଦେଖାଉଚି, ରହ ।”

 

ଅବିଶ୍ୱାସରେ କୁତୂହଳୀ ହୋଇ ରାସ୍ତାର ଦୋକେନିଆ ଛକପାଖେ କବି ଠିଆ ହେଲା । କାଖତଳୁ ବୁଜୁଳା ଫିଟେଇ ଅରଖ ନୂଆ ଖଣ୍ଡେ ବହି କାଢ଼ି ରାଧୁଦାସ କହିଲା–

 

ଏଥିରେ ନାହିଁ ତମର ପେମ ଫେମ କି ସୁନ୍ଦରୀର ସୌନ୍ଦର୍ଯ୍ୟ ବର୍ଣ୍ଣନା । ଏ ଗୋଟିଏ ଛାଞ୍ଚରେ ଲେଖା, ପିଲାଙ୍କୁ ଇଂରେଜୀ ଶିଖାଇବା ପାଇଁ । କେତେଗୁଡ଼ିଏ ଶବ୍ଦ ଏକାଠି ମିଶି ତ ଗୋଟିଏ କବିତା ? ଏ ବି ସେଇଆ, କେତେଗୁଡ଼ିଏ ଇଂରେଜୀ ଶବ୍ଦ ମିଶି ପଦ୍ୟ, ଓଡ଼ିଆ ରାଗିଣୀ, ସବୁ ଶବ୍ଦର ମାନେ ଏକା, ଗୀତ ଗାଇ ଗାଇ ପ୍ରତିଶବ୍ଦ ମନେ ରହିଯିବ । ହେଇ ଶୁଣ–

 

‘ମନ୍ଦ’ ଶବ୍ଦର ପ୍ରତିଶବ୍ଦ–

ବ୍ୟାଡ୍‍, ଇଭିଲ୍‍ ରୋଗ୍‍, ଡେଭିଲ୍‍,

ରାସ୍କେଲ୍‍, ଟାଇରେଣ୍ଟ୍‍,

ନେଭ୍‍, ବ୍ୟାଡ୍‍ ମ୍ୟାନ୍‍, ରେଚ୍‍, ସିନ୍‍ଫୁଲ୍‍,

ୱିକେଡ଼, ମିସ୍‍କ୍ରିଏଣ୍ଟ୍‍ ।

 

କେମିତି ? ଭଲ ଶୁଭୁନାହିଁ । ଅବ୍‍ ତେରେ ସିୱା କୋନ ମେରେ କ୍ରିଷ୍‍ନ କହ୍ନେଇଆ–ସେମିତିଆ ‘ସୁର୍‍’ । ଦି’ଜଣ ବାଟୋଇ ଆଁକରି ଶୁଣିବାକୁ ଲାଗିଲେ । ରାଧୁଦାସ ଦ୍ୱିଗୁଣିତ ଉତ୍ସାହରେ ରାଗିଣୀ ଲଗେଇ ଗାଇବାକୁ ଆରମ୍ଭ କଲେ । ବାଧା ଦେଇ କବି କହିଲେ–‘‘ଏ ସବୁ ତୁମ ନିଜର ?”

 

“ନିଜର କ’ଣ ?” ରାଧୁଦାସ ବ୍ୟାଖ୍ୟା କଲେ, ‘‘ନିଜର ପରର ମୁଁ କିଛି ବୁଝେ ନାହିଁ । ଯାହା ମୋ ଭାଇର ତା’ ମୋ ନିଜର । ମୁଁ କହେଁ, ନିଜର ଜ୍ଞାନ ନାହିଁ ବୋଲି ଯଦି ଆମେ ବସିରହିଥିବା ତେବେ ଦେଶ ଉନ୍ନତ ହେବ ନାହିଁ । ଆମର ଜ୍ଞାନ ନ ଥାଉ, ଆଉ କାହାର ତ ଥିବ । ମାଗିଆଣି ବା ଏକାଠି କରି ବା ଏକାଠି ଗଢ଼ିଲେ ଯେଉଁ ରୂପ ହୁଏ ତାକୁ କରିଚି ମୁଁ । ଖରା ନାହିଁ, ତରା ନାହିଁ, ୟାକୁ ଦାନ୍ତନିକୁଟା, ତାକୁ ନେହୁରା, ସେ ଯୋଉ କଷ୍ଟ, ତା’ କିଏ ବୁଝିବ ? ଭଲ ଇଂରେଜୀ ଜାଣିଚି, ଏମ୍‍.ଏ. ପାସ୍‍ କରିଚି ଟୋକାଟିଏ, ବାଲେଶ୍ୱରରେ ଅଛି, ଶୁଣି ମୁଁ ଛୁଟିରେ ତା’ ପାଖକୁ ବି ଯାଇ ତା’ ହାତରେ କରେଇନେଲି ଏଇ ଦେଉଳ । ଭାଷା ଶିଖିବାକୁ ପିଲାଙ୍କର କି ଉପକାର ହେବ ! କେଡ଼େ ସୁନ୍ଦର ପଦଲାଳିତ୍ୟ, କହିଲ ?

 

ବ୍ୟାଡ୍‍, ଇଭିଲ୍‍, ରୋଗ, ଡେଭଲ୍‍,

ରାସ୍କେଲ୍‍, ଟାଇରେଣ୍ଟ୍‍,

 

ଘୃଣାରେ ଓଠ ବଙ୍କେଇ ମୁହଁ ନେଫେଡ଼ି ଦେଇଥାଏ କବି । ମନ ଭିତରେ ଈର୍ଷାରେ ଅବସନ୍ନ । ଚିନ୍ତା ଉଡ଼ିବୁଲୁଥାଏ, ବାରମ୍ବାର ଦେଖିଆସୁଥାଏ–ପାଖେ ନିଜର ଜୀବନ, ଅଭାବ, ନିଷ୍ଫଳତା, ଦୁଃଖ–ଆଉ ପାଖେ ଏ ରାଧୁଦାସ ।

 

ହଠାତ୍ ଅନୁଭବ କଲା, ପଛଆଡ଼ୁ କାଖତଳୁ କବିତା ବଣ୍ଡୁଳିଟି ଯେପରି କିଏ ଓଟାରୁଛି । ବୁଲିପଡ଼ିଲା । ପଛଆଡ଼େ ଷଣ୍ଡ । ଖେଳେଇ ଚୋବେଇ କବିତା କାଗଜ ଖାଉଛି । କବିତାର ସ୍ୱାଦ ପ୍ରତି ସେ ନିର୍ବିକାର ।

 

ରାଗରେ କ୍ଷତ୍ରିୟ ପାଲଟିଯାଇ କବିତାକୁ ଆସନ୍ନ ବିପଦରୁ ରକ୍ଷା କରିବାକୁ କବି ସ୍ଥାନ କାଳ ପାତ୍ର ଭୁଲି ଦୁର୍ବଳ ହାତ ଟେକି ରେ ରେ କାର କରି ଷଣ୍ଡଆଡ଼କୁ ଦୁଇ ଖେପା କୁଦିଗଲେ ।

 

ଷଣ୍ଡ ଚାହିଁଲା । ତା’ପରେ ତା’ର ଦୃଷ୍ଟି ପଡ଼ିଲା କବି ବେକର ଦୋହଲା ମନ୍ଦାରମାଳା ଉପରେ । ଷଣ୍ଡ ଆଉ ଅପେକ୍ଷା କଲା ନାହିଁ ।

 

ରାଧୁଦାସ ଗଳିମୁଣ୍ଡରେ ଅଦୃଶ୍ୟ ହେଲେଣି ।

 

ସାହିବାଲା ଜମିଲେ । ଲମ୍ବ ଲମ୍ବ ବାଉଁଶରେ କେଞ୍ଚି କ୍ରୁଦ୍ଧ ଷଣ୍ଡକୁ ବିଦା କରିଦେଲେ ।

 

ନାଲିରାସ୍ତାର ଧୂଳିରେ ସେତେବେଳେ ଚିତ୍‍ପଟାଙ୍ଗ ହୋଇ ରକ୍ତାକ୍ତ ଅଚେତ କବି । ହାତର ମୁଠା ଜାବ ପଡ଼ିଯାଇଛି ପୁଳିଏ କବିତା କାଗଜ ଉପରେ । ଆଉ କିଛି ଏଣେତେଣେ ପଡ଼ିଛି-। ଲୋକେ ଗୋଟେଇ ନେଇ ପଢ଼ିଲେ ।

Image

 

ପରିଚୟ

 

ନାଲିସଡ଼କଠୁ ଦଶ କୋଶ ଦୂରରେ ତିନିଟା ନଈ ପାରି ହୋଇ ବିଲ ପାଟ ଡେଇଁ ଧୋଇଆ ଭିତରେ ଗଣ୍ଡ ମଫସଲ ଭିତରେ ଗୋଟିଏ ଗାଁ । ଭାରତୀୟ ଗଣଭୋଟ ପର୍ବ ଭିତରେ ସେଠି ଗୋଟିଏ ଭୋଟ–କେନ୍ଦ୍ର ହୋଇଛି ।

 

ଭୋଟ ଦିନ । ପେମୀବୋଉ ଆଜି ଭୋଟ ଦେବେ । ସକାଳୁ ଗଡ଼ିଆରେ ବୁଡ଼ିପଡ଼ି ଆସି ଘର ଦୁଆରମୁହଁକୁ ଉଢ଼ୁଆଳକରି ଓଳିତଳେ ଚାଳରୁ ଓଦା ଲୁଗା ଓହଳେଇଦେଲେ । ଆର ବଖରା ଦୁଆରମୁହଁ ପାଖେ ବସି କୋଥଳି ଖୋଲି ନିର୍ମାଲ୍ୟ ପାଇଲେ, ସିନ୍ଦୂର ନାଇହେଲେ ।

 

ଆରିଶିରୁ ଯେଉଁ ମୁହଁଟି ତାଙ୍କୁ ଚାହିଁ ହସିଦେଲା ଗାଁ ଗହଳିରେ ସେ ଗୋଟିଏ ସାଧାରଣ ମୁହଁ, ପଇଁଚାଳିଶି ବର୍ଷୀୟା ପ୍ରୌଢ଼ାଙ୍କର; ସେପରି ମୁହଁ ଯାହାକୁ ଦେଖିଲେ କେହି ନିଜକୁ ପଚାରେ ନାହିଁ କେଉଁଠି ଦେଖିଛି ବୋଲି; ଅଭାବ, ପରିଶ୍ରମ, କେତେ କେତେ ବେଳେ ରୋଗ, ସନ୍ତାନ ଜନ୍ମ, ସନ୍ତାନ ଲାଳନପାଳନ, ଆପଣା ସୁଖ କଥା ପାସୋରିପକାଇ ସବୁବେଳେ ଅନ୍ୟମାନଙ୍କ ଭଲ ପାଇଁ ଖଟି ଖଟି ଦେହ ଘୋରିହେବା, ଦୁନିଆର ନିୟମ ମାନୁ ମାନୁ ୟେ କ’ଣ ଭାବିବ ସେ କ’ଣ ଭାବିବ ବୋଲି ମନରେ ଧରି ଦୁନିଆକୁ ଡରି ଡରି ପାଦ ଗଣି ଗଣି ଚଳଣି–ଏଥିରେ ଅସାଧାରଣ ବୋଲି କିଛି ନ ଥିଲା । ୟେ ସମାଜରେ ଗାଁରେ ଏପରି ସବୁ ଘରେ ମିଳିବେ । ଚେହେରାରେ ଟିକିଏ ଊଣେଇଶି ବିଶ୍, ନ ହେଲେ ଏକା କାଟରେ; ଯେପରିକି ଏକା କାରଣର ଏକା ଫଳ । ଦି’ଜଣଙ୍କ ମୁଣ୍ଡ ଯଦି ଅନବରତ ମାସେ କାଳ ବଥାଇବ, ଜଣେ ଗୋରା ଲୋକ ଦିହେଁ ଦି’ ବର୍ଣ୍ଣର ହେଲେ ବି ଯେମିତି ମୁହଁର ଠାଣି ଏକା ପ୍ରକାର ଦିଶିବ, ସେମିତି ସାଧାରଣ ସେ ପେମୀବୋଉଙ୍କ ମୁହଁର ଛବି ।

 

ଟିପରେ ସିନ୍ଦୂର ନେଇ କପାଳରେ ଆଠଣି ଆକାରର ଏକ କୁହୁଡ଼ି ଭିତରେ ସୂର୍ଯ୍ୟ ନେଇ ଥୋଇଲାବେଳକୁ ହସି ହସି ଚାହିଁଲା ଗୋଟିଏ ମୁହଁ ତାଙ୍କୁ । ମୁହଁ ଗୋଟାଳିଆ ନୁହେଁ, ଫାଳିକିଆ, ଯେମିତି ପାଚିଲା କଖାରୁ ଚିରୁଡ଼ାଏ, ଜହ୍ନୀରୁ ଚିରୁଡ଼ାଏ । ଲମ୍ବାଳିଆ ହୋଇ ଶୁଖିଲା ଗାଲ ଦି’ଫାଳ, ମଝିରେ ବ୍ୟବଧାନ ତିନି ଆଙ୍ଗୁଳି । ଉପର ଓଠ ତଳ ମଢ଼ିଆ ପଦାକୁ ଟୋଲେଇଛି, ତା’ ତଳେ ତିନୋଟି ବଡ଼ ବଡ଼ ଦାନ୍ତ ଉପର ଓଠକୁ ସମ୍ଭାଳିନେଇ ପୁଣି ଆଙ୍ଗୁଳେ ଲେଖାଁପଦାକୁ ବାହାରିଛି, ଯେମିତି ଭାଙ୍ଗିପଡ଼ୁଥିବା ଚାଳିଆ ତଳେ ତା’ର ପାଣିଖିଆ ବାଉଁଶ ରୁଅ।

 

ଆଖି ଦୋଟି ଡରୁଆ ଡରୁଆ, ନରମା; ଦେଖିଲେ ବୁଝିହୁଏ, ଜୀବନଯାକ ସେ ଆଖି କାହା ଉପରେ ନିଆଁ କୁଢ଼େଇନାହିଁ, ଅନେଇଁଛି, ସହିଛି, ନ ପାରିଲେ କାନ୍ଦିଛି, ତା’ ଭିତରେ ହସ ବି ନିହାତି ନିଛାଟିଆ, ଯେପରିକି ସେ ଆଖି ନିବୁଜ ଅଥଳ ପାଣି, କେବେ କ୍ୱଚିତ୍‍ ତଳଯାକେ ଆଲୁଅ ଚମକିଯାଏ, ନ ହେଲେ ନାହିଁ । ମୁଣ୍ଡରୁ ବାଳ ଉପୁଡ଼ି ଉପୁଡ଼ି ପାତଳ ପଡ଼ିଲାଣି, କିନ୍ତୁ ଟାଙ୍ଗି ଢାଲୁ ଉପରେ ବୁଦୁବୁଦିକିଆ ବଣ ଭିତରେ ଫରଚା ନାଲିସଡ଼କ ପରି ସଳଖେ ଚାଲିଛି ଓସାର ହୋଇ ଯାଇଥିବା ସୁନ୍ଥା । ତା’ର ଦିଗ୍‍ବଳୟରେ ମାଟିଆ-ପାଉଁଶିଆ ବଉଦ ଢାଙ୍କୁଣି ପରି କାନି; ତା’ର ନେଳି ଫୁଲଧଡ଼ି ବାରମ୍ବାର କଚା ହୋଇ ହୋଇ ଫିକା ପଡ଼ିଗଲାଣି । ସେଇ ମୁହଁ ଆରିଶିରୁ ତାଙ୍କୁ ଚାହିଁ ହସୁଛି ।

 

ସେ ଆଜି ଭୋଟ ଦେବାକୁ ଯିବେ–ସେ ପେମୀବୋଉ ।

 

ୟା ନୁହେଁ ଯେ ସେ କେହି ନୁହନ୍ତି; ଜୀବନଯାକ ମୁହଁ ଆଡ଼େଇ ଆଡ଼େଇ ଦିନ କଟେଇ ଦେଇଥିବା ଛାଇ ପରି ମାଇପିଟିଏ । ଯାହା ତୁଣ୍ଡରେ ହେଲେ ଶୁଣିବ–‘‘ମାଇପିଲୋକଙ୍କ କଥା ଛାଡ଼-। ସେଥିରୁ କ’ଣ ମିଳିବ ?” ପିଲାଏ ହସିଦେବେ, କହିବେ, ‘‘ବୋଉର ଫେର୍‍ ଗୋଟାଏ କଥା ନା ?” ପେମୀବାପା କହିବେ, ‘‘ରୋଷେଇ କର, ପାନ ଭାଙ୍ଗ, ପିଲାଙ୍କୁ ଖାଇବାକୁ ଦିଅ; ମାଇକିନିଆଙ୍କର କୋଉ କଥାରେ କ’ଣ କହିବାର ଅଛି ?” ପୋଖରୀକୂଳେ ପୁନିଅଁ ପରବକୁ ଯାନିଯାତକୁ ସମବୟସୀ ଭଦ୍ରମହିଳାମାନେ ଏକାଠି ହେଲେ ସେହି ଗୋଟିଏ କଥା ସିଦ୍ଧାନ୍ତ ହୁଏ ବାରମ୍ବାର, ‘‘ଆଲୋ, ମାଇକିନିଆ ଜନମ ଲୋ, ମାଇକିନିଆ ଜନମ ତ ପାଇଥାଇଁ, ଆଉ ପାଟିତୁଣ୍ଡ କରିବ କୋଉ କଥାରେ ? ଏଣୁ ଖୁନ୍ଦାଏ ମାଇଲେ ହୁଁ, ତେଣୁ ଖୁନ୍ଦାଏ ମାଇଲେ ହୁଁ, ତେଣିକି ଉଁ ନା ଚୁଁ ?”

 

ଆପଣାକୁ ନିଭେଇ ଦେଇ ଆଉମାନଙ୍କ ପଛରେ ଗୋଡ଼େଇ ଗୋଡ଼େଇ ପାଣି ଲଗୋଉଥା; ଗାଁ ନିଶାପ କ’ଣ, ଝଞ୍ଜା ନିଶାପରେ ବି କେହି କେବେ ପଚାରିନାହିଁ ପେମୀବୋଉ ମତଟା କ’ଣ । କେବେ କିଏ ସିଧା ସିଧା କୋଉ କଥା ପଚାରିଦେଲେ ଆପଣା କାନିରୁ ପୁଳାଏ ଫାଳେ ପାଟିରେ କାମୁଡ଼ି ଧରି କବାଟ କଣକୁ ଆଉଜିଯାଇ ମନ ବୁଝିବାକୁ କବାଟ ପଟାରେ ତଳୁ ଉପରକୁ ନଖରେ ଗାର ପକାଇବା କଥା । ମତ ଦେଇଦେଲେ ପଟ ହୋଇଯିବ ବୋଲି ସେ ଜିଭଟାକୁ ଯଥାସାଧ୍ୟ ଅକ୍ତିଆର କରି ପାଟି ଭିତରର ପାନ ଭିତରେ ମାଡ଼ି ରଖନ୍ତୁ । କିନ୍ତୁ ଆଜି ତା’ ନୁହେଁ ।

 

ଲୋକ ଦେଖୁଥିବେ, ସେ ଯିବେ, ଭୋଟ ଦେବେ ଆବେ । ଗାଁକୁ ଯେଉଁ ତିନି ପଞ୍ଝା ଆସିଥିଲେ, ପରସ୍ପର ବିରୁଦ୍ଧରେ କେତେ କଥା କହିଗଲେ । ତହିଁରୁ ଦି’ପଞ୍ଝା ତ ଭେଟାଭେଟି ହୋଇଗଲେ ଯେ ଗୋଇ ଖୋଳାଖୋଳି ହେଉ ହେଉ ବାଲି ମାଟି ଫୋପଡ଼ା ଫୋପଡ଼ି ହେଲେ । ଗାଳି କଜିଆ ତ ସହଜେ । ସେମାନେ ବଡ଼ ପାଟିରେ ସମସ୍ତିଙ୍କି ସବୁ ବୁଝାଇଦେଇ ଯାଇଥିଲେ, ‘‘ଭାଇ ଓ ଭଉଣୀମାନେ, ଆପଣମାନେ ଜାଣନ୍ତି ଭୋଟଦାତା ହିସାବରେ ଆପଣମାନଙ୍କ କ୍ଷମତା କେତେ ? ଆମେ ବୁଝାଉଚୁଁ, ଶୁଣନ୍ତୁ ।”

 

ସେଦିନୁ ସେ ବୁଝିଛନ୍ତି, ଭୋଟ ଦେବା କ୍ଷମତାଟା ତାଙ୍କର ଅଛି । ସେ କ୍ଷମତାଟା ଏତେ ବଡ଼ ଅସ୍ତ୍ର ଯେ ତାକୁ ଭିକ ମାଗିବାକୁ ପଞ୍ଝା ପଞ୍ଝା ହୋଇ ସହରିଆ ବାବୁମାନେ ଏ ଗଣ୍ତ ମଫସଲକୁ ଧାଇଁଆସିଛନ୍ତି । କେତେ ନେହୁରା ହୋଇ ମାଗିଥିଲେ, କେତେ ପ୍ରକାର ବୋଧଶୋଧ କରି ବୁଝାଇ ସୁଝାଇ ଗଲେ ।

 

ସେ ବୁଝିଛନ୍ତି, ତାଙ୍କଠି ବି ଏପରି ଭୋଟ କ୍ଷମତା ଅଛି ଯାହା ବଳରେ ଏ ଦେଶରେ କିଏ ଗୋଟାଏ ରଜା ହେବ, ନଈବଢ଼ି ଅଟକିବ, ଚାଉଳ ଭାଉ କମିବ, କନ୍ତାର କାଳ କଟିବ, କ୍ଷେତରେ ଭଲ ଧାନ ହେବ, ମଶା ଡାଆଁଶ ମରିବେ, ଜର ହେବ ନାହିଁ, ଇସ୍କୁଲ ଘର ତୋଳା ହେବ, ବରଗଛ ତଳେ, ଲୋକେ ଯେଉଁଠି ବସନ୍ତି, ସେଠି ପକା ହେବ, କଳ ସବୁ କ’ଣ ବସିବ, ଖଜଣା କମିବ, ଏମିତି କେତେ ଭଲ ଭଲ କଥା ହେବ । ସେ କ୍ଷମତାଟା ତାଙ୍କଠି ବି ଅଛି, ଖାଲି ମଣିଷ ବାଛିବାପାଇଁ କାଗଜ ଖଣ୍ତେ ଗଳେଇଦେଇ ଆପଣା ମତ ଜଣାଇଦେବା କଥା, ସେଉଠୁ ସେହି ପଞ୍ଝାକ ଗାଦିକି ଆସି ସବୁ ଭଲ ଭଲ କଥା କରିଦେବେ । ଭାଗବତ କହିଛନ୍ତି, ସକଳ ଘଟେ ନାରାୟଣ ଅଛନ୍ତି, ସେ ତ ଖାଲି ବହିପୁରାଣ କଥା । କେହି ତାଙ୍କ ପାଖକୁ ତାଙ୍କ ନାରାୟଣଙ୍କୁ ସଂଖୋଳିବାକୁ ଆସିନାହିଁ । କିନ୍ତୁ ଏ ଯେଉଁ ଭୋଟଶକ୍ତି ତାଙ୍କଠି ନିହିତ ରହିଛି, ତାକୁ ସଂଖୋଳିବାକୁ ତିନି ପଞ୍ଝା ଆସି କୁହାପୋଛା କରିଯାଇଛନ୍ତି । ‘ମୁଁ’ପଣ ସତେକି ପଥର ତଳୁ ମୁଣ୍ତ ଟେକିଛି ଏତେଦିନକେ ।

 

ଆଜି ତାଙ୍କର ଦିନ, ସେ ଭୋଟ ଦେବେ ।

 

ତେଣୁ ସିନ୍ଦୂର ଟୋପା ନାଉଥିଲାବେଳେ ସେ ଆପଣାକୁ ଚାହିଁ ଫାଇଁକିନା ଟିକିଏ ହସିଦେଇଥିଲେ । ମୁହଁର ଚମ ସିଝି ସେନ୍ତେରି କାଳିଚା ପଡ଼ିଯାଇଛି ସତ, ଆଜି ଆଉ ସେଦିନ ନାହିଁ ଯେତେବେଳେ ତାଙ୍କ ଗୋରା ରଙ୍ଗ ବିଷୟ କହି କେହି କେହି ଅନ୍ୟ ବୋହୂମାନଙ୍କୁ ଉଲୁଗୁଣା ଦେଉଥିଲେ । ମୋଟେ ଚଉରାଳିଶିଟା ବର୍ଷ ଯାଇଛି, ସେ ଚମ ଢିଲା ହୋଇଆସିଲାଣି । ତଥାପି ହସି ଅନାଇଁଲେ ଲାଗୁଛି, ଓଟାରିହେଲେ ଚମର ରଙ୍ଗଟା ଏବେ ବି ବାରିହୁଏ ।

 

ପୁଅ, ଝିଅ, ସ୍ୱାମୀ, ଦିଅର କେହି ଦେଖିବାକୁ ନାହାନ୍ତି ଯେ ପେମୀବୋଉ ସିନ୍ଦୂର ନାଉ ନାଉ ମନକୁ ମନ ହସୁଛନ୍ତି, ମନକୁ ମନ ଅନୁଭବ କରୁଛନ୍ତି–ଏ ଦେହରେ ଜୀବନ ଅଛି, ଏ ଘଟରେ ଭୋଟଶକ୍ତି ଅଛି, ‘ମୁଁ’ପଣର ଟେକ ଅଛି, ମନର ବଳ ଅଛି । ଆପଣା ସଙ୍ଗେ ଚିହ୍ନାଚିହ୍ନିର ସେହି ବିଚିତ୍ର ମୁହୂର୍ତ୍ତ ଆସିଛି । ହସ ଅଟକୁନାହିଁ ।

 

“ହେଇ, ଏତେ ନୁହେଁ, ତତେ ଯମ ହସୋଉଛି କିଲୋ ! ସହ୍ମାଳି, ସହ୍ମାଳି”–ସେ ଆପଣାକୁ ଆକଟୁଛନ୍ତି । କିନ୍ତୁ ହସ କିରି କିରି ବୋହିଯାଉଛି ।

 

ହଠାତ୍ ଚାଉଁକିନା ନିଭିଗଲା ସେ ହସ । ମୁଣ୍ତ ଉପରେ ହାତରେ ଆଉଁସି ପରଖିନେଲେ, ତେନ୍ତୁଳିଆ ବିଛା ପରି ଚିରା ସିଲେଇଟା ଠିକ୍ ମୁଣ୍ତ ଉପରେ ଶୋଇଛି, ଯେମିତି ତାକୁ ସମସ୍ତେ ଦେଖି ବୁଝିପାରିବେ, ୟେ ମାଇପିଟା ପୁରୁଣା ଚିରା ଲୁଗା ଖଣ୍ତେ ପିନ୍ଧି ଆସିଛି । ଆଉ ତା’ ସଙ୍ଗେ ସଙ୍ଗେ ଭାବିନେବେ ତାଙ୍କ ହୀନିଅବସ୍ଥା କଥା ଯେ, କାହାଘର ଝିଅ କାହାଘର ବୋହୂ । ଆଉ ଅଣମସ୍ତ ଚିରା, ବିଛା ବାଳିଆ ସିଲେଇ ହୋଇଛି । କୋଉଠି ଲୁଚିବ ନାହିଁ। ଆଉ ନାହିଁ । ଯାହା ଅଛି, ସେ ଚିରା, ନହେଲେ ମଇଳା । ସୁତରାଂ ଏତିକି ମୋଟେ । ଗଲେ ଏଇଥିରେ ଯିବାକୁ ହେବ । ଆରିଶିରୁ ମୁହଁ ଆଉ ତାଙ୍କୁ ଚାହିଁ ହସିଲା ନାହିଁ ।

 

ଏଥର ଆଉ ପାଖେ ଆଖିକି ଦିଶିଲା । ଜମିଦାରୀ ଉଚ୍ଛେଦ ହୋଇସାରିଛି । ପେମୀ, ଚେମୀ ବାହାହେଲେ, ଜମି ବିକା ହେଲା । ଆଉ ଯାହା, ସେତକ ଭାଗଚାଷୀ କରୁଛନ୍ତି; ତିନି ଭାଗରୁ ଭାଗେ ଯେ ସେ କାହିଁକି ପାଏ ? ଘର ଚଳିବାକୁ ପେମୀବୋପାଙ୍କ ‘ହିମିପାଥି’ ନା ‘ହୀନିପାଥି’ ବେଉସା, ମଫସଲରେ ସେଥିକି ବା କ’ଣ ମିଳେ ? ‘ହିମିପାଥି’ ଓଷଦ ଖାଇ କିଏ ଯଦି ପିଆଜ ଦି’ଅଣ୍ତା ଦେଲା, କିଏ ଦେଲାଣି ଆଳୁ ସେରେ, କିଏ ବା ମୁଗ ଅଧସେର, କେବେ କଦବା ଟଙ୍କାଏ ମସାଏ । ଦି’ପୁଅ ପଞ୍ଚୁଆ ଆଉ ମୂଷା ଯେ, ପଞ୍ଚୁଆଟି ସହରରେ ବେପାରୀ ଗୋଦାମରେ ହିସାବ ଲେଖେ, ତା’ କମେଇଁ ତାକୁ ନିଅଣ୍ଟ; ମୂଷାଟି ପାଠ ପଢ଼ିଲା ନାହିଁ, ଟିପଚିହ୍ନ ମହାବଳ, ଚେହେରା ବଳରେ ଠାଏ ଲୁଗାକଳରେ ଦରୁଆନ କାମ ଖଣ୍ତିଏ ଏବେ ପାଇଛି, ତା’ର ବି ଆପେ ଖାଇବାକୁ ନିଅଣ୍ଟ । ବାହାରୁ ଆୟ ନାହିଁ, ଅବସ୍ଥା ଦିନୁଁ ଦିନ ଯାଉଛି ତଳକୁ ।

 

ସେଇ ପଟଟା ଦିଶିଲା, ଚାଲିଲା ଦୀର୍ଘନିଶ୍ୱାସ, ଆଉ ଆରିଶିକୁ ଅନେଇଁ ହେଲା ନାହିଁ ।

 

ଏଠି କେବେ କଂସା କବାଟ ପଡ଼ୁଥିଲେ ଝଣ୍‍କିନା କୋଶ କୋଶ ବାଟକୁ ଶବ୍ଦ ହେଉଥିଲା, ହେଇ ଜମିଦାର ଘର କବାଟ ପଡ଼ିଲା । ଆଉ ଆଜି ହେଇ ଦିଶୁଛି ଶହେ ହାତ ଦୂରରେ ପାଚିରୀ ପରିବର୍ତ୍ତେ ଗୋଟାଏ କଣିବାଡ଼, ତା’ ତଳେ ଭଙ୍ଗା ଧୂଳିଆ ପିଟା ଘରଗୁଡ଼ାକର ସ୍ମୃତିରେ କୁଦ; ଡିହରେ ବାଇଗଣ ଲଗାନ୍ତି ନାହିଁ ବୋଲି ବାଇଗଣ ଲାଗିନାହିଁ ସିନା, ଅରାଏ ଅରାଏ ଖଡ଼ା ଲାଗିଛି । ଏ ଶହେ ହାତଯାକ ସଫା, ଖାଲି ଠାଏ ଠାଏ କୁଦ, ବେଦୀ, ଢିପ; ଘରସବୁ ଖାଲି ପଡ଼ିଯାଇଛି, ତା’ ନୁହେଁ, ମାଟି ମାଟିରେ ମିଶିଯାଇଛି । ସେଇ ସେତେ ଦୂରରେ ଗୋଟିକିଆ ବାଟଘର ଟୁଙ୍ଗୀଟିଏ, ପଇସା ଅଭାବରୁ ଛପର ହୋଇନାହିଁ, ଛାତରେ ବଡ଼ ବଡ଼ କଣା । ସେହି ଘରେ କିରାସିନିପଟାର ଆଲମାରି ଭିତରେ ହୋମିଓପ୍ୟାଥି ବାକ୍‍ସ ଅଛି । ପେମୀବାପା ବ୍ରଜକିଶୋର ଭ୍ରମରବର ରାୟ ମହାପାତ୍ରଙ୍କର ସେ ଖଣ୍ତକ ‘ହିମିପାଥି ଡାକ୍ତରଖାନା’ ।ତା’ ତଳେ ବାହାରେ ବଡ଼ ପକା ଘୋଷରା ପାହାଚ, ଆଉ କମକୁଟ ହୋଇ ପଥରର ପୁରୁଷେ ଉଞ୍ଚ ଚଉରା, ପୁରୁଣା କାରିଗରୀ କାମ, ସତେ କି ଗୋଟିଏ ଟିକି ଦେଉଳଟିଏ, ଉପରେ ଦଧିନଉତି, ସେଥିରେ ଚାଖଣ୍ତେ ଉଞ୍ଚ ସରୁ ବୃନ୍ଦାବତୀ ଗଛଟିଏ ଅଦ୍ୟାପି ଶୁକୁଶୁକୁ ହୋଇ ବଞ୍ଚିଛି ।

ଏ ପାଖର ଘର ଦି’ବଖରା ସେପଟେ ଆଉ ଯେଉଁ ତିନି ବଖରା ଘର ଅଛି ତା’ ଅବସ୍ଥା ଟିକିଏ ୟାଠୁ ଭଲ । ଏଠା ପରି କାନ୍ଥର ଚମ ନିର୍ଜୀବା ଦିଶୁନାହିଁ । ସେଠି ଲିପାପୋଛା ହୋଇ କାନ୍ଥ ସୁସ୍ଥ, ଚାଳ ବହଳ ଛୁଆଣି । ଆଉ ବଖରାଏ ତୋଳା ହେଉଛି ଯେ କାନ୍ଥ ଟେକା ହେଉଛି; ବାଉରୀ ମୂଲିଆଣୀମାନେ କାମ କରିବାକୁ ଆସିଲେଣି । ସେ ପଟଟା ଶତ୍ରୁପଟ, ତାଙ୍କ ଦିଅର ଭଞ୍ଜକିଶୋରଙ୍କ ଘର । ‘‘ବ ତଳକୁ ଭ” । ପେମୀବୋଉ ଭାବନ୍ତି, ଭଲା ନାଁ ଦେଇଥିଲେ ଶଶୁରେ ଶାଶୁଏ, ଯେମିତି ପଟ ପଡ଼ିବ, କଛ ହେବ, ବ୍ରଜକିଶୋର ତଳକୁ ଭଞ୍ଜକିଶୋର, ଦି’ଭାଇ ମିଳିମିଶି ରହିବେ ଯେ, ଓଲଟି ସେ ହେଲେ ଶତ୍ରୁ । ହେଇ, ଝମର ଝମର ହୋଇ ଭଜିଆ ଭାରିଯା ଏ ବାଟେ ଗଲା । ମଝି ଦୁଆରେ ଠିଆ ହୋଇ ଅଣ୍ଟାରେ ହାତ ଦେଇ ବୋବାଳି ଛାଡ଼ୁଛି, ‘‘ଇଲୋ ପାଲୁଣୀବୋଉ, କିଲୋ, ଧଅସି କାମ ସାର, ଆଜି ପରା ଭୋଅଟ ।” ତା’ ପିଲାଏ ପାଟି କରୁଛନ୍ତି, ଖିଦିଖିଦିଆ ହୋଇ ଦଉଡ଼ୁଛନ୍ତି । ତା’ର ଅଭାବ ନାହିଁ । ଭଜି ତ ସହରରେ କାଠଗୋଲା ଖୋଜୁଛନ୍ତି ଯେ କୁଆଡ଼େ ପଇସା ଓଟାରୁଛନ୍ତି । ଦି’ ପୁଅ କିରାନୀ, ବାପ ପାଖେ ରହନ୍ତି । ଝିଅ ତିନିହେଁ କେଡ଼େ ଘରେ ପଡ଼ିଛନ୍ତି ଯେ ଜଣକ ବର ମାଟିକାମ କାନ୍ତରାଟି, ଜଣେ ଇସ୍କୁଲ ବିଭାଗ ସବ୍ଇନ୍ସପେକ୍ଟର ତ ଆଉ ଜଣେ ଅବକାରୀ ବିଭାଗ ସବ୍‍ଇନ୍ସପେକ୍ଟର । ରଙ୍ଗାବୋଉ ଭାରି ପାରିବାର ମଣିଷ । ଭଜ ତା’ କାନିରେ ବନ୍ଧା । କାଠଗୋଲା ହିସାବ ସେ ନିଜେ ତନଖି କରେ । ସହରରେ ଥାନ୍ତି ଯେ, ଘରକୁ ଆସିଛନ୍ତି ଅଧିକରୁ ଅଧିକ ଘର ତୋଳେଇବେ, ବାରି କରିବେ, ଜମି କିଣିବେ ବୋଲି । ପାଲୁଣୀବୋଉ ଆଉ ଏକ ଅଂଶ; ତାଙ୍କ ବର ନନ୍ଦ ଲେଖାରେ ଦିଅର ହେବେ । ସେ ମଟର ଡ୍ରାଇଭର ।

ପେମୀବୋଉ ଦୁନିଆ କଥା ଭାବି ମନେ ମନେ ଝିଙ୍ଗାସିଲେ–ଦୁନିଆଟା ଏଇ । ରଙ୍ଗାବୋଉ ସିନା ମାସେ ହେବ ସହରରୁ ଆସିଛି, ସେ ନିଜେ ତ ଏଇ ଘରେ ଏଇ ଗାଁରେ ଅଛନ୍ତି କାଳକଯାକ, ପାଲୁଣୀବୋଉର କେତେ ଉପକାର କରା ନ ହୋଇଛି । ଏବେ ବି ତ ମାସକ ତଳେ ତା’ ସାନ ଝିଅ ମଙ୍ଗଳବାର ରାତିରେ ବାନ୍ତି ଉଠେଇଲା ଯେ ନାକ ବାଟେ ପାଟି ବାଟେ ଭକ୍‍ଭକ୍, ପିଲାଟା ବେକ ଭାଙ୍ଗିଦେଲା । ସେତେବେଳେ କୋଉ ରଙ୍ଗୀବୋଉ ଥିଲା ପିଠିରେ ପଡ଼ିବାକୁ ? ୟେ ପେମୀବାପା ଗଲେ, ଦେଖିଲେ, ସେଉଠୁ ତିନିପାନ ହମିପାଥି ଓଷଦରେ ଠିକ୍ ।

ଦୁନିଆ ଭୁଲିଯାଏ । ପାଲୁଣୀବୋଉ ଭୁଲିଛି । ସେ ଆଉଜିଛି ରଙ୍ଗାବୋଉ ପଟେ । ଏପରିକି ରଙ୍ଗୀବୋଉଠୁ ସେଥର ସେ ଝାଡ଼ା ବନ୍ଦ କରିବା ଓଷଦ ବଡ଼ି ନେଲା, ହିମିପାଥି ଶାସ୍ତ୍ରକୁ ନିନ୍ଦା କଲା । ଏବେ ସେହି ଆରପଟେ ତା’ର ବସାଉଠା, ତାଙ୍କରି ପାଇଁ ତା’ର ଚାରିପଣ, କିଏ କୋଉଠି କ’ଣ କଲା, ଯାଇ ଫୋଡ଼ିବାକୁ । ଭୋଟ କ୍ଷମତାଟା ତା’ର ବି ରହିଛି । ଏଇ ଭଙ୍ଗା ଖଞ୍ଜା ଭିତରେ ଠା ଠା ହୋଇ ଆହୁରି ତିନି ଘର ଅଂଶ ଅଛନ୍ତି, ଦି’ଭାଇ ସଦେଇ ଗଦେଇ, ଆଉ ଜଣେ ସେ ପାରୀବୋଉ ଘର । ସଦେଇ ଘର, ପାରୀବୋଉ ଘର ଗୋଟାସୁଦ୍ଧା ରଙ୍ଗୀବୋଉର ଆଶ୍ରିତ ହେଲେଣି; ଖିଆପିଆ, ବସାଉଠା ଚାଲିଛି । ସଦେଇ ତ ତାଙ୍କ ଜମିରୁ ଅଧେ ରଙ୍ଗୀବୋଉକୁ ଯାଚିଲେଣି କିଣିବାକୁ । ସେ ବି ତାଙ୍କ ପଟେ । ସେ ବି ଭୋଟ ଦେବେ । ଓଃ ! ହିଂସାରେ ଜଳିଯାଉଛି ଦେହ ଗୋଟାକ । ମୁହଁକୁ ବାଁ କାନ୍ଧକୁ ଡାହାଣ କାନ୍ଧକୁ ମୋଡ଼ି ଦେଇ ପେମୀବୋଉ ଠିଆ ହେଲେ । ରଙ୍ଗାବୋଉ ଡାକି ଡାକି ଭେଳୋଉଛି, ‘‘ଆସ ଲୋ ହେ, ଭୋଟଦେଇଯିବା, ଉଛୁର କର ନାଇଁ ।” କେଉଁପଟେ ଭୋଟ ଦେବେ ସେମାନେ, ଜାଣିପାରିଲେ ସେଥିରେ ନ ଦେଇ ପେମୀବୋଉ ଆଉ ଭିନେ ପନ୍ଥାକୁ ଭୋଟ ଦିଅନ୍ତେ ।

ଗଦେଇ ଆସି ପହଞ୍ଚିଲେ । ପେମୀବୋଉ ଖୁସି ହେଲେ । ହାଡ଼ୁଆ ହୋଇ ଟିକି ମଣିଷଟିଏ, ତ୍ରିପଣ୍ତ କଳା, ମୁଣ୍ତଟି ଚନ୍ଦା ଚିକ୍ ଚିକ୍, ଧୂଆଁ କୁହୁଳିଲା ପରି ସାନ ସାନ ଆଖି ଯୋଡ଼ିକ, ମୁହଁଟି ତଳକୁ ଥାଏ ।

“ଆସ ଗଦେଇ ! ରହ, ପାନାଡାଲାଟା ଆଣେ । ତମ ଭାଇ କୁଆଡ଼େ ରୋଗୀ ଦେଖି ଯାଇଚିନି ।”

“ହୁଁ, ଗଲେ ମଳିକ ସାହି ଆଡ଼େ । ଆଜି ଭୋଟ ପରା ! ମତେ କହିଦେଇ ଗଲେ ତମୁକୁ ସାଙ୍ଗରେ ନେଇ ଭୋଟଠେଇଁକି ଯିବାକୁ । ଯିବା ଆସ ।”

“ରହ, ପାନ ଭାଙ୍ଗେ ।” ଭାରି ବୁଦ୍ଧିଆ ଏ ଗଦେଇ । ତାଙ୍କର ସମବୟସ ହେବ । ଆପଣା ବୁଦ୍ଧିବଳରେ ଖାଲି ମୁଣ୍ତ ଖଟେଇ ଖଟେଇ ଚାଲିଛି ତ । ତାଙ୍କ ନାହା ଏଡ଼େ ବଡ଼ ଦୁର୍ଦ୍ଦିନରେ ବି ବୁଡ଼ିନାହିଁ । କଣ୍ଟୋରୋଳବେଳେ ଗାଁରେ ଚିନି କିରାସିନି ଦୋକାନ ଆରମ୍ଭ ହୋଇଥିଲା; ଏବେ ସେ ଦେକାନଟି ଗାଁ ଭିତରେ ଗୋଟିଏ ବଡ଼ ଦୋକାନ, ମାସକୁ ପଚାଶ ଶହେ ହୁଏ । ଭୋଟବାଲା ତାଙ୍କୁହିଁ ଧରିଥିଲେ ବେଶି । ଭଜଙ୍କର ଗଦେଇଙ୍କର ପଡ଼େ ନାହିଁ । ଭଜ ଗଦେଇଙ୍କ ଦୋକାନ ପାଣ୍ଠିକି କୁଆଡ଼େ ଦି’ଶହ ଟଙ୍କା ଦେଇଥିଲେ । ଆଶା ଥିଲା, ଗଦେଇ ତାଙ୍କୁ ଜମି ବିକିବେ । ଗଦେଇ ଜମି ଦେଲେ ନାହିଁ କି ଟଙ୍କା ଦେଲେ ନାହିଁ; କହିଲେ, ‘‘ମୋର ବଳ ନାଇଁ ତ କ’ଣ କରିବି ? କେମିତି କ’ଣ ନବ, ନିଅ, ମୁଁ ନାହିଁ କରୁନାଇଁ ।” ସେଇଥିପାଇଁ ଭଜ କେତେ ଉପାୟ ପାଞ୍ଚିଲେଣି, କିନ୍ତୁ ଗଦେଇ କିଛି କାଗଜ କରିଦେଇନାହାନ୍ତି ଯେ ତାଙ୍କ ଲାଞ୍ଜ ୟେ ପାଇବେ । ଗଦେଇଘର ତେଣର ଛାଇ ମାଡ଼ନ୍ତି ନାହିଁ । ଗାଁ ଲୋକେ ଗଦେଇଙ୍କି ଟରଣି କହନ୍ତୁ, ଟାଉଟର କହନ୍ତୁ, ଅନ୍ତତଃ ଭଜିଆ ଭାରିଯାକୁ ଚିତା କାଟିଥିବାରୁ ପେମୀବୋଉଙ୍କର ତାଙ୍କ ପାରିଲାପଣ ପ୍ରତି ବିଶ୍ୱାସ ଅଛି ।

ପାନ ଭାଙ୍ଗୁ ଭାଙ୍ଗୁ ପେମୀବୋଉ କହିଲେ, ‘‘ତାଙ୍କର କାହାକୁ ଦେବେ ଜାଣିତ ଗଦେଇ-?”

“କାଇଁ ନାହିଁ ତ ।”

“ସେତକ ଗୁମର ଜାଣିବାକୁ ପଡ଼ିବ । ସେ ତାଳଗଛକୁ ଭୋଟ ଦେଲେ ଆମର ଦବା ଆମ୍ବଗଛକୁ, ସେ କୁକୁଡ଼ାକୁ ଭୋଟ ଦେଲେ ଆମର ଦବା କଟାସକୁ ।”

“ତାଳଗଛ, ଆମ୍ବଗଛ, କୁକୁଡ଼ା, କଟାସ–ଏମିତି ନାହିଁ ତ ଭୋଟ ଚିହ୍ନ, ନୂଆବୋଉ, ତୁମକୁ କିଏ କହିଲା ?”

“କେହି କହିନାଇଁ ଯେ ମୁଁ କଥାକୁ କହୁଚି । ନଇଲେ ଦେଖ ତାଙ୍କର କେଡ଼େ ଉଗୁରୁ ! ମୋ ହାତୀଅନ୍ଧ ସେପଟେ ସଫା ତିନି ହାତ ଜାଗା ମାଡ଼ିବସି ଘରେ ପୂରେଇଦେଲେ । ସବୁ ଜାଗା କହୁଚନ୍ତି ମୋର ମୋର । ୟେ ତ ନିର୍ମାୟା ପୁରୁଷ, ସେଥିପାଇଁ ତାଙ୍କର ସବୁ ମାଡ଼ିବସୁଛନ୍ତି । ଆଉ କେମିତି ଧନଦରବ ସବୁ ଦେଖେଇ ହଉଚନ୍ତି ଦେଖ ଟିକିଏ ।”

ଗଦେଇ ତଳକୁ ଚାହିଁ ହସିଦେଲେ । କହିଲେ, ‘‘ଭୋଟ ନଢ଼େଇଟା କ’ଣ ପେମୀବୋଉ ରଙ୍ଗୀବୋଉ ଏ ଦି’ ଭାଉଜଙ୍କ ଭିତରେ ହବ ? ହେଲେ ତେମେ ତାଙ୍କୁ ପାରିବନାଇଁ, ରଙ୍ଗାବୋଉ କୋଦୀଟା ।”

“ନବଜ ରଖିଥା । ନାଇଁ, ସତେରେ । ସେ ଯାହାକୁ ଭୋଟ ଦେବେ ଆମେ ସବୁ କେମିତି ତାକୁ ଭୋଟ ଦେବା ?” କଥା ଅଟକିଗଲା, ଭଜଙ୍କ ଘର କାମ ବନ୍ଦ କରି ସାତଜଣ ବାଉରାଣୀ ସେବାଟେ ବାହାରିଲେ, ଭୋଟ ଦେବାକୁ ଯିବେ । ଆଗେ ଆଗେ ଚାଲିଗଲା ପେମୀବୋଉଙ୍କ କୋଠିଆ ଗନ୍ଧିଆ । ଗଦେଇ କହିଲେ, ‘‘କିଲୋ, ତେମେ କାହାକୁ ଭୋଟ ଦବ ?” ଏକାଠି ଦି’ ଚାରିଜଣ କହିଲେ, ‘‘କାଇଁକି, ଆମ ଖାଉନ୍ଦକୁ । ଯାହାର ଖାଉଁ, ଯାହା ଘରେ ମୂଲ ଲାଗୁ, ସେ ଯାହା କହିବେ ଆମେ କ’ଣ ତାଙ୍କ କଥାରୁ ବାହାରି ହବୁଁ ? ତାଙ୍କର ଯୁଆଡ଼େ ଆମର ସିଆଡ଼େ-।”

 

“ହେଇ ଶୁଣ,” ଗଦେଇ କହିଲେ, ‘‘ଯେ ତୁମ ଭାଗଗଣ୍ଡାକ ବଢ଼େଇ ଦି’ପାରୁ ତିନିପା’ କଲା, ଯେ ତୁମକୁ ଏତେ ପ୍ରକାରେ ହିପାଜିତ କଲା, ତାକୁ ତମେ ଭୋଟ ଦବନାଇଁ ?”

 

“କେଜାଣି ଲୋ ବାପା, କିଏ କ’ଣ କଲା, ଆମେ ତ ଜାଣୁ ସବୁ ମହାପୁରୁ କଲା । ଘାଇ ଯଦି ସେଇ ଭଙ୍ଗୋଉଚି, ଚୁଡ଼ା ଚାଉଳ ସେଇ ମହାପୁରୁ ବଣ୍ଟୋଉଚି, ଭାଗ ପା’କ ତିନିପା’ ସେଇ କରୁଚି । ଆମର ସେଥିରେ କ’ଣ ଅଛି ? ଆମକୁ ଯେ ମୂଲ ଦଉଚି, କରଜ ଦଉଚି, ତାରି କଥାରେ ଆମର ଚଳଣି । ସେ ଯାହା କହିଲା, ଆମେ ସେଇଆକୁ ଦବୁଁ ।”

 

“କହାକୁ ?”

 

“ସେ କଥା କହିବାକୁ ମନା କରିଚନ୍ତି ଲୋ ବାପା ମା, ତେମେ ସେଥିରୁ କି ପାଇବ ? ତମ କାମ ତେମେ କର ।”

 

ସେମାନେ ଚାଲିଗଲେ । ପେମୀବୋଉ କହିଲେ, ‘‘କି କାଳ ହେଲା ଲୋ ମା, ଦେଖ ବହପ ।” ଗଦେଇ, କହିଲେ,‘‘ୟା ନାଁ କଳିକାଳ ।”

 

ଗାଁ ଇସ୍କୁଲଘର ଭୋଟଘରରେ ପରିଣତ ହୋଇଛି । ସଳଖେ ଦିଶୁଛି ପୂର୍ବପଟେ ପାଏ ବାଟ ଦୂରରେ ଯେଉଁ ଧୋବାଘର ପାଖ ଝଙ୍କା ଓସ୍ତଗଛ, ଯେଉଁଠି ଖାସି କଟାହୁଏ, ତା’ ତଳେ ଛାମୁଣ୍ଡିଆ ହୋଇଛି, ସେଠି ଗୋଟାଏ ପତାକା ମରାହୋଇଛି, ଆର ପାଖେ ପାଏ ବାଟରେ କେଳାସାହି, ସେଠି ଶତୁରା କେଳାର ତୁଚ୍ଛା ଡିହରେ ଗୋଟାଏ ଛାମୁଣ୍ଡିଆ ହୋଇଛି, ସେଠି ବି ବାନା ମରାହୋଇଛି, ସେ ଆଉ ଗୋଟେ ଦଳଙ୍କ ଆସ୍ଥାନ । ତୃତୀୟ ବିରୋଧୀଦଳଟି ଇସ୍କୁଲ ସଳଖେ ପାଏ ବାଟ ଦୂରରେ ପଛଆଡ଼େ ଠିକ୍‍ ମଶାଣିଦାଢ଼ରେ ଛାମୁଣ୍ଡିଆ ବାନ୍ଧିଛି । ସେଠି ତା’ର ଲୋକ ବାକ, ମାଟିଆ ଜିପ୍ ଗାଡ଼ି, କଳକୁହା ବଡ଼ପାଟିଆ ଯନ୍ତ୍ର, କଳବାଜା–ସବୁ ଅଛି । ଉଦୁଉଦିଆ ଖରାବେଳେ ଧୂଳି ଉଡ଼େଇ ଜିପ୍ ଗାଡ଼ିମାନ ଗାଁଗହଳି ଭିତରେ ଖେଦି ବୁଲୁଥିଲା, ଖାଲି ସେହି ମଶାଣିପାଖ ଦଳିଆଙ୍କର ନୁହେଁ, ଖାସିକଟା ଓସ୍ତତଳିଆ ଦଳଙ୍କର ମଧ୍ୟ, ଶତୁରା କେଳା ଡିହପାଖେ ବସା ବାନ୍ଧିଥିବା ଦଳଙ୍କର ବି ଯେ, ସେ ଦୁଇଦଳ ଗାଡ଼ି ଆସି ବୁଲିଦେଇ ଫେରିଗଲା, କିନ୍ତୁ ମଶାଣି ପାଖ ଦଳିଆଙ୍କ ଗାଡ଼ି ସାତଦିନ ହେଲା ଏ ଗାଁରେ ରହିଛି । ଗୋଠ ଗୋଠ ଗାଁପିଲାଙ୍କୁ ମାଗଣାରେ ନେଇ ଗୋହିରୀ ବାଟେ ହୋଇ ଦଣ୍ଡା ବାଟେ ହୋଇ ମହାଦେବଙ୍କ ଆଡ଼ୁ ସିଆଡ଼େ ସେମିତି ମହାବୀରଙ୍କ ଦେଉଳଯାକେ କେତେ ଘେରା ବୁଲେଇ ଆଣିଥିଲା । ପଛେ ପଛେ ଧରି ଲଟକି ଓହଳି ଠେଲି ଆହୁରି ପିଲାମାନେ ଖଣ୍ଡେ ଦୂର ଗୋଡ଼େଇ ଯାଇଥିଲେ । ଗଉଡ଼ସାହିଆ, କେଉଟସାହିଆ ବେଶି ଲୋକ । ଜିପ୍‍ଗାଡ଼ି ତାକୁ ବି ମାଗଣାରେ ଥୋଡ଼ାଏ ବୁଲାଇଥିଲା । କଳ ବାଜାରେ ତ ଗାଁ ଆଖପାଖ ଅଞ୍ଚଳ ବି କମ୍ପୁଥିଲା।

 

ଜାଣିବା ଲୋକେ କହିଲେ, ‘‘ୟେ ଭଲ କାମ ହେଲା, ମଶାଣିପାଖ ହେବାରୁ ମଲା ଜିଅନ୍ତା ସମସ୍ତେ ଗୀତ ଶୁଣିଲେ, ନାଙ୍କରା କ’ଣ ?”

 

ସେହି ଦଳଟା ଆଚ୍ଛା ବଢ଼ିଆ ଦଳ ପରି ପେମୀବୋଉଙ୍କୁ ଲାଗୁଥିଲା । ଖାସା ଜାଣିବା ବୁଝିବା ଦଳ, କେଡ଼େ ସୁନ୍ଦର ଗାଉଥିଲା ତାଙ୍କ କଳବାଜା ‘‘ବିନାଶୁ ନାସା ଶ୍ରବଣ ସୂର୍ପଣଖା ପ୍ରବେଶ ଲଙ୍କାର–” । ଧୋବାସାହି ଖାସିହଣା ଓସ୍ତତଳ ଯେଉଁ ଦଳକ, ତାଙ୍କ ତରଫରୁ ଗାୟକ ଗାଉଥିଲା ‘‘ଯୋଚି କୃଷ୍ଣ ଅଶ୍ୱମାନ ସେ, ରଥେ ଚଢ଼ି ଦଶାନନ, ଶ୍ରୀରାମ ରଥ ସମ୍ମୁଖେ ରଥ କରି ଶର ବିନ୍ଧେ ଘନ ଘନ ସେ ଯୁଝିଲା ।” ମାଇପୀ ଦଳରେ କଥା ପଡ଼ିଥିଲା, ସେ ଗାୟକ ଭାରି ଗାଇଲାବାଲା, ଗଛରୁ ଉଇ ଝଡ଼ିପଡ଼ିବ, ଏମିତି ବୋବାଳି । ହେଲେ ସେ ଆରକ ଯୋଉଁ ସୂର୍ପଣଖା ନାସାଦାନ ଗାଇଲା, ସେ ଭାରି ବିକଳ କାନ୍ଦଣା ନାଦ, ଗଛରୁ ଉଇ ନ ଝଡ଼ୁ, ପତର ଝଡ଼ିପଡ଼ିବ ସେ ବିକଳରେ-

 

ସମସ୍ତେ କୁହାକୋହି ହୋଇ ପ୍ରଶଂସା କରିଥିଲେ, ତେଣୁ ତାଙ୍କରି ସଂକେତରେ ଭୋଟ ଗଳେଇବାକୁ ପେମୀବୋଉଙ୍କର ଟିକିଏ ଟିକିଏ ମନ ହେଉଥିଲା । କିନ୍ତୁ ରଙ୍ଗୀବୋଉ, ପାଲୁଣୀବୋଉ ଆଉ ଦଶପନ୍ଦର ଜଣ ଯେତେବେଳେ ଏକାଠି ଦଳ ହୋଇ ଭୋଟ ଦେବାକୁ ଚାଲିଗଲେ, ଯୋଗୀ ପଧାନ ଝିଅ ଟେଣ୍ଟେଇ ତାଙ୍କ ପଛେ ପଛେ ଯାଉଥିଲା, ତୁନି ତୁନି କହିଦେଇଗଲା, ‘‘ୟେ ଚାଲିଲେ ସେଇ ମଶାଣି ତଳିଆଙ୍କୁ ଭୋଟ ଦେବେ ।”

 

ପେମୀବୋଉ ଦେଲେ ପୁଳାଏ ଚୁମୁଟି ଗଦେଇଙ୍କ ବାହାରେ । ଗଦେଇ ଚମକିପଡ଼ି ଅଟକି ବାହା ସାଉଁଳିଲେ । ସବୁ ସାହିରୁ ଲୋକ ଚାଲିଛନ୍ତି ଭୋଟ ଦେବେ ।

 

“ଶୁଣ ଗଦେଇ, ତାଙ୍କର ସେଇଆଙ୍କୁ ଭୋଟ ଦେବେ ।”

 

“ଦଉନ୍ତୁ ଯାହାର ଯାହାକୁ ମତ ।”

 

ଗଦେଇଙ୍କ ହାତକୁ ହାଡ଼ଯାକେ ଚିପିଧରି ପେମୀବୋଉ କହିଲେ, ଆମର ତେବେ ଆଉ କାହାକୁ ଦବା–ମନେ ପଡ଼ିଗଲା କେଳାସାହିରେ ଯେ ଛାଉଣି ପକାଇଛନ୍ତି ତାଙ୍କର ମଟର ନାହିଁ ସତ, କିନ୍ତୁ ସେଗୁଡ଼ା ଛନଛନିଆ ଟୋକାଗୁଡ଼ାକ, ପଞ୍ଝାଏ, ଆସୁ ଆସୁ ୟା ତା’ ପିଣ୍ଡାରେ ବସିପଡ଼ି ତୋରାଣି ମାଗି ପିଇ ବନ୍ଧୁତା କରିନେଇଥିଲେ, ତାଙ୍କ ଗୀତ ବଡ଼ପାଟିଆ କଳ ବାଟେ ନୁହେଁ, ସେମାନେ ଖାଲିପାଟିରେ ଭଲ ଗୀତ ବୋଲନ୍ତି, କିଏ ଖଞ୍ଜଣି ବଜାଏ, କିଏ ଧୁଡ଼ୁକି, କିଏ କେନ୍ଦେରା, କିଏ ବା ହାଣ୍ଡି ପଛଆଡ଼େ ପିଟିପିଟି କେଡ଼େ ସୁନ୍ଦର ବାଜା ବଜାନ୍ତି । ଅନ୍ୟପଟଙ୍କୁ ଗାଳି ଉଡ଼େଇଲାବେଳେ ଦେଖିବା କଥା, ଏମିତି କେହି ପାରିବାର ନାହିଁ । କହିଲେ, ‘‘ଗଦେଇ, ଆମର ସେହି କେଳାସାହିଆ ପଞ୍ଝାଙ୍କ ଦଳକୁ ଦଚା ।”

 

“ଚୁପ୍ ଚୁପ୍, ବାଇଆ ହେଲେ ନୂଆବୋଉ, ସେଗୁଡ଼ା ତୁଚ୍ଛା ବଗୁଲିଆଗୁଡ଼ାକ ପରା ! ଆମର ସେହି ଧୋବା ଖାସିହଣା ଓସ୍ତତଳ ଲୋକଙ୍କୁ ଦେବା । ଭାଇ ବି କହିଛନ୍ତି, ସେମାନେ ଏ ରାଜ୍ୟ ଚଳେଇଲେ ଭଲ । ହେଇ ଦେଖ, କେମ୍ପା ବି ଭୋଟ ଦେବାକୁ ଯାଉଚି । ହେଲେ କେମ୍ପା, ଆ ଶୁଣ ।”

 

କେମ୍ପା ଧାନକୁଟିଲା ଭଙ୍ଗୀରେ ଚାଲିଥିଲା । ତା’ର ସରୁ ସରୁ ହୋଇ ହାତ ଯୋଡ଼ିକ ହଲାଇ ହଲାଇକା, ପାଦରେ ସତେକି ଯୁଦ୍ଧକୁ ଧାଡ଼ି ଦେଲା ପରି ଆଗକୁ ଗତି, ଡାହାଣ ଗୋଡ଼ଟି ବଙ୍କା ହୋଇ ସାନ, ପାହୁଣ୍ଡେ ଗଲେ ପଛ ଗୋଡ଼ଟି ଆପେ ଡେରେଇ ହୋଇପଡ଼େ କାଠ ଡେରିଲା ପରି । ଡାଙ୍ଗ ସରୁ ସରୁ ବାହାରୁ କହୁଣୀ ପାଖରୁ ହାତ କେମ୍ପା ହୋଇଯାଇଛି ଯେ ହାତ ହଲେଇ ହଲେଇ ଚାଲିଲା ବେଳକୁ ଡେଣା ହଲେଇ ପହଁରିଲା ପରି ଲାଗେ । ପୁଣି ତା’ ମୁହଁର ଡାହାଣ ଫାଳକ ବଙ୍କା । ତା’ ଭାରିଯା ଲୁଣ ତେଲ ପସରା ବୁଲେଇ ବିକିଯାହା ପାଏ, ସେଇଥିରେ ଦୁହେଁ ଚଳନ୍ତି । ଲୋକେ ତାକୁ କେମ୍ପା ବୋଲି ଡାକନ୍ତି, ସେ ଛଳ କରେ ନାହିଁ । କେମ୍ପା ବି ଚାଲିଛି ଭୋଟ ଦେବ ।

 

“କେମ୍ପା, ଶୁଣ୍‍ ମଁ, ଏମିତି ଧପାଲିଚୁ କାହିଁକି ?” ଗଦେଇ କହିଲେ । କିନ୍ତୁ କେମ୍ପାର ଉତ୍ସାହରେ ବାଧା ପଡ଼ିଲା, ସେ ଚିହିଁକି ଉଠିଲା । ସେପରି ବି ତା’ର କେବେ କେବେ ହୁଏ । ଟିକିଏ ଢିଲାମୁଣ୍ଡିଆ । କହିଲା, ‘‘କାଇଁକି ପଛଟାରୁ ଡାକିଦେଲ ? ଏଁ, କେମ୍ପା କେମ୍ପା, କେମ୍ପା ସତେ ଯେମିତି କେମ୍ପା ୟାଙ୍କ ବାଡ଼ିତଳେ ଘର କରିଚି ଆଉ !” ତା’ପାଟି ଶୁଣି ଲୋକେ ମାଡ଼ିଆସିଲେ । ଗଦେଇ ତାକୁ ବୁଝେଇବାକୁ ଚେଷ୍ଟା କଲେ, ‘‘ଆରେ, କାଇଁକି ଚିଡ଼ୁଚୁ ? ତତେ କିଏ କ’ଣ କହିଲା-?”

 

“ଆରେ ଯା’ମ, କହନ୍ତ ଆଉ କ’ଣ, ପଛୁରୁ ଡାକିଦେଲ, ପାଗ ଭଣ୍ଡୁରୁ କଲ, ଆଉ କହନ୍ତ କ’ଣ ଛେନାଟା ?”

 

ରାଧୁ ବାରିକ ଉପରେ ପଡ଼ି କହିଲା, ‘‘ଆରେ ଯେତେହେଲେ ସେ ଆମର ସାଆନ୍ତ, ତେତେ ଡାକଟାଏ ଦେଲେ ବୋଲି ଏମିତି ତେରି ମେରି ଦେଖାଉଛୁ ?”

 

କେମ୍ପା ତା’ ସାନ ଗୋଡ଼ଟା ଆଗକୁ ମାଡ଼ି ତା’ରି ଆଡ଼କୁ ଆସି ତାକୁ ହାବୁକାଏ ମାରିଲା, କହିଲା, ‘‘ଆରେ ଯା’ମ, ସାଆନ୍ତ ଦେଖାଉଚି ତୋ ସାଆନ୍ତ ତତେ ବଡ଼, ତାଙ୍କ ଅଇଁଠା ଚାଟିବୁ ଯା, କଣ୍ଟାବାଡ଼ରେ ଲୁଗା ପକେଇ କଜିଆ କରୁଛି?”

 

ରାଧୁ ବାରିକ ବି ତାତିଗଲା । କହିଲା, ‘‘ଦେଖିବୁ ଅଇଛା ?”

 

“କ’ଣ କରି ପାଇଲୁ କିରେ ?” କେମ୍ପା କହିଲା, ‘‘ଆରେ ରଜାର ବି ଗୋଟାଏ ଭୋଟ, ପରଜାର ବି ଗୋଟାଏ ଭୋଟ; ନେହେରୁଙ୍କର ଗୋଟାଏ ଭୋଟ, ମୋର ବି ଗୋଟାଏ ଭୋଟ । ତୁ କାହାକୁ ନାଲି ଆଖି ଦେଖାଉଛୁ ବେ ?”

 

“ଆବେ, ରଖିଦେ ତୋ ଭୋଟ, ଠାଇ ଠାଇ ବସେଇଦେଲା ରାଧୁ ବାରିକ, ଭୁଲିଗଲା, ସେଇଟା କେମ୍ପାଟା, କହିଲା, ‘‘ଆରେ ଭୋଟ ମୋର ବି ଅଛି, ନେ ନେ ଆହୁରି ନେ–”

 

କେମ୍ପା ବିଚରା ତଳେ ପଡ଼ି ହାଉଲିହେଲା । ଲୋକ ଧାଇଁପଡ଼ିଲେ । ଗୋଟାଏ ଗାଁର ନୁହନ୍ତି, କେତେ ଗାଁର । କୁଆଡ଼ର ମାଇପୀଟିଏ ଆପଣା ଦୟା ସମ୍ଭାଳି ନପାରି କିଛି ନଦେଖି ପାଟି କରି କରି ଗଲା, ‘‘ଇଲୋ, ମାରିପକେଇଲା ଲୋ ! ମୁଁ କ’ଣ କରିବିଟି, କୁଆଡ଼େ ଯିବି ଟି ?”

 

ସେ ଗଲା ଠିକ୍‍ ବାଟେ ବାଟେ, କିନ୍ତୁ ତା’ ପାଟି ଶୁଣି ଶାନ୍ତିରକ୍ଷକମାନେ ଠେଙ୍ଗା ଉଞ୍ଚାଇ ଧାଇଁଆସିଲେ । ଦି’ଜଣ ନାଲିପଗଡ଼ିପିନ୍ଧା ବୀର, ତାଙ୍କୁ କାମ ମିଳିଗଲା । କିନ୍ତୁ ସେମାନେ ଧାଇଁଆସିବା ଦେଖି ମାଇପେ ପଞ୍ଝାଏ ଦଉଡ଼ି ପଳେଇଲେ । ତା’ପରେ ଲାଗିଲା ଆଉ ପ୍ରକାରେ ବଚସା । ତିନି ଦଳ ଭୋଟ ପ୍ରାର୍ଥୀଙ୍କ ପ୍ରତିନିଧିମାନେ ଓ ସମର୍ଥକମାନେ ଦୁଇ ପୁଲିସିଙ୍କୁ ଆପତ୍ତି ଜଣାଇଲେ, ‘‘ବାବୁ, ତମରିମାନଙ୍କ ପେଇଁ କେଜାଣି କେତେ ଭୋଟଦାତା ଭୋଟ ନ ଦେଇ ଫେରିଗଲେ । ତେମେ ଦେଖେଇଲ ଠେଙ୍ଗା, ଆମ ଭୋଟସଂଖ୍ୟା କମିଲା, ଏକଥା ଉପରକୁ ଯିବ, ଏଇଠି ଅଟକିବ ନାହିଁ ।’’

 

‘‘ନଇଲେ ଶାନ୍ତିଭଙ୍ଗ ହୋଇଥିଲେ କିଏ ପାରିଥାନ୍ତା ?’’

 

‘‘ଶାନ୍ତିଭଙ୍ଗ କଲାବାଲା ତମେ ନା ଆଉ କିଏ ? ଭୋଟ ଦିନ ଆଜି, ତମେ ଲୋକଙ୍କୁ ଭିଡ଼ିକୋଉଚ-?’’

 

‘‘ଭାଇମାନେ, ଏକଜୁଟ୍‍ ହୁଅ, ଏ ଅନ୍ୟାୟର ପ୍ରତିବାଦ ଦରକାର ।’’

 

‘‘ଚାଲ, ଏଠୁ ଉଠି ପଳେଇବା ।’’

 

‘‘ଆରେ ପଳେଇବ କ’ଣ, ମାଡ଼ିଆସ, କଥାଭାଷା ହବା ନାନାପ୍ରକାର ମତବାଦ ।’’ ଗାଁ ଲୋକେ ଥାଟପଟାଳି, ସତେକି ମେଳଣ ପଡ଼ିଆ । କେମ୍ପା ଇତ୍ୟବସରରେ ଭୋଟ ଦେବାକୁ ଗଲିଗଲାଣି । କିଛି ସମୟ ପରେ ସେ ବାହାରିଆସି ସେହିବାଟେ ଗଲା, ତା’ର ହାତରେ ଲାଗିଥିବା ସନ୍ତକ କାଳିଦାଗକୁ ଚୁଚୁମି ଚୁଚୁମି । ଲୋକେ ପଚାରିଲେ ‘‘କାହାକୁ ଦେଲ ? କାହାକୁ ଦେଲ ?’’ କେମ୍ପା ଗଡ଼ର ଗଡ଼ର ହୋଇ ଗଲା, କହିଲା, ‘‘ମୋ ମନ, ମୁଁ ଯାହାକୁ ଦେଲି । ଜିଇଥିଲେ ପାଞ୍ଚ ବର୍ଷରେ ଫେର୍‍ ଆଉ ଥରେ । ଆରେ ଏତେକଥାରେ କି ଯାଏ ? ଶାହାସ୍ତ୍ର କହିଚି, ଯାହାର ଖାଇବ, ତା’ର ଗାଇବ, ନା । ଆଉ କ’ଣ ଖାଇବା ପତରରେ ଝାଡ଼ା ଫେରିବ ? ଆରେ, ଆମୁକୁ କିଏସେ ଖାଇବାକୁ ଦବ ? କିଏ ପଚାରିବ ? କିଏ ଏ ଦେଶକୁ ଭଲରେ ଚଳେଇବ ? ଯେ ତା’ କରିବ ମୁଁ ସେଇଆକୁ ଭୋଟ ଦେଇଚି । ସେଇ ଜିତିବ, ତେମେ ଦେଖିବ–” ଆହୁରି କେତେ କ’ଣ । ସେ ଗଲାଣି ଚାଲି । ବାହାରେ କଜିଆ ବି ଭାଙ୍ଗିଲାଣି, ଶାନ୍ତି ରକ୍ଷକମାନେ ଅବସ୍ଥା ଦେଖି ବ୍ୟବସ୍ଥା କରି ଆମ୍ବଗଛ ଛାଇରେ ଆପଣା ସ୍ଥାନକୁ ଲେଉଟିଆସିଲେଣି ।

 

ପେମୀବୋଉ ଆଗେଇଗଲେ । ଚାରିଆଡ଼କୁ ଅନାଇଁଲେ । ବକା ବକା ଲାଗିଲା । କେତେ ଗାଁରୁ କେତେ ଲୋକ ଆସୁଛନ୍ତି, ସ୍ତ୍ରୀ ପୁରୁଷ । ଗହଳି ଦେଖି ସତକୁ ସତ ବଜାର ବସିଯାଇଛି । ଲୋକ କେତେପ୍ରକାର କୁହାକୋହି ହେଉଛନ୍ତି । କିଛି ମୁଣ୍ଡରେ ପଶୁନାହିଁ, ଯେମିତି ଏତେ ପ୍ରକାର ବକ୍ତୃତା ବି ମୁଣ୍ତରେ ପଶୁ ନ ଥିଲା, ୟା ଆଗରୁ ତିନିପଞ୍ଝା ବିବାଦୀ ଦଳ ଯେତେବେଳେ ଅଲଗା ଅଲଗା ସଭା କରି ବୁଝୋଉଥିଲେ, କିଏ କେତେ କଥା କହୁଥିଲେ କ’ଣ ସବୁ–ଭାରତ, ପାକିସ୍ତାନ୍‍, କାଶ୍ମୀର ସମସ୍ୟା, ସୀମା ଆନ୍ଦୋଳନ । କ’ଣ ସବୁ ଏ ପାଟି, ସେ ପାଟି, ପୁଣି ଦାବି, ଇସ୍ତାହାର, ବାଦୀ, କେତେ ନୂଆ ଶବ୍ଦ ।

 

ତିନି ଦଳ ଭିତରୁ ଗୋଟାଏ ଦଳ ବେଶି ଭୋଟ କାଗଜ ପାଇଲେ ଏ ଦେଶର ହାନିଲାଭ ବୁଝିବ । କେଉଁ ଦଳ କ’ଣ ସେ ତା’ ଜାଣିନାହାନ୍ତି, କ’ଣ ଏ ରାଜନୀତି ଫାଜନୀତି ସେ ଜାଣିନାହାନ୍ତି-। କାହାକୁ ଦେବା ଉଚିତ ହେବ ? ସ୍ୱମୀ କ’ଣ କହୁଥିଲେ, ଗଦେଇ ବି କ’ଣ କହୁଥିଲେ, ମନେପଡ଼ୁ ନାହିଁ । ଠିଆପୋତା ବାଉଁଶକୁ ବାଉଁଶ ସୂତୁଲି ବନ୍ଧା ହୋଇ ବାଟ ଦି’ଭାଗ ହୋଇଛି । ସ୍ତ୍ରୀ ପୁରୁଷଙ୍କ ପାଇଁ ଅଲଗା ଅଲଗା ବାଟ । ତା’ ପଛକୁ ତା’ ପଛହୋଇ ମାଇପେ ଧାର ଲାଗିଛନ୍ତି । ଚିହ୍ନା ଅଚିହ୍ନା ମିଶି କେତେ ମଣିଷ । ସେହି ବାଟେ ହାବୁଡ଼େଇ ଦେଇ ଗଦେଇ କହିଲେ, ‘‘ଯାଅ, ଭୋଟ ଦିଅ, ଭୁଲିବ ନାହିଁ ।”

 

କେମିତି ଛୁଟ୍ କରି ବାଟ ସରିଗଲା । ଚିହ୍ନା ଇସ୍କୁଲ ଘର, କିନ୍ତୁ ନୂଆ ମଣିଷ, ନୂଆ ସାଜସଜ୍ଜା ଦେଖି ଆବାକାବା ଲାଗୁଛି ।

 

ଟୁଲ୍ ଉପରେ ଆଠ ନଅ ବର୍ଷର ଝିଅଟିଏ ବସିଛି, ଅଚିହ୍ନା । ଚଉକି ପକାଇ ଦି’ଜଣ ବସିଛନ୍ତି, ପାଇଜାମା ଆଉ କୁର୍ତ୍ତାପିନ୍ଧା ବାବୁ । ଜଣକର ଦାଢ଼ି ଅଛି । ମୁଣ୍ଡରେ ଫୁଲପକା ଧଳା ଟୋପି, ଆଖିରେ ଚଷମା, କେଡ଼େ ଡେଙ୍ଗା ଲୋକଟାଏ । ସରୁ ପାଉଁଶିଆ ମଣିଷ, ସତେକି ବାଉଁଶରେ ତିଆରି, ଧଳା କାମିଜ ଧଳା ପାଇଜାମା ସେଇ ବାଉଁଶରୁ ଓହଳିଛି । ଆଉ ଜଣେ ତାଙ୍କ କତିରେ ଯେ ଡଉଲ ଡାଉଲ ଚେକା ମୁହାଁ, ମୁହଁରେ ଦେହରେ ବହୁତ ବେଶି ମାଉଁସ ଯେମିତିକି ପାଖରେ ବସିଛି ଯେଉଁ ଜଣକ ତାକୁ କିଛି ବାଣ୍ଟିଦେଲେ ଦି’ ଜଣଙ୍କର ଭଲ ହୁଅନ୍ତା, ୟାର ସରନ୍ତା ନାହିଁ, ତା’ର ଲାଭ ହୁଅନ୍ତା । ଭଜିଆ ଭାରିଯା କଥା ମନେ ପଡ଼ିଲା ।

 

ଏଇ ଭୋଟ ଦେବା ସ୍ଥଳୀରେ, ଯେଉଁଠି ଦିଶୁଛି ଦୁଆରମୁହଁ ସେ ପାଖେ ତିନି ପ୍ରତିନିଧି କାଗଜ ମେଲେଇ ବସିଛନ୍ତି, ଘର ଭିତରେ ତିନିଠା ହୋଇ ଅଚିହ୍ନା କର୍ମଚାରୀ ଦି’ ଦି’ ଜଣ ବସିଛନ୍ତି, ଯାଞ୍ଚ କରୁଛନ୍ତି, କାଳିବୁନ୍ଦା ବୁଡ଼େଇ ଆଙ୍ଗୁଠି ତଳେ ମାରୁଛନ୍ତି, ବିଧାନସଭା ପାଇଁ ଲୋକ ସଭାପାଇଁ ଅଲଗା ଅଲଗା ଭୋଟକାଗଜ ଦେଉଛନ୍ତି, ଭୋଟ ବଖରାକୁ ବାଟ ଦେଖାଉଛନ୍ତି, ଏଇ ସ୍ଥଳୀରେ ଯେଉଁଠି ପବନଟା ବି ଯେମିତିକି କଚିରିଆ କଚିରିଆ, ନାଲି ପଗଡ଼ି ଆଉ ମାଟିଆ ପୋଷାକ ପିନ୍ଧା ପୁଲିସି ଟହଲୁଛନ୍ତି, ଛକି ବସିଲା ପରି ଧବଧାଉଳିଆ ଅଚିହ୍ନା ବାବୁମାନେ ଆପଣା ଆପଣା ସ୍ଥାନରେ ବସିଛନ୍ତି, ଏଠି କେଉଁ କଥାରୁ କେଉଁ କଥା ହେଲାପରି ଭଜିଆ ଭାରିଯା କଥା ମନେ ପଡ଼ିଲା, ଆଉ ମନେ ପଡ଼ିଲା, ଭଜଙ୍କର ଅଇଛା ଏତେ ଭଲ ଅବସ୍ଥା, ଦି’ଭାଇ ଏକାଠି ହୋଇ ବାଣ୍ଟିକୁଣ୍ଟି ଚଳିଲେ କ’ଣ ନାଁକରା ହୁଅନ୍ତା ? ସେଉଠୁ ମନେ ପଡ଼ିଲା, ଆପଣା ମୁଣ୍ଡ ଉପରେ ଲୁଗାରେ ଚିରାଟା ସିଲେଇ ହୋଇ ପଡ଼ିଛି ପରା ।

 

ମୁଣ୍ଡ ଉପରକୁ ହାତଟା ଚାଲିଗଲା । ଏଇ ଏମାନେ ଯେତେଲୋକ ଏମାନେ ସବୁ ସେଇଆକୁ ଚାହିଁଛନ୍ତି ପରା ! କ’ଣ ଭାବୁଥିବେ ? ଛି, ଛି, କେଡ଼େ ଲାଜ କଥା । ଆଗରେ ଯେଉଁ ସ୍ତ୍ରୀଲୋକ ଜଣକ ଆସିଲେ, ଦଣ୍ଡୀ ନାଇଥିବା ବୁଢ଼ୀ ଜଣକ, ସେ ଭୋଟ ଦେଇସାରି ଗଲେଣି । ପଛରୁ ଆଉ ଦି’ଜଣ ମାଇପେ ଆସିଲେଣି । ସେମାନେ ବି ଅଚିହ୍ନା । ସେ ନିଜେ ସେମିତି ଖାଲିଟାରେ ଠିଆ ହୋଇଛନ୍ତି ।

 

ହଠାତ୍ ଦାଢ଼ିଥିବା ଜଣକ ହାତରେ ଠାରି ପାଖକୁ ଡାକିଲେ । ପଚାରିଲେ, ‘‘ନାଁ କ’ଣ-?”

 

ପେମୀବୋଉଙ୍କ ସାହସ ପାଣି ହୋଇଗଲା । ଭାବିଲେ–ଭଲ ଆଇଲା ମଣିଷ, ଏତିକି ବେଳକୁ ସେ ମଣିଷଟା କୁଆଡ଼େ ଗଲା ? ଠାକୁର ଦେଉଳ ଭିତରକୁ ଯିବା ଅଭିଜ୍ଞତା ତାଙ୍କର ଅଛି, କିନ୍ତୁ ସେଠି ଠାକୁର କଥା କହନ୍ତି ନାହିଁ ବୋଲି । କଥା କହୁଥିଲେ କ’ଣ ମଣିଷ ସତେ ଏତେ ଧାଇଁଯାଉଥାନ୍ତେ ?

 

“ନାଁ କ’ଣ କହନ୍ତୁ, ବେଳ ଗଲା ଯେ–” । ତାଙ୍କୁ ସାହାଯ୍ୟ କରିବାକୁ ତିନି ପ୍ରାର୍ଥୀଙ୍କର ତିନି ପ୍ରତିଦ୍ୱନ୍ଦ୍ୱୀ ଜଣ ଜଣ ହୋଇ କହିଲେ, ‘‘କହିଦିଅନ୍ତୁ ମା’, ଆପଣଙ୍କ ନାଁ କ’ଣ, କହିଦିଅନ୍ତୁ ।”

 

କେଉଁକାଳୁ ସେ ନାଁଟା କେହି ଧରିନାହିଁ । ବାପଘରେ ଦିଆହୋଇ ସେମିତି ଅରଖ ନୂଆହୋଇ ରହିଛି । ପିଲାଦିନେ ବାପା ଶରଧାରେ ଡାକୁଥିଲେ ‘କୋତରୀ’ ବୋଲି । ସେ ନାଁର ଏଠି ପ୍ରୟୋଜନ ନାହିଁ । ଶାଶୁଘରେ ଖାଲି ‘ବୋହୂ’, ‘ନୂଆବୋଉ’, ଏମିତିଆ ନାଁ ସବୁ । ନାଁ ଧରି ଯେ ଡାକନ୍ତେ ସେ ଖାଲି ଏକ ସମ୍ବୋଧନପଦ କହନ୍ତି–“ହଇହୋ, ହେ, କିହୋ,–” ପେମୀ ଜନ୍ମ ହୋଇ ସଂସାରରେ ଚଳିଲାଭଳି ନାଁଟିଏ ଦେଲା, ‘‘ପେମୀବୋଉ” । କିନ୍ତୁ ନାଁ ପଚାରିଲେ ଏସବୁ ଜିଅନ୍ତା ନାଁ ଚଳିବ ନାହିଁ, ତାଙ୍କର ଦରକାର ସେହି ଅଦରକାରୀ ନାଁଟା, ଯାହା କେହି ପାଟିରେ ଧରେ ନାହିଁ, ସେ ନାଁ,–“ଶରଧା ସୁନ୍ଦରୀ ।”

 

ଟେବୁଲରେ ସେତିକି ଚିତ୍ରଗୁପ୍ତ ପାଞ୍ଜି ଖୋଲିହୋଇ ପଡ଼ିଛି । ଦାଢ଼ିଥିବା ଭଦ୍ରଲୋକ ମିଳେଇ ଦେଇ କହିଲେ ‘‘ହେଇତି, ଶରଧା ମଞ୍ଜରୀ, ସ୍ୱାମୀଙ୍କ ନାଁ ଭଜକିଶୋର ଭ୍ରମରବର ରାୟ ମହାପାତ୍ର । ଆପଣଙ୍କ ସ୍ୱାମୀ ଭଜକିଶୋର ?”

 

କାନମୁଣ୍ଡା ଜଳିଗଲାଣି । ରାଗରେ, ଅପମାନରେ ତଣ୍ଟିରୁ ବଚନ ବାହାରୁନାହିଁ, ମୁଣ୍ଡକୁ ଜୋରରେ ଝାଙ୍କି ଝାଙ୍କି ସଙ୍କେତରେ ପ୍ରକାଶ କଲେ, ନାହିଁ, ତା’ ନୁହେଁ । ସ୍ୱାମୀ ନାଁଟା କେମିତି ପାଟିରେ ଧରିହେବ ? କିଏ କହିଦେବ ? କେହି ଦିଶୁନାହିଁ।

 

“ଆରେ ! ସ୍ୱାମୀ ଭଜକିଶୋର ନୁହେଁ ।” ସେଇ ଦାଢ଼ି ରଖିଥିବା ବାବୁଟି ଯେପରିକି ଅବିଶ୍ୱାସରେ କହିଲେ, ତାଙ୍କ ସାଙ୍ଗ ଜଣକ ତୀକ୍ଷ୍‍ଣ ଦୃଷ୍ଟିରେ ଛାପା ତାଲିକାଗୁଡ଼ାକୁ ପଢ଼ିଲାଗିଛନ୍ତି, ଠାଏ ପେନ୍‍ସିଲ୍‍ର ପିଠି ମୁଣ୍ଡ ଠକ ଠକ କରି ବାଡ଼େଇ ସୂଚନା ଦେଲେ, ମୁହଁ ଟେକି ଗମ୍ଭୀରଭାବେ କହିଲେ, ‘‘ସ୍ୱାମୀ ଲଖଣ ମଳିକ ? ହେଇଟି, ଲେଖା ହେଇଚି।”

 

ଏଥରକ ପୃଥ୍ୱୀ ପ୍ରଳୟ । ମନେ ମନେ ବିଶେଷଣଗୁଡ଼ାକ ରେଲଗାଡ଼ି ଡବାମାନ ଚାଲିଗଲାପରି ଚାଲିଛି ଯେ–ହେ ସାପଖିଆର ପୁଅ, ହେ ବାଡ଼ିପଡ଼ା, ହେ ଗାତପଶା, ଆରେ ଯୋଗିନୀଖିଆ, ଥୁଃ—ଏତିକିବେଳକୁ ପାଟିରେ ପାନ ପିକ ଭାରି କଡ଼ା ଲାଗିଲା ଯେ ସେଇଠି ଗଳ୍‍କିନା ଗାଳି ପକାଇଲେ, ସେହି ପବିତ୍ର ବିଦ୍ୟାନୁଷ୍ଠାନର ଚଟାଣ ଉପରେ, ତା’ପରେ ସଙ୍ଗେ ସଙ୍ଗେ ତାକୁ ଗୋଡ଼ରେ ଖେଳେଇ ଚକଟି ପକାଇଲେ, ଯେପରିକି ସେମିତି କଲେ ସେ ଲୁଚିଯିବ । ସହରିଆ ବାବୁମାନେ କାବା ହୋଇ ଅନେଇଁ ଠିଆ ହୋଇଥାନ୍ତି । ମନେ ମନେ ଏତେ ଗାଳି ଦେଲେ ବି ପାଟିରୁ କଥା ବାହାରୁନାହିଁ ।

 

ଢେଙ୍ଗା ଦାଢ଼ିଆ ଲୋକଟି ମୁହଁ ଟେକିଦେଇ ଛାଣ୍ଟ ହୋଇ ପଚାରିଲେ, ‘‘କ’ଣ କହୁଚ, ସ୍ୱାମୀ ଲକ୍ଷଣ ମଳିକ ?”

 

ଆଖି ମିଟି ମିଟି କରି ପଦାକୁ ବାହାରିଆସିଥିବା ଉପରପାଟି ଦାନ୍ତଗୁଡ଼ାକୁ ତଳ ପାଟି ଦାନ୍ତରେ ଠକ ଠକ କରି ବାଡ଼େଇ ଦାନ୍ତ ଫାଙ୍କରେ ସଁ ସଁ କରି ସେ କହିଲେ–

 

“ଆମ ବର କାହିଁକି ନଖଣ ମଳିକ ହେବ ? ଆଉ କାହା ବର ହଉନାହିଁ ।”

 

“ଏଁ !”

 

‘‘ତମ ବୋଉ ବର ହଉନାଇଁ ନଖଣ ମଳିକ । ନଖଣ ମଳିକ ! ଭଞ୍ଜକିଶୋର !”

 

“ୟେ କ’ଣ ମାଉସୀ, ଚିଡ଼ୁଚ କାଇଁକି ?”

 

‘‘ମୋ ଗରଜ ପଡ଼ିଚି, ୟାଙ୍କ ମାଉସୀ ହବାକୁ ଯାଉଚି !”

 

ବୁଲିପଡ଼ି ଦି’ ପାହୁଣ୍ତ ନେଲେଣି ଲେଉଟି ଯିବେ ବୋଲି । ଆଗକୁ ଯାଇ ଜଣେ ହାତ ଫରକଟେଇ ବାଟ ଓଗାଳିଲା, କହିଲା, ‘‘ଥ, ଥ, ଥ–ଯାଅନା, ଶୁଣ–”

 

ମୁହଁ ମୋଡ଼ିଦେଇ କହିଁଲେ, ‘‘କ’ଣ, ଥଥଥ, ଧଧଧ କହୁଚୁ ମ, ମୁଣ୍ତକୁ ପିତ୍ତ ଉଠିଚି କିରେ ?” ବଡ଼ ପାଟି କରି କହିଲେ, ‘‘ହେ କେହି କ’ଣ କୁଆଡ଼େ ନାହାନ୍ତି କିରେ ? ଦେଖିବଟି ମତେ କେମିତି କହୁଚନ୍ତି ସ୍ୱାମୀ ଭଜକିଶୋର, ଲଖଣ ମଳିକ ? ହେ, ଦେଖିବଟି, ଟିକିଏ ବୁଝମ ୟାଙ୍କ କଥା । ଆ–ୟେ ଭଜକିଶୋର ମୋ ଦିଅରଟା, ତା’ ଭାରିଯା ରଙ୍ଗୀବୋଉ ମନ କଲେ ଆସୁଥିବ ଅଇଛା, ନଇଖଣ ମଳିକ କଣ୍ତରା, ତାଙ୍କ ଘର ହଳିଆ, ମତେ କହୁଛନ୍ତି ତାଙ୍କ ସ୍ତ୍ରୀରୀ । ଏଁ ‘ତାଙ୍କ ସ୍ତ୍ରୀରୀ’ ଯେ କହୁଚନ୍ତି ତାଙ୍କ ମୁହଁ ପୋଡ଼ିଯାଉନାଇଁ ! ତାଙ୍କ ମୁଧୁନା ଫାଟିଯାଉନାଇଁ ! ଆମ ଜମି ଜମିଦାରୀ ଗଲା ବୋଲି କ’ଣ ଏମିତିକା ପାଇଲ ତମେ ଆମକୁ ? ନ ହେଲା, ଆମ ଭୋଟ ଦିଅ, ଆମ ଘରେ ଆମେ, ତମ ଘରେ ତେମେ । ହେଉଟିତ ରଙ୍ଗା ବୋଉ, ପାଲୁଣୀ ବୋଉ ଆଇଲେଣି, ଇଲୋ, ଦେଖିବଟିଲୋ ! ରଙ୍ଗା ବୋଉ ସିନା ନାଁ ଧରିବ ନାଇଁ, ପାଲୁଣୀବୋଉ ତୁ କହିଦବୁଟିଲୋ-!

 

ଆଉ ସେମାନେ ଶତ୍ରୁ ପରି ଦିଶୁନାହାନ୍ତି, ସେମାନେ ପରମ ବନ୍ଧୁ । ଦିହିଁକିଦିହେଁ ମୁହଁ ତମ ତମ କରି ଆସିଛନ୍ତି ପେମୀ ବୋଉକୁ ଉଢ଼ୁଆଳ କରି ଠିଆ ହେଲେ । ପଦାରେ ହୋ ହୋ ହେବା ଉପରେ, ଲୋକ ସବୁ ଧୀରେ ଧୀରେ ଏଣେ ଗଡ଼ୁଛନ୍ତି ।

 

ସେହି ଦାଢ଼ିଥିବା ଲୋକ ଜଣକ ଠିଆ ହୋଇପଡ଼ି ହାତ ଯୋଡ଼ିଲେ, କହିଲେ, ‘‘ଆଜ୍ଞା, ଦୋଷ ଥିଲେ ମାଫ୍ କରିବେ। ଆମେ ଆପଣଙ୍କର ପିଲା, ଆପଣ ଆମର ମା’ । ଲେକିନ୍ ଆମର ଆଉ କସୁର କ’ଣ, ଛପାରେ ଯେମନ୍ତ ଉଠିଛି, ଆମେ ତେମନ୍ତ କହୁଛୁ । ଛପାରେ ଭୁଲ୍‍ଥିବ, ଆମେ କ’ଣ କରିବୁ, ଆମେ ତ ଆଉ ୟାକୁ ଲେଖିନାହୁଁ କି ଛାପିନାହୁଁ, ଉପରୁ ମିଳିଛି । ବର୍ତ୍ତମାନ ଆପଣ ଦୟାପୂର୍ବକ୍ ଆପଣଙ୍କ ସ୍ୱାମୀଙ୍କ ନାମ୍ କୌଣସି ଉପାୟରେ ଜଣାନ୍ତୁ ନଇଲେ ଲେଖିଦିଅନ୍ତୁ । ଶୀଘ୍ର କାର୍ଯ୍ୟ ଖତମ୍ ହେବ ।”

 

ପାଲୁଣୀବୋଉ କହିଲା, ‘‘ତାଙ୍କ ସ୍ୱାମୀଙ୍କ ନାଁ ବ୍ରଜକିଶୋର ।”

 

“ତା’ କହନ୍ତୁ । ଆମେ ସେଟା କେମିତି ଜାଣିବୁ ? ଆଚ୍ଛା, ଟିକିଏ ସତାରନ୍ତୁ । ଡକାଓ ଚଉକିଆକୁ ।’’

 

ଚଉକିଆ ଗଙ୍ଗା ମଳିକ ଆସିଲା । ପଚରା ହେଲା, ‘‘ୟେ କାହା ସ୍ତ୍ରୀ, କହ ଚଉକିଆ ।”

 

“ହଜୁର୍‍, ସ୍ୱାମୀ ବ୍ରଜକିଶୋର ଭ୍ରମରବର ରାଏ ମହାପାତ୍ରେ, ଆମ ଇଠା ଜମିଦାର ଖାଉନ୍ଦ । ଗାଁରେ ଅଛନ୍ତି ।”

 

“ଠିକ୍ ଜାଣୁ ?”

 

“ହଜୁର୍‍, ସତ । ଆମ ଖାଉନ୍ଦାଣୀ, ସାଆଁନ୍ତାଣୀ । ଏବେ ସିନା ଜମିଦାରୀ ଗଲା, ଘର ବସିଗଲା, ନଇଲେ ରାଏ ମହାପାତ୍ର କହିଲେ ଗର୍ଭିଣୀ ଗାଈ ବାଟ ଛାଡ଼େ । କଂସା କବାଟ । ଯୋଡ଼ି ମଶାଲ, ଘୋଷରା ପାହାଚ । କଂସା କବାଟ ପଇଲେ ତିନିକୋଶକୁ ଶୁଘେ । ବରଜକିଶୋର ସାଆନ୍ତ ବଡ଼ ପୁଅ, ସେ ଜେନାମଣି । ତାଙ୍କରି ଘର ଭାତ ତୋରାଣିରେ ଆମ ସାତ ପୁରୁଷ ମଣିଷଙ୍କ ପିଣ୍ତ ଗଢ଼ା ହୋଇଛି । ସାଆନ୍ତାଣୀଙ୍କି ଚିହ୍ନିବି ନାଇଁ ? ଆଖି ବାଳ ପାଚିଲା ବୋଲି କ’ଣ ମୋ ଆଖି ଫୁଟିଚି ? ଅଛନ୍ତି ସାଆନ୍ତେ । ଅଇଛା ଆସୁଥିବେ ଯେ । ତାଙ୍କ ବାହାଘରକୁ ମୁଁ ଯାଇଥିଲି ଯେ କେଡ଼େବଡ଼ ଫଉଜଦାରୀଟାଏ ନ ହେଲା ! ତିରିଶି ଜଣ ମଣିଷ ଖଣ୍ତିଆଖାଉଡ଼ା ହୋଇଥିଲେ । କାଲି ପରି ଲାଗୁଛି, ଦେଖିଲା ବେଳକୁ ପଚିଶି ବରଷ ହେଲାଣି–”

 

“ହଉ ହଉ, ଥାଉ, ଚଉକିଆ ! ହାତରେ ଟିକିଏ କାଳିବୁନ୍ଦା ଲଗାହେବ । ଦୟା କରି ଟିକିଏ ହାତ ଦେଖାନ୍ତୁ । ଦେ, ଲଗାଲୋ ଝିଅ !”

 

ଟୁଲ୍ ଉପରେ ବସିଥିବା ପ୍ରତିମାଟି ଦେହ ହାତ ଖେଳାଇଲା । ବୁଢ଼ା ଆଙ୍ଗୁଠି ତଳେ କାଳିବୁନ୍ଦାଟିଏ ଲଗାଇଦେଲା । ଭୋଟ କାଗଜ ବଢ଼ାଇଦେଲେ । ବାଟ ଦେଖାଇଦେଲେ ।

 

ଏତେ କଥା ଶୁଣିସାରିଲା ପରେ, ମନଟା ଶୀତଳେଇ ଆସିଥିଲା । ମୁଣ୍ତ ଉପରେ କାନିରେ ତେନ୍ତୁଳିଆ ବିଛାପରି ଯେଉଁ ସିଲେଇଟା ଆପଣା ପ୍ରତି ଲୋକଙ୍କର ଅବଜ୍ଞା ଓ ଅନାଦର ମନେ ପକାଇଦେଉଥିଲା, ତେଣୁ ଅଇଁଗୁଣ ବଢ଼ାଇଦେଉଥିଲା, ସେ ଆଉ ମନେ ପଡ଼ିଲା ନାହିଁ । ଆପଣା ପ୍ରତି ରୁଚିକର ହୋଇଥିବା ଏକ ପରିସ୍ଥିତିକି ଚେତନାରେ କଳ୍ପନା କରିନେଇ ବ୍ୟକ୍ତିତ୍ୱ ସୁଖରେ ଫୁଲିବାକୁ ଲାଗିଲା ।

 

ସେଠି ବଡ଼ ଜମିଦାର ଘର, ଗର୍ଭିଣୀ ଗାଈମାନେ ବାଟ ଛାଡ଼ନ୍ତି, ଆଉ କେତେ କ’ଣ ହୁଏ, ସେଠି ଖାଲି ସାଆନ୍ତ ଆଉ ସେବକ, ସ୍ତୁତିକାରୀ ଆଉ ସ୍ତୁତି ଶୁଣିବା ଲୋକ, ଝାଳ ନାଳ ହୋଇ ଖଟି ଫସଲ ଉପୁଜେଇ ଆପଣା କାନ୍ଧରେ ବୋହିଆଣି ପହଞ୍ଚାଇଦେବା ଲୋକ, ମନେ ବସି ଖାଇବା ଲୋକ, ମନେ ସେଇଠି ସେ ରାଣୀ, ସାଆନ୍ତାଣୀ ଶ୍ରେଣୀରେ, ସେହି ନାହିଁ ନ ଥିବା ଘରର ଉଞ୍ଚାପିଣ୍ତା ଉପରେ ପଟା ଡେରା ହେଲା ପରି ଯେଉଁ ଘୋଷରା ପାହାଚ ତା’ ତଳେ ଗଙ୍ଗା ମଳିକ ଚୌକିଦାର, ବେକରେ ଗାମୁଛା ପକାଇ ହାତ ଯୋଡ଼ି ଅଣ୍ଟା ଭାଙ୍ଗି ଠିଆ ହୋଇଛି, ଖରା କାକର ସହିବା ପାଇଁ ତା’ର ଖୋଲା ପିଠି, କାଦୁଅ ଚକଟିବା ପାଇଁ, କଣ୍ଟା ମାଡ଼ିବା ପାଇଁ, ନିଆଁ ମାଡ଼ିବା ପାଇଁ ତା’ର ଖାଲି ପାଦ, ଆଉ ଯେତେ ଖଟିବା ଲୋକଙ୍କର । ରଙ୍ଗୀବୋଉ ପାଲୁଣୀବୋଉଙ୍କ ସଙ୍ଗେ ତାଙ୍କର ବାଦ ନାହିଁ, ସେମାନେ ତାଙ୍କରି ଜାତିର, ତାଙ୍କରି ଶ୍ରେଣୀର, ତାଙ୍କୁ ସ୍ୱୀକାର କରିଛନ୍ତି, ସେତିକି ହେଲେ ହେଲା, ରାଜା ରାଜାର ମାନ ବୁଝେ, ଜମିଦାର ଜମିଦାରର, ପୁରୋହିତ ପୁରୋହିତର, ସେମାନେ ତାଙ୍କର ଏକା ଗୋଷ୍ଠୀ, ଠିକଣାବେଳେ ତାଙ୍କ ଇଜ୍ଜତ ରଖିଛନ୍ତି ।

 

ଭୋଟ ଦେବା ଅଧିକାରଟା ଅଧିକାର ପରି ଲାଗିଲା । ସେମିତି ତ ଥିଲା ପରା ଆଗକାଳେ–ତରତର ହୋଇ ଭାବି ହୋଇଗଲା, ଭୋଟ ନ ଥିଲେ ବି କ୍ଷମତାଟା ଥିଲା, ଆପେ ଅଭିଷେକ ହେବା, ରଜାଙ୍କୁ ଅଭିଷେକ କରେଇ ଯିବା । ସେହିପରି ସେ ଆଜି କ୍ଷମତାଟା ପ୍ରୟୋଗ କରିବେ, ସେ–ପେମୀବୋଉ ।

 

ପଛକୁ ଅନାଇଁଦେଲେ, ମାଇପୀ ଲୋକଙ୍କୁ ଆସିବାକୁ ଛଡ଼ା ହେଉଛି । ଆଗେ ଆଗେ ତାଙ୍କ ଧୋବଣୀ ବୁଢ଼ୀ ବୁଧିଆବୋଉ, ତା’ ସଙ୍ଗରେ ବୁଧିଆଭାରିଯା, ସହରିଆଣୀ ଝିଅ, କେଡ଼େସୁନ୍ଦର ଶାଢ଼ି ପିନ୍ଧିଛି, ତା’ ତଳେ ଜାମା, ମୁହଁ ଯେମିତି ଦର୍ପଣ । ବୁଧିଆବୋଉ ବାସିଧୋବ ଶାଢ଼ି ପିନ୍ଧି ଆସିଛି । ହେଲେ ଆସିଛି ସୋଦରୀମା ହାଡ଼ିଆଣୀ, ନାଲି ଛିଟର ନୂଆ ଶାଢ଼ି ଖଣ୍ତେ ପିନ୍ଧି ଆସିଛି, ସେଥିରେ କାଗଜ ଖଣ୍ତକ ତଥାପି ଲାଗଛି, କେଡ଼େ ସୁନ୍ଦର ଜିକିଜିକି ସୁନ୍ଥା, କପାଳଯାକ ତେଲିଆ । ‘‘ଆମେ ଭୋଟ ଦବୁ, ଆମେ ଭୋଟ ଦବୁ–’’ ସେମାନେ ପାଟି କରୁଛନ୍ତି ।

 

ଅନେଇ ଦେଖିବାକୁ ତର ନାହିଁ । ଘର ଭିତରେ କର୍ମଚାରୀମାନେ ତର ତର କଲେଣି, ‘‘ଆପଣ ସାରିଲେ ଫେର୍ ଆଉ ଜଣେ ଯିବେ । ଯାଆନ୍ତୁ, ତିନୋଟି ବାକ୍‍ସ ଥୁଆହୋଇଛି, ତା’ ଉପରେ ଫାଟ, ବାକ୍‍ସରେ ଛବି ଚିହ୍ନ ମରା ହୋଇଛି । ଆପଣ ଯାହାକୁ ଭୋଟ ଦେବାକୁ ମନ କରିବେ ତାଙ୍କରି ଚିହ୍ନ ଯେଉଁ ବାକ୍‍ସରେ ଥିବ ସେଇ ବାକ୍‍ସରେ କାଗଜ ଗଳେଇଦେଇ ଚାଲି ଆସିବେ-

 

ଭୋଟ ଗମ୍ଭୀରାରେ ପଶିଲେ ।

 

ଆପଣା ପାଖେ ଆପଣା ପରିଚୟ ସଂକୁଚିତ ହୋଇଯାଇଥିଲା । ଅଭିମାନ ଲାଗିଲା–ବିହ୍ୱଳ ହୋଇ ଭାବିଲାଗିଲେ, ଆଘୋର ଦୁଆରୀ ସମସ୍ତିଙ୍କର ଭୋଟ ! ବୁଧିଆବୋଉ ଧୋବଣୀ, ସୋଦରୀ ମା’ ହାଡ଼ିଆଣୀ, କେମ୍ପା ଛୋଟା ସମସ୍ତିଙ୍କର ! ତେବେ ତାଙ୍କ ବଡ଼ପଣଟା ଫେର୍ କୋଉଠି ରହିଲା ?

 

ନାଃ, ହବ ନାଇଁ ଏ କାଳ ! ସେ ଭାବିଲେ । କିଏସେ ଏ ଲୋକଙ୍କର ମୁହଁ ଉପରକୁ କଲା-? କିଏ ବୁଡ଼େଇଲା ସାଆନ୍ତ ଗୋଷ୍ଠୀର ସାତପୁରୁଷି ବଡ଼ପଣ, ହାକିମି, ଅଧିକାର ? ଭଲ କଲା ନାହିଁ । ବାକ୍‍ସ ତିନୋଟି ଭିନ୍ନ ଭିନ୍ନ ସଙ୍କେତ ଛବି ମରା ହୋଇ ଥୁଆ ହୋଇଛି । ଚାହିଁଦେଇ ଯାଇ ଗୋଟାକରେ କାଗଜଟି ଗଳେଇଦେଲେ, ବାହାରି ଆସିଲେ ।

 

ରଙ୍ଗ ବୋଉ ଭୋଟ ଗମ୍ଭୀରାକୁ ଗଲେ । ଆପେ ଆର ଟେବୁଲରେ ଯାଇ ଆଉ ଖଣ୍ତିଏ ଭୋଟ କାଗଜ ନେଇ ଆରପଟେ ଆଉ ଗୋଟିଏ ଭୋଟ ବଖୁରିକି ଗଲେ ଗଲେ, ସେଠି ବି ଚିହ୍ନ ଦେଖି କାଗଜ ଗଳେଇପଦାକୁ ବାହାରିଲେ ।

 

ମଣିଷ ପିମ୍ପୁଡ଼ିପରି ଧାର ଲାଗିଛନ୍ତି । କେତେ ଗାଁରୁ କେତେ ଲୋକ ଆସିଛନ୍ତି । ଉପରେ ଆକାଶରେ ଏକ ଉଡ଼ାଜାହାଜ ଉଡ଼ୁଛି । କେତେ ଲୋକ ତେଣିକି ଅନାଇଁଛନ୍ତି । କିନ୍ତୁ ତାଙ୍କର ଆଉ ଉତ୍ସାହ ନ ଥିଲା । ମୁଣ୍ଡ ଝିମି ଝିମି ଲାଗୁଥିଲା । ଏକମାତ୍ର ଇଚ୍ଛା, ଖାଲି ଘରକୁ ଲେଉଟିଯିବା । ବାଟ କରରେ ଆମ୍ବଗଛ ତଳେ ବସିପଡ଼ିଲେ । ଶିରି ଶିରି ପବନ ଦଉଛି । କେତେ ଆମ୍ବକଷି ବଉଳ ସଙ୍ଗେ ଶୁଖି କଳାପଡ଼ି ଗଛ ତଳେ ପଡ଼ିରହିଛି । ଗୋହିରୀ ସେପଟେ ପଧାନ ସାହି । ବଡ଼ ବଡ଼ ବାରି । ତେଣ୍ତାଲଗା ଚୁଆ । କଦଳୀ, ସଜନା ବଣ ପରି ବଢ଼ିଛି । ବଡ଼ ବଡ଼ ପାଳଗଦା, ଗୋବରଖାତ, ଘସିଗଦା । ଭାବିଲେ, ଭଗବାନ ତାଙ୍କୁ ଦେଇଛି । ଦୀର୍ଘଶ୍ୱାସ ଉପରେ ଦୀର୍ଘଶ୍ୱାସ ଆସିଲା । କିଛିବେଳପରେ ରଙ୍ଗୀବୋଉ ପାଲୁଣୀବୋଉ ଆସିଲେ । ତାଙ୍କୁ ଦେଖି ଖୁସି ଲାଗିଲା, ସେହି ଏକା ଶ୍ରେଣୀ, ଏକା ଦଶା । ରଙ୍ଗୀବୋଉ ବି ସେଆଡ଼ୁ ହସି ହସି ଆସୁଛନ୍ତି, ‘‘କାହାକୁ ଭୋଓଟ ଦେଲ ଅପା, କୋଉ ପଞ୍ଝାକୁ?”

 

“ପାନ ଖଣ୍ତେ ଅଛି, ଦବୁଟି ଲୋ, କେତେବେଳୁ ପାଟିଟା ଟାକୁ ଟାକୁ ହଉଚି ।” ରଙ୍ଗୀବୋଉ କାନିରୁ ଗଣ୍ଠି ଫିଟେଇଲେ । ବଡ଼ ପାନବଟା ଖୋଲି ବଢ଼େଇଦେଲେ । କହିଲେ, ‘‘ଦି’ଖଣ୍ତ ନିଅ, ଅପା !” ଏକାଠି ଦି’ଖଣ୍ତ ପାନ ପାଟିରେ ପକାଇଦେଇ ଖୁସିଟାଏ ହୋଇ ପେମୀବୋଉ କହିଲେ, ‘‘ଓହୋ, ପ୍ରାଣ ରଖିଲୁ ।”

 

“କାହାକୁ ଭୋଟ ଦେଲ, କହ ଅପା !”

 

ପେମୀବୋଉ କହିଲେ ।

 

କିନ୍ତୁ ସେ କଥା ଗୋପନୀୟ ।

Image

 

ନାଁ ମାନେ ନାହିଁ

ପମ୍ପୁଟ୍‍କାରଙ୍କ ଶୁଆ

 

ଅପ୍ରେଲ ପହିଲାଦିନ ସକାଳ ସାଢ଼େ ନଅଟା ବେଳେ ନକୁଳ ଯେତେବେଳେ ବୋଝିଆ ମୁଣ୍ତରେ ଶୁଆ ସମେତ ଲୁହା ପିଞ୍ଜରାଟିଏ ବୁହାଇ ଚାଲି ଚାଲି ତା’ ବସାଆଡ଼କୁ ଫେରୁଥାଏ ସେତେବେଳେ ବହୁତ ଚିହ୍ନା ଲୋକ ତା’ ଆଡ଼କୁ ଅନାଉଥାନ୍ତି । କେହି କେହି ବାଟ ଓଗାଳି ତାକୁ ପଚାରୁଥାନ୍ତି–

 

“କୋଉଠୁ ଆଣିଲେ ?”

 

“କେତେ ନେଲା ?”

 

‘‘କଣ୍ଠା ପଡ଼ିଗଲାଣି, ବୁଢ଼ା ଶୁଆଟିଏ ପରି ଜଣାପଡ଼ୁଛି, ଆଉ କ’ଣ ଶିଖିବ ଏକାଳେ ?”

 

ନକୁଳ ସଡ଼କ ଦାଢ଼ରେ ଠିଆହୋଇ ରୁମାଲରେ ମୁହଁ ପୋଛୁଥାଏ । କେତେବେଳେ ପ୍ୟାଣ୍ଟ୍ ପକେଟ୍‍ରୁ ପାନ ଖଣ୍ତେ କାଢ଼ି ପାଟିରେ ପକାଉଥାଏ । ଖରାଟା ଚାଇଁ ଚାଇଁ ଗଳିଯାଉଥାଏ । ପ୍ରକାଣ୍ତ ଶୁଶୁମ୍ବର କୁମ୍ପାନିର ଏଠିକା ଅଫିସରେ ସେ ଜଣେ ପୁରୁଣା କର୍ମଚାରୀ ।

 

ସେ ଉତ୍ତର ଦେଉଥାଏ :

 

“ନାଇଁ ମ, ଶୁଆଟା ମୋର ନୁହେଁ । ଆମ ବଡ଼ ସାହାବ ପିମ୍ପୁଟ୍‍କାର ପନ୍ଦର ଦିନ ଛୁଟିରେ ଗଲେ ଯେ, ମତେ ଦେଇଗଲେ, ରଖିଥା ବୋଲି ।”

 

“ଓ, ସେ ଯୋଉ ନୂଆ ହେଇ ଆସିଥିଲେ ? ଲୋକେ କହନ୍ତି, କର୍ମଚାରୀଙ୍କ ଉପରକୁ ଭାରି ଚିଡ଼ା, ଭାରି କଡ଼ା କୁଆଡ଼େ ସେ ?”

 

“କାହିଁ, କିଛି ନାଁକରା ନୁହନ୍ତି ତ !”

 

“ଆପଣ ଆଉ କହନ୍ତେ ନା ?”

 

ପୁଣି ବାଟରେ ଆଉ ଜଣେ କିଏ–“ପିମ୍ପୁଟ୍‍କାର୍ କାହିଁକି ଛୁଟି ନେଲେ ?”

 

‘‘ବିଭା ହେବେ ବୋଲି ।”

 

‘‘କୋଉଠି ବିଭା ହେବେ ?”

 

“କେଜାଣି ।”

 

“ତାଙ୍କ ଜାଗାରେ କିଏ ରହିଲା ?”

 

“ଜଗନ୍ନାଥ ଦନ୍ତା ।”

 

ନାନା ପ୍ରଶ୍ନର ଉତ୍ତର ଦେଇ ଦେଇ ଯିବାକୁ ପଡ଼ୁଥିଲା । ଟିକିଏ ଅଟକିଲେ ବୋଝିଆ ଡାକ ଛାଡ଼ୁଥିଲା, ‘‘ଧଅସି ଚାଲବାବୁ, ଠିଆହେଲେ ମୁଣ୍ଡରେ ହାଣୁଛି–ଭଲା କାମୁଡ଼ା ଶୁଆଟାଏ !”

 

ଟିକିଏ ଗଲେ ପୁଣି ଆଉ କିଏ, ‘‘ଏ ଶୁଆ କ’ଣ ଆପଣଙ୍କର ? କୋଉଠୁ ଆଣିଲେ ?”

 

“ହେଇ, ଦେଖ ଦେଖ, ନକୁଳବାବୁ କେଡ଼େ ଶୁଆଟିଏ କୋଉଠୁ ଯୋଗାଡ଼ କଲେଣି । ଭଲ ଶୁଆ, ଖାସା ଶୁଆ, କେଡ଼େ ମୋଟମାଟ, କେଡ଼େ ଲମ୍ବା ! ଆସ, ପଚାରିବା ।”

 

ବହୁତ ଲୋକଙ୍କୁ ଉତ୍ତର ଦେଇ ଦେଇ ନକୁଳର ଉତ୍ତର ବି ହୋଇଯାଇଥାଏ ମୁଖସ୍ଥ କରିଥିବା ବିବୃତିପରି ।

 

ଆଉ ଅବିକଳ ବିବୃତି ଗାଇଲାପରି ତା’ ନିଜ କଥାରେ ନିଜର ବି ବିଶ୍ୱାସ ଆସିପାରୁ ନ ଥାଏ ।

 

ସତେ କ’ଣ ପିମ୍ପୁଟ୍‍କାରକୁ ତା’ର ଭାରି ସ୍ନେହ ?

 

କୁମ୍ପାନି କଳ ଚଳାଏ, ମଣିଷର ଭଲମନ୍ଦର ସୁଖଦୁଃଖର ସେଥିରେ ଛାଇ ପଡ଼େନାହିଁ । କୁମ୍ପାନି କେତେଲୋକଙ୍କୁ କେତେ କୁଆଡ଼େ ଟେକିଲା, ତା’ ବେଳକୁ କିଛି ନାହିଁ । ଏଡ଼େ ନିଷ୍ଠାରେ ତେଇଶି ବର୍ଷ କାଳ ଏ କୁମ୍ପାନିରେ ଖଟି ଖଟି ସେ ହେଇଚି ଖାଲି ଗୋଟାଏ ବଡ଼ବାବୁ । ମାସକୁ ଶହେ ଅଶୀ ଟଙ୍କା । କୁଆଡ଼କୁ ଅଣ୍ଟେ ନାହିଁ । ଭାବି ଭାବି ବେଳେ ବେଳେ ତା’ ମନ ଭିତର କୁହୁଳିଉଠେ ।

 

ତହିଁରେ ଏ ଶୁଆଟାର ଦାୟିତ୍ୱ । କିନ୍ତୁ ସେ ମନା କରିଥାନ୍ତା ବା କେମିତି ?

 

ପିମ୍ପୁଟ୍‍କାରର ମୁହଁ ଉପରେ କଥା କହନ୍ତା !

 

ହୁରୁ ହୁରୁ ଦୁମୁ ଦୁମୁ ଦୁଲୁ ଦୁଲୁ । ଗୋଟାଏ ଆତଙ୍କ–କାହା ଖାଇବା ପତ୍ରରେ କେତେବେଳେ ସେ ଧୂଳି ପକାଇଦେବ !

 

ତା’ର ସହକର୍ମ୍ମୀ ରାଘବବାବୁ କେତେବେଳୁ ତା’ ପିଛା ନେଇଛନ୍ତି । ଶେଥା ମୁହଁରେ ଫାଳିକିଆ ବଙ୍କା ହସ ହସି ସେ କହିଲେ :

 

“ଆପଣଙ୍କୁ ପିମ୍ପୁଟ୍‍କାରଙ୍କର ଭାରି ବିଶ୍ୱାସ । ନଇଲେ ଶୁଆକୁ ଆପଣଙ୍କ ପାଖେ ରଖେଇଯାଇଥାନ୍ତେ ? ପଦାରେ ଏତେ ତୋଡ଼, ଗର୍ଜନ, ମୁହଁ ଛିଞ୍ଚଡ଼ା ସିନା, ଘରକୁ ଗଲେ ଏ ଶୁଆ ସଙ୍ଗରେ ହସ, ଗୀତ, ଗପ, ଦୁଃଖସୁଖ । କୁମ୍ପାନିର କାମଦାମ କଥା ବି ଶୁଆ ଆଗରେ ଗାଇଯାଆନ୍ତି–”

 

ନକୁଳ କହିଲା, ‘‘କ’ଣ ଆପଣ ବାୟା ହେଲେ ନା କ’ଣ ?”

 

ରାଘବ କହିଲେ,‘‘ସତ କହୁଚି, ଏ ଶୁଆ ତାଙ୍କର ବିଶ୍ୱାସୀ । ସେ ଦି’ଗୋଡ଼ିଆକୁ ବଶ୍ୱାସ କରନ୍ତି ନାହିଁ ।”

 

“କାଇଁ, ଶୁଆର କେତେଟା ଗୋଡ଼ କି ?”

 

ରାଘବ କହିଲେ, ‘‘ଥଟା ନାଇଁ ଆଜ୍ଞା, ଏ ଶୁଆ ତାଙ୍କର ଜୀବନପ୍ରାଣ । ଆସିଲାବେଳେ ସଙ୍ଗରେ ଆଣିଥିଲେ ପରା ! ୟେ ବମ୍ବେଇ ଶୁଆ । ତାକୁ ଖାଇବାକୁ ଦେବେ କ’ଣ ?”

 

“ପଖାଳ ଭାତ ।”

 

“ନାଇଁ ନାଇଁ, ଫଳ ଦେବେ, ଆଖରୋଟ୍‍, ବାଦାମ୍‍, ପେସ୍ତା, ବେଦାନା, ଆପ୍‍ଲ, ସେଓ, ପାଚିଲା କଦଳୀ । ପନ୍ଦରଦିନରେ ଶୁଆ ବମ୍ ବନିଯିବ । ପିମ୍ପୁଟ୍‍କାର୍‍ ଦେଖିଲେ ଖୁସି ହେବେ ।”

 

ନକୁଳର ବସା ହୋଇଗଲା । ବୋଝିଆ ପିଞ୍ଜରା ଓହ୍ଲେଇଦେଲା । ପିଲାଏ ବେଢ଼ିଗଲେ, ନାଚିଲେ, ‘‘ଆରେ, ଆମର ଶୁଆ ଆସିଚି ! ଶୁଆ !”

 

ବୋଝିଆ ସଙ୍ଗରେ ଧିକିସିକି ଖଚଖଚ ଲାଗିଗଲା । ନକୁଳ ଯାଚୁଛି ଚାରଣା । ସେ ହାଙ୍କୁଛି ଛଅଣା ।

 

ବୋଝିଆ କହିଲା, ‘‘ଏମିତି କାମୁଡ଼ା ଶୁଆଟାଏ ଜାଣିଥିଲେ ଟଙ୍କାଟାଏ ଯାଚିଥିଲେ ପରା ମୁଁ ତା’ ପଞ୍ଜୁରୀ ଛୁଇଁ ନ ଥାନ୍ତି । ଦେଖିଲ, ହାତ ମାରିଲ ମୋ ମୁଣ୍ତରେ ! ଚାରଣା ପଇସା ଦଉଚ, ୟାରି ନା ଧର୍ମ, ୟାରି ନା ନ୍ୟାୟ ?”

 

“ଆରେ ଯା’, ସାଇକେଲ ନେଇଥିଲେ ଲଟକେଇ ଆଣିଥାନ୍ତି ବିନା ପଇସାରେ, ଭାରି କାମଟାଏ କରିପକାଇଲା !”

 

ଶୁଆଟାର କରର୍ କରର୍‍ ବୋବାଳି ଶୁଣି ସେ ବୁଲିପଡ଼ି ଚାହିଁଦେଲା, ତା’ ସାନ ପୁଅ କିଣୁ ଶୁଆର ଲାଞ୍ଜ ଓଟାରୁଛି ।

 

“ଆରେ, ମରିଯିବ, ମରିଯିବରେ–’’ କିଣୁ ପଳେଇଲା । କିନ୍ତୁ ତା’ ସ୍ତ୍ରୀ ଆସିଲେ ।

 

“ଏଁ ! ବେହେଲ ହଉଚନ୍ତି ! ପିଲା ହେଇଯାଉଚନ୍ତି ! ଶୁଆ ସଉକି ହବାକୁ ମନ ହୋଇଗଲା !” ବାରମ୍ବାର ମୁହଁକୁ କୁମ୍ପି ପରି କରି ମୋଡ଼ୁଛନ୍ତି ତା’ର ସ୍ତ୍ରୀ ।

 

ଚଞ୍ଚଳ ବୋଝିଆ ସଙ୍ଗେ ଶୀତଳ ଯୁଦ୍ଧକୁ ଶେଷ କରିଦେଇ ତା’ ଆଡ଼କୁ ଆଉ ଅଣାଟିଏ ଫୋପାଡ଼ିଦେଇ ନକୁଳ କହିଲା, ‘‘ଶୁଣ, ମୋର ଦୋଷ ନାଇଁ । ଏ ପିମ୍ପୁଟ୍‍କାରଙ୍କ ଶୁଆ–’’ ପୁଣି ବିବୃତି-

 

କିନ୍ତୁ ସ୍ତ୍ରୀ ବୁଝିଲେ ନାହିଁ । କହିଲେ, ‘‘ଆଉ ତାଙ୍କୁ କେହି ଲୋକ ମିଳିଲେ ନାହିଁ, ତମେଇଁ ତାଙ୍କ ଆଖିରେ ଦିଶିଲ ସବୁଠାରୁ ବୃଦ୍ଧ ବେଡ଼ୁ ? ହଉ, ସମ୍ଭାଳ ଏଥର, ତା’ ଖାଇବା, ଗାଧେଇବା, ଅସନା ପୋଛିବା ମତେ କିଛି କରିବାକୁ କହିବ ନାଇଁ, ଜାଣିଥା, ମୁଁ ମୋ କାମରେ ଘାଣ୍ଟିହେଇ ମରୁଚି-।”

 

“ଆରେ ବାବୁ, ଚିଡ଼ୁଚ କାଇଁକି, ଶୁଆଟା ତା’ ଛାଏଁ ପିଞ୍ଜରାରେ ପଶି ଟଙ୍ଗା ହେଇଥିବ । ପନ୍ଦରଟା ଦିନ ଗଲେ ଗଲା–”

 

“ଆଉ ବିଲେଇ ଜଗିବ ତେମେ, ରାତିରେ ଜଗିବ ।”

 

ଚମକିପଡ଼ି ସେ କହିଲା, ‘‘ପିଞ୍ଜରା ଭିତରକୁ କୋଉ ବିଲେଇ ଆସିବ ଖାଇବାକୁ ?”

 

“ହାଣ୍ତିରୁ, ଡେକ୍‍ଚିରୁ, ବାକ୍‍ସରୁ ଖାଇଯାଉଛନ୍ତି; କେଜାଣି ବା ତମ ବଡ଼ ସାହାବଙ୍କ ଶୁଆ ବୋଲି ଡରିବେ ! ଗୋଟାଏ ଲେଖି ମାରି ଦେଇଥା, ବିଲେଇ ଜାଣିବ । ଆଉ ତମର ଯୋଉ ଛୁଆ, ତାଙ୍କୁ ବି ସମ୍ଭାଳିବ ତୁମେ ।”

 

“ମୋର ଭଲା କି ଦୋଷ, କହିଲ, ମୋ ଉପରେ ଖପା ହଉଚ ?”

 

ସାନ ସାନ ହୋଇ ଦି’ ବଖୁରି ଶୋଇବା ଘର । ଭିତର ପାଖ ବାରଣ୍ତା ଉପରେ ଲୁଗା ଶୁଖିବାକୁ ତାରଟିଏ ବନ୍ଧା ହୋଇଛି । ଶୁଆ ପିଞ୍ଜରା ସେଇଠି ଟଙ୍ଗା ହେଲା । ପିଲାଏ ବେଢ଼ି ବେଢ଼ି ଦେଖିଲେ, ନାନା ମନ୍ତବ୍ୟ କଲେ । ଶୁଆ ତା’ ପଛଆଡ଼ ସମ୍ଭାଳି ମଣିଷଙ୍କ ଆଡ଼କୁ ମୁହଁ ବୁଲେଇ ବୁଲେଇ ମୁଣ୍ତର ବେକର ରୁମ ଠିଆ କରି ଡରେଇବାକୁ ଠାଣି ଦେଖାଇଲା । କେହି ପାଖକୁ ଆସିଲେ ଚୋଟ ଚୋଟ କରି ହାଣିଲା ।

 

ନକୁଳ ତା’ର କାମରେ ବୁଲୁବୁଲୁ ହଠାତ୍ ଶୁଆକୁ ନିଘା କଲା । ଶୁଆଟା ସ୍ଥିରହୋଇ ଗୋଟାଏ ଆଖିରେ ତା’ ଆଡ଼କୁ ଅନାଇଁଛି । ଶାଗୁଆ ଚଟା ଫାଳ ମଝିରେ ଗୋଲ ହୋଇ ଗୋଟାଏ ସାନ ଆଖି । ନକୁଳର ଛାତି ଭିତର ଅଡ଼ୁଆ ଅଡ଼ୁଆ ଲାଗିଲା । ସତେ ଯେପରି ତା’ର ଘରକରଣା ଭିତରକୁ ସେହି କୁଆଡ଼ର ପିମ୍ପୁଟ୍‍କାର, ଆସି ପହଞ୍ଚିଛନ୍ତି ତାଙ୍କ ତାଚ୍ଛଲ୍ୟ ଓ ବିଦ୍ରୂପର କେଞ୍ଚା ଧରି । ସେ ନିକୁଟି ନିକୁଟି ଦେଖୁଛନ୍ତି । ଖାଲି ଚିରା, ସିଆଁ, ମସିହା, ଅର୍ଦ୍ଦାଉଳିଆ, ସବୁ ଏକାଠି ଗୋଟେଇ ପୋଟେଇ କୌଣସିମତେ ଦିନ ବଞ୍ଚିବା କଥା । ଆଠଟି ସନ୍ତାନ ଓ ସ୍ତ୍ରୀ ମିଶି ତା’ର ପରିବାରଟି ।

 

ତା’ପରେ ଭାତ ଖାଇବସିଥିଲାବେଳେ ସେ ଅନ୍ୟମନସ୍କ ରହିଲା । କିନ୍ତୁ ହାତ ଧୋଇଲାବେଳେ ପୁଣି ମନେ ପଡ଼ିଲା, ପିମ୍ପୁଟ୍‍କାର୍‍ ଧୂଆଁଖିଆ ବାଙ୍କୁଲି ଚିଲମଟା କାମୁଡ଼ି ଧରି ଗାରଡ଼େଇ ଅନାଇଁ କେମିତି କହନ୍ତି, ‘‘କେବେ ଆପଣ ସମୟରେ ଆସିବାକୁ ଶିଖିବେ ?”

 

କୁମ୍ପାନିର ଅଫିସ୍‍କୁ ଯାଉ ଯାଉ ଶୁଆଟା ବାରମ୍ବାର ତା’ର ମନେପଡ଼ୁଥିଲା, ଆଉ ବହୁତ ଦିନ ପରେ ସେ ଆଜି ଅତୀତକୁ ଅଣ୍ତାଳି ଅଣ୍ତାଳି ଆପଣା କ୍ଷତି ଓ କ୍ଷତକୁ ସୁମରୁଥିଲା । ହଁ, ସେତେବେଳେ ନକୁଳ ବୋଲି ଜଣେ ଜିଅନ୍ତା ମଣିଷ ଥିଲା । ତାଠିଁ ଥିଲା ଯୋଡ଼ିଏ ସମ୍ପଦ, ଯୌବନ ଓ ଉତ୍ସାହ । ତା’ପରେ ବାମ୍ଫ ପରି ସେ ଉଡ଼ିଗଲା, ଉଡ଼ିଗଲା, ପ୍ରତି ନିମେଷରେ । ସବୁ ଚାଲିଗଲା । ସେ ହାରିଗଲା । ଏଣିକି ପରର ଦୟାକୁ ବେଶି ଦାମୀ ଭାବେ, ନିଜଠିଁ ବିଶ୍ୱାସ ନାହିଁ ।

 

କିନ୍ତୁ ଅଫିସରେ ପହଞ୍ଚିଲାକ୍ଷଣି କେତେ ଲୋକ ତାକୁ ଆସି ବେଢ଼ିଗଲେ :

 

“ଶୁଆ ଦେଲାବେଳେ ବଡ଼ ସାହିବ କ’ଣ କହୁଥିଲେ ?”

 

ରମେଶବାବୁ କହିଲେ, ‘‘ଆପଣଙ୍କୁ ଏଥର ବୋଧହୁଏ ସରାଳି ଡିପୋର ବଡ଼ ମ୍ୟାନେଜର କାମରେ ପଠାଇବେ, ଜଣାପଡ଼ୁଛି । ନୂଆ ହୋଇ ଖୋଲିବ–”

 

‘‘ହଃ ! ଆଉ ଏ ଦିନେ !ଏତେ କାଳ ତ ଗଲା !”

 

ନକୁଳ ଦୀର୍ଘଶ୍ୱାସ ପକାଇଲା । ଲାଗୁଥାଏ, ସତେ ଯେମିତି ତାକୁ ସରାଳି ଡିପୋ ପଠାଯାଇଛି, ଆଉ ତା’ ମନରେ ଅଭିମାନ ଆସୁଛି ।

 

ରମେଶ ବାବୁ କହିଲେ ! ପିମ୍ପୁଟ୍‍କାର ମଣିଷ ଚିହ୍ନନ୍ତି, ଜର୍ମାନି ଆମେରିକା ଏତେ ଆଡ଼ କ’ଣ ମାହାଳିଆ ବୁଲିଛନ୍ତି !

 

ଅଜୟବାବୁ କହିଲେ, ‘‘କି ଘର ପିଲା, କେଡ଼େ ମନ !”

 

ବୁଢ଼ା କେଦାରବାବୁ କହିଲେ, ‘‘ଆଜ୍ଞା, ଏଥର ଆପଣଙ୍କୁ ମୋ କଥା ଲାଗିଲା । ଝିଅବୋଝ ଉଠେଇ ଅଣ୍ଟା ଭାଙ୍ଗିଯାଇଚି, ଏଣେ ପିଲାଟା ଇଞ୍ଜିନିଅରିଂ ପଢ଼ୁଛି ଯେ ଟଙ୍କା ଦେଇପାରୁନାଇଁ, କେତେବେଳେ ନାଁ କଟିଯିବ । ଯଦି ଆଉ କିଛି ନଦେବେ–”

 

ଅଜୟବାବୁ କହୁଲେ, ‘‘ନକୁଳବାବୁ ନିଶ୍ଚୟ କହିବେ । ସେ କ’ଣ ସେମିତିଆ ହେଇଚନ୍ତି-?”

 

ଜୀବନର ନାନା ଆର୍ତ୍ତନାଦ ଭିତରେ ସେତିକି ଘୋଷା ଶୁଭୁଥିଲା, ଜୟ ପିମ୍ପୁଟ୍‍କାର୍‍, ଜୟ ପିମ୍ପୁଟ୍‍କାର୍‍-!

 

ଡକରା ଆସିଲା, ଦନ୍ତା ସାହେବ ଡାକୁଛନ୍ତି ।

 

ବସିଛନ୍ତି ଓସାର ଲୋମଶ ଶ୍ରୀଯୁକ୍ତ ଦନ୍ତା । ଡିମା ଡିମା ଆଖିରେ ରକ୍ତଚାପ ରୋଗୀର ଚାହାଣିପରି ଦୃଷ୍ଟି । କହିଲେ, ‘‘ମତେ ଲାଗୁଛି, କାମ କାର୍ଯ୍ୟରେ ଆପଣଙ୍କର ଆଉ ମନ ନାହିଁ, ନକୁଳବାବୁ ! ଦେଖିଲେ, କି ବାଗରେ ଏ ହିସାବଟା କଷିଛନ୍ତି ? ଏମିତି କଲେ କୁମ୍ପାନିର କେତେଟଙ୍କା କ୍ଷତି ହେବ ?”

ପଦାକୁ ଆସିବାରୁ ଅଜୟବାବୁ ତୁନି ତୁନି କରି କହିଲେ, ‘‘ଶୁଆଟା ପେଇଁ ଲୋକେ ଈର୍ଷାରେ ଜଳିଯାଉଛନ୍ତି ଆଜ୍ଞା, ଦନ୍ତାଙ୍କ ଆଗରେ ଆପଣଙ୍କ ବିରୁଦ୍ଧରେ ଲଗେଇ ଯୋଡ଼ି କହିଛନ୍ତି ।’’

ଆଚ୍ଛା ଶୁଆ ଆସିଲା । ନକୁଳ ଚିନ୍ତିତ ହେଲା ।

ରାମା ଆଣି ନାଲି ଟହଟହ କଇଁଚିକାକୁଡ଼ିଟିଏ ଦେଇଗଲା । ହସିଦେଇ କହିଲା, ‘‘ଶୁଆକୁ ଦେବେ ।’’

ଘରକୁ ଫେରିଲା । ଦୁଆରମୁହଁରେ ସାତବର୍ଷର ପୁଅ ବୀର ଆସି ଭେଟିଲା ।

କହିଲା, ‘‘ମାଳଅପା ଆଙ୍ଗୁଠିକୁ ଶୁଆ କାମୁଡ଼ିଦେଇଚି, ବାପା, କନା ଗୁରାହେଇଚି । ମତେ କିଛି କଲାନାଇଁ, ମୋ ହାତରୁ ପିଜୁଳି ଖାଇଲା । ଆମର ସେ ଶୁଆକୁ ରଖିବା, ବାପା !”

ନଅ ବର୍ଷର ଝିଅ ହେମ କହିଲା, ‘‘ଶୁଆକୁ ବୀର କେଞ୍ଚୁଥିଲା, ବାପା !”

“ହଁ, ତୁ ଦେଖିଚୁ ?” ବୀର ଥୋଇଲା ତା’ ପିଠିରେ ଗୋଟାଏ । ହେମ ତା’ ଚୁଟିରୁ ଧରିଲା-। ତାଙ୍କ ବୋଉ ପାଟି କରି କରି ଆସିଲେ, କହିଲେ, ‘‘କାହା ଦେହ ସହିବ ଏଥିରେ ? ଦି’ମାସ ହେଇନାଇଁ ଶାଢ଼ି ଖଣ୍ଡକ କିଣା ହେଇଥିଲା, ତାରରେ ଶୁଖୁଥିଲା, ପବନରେ ଟିକିଏ ଉଡ଼ିଯାଇ ପିଞ୍ଜରାରେ ଲାଗିଗଲା ଯେ, ଦେଇଚି ତାକୁ ଚିରି । ଆଉ ଦର୍‍ହ ଖଣ୍ଡେ ବୋଲି ନାଇଁ । ମାଳ ଆଙ୍ଗୁଠିକି କ’ଣ କରିଚି ! ଦେଖିଥାନ୍ତ ସେ ପିଲାଟାର କଲବଲ । ଦି’ପହରଯାକ ତ କର୍‍ର କର୍‍ର–ଶୁଆଇ ଦେଲା ନାଇଁ ଟିକିଏ । ମୋ ମୁଣ୍ଡ ବିନ୍ଧିଲାଣି । ହେଇ ଦେଖିଲ, ପିଇବା ପାଣି ମାଠିଆ ପାଖରେ କେଡ଼େ ଅସନା କରିଚି !”

ବୀର କହିଲା, ‘‘ଶୁଆ ସିନେମାଗୀତ ବୋଲୁଚି, ବାପା !”

ତା’ ବୋଉ କହିଲା ‘‘ହ, ବୋଲୁଥିବ, ଆ ? ଯୋଉ ଜଞ୍ଜାଳ ଯେ, କହନା ।’’

ମାଳ ଆସିଲା । ଆଙ୍ଗୁଠିରେ କନା ଗୁରାହୋଇଛି । କହିଲା, ‘‘ପିଞ୍ଜରା କବାଟର ତାରଟାକୁ ବାରମ୍ବାର ଓଟାରି ପକୋଉଚି । ଗୋଟାଏ କନା ଧଡ଼ି ବାନ୍ଧିବି ବୋଲି ଭିଡ଼ି ଧରିଥିଲି ଯେ ଆଙ୍ଗୁଠିକୁ କାମୁଡ଼ିଦେଲା ।’’ ନକୁଳ ଦେଖିଲା । କହିଲା, ‘‘କନାଧଡ଼ି କ’ଣ ରଖିବ ? ହଉ ଥାଉ, ତା’ର କ’ଣ ଗୋଟାଏ ଉପାୟ କରିବା । ଆଜିକ ଚଳିଯାଉ ।’’ ନକୁଳ କଇଁଚିକାକୁଡ଼ି ଦେଖାଇଲା । ଶୁଆ ଓଲଟି ତା’ ଆଙ୍ଗୁଠିକୁ ଖୁମ୍ପିବାକୁ ଚେଷ୍ଟା କଲା । ନକୁଳ ଲେଉଟିଆସି ତା’ ଆଡ଼କୁ ଅନାଇରହିଲା । ପିମ୍ପୁଟ୍‍କାର ମନେପଡ଼ିଲେ ।

ଆଉ ତା’ ସଙ୍ଗେ ସଙ୍ଗେ ଲେଉଟିଆସିଲା ଆପଣା ଜୀବନ ଉପରେ ଗୋଟାଏ ଛି’କାର, ସଂସାର ଉପରେ ବିଦ୍ରୋହ । କି ପରିଣତି ପାଇଁ ମଣିଷ ଏ ଜୀବନରେ ବୋଝ ବୋହିଥିବ, କ’ଣ ହେବ ବୋଲି ? କେତେବେଳେ ପିମ୍ପୁଟ୍‍କାର୍‍ଙ୍କ ଠାଣି, ଦନ୍ତାଙ୍କର କଥାର ଦାଢ଼ ରୁଗୁ ରୁଗୁ ହୋଇ ଜଳିଉଠୁଛି, କେତେବେଳେ ସଂସାରଟାକୁ ଛାଡ଼ିଦେଇ ଏକୁଟିଆ ହୋଇ ସେ ଆକାଶରେ ଉଡ଼ି ଚାଲିଛି । ଲାଗୁଛି, ଏଇ ଘର, ଏ ପରିବାର–ଏମାନେ ସବୁ କିଏ, ତାର କ’ଣ ?

ତା’ର ସ୍ତ୍ରୀ କହିଲେ, ‘‘ଜଳଖିଆ ଖାଇଲ ନାହିଁ, କିଛି କଲ ନାହିଁ, ଖାଲି ବସିଚ ।’’

ନକୁଳ ଉଠିପଡ଼ିଲା । ପିମ୍ପୁଟ୍‍କାର୍‍ଙ୍କ ପ୍ରତିନିଧି ପରି ଶୁଆଟା ବସିଥିଲା ତା’ର ମନର ଶେଷ ଅକୁହା ଅଭିଯୋଗ ଶୁଣିବାପାଇଁ । ହଠାତ୍‍ ସେ ପାଟିକରି ଉଠିଲା । କର୍କଶ ସ୍ଵର, କିଛି ବୁଝି ହେଉନାହିଁ । ଦୋଷ ଦେଲା ପରି ଚାହାଣି କରି ହିଂସାରେ ତା’ ଆଡ଼କୁ ଅନାଇଦେଇ ନକୁଳ ତା’ କାମରେ ଗଲା ।

 

ମୁଣ୍ଡରୁ ଝାଳ ବୋହିଲା । ପବନରେ ସେ ଶୁଖିଲା । ମନର ଭାବନା ବଦଳିଲା । ସଞ୍ଜ ହେଲା, ଆଲୁଅ ଲାଗିଲା, ପିଲାଏ ପଢ଼ି ବସିଲେ, ଗୃହିଣୀ ରୋଷେଇଘରେ ରନ୍ଧା ଆରମ୍ଭ କରିଦେଲେ । ସୁନ୍ଦରଭାବେ ଗୁନ୍ଥାଗୁନ୍ଥି ଗୋଟାଏ ନିଦା ପରିବାର, ଏତେବଡ଼ ପୃଥିବୀଯାକର ମଣିଷଗହଳି ଭିତରେ ସଂସ୍ଥିତିର ଗୋଟାଏ ଏକ ସଂଖ୍ୟା । ନକୁଳ ଚାହା ପିଉ ପିଉ ଭାବିଲା, ୟାର ବିନାଶ ନାହିଁ, ୟେ ଭାଙ୍ଗେ, ମିଶେ, ଫେଡ଼ିହୁଏ, କିନ୍ତୁ ଯେତେବେଳେ ଦେଖିଲେ ହେଲେ ଯେଉଁ ରୂପରେ ହେଲେ ସେ ରହିଥାଏ । ୟାର ଅତୀତ ଥିଲା, ଭବିଷ୍ୟତ ଅଛି । ସେ ଯାହା କରିପାରିନାହିଁ ତା’ ହୁଏତ କରିପାରିବେ ତା’ର ପିଲାଏ । ୟାଙ୍କରି ଭିତରୁ କିଏ ଜଣେ ପିମ୍ପୁଟ୍‍କାର୍‍ଠୁଁ ଆହୁରି ପ୍ରତାପୀ ହୋଇ ବାହାରିବ ।

 

“ପଢ଼ ବାପା, ପଢ଼,” ସେ କହିଲା, ‘‘ଲାଗିଥାଅ, ବଳେ ମଣିଷ ହେବ ।’’

 

ଅନ୍ଧାରି ଆକାଶଯାକ ତାରା ଝିଲିମିଲି ଦିଶିଲେ । ସୁଲୁ ସୁଲୁ ପବନ ହେଲା । କୁଆଡ଼ୁ ଭାସିଆସିଲା ସଙ୍ଗୀତ । ରୋଷେଇଘରୁ ଖଡ଼ର ଖଡ଼ର ଶୁଭିଲା । ନକୁଳର ଭାବନା ଆହୁରି ବଦଳିଲା । ପାନ ମାଗିବ ବୋଲି ତା’ର ସ୍ତ୍ରୀକୁ ଡାକି ସେ କହିଲା, ‘‘ରମେଶବାବୁ ଆଜି ଅଫିସରେ କ’ଣ କହୁଥିଲେ, ଶୁଣିଚ ? କହୁଥିଲେ, ମତେ ସରାଳି ଡିପୋର–’’

 

“ରଖିଥାଅ ସେ କଥାଗୁଡ଼ାକ, ତେଣେ ଶାଗ ବସେଇ ଦେଇ ଆସିଚି, ଲାଗିଯିବ, ମୁଁ ଯାଏଁ–’’

 

“ଆରେ ବାବୁ, କିଏ କହିପାରିବ ? ଭଗବାନ ମନ କଲେ–’’

 

ସ୍ତ୍ରୀ ଶୁଣିଲେ ନାହିଁ । କିନ୍ତୁ ପୁଣି ସେ ମନେ ମନେ ଆଶାର ଅଠା-କାଣ୍ଡିଆ ଯୋଡ଼ିଯୋଡ଼ିକା ଉପରକୁ ଟେକିଲା । ଶୁଆ, ପିମ୍ପୁଟ୍‍କାର୍‍, ତା’ର ଭବିଷ୍ୟତ ।

 

ସେଦିନ ରାତିରେ ଠାକୁରଙ୍କୁ ଦଣ୍ଡବତ କରି ସେ ଯେତେବେଳେ ବିଛଣାରେ ପଡ଼ି ଆଖି ବୁଜିଲା, ତା’ ଗାଲ ଓଠ ଦିଶୁଥିଲା ଅଳ୍ପ ହସିଲା ପରି ।

 

ଛାଇନିଦ ଲାଗିଆସିଥାଏ । କାନ ଅତରା ପକାଇ ଶୁଆ କର୍‍ର କର୍‍ର ଡକା ଛାଡ଼ିଲା । ନିଦବାଉଳାରେ ଉଠିପଡ଼ି ନକୁଳ ପଦାକୁ ଦୌଡ଼ିଲା । ଯାଉ ଯାଉ ସବୁ ତୁନି । ପିଞ୍ଜରା ଉପରୁ ଦୁମ୍‍କିନା ତଳକୁ ଡେଇଁପଡ଼ି କଳା ବିଲେଇଟାଏ ଦୌଡ଼ିପଳାଇଲା । ପିଞ୍ଜରା ଖାଲି ପଡ଼ିଛି । ଦୁଆରମୁହଁଟା ଖୋଲା ।

Image

 

ଦୁଇ ବୀର

 

ଦୁହେଁ ଦୁହିଁଙ୍କୁ ଭାବୁଥିଲେ ବୀର ବୋଲି । ଜଗୁ ପରିଡ଼ା ଆଉ ଗୁମ୍ପା ସ୍ଵାମୀ । ପରସ୍ପରକୁ ବହୁତ ପ୍ରଶଂସା ସେମାନେ କରୁଥିଲେ । ଏକାଠି ମନଖୁସିରେ ସିଗାରେଟ୍‍ ଶୋଷି ଶୋଷି ନାନା କଥା ପକାଇ ସେମାନେ ଅଫିସରୁ ଫେରୁଥିଲେ ଗୁମ୍ପା ସ୍ୱାମୀର ବସାଆଡ଼କୁ ।

 

ଜଣକର ଘର କୁଜଙ୍ଗ ଷଣ୍ଢକୁଦ ପାଖେ । ସେ କହୁଥିଲା, କେମିତି ମୁଢ଼ି ଚୋବେଇ ଚୋବେଇ ଦି’କୋଶ ବାଟ ଚାଲି ଚାଲି ଯାଇ ସେ ପିଲାଦିନେ ତା’ର ପ୍ରାଥମିକ ଶିକ୍ଷା ଶେଷ କରିଥିଲା । ତା’ପରେ କୁଜଙ୍ଗରେ ମ୍ୟାନେଜରବାବୁଙ୍କ ଘରେ ରୋଷେଇ କରି ହାଇସ୍କୁଲ ପାଠ ଶେଷ କଲା । ତା’ପରେ କଟକରେ ଟିଉସନ କରି ବି.ଏ. ଶେଷ ଯାକେ ପାଖେ ଜିଦ୍‍, ପାଖେ ପରିସ୍ଥିତି, ଏହିପରି ମହାଯୁଦ୍ଧ କରି ସେ ମଣିଷ ହୋଇ ଠିଆହେଲା । ଅଳ୍ପ ଖାଇ ଛିଣ୍ଡା ପିନ୍ଧି କେବେ ଉପାସ କେବେ ଭୋକ ଏହିପରି ହୋଇ ସେ ତା’ର ଟଳମଟଳ ନାହାଟି ବାହି ଚାଲିଛି । ଏହାରି ଭିତରେ ସେ ତା’ ସାନଭାଇକି ପାଠ ପଢ଼ାଇଛି, ଯୋଡ଼ିଏ ଭଉଣୀ ବିଭା କରିଛି । ବାପା ବେମାର ପଡ଼ିଲେ ଯେ ତାଙ୍କ ଚିକିତ୍ସାରେ ସାତଶ ସରିକି ଟଙ୍କା ଖର୍ଚ୍ଚ କଲା, ଯଦିଚ ଶେଷରେ ତାଙ୍କୁ ଅଟକାଇ ପାରିଲା ନାହିଁ, ସେ ଗଲେ । ଆଉ ଏଣେ ତା’ର ସଂସାର, ତିନୋଟି ଝିଅ, ଗୋଟିଏ ପୁଅ, ସେ ଓ ତା’ର ସ୍ତ୍ରୀ । ସଞ୍ଚୟ ନାହିଁ, କରଜ କିଛି ହୋଇଯାଇଛି, ତା’ ସେ ଶୁଝିଦେବ । ଘର ନ ଥିଲେ ବି ବସାଟିଏ ତ ଅଛି ନିଶ୍ଚୟ । ଜମି ନାହିଁ, କିନ୍ତୁ ଚାକିରି ଅଛି । ଆଉ ଅଛି, ଅଟଳ ଈଶ୍ଵର ବିଶ୍ୱାସ । ସେହି ତ ସମସ୍ତିଙ୍କି ସମ୍ଭାଳିଛନ୍ତି, ନହେଲେ ଆଉ କିଏ ?

 

ତା’ କଥା ଅମୃତ ପରି ଶୁଭୁଥିଲା ଗୁମ୍ପା ସ୍ଵାମୀ କାନକୁ । ସରୁ ହୋଇ ବାଙ୍ଗର ହୋଇ ଲୋକଟିଏ ୟେ ମିଷ୍ଟର ପରିଡ଼ା, ଉଞ୍ଚରେ ତା’ର କାନ ଖାଇବ, ଆଖି ତଳେ ଦି’ ଗାଲର ହାଡ଼ କେମିତି ଟିକିଏ ଉଞ୍ଚା ଉଞ୍ଚା, ଥୋମଣିଟି କୋଡ଼ି ଫାଳ ପରି ଦାଢ଼ୁଆ, ସେମିତି ଚଉଖୁଣ୍ଟ ନାକ, ଅଗ ମୁନିଆ ହୋଇ ଚିକିଚିକି ଦିଶୁଛି, ଚାହିଁଲେ ଲାଗେ ଯେମିତିକି ଭାବପ୍ରବଣ ଅବସ୍ଥାରେ ଏ ନାକଟିବି ଥରି ଥରି ଉଠୁଥିବ, ସେମିତି ଭାବପ୍ରବଣ ହୋଇ ଥରିବାକୁ, ଥନଥନ ହେବାକୁ ତ ଏ ଆଖି, ଏ ନାକ, ଏ ମୁହଁର ଠାଣି । ସଫା ଖୋଲା ମୁହଁଟିଏ, ଅକପଟ ଏଇ ଅଳ୍ପ ମୋଟା ଓଠର ଠାଣି, ଯେପରିକି ସେ ସ୍ପଷ୍ଟ କଥା କହିବାକୁ ହିଁ ଅଭ୍ୟସ୍ତ । ଖଇରିଆ ଚମ, କିନ୍ତୁ ତା’ ଉପରେ ନିଶ୍ଚିନ୍ତପଣର ସ୍ୱାସ୍ଥ୍ୟ ଆଉ ଆଭା । ଯାହା କଥା ମନେ ପକାଇଦିଏ ଏ ମୁହଁ ଆଉ ମଝିରେ ମଝିରେ ଏଇ କାନ୍ଧର ଝଂକ କଥା କହୁ କହୁ ମଝିରେ ମଝିରେ ଯେମିତି ତା’ର କାନ୍ଧ ଦି’ଟା ନାଚିଉଠେ, ଆଖିରେ ପିଲାଳିଆ ହସ, କାହା କଥା ?

 

ହଁ, ଆପୁଦୋରାଇ ମନେ ପଡ଼େ ତ, ଆଉ କିଏ ? କଲେଜ ଜୀବନରେ ସେହି ଥିଲା ତା’ର ଅତି ଅନ୍ତରଙ୍ଗ ବନ୍ଧୁ, ଆପୁଦୋରାଇ ଆୟର୍‍ । ପାସ୍‍ କରିସାରି ସେ ଚାଲିଗଲା ମାଳୟ ସିଙ୍ଗାପୁର, ଆଉ ତା’ ସଙ୍ଗେ ଦେଖା ନାହିଁ । ତା’ର ବିଭାଘର ହେଲା, ଆପୁଦୋରାଇ ତା’ ସ୍ତ୍ରୀକୁ ଦେଖିପାରିଲା ନାହିଁ । ଅବିବାହିତ ଅବସ୍ଥାରେ ସେମାନେ ଯେତେବେଳେ ପରସ୍ପରଙ୍କ ଭାବୀ ପତ୍ନୀମାନଙ୍କ ବିଷୟରେ କଳ୍ପନା କରି ହସାହସି ହେଉଥିଲେ ସେତେବେଳେ ଆପୁଦୋରାଇ ତା’ ସ୍ତ୍ରୀର ଗୋଟାଏ ବର୍ଣ୍ଣନା ଦେଇଥିଲା । ଆଶ୍ଚର୍ଯ୍ୟ ପ୍ରକାରେ ପଛେ ତା’ ମିଳିଗଲା । କେମିତି ଜାଣିପାରିଥିଲା ସେ ? କେତେଥର ତା’ର ଇଚ୍ଛା ହୋଇଛି, ଆପୁଦୋରାଇକୁ ଆଣି ସେ ତା’ ସ୍ତ୍ରୀକୁ ଦେଖାନ୍ତା, କହନ୍ତା, ନେ ତୋ ଭାଉଜକୁ ଆପୁ, ଯାହାକୁ କଳ୍ପନା କରୁଥିଲେ, ପଡ଼ ତା’ ଗୋଡ଼ତଳେ । ତା’ ଆଉ ହୋଇପାରିଲା ନାହିଁ ।

 

ଆପୁ ତାଠୁଁ ବୟସରେ ଚାରିବର୍ଷ ସାନ, ସେହି କଥା ବି ତ ସେ କହିଥିଲା ପରିଡ଼ା ଆଗରେ । ବହୁତ ଡେରିରେ ସେ ପାଠ ପଢ଼ିଥିଲା । ଦୂର ତ୍ରିଚୂର ଜିଲାରେ ତା’ ଘର । ସାତବର୍ଷ ବେଳେ ବାପା ମରିଗଲେ । ମା’ ତାକୁହିଁ ଶାଖା କରି ଗୋଟିଏ କଫି ଦୋକାନ ଖୋଲିଦେଲା । ତା’ ତଳେ ପାଞ୍ଚବର୍ଷର ଭାଇଟିଏ, ତିନିବର୍ଷର ଭାଇଟିଏ, ନଅ ମାସର ସାନ ଭଉଣୀଟିଏ । ରାତିରୁ ଉଠି ବିକ୍ରିପାଇଁ ପିଠାପଣା କରିବାରେ ମା’କୁ ସାହାଯ୍ୟ କରିବାକୁ ପଡ଼େ । ଦିନରେ ତ ସହଜେ ସେ କାମରେ ଲୋଟେ । ଖଲିପତ୍ର ସିଇଁ ଶିଖିଗଲା, ପିଠା ବି କେଇଟା ଶିଖିଗଲା । ଆଉ ଶିଖିଥିଲା ଗୀତ ବୋଲା । ଜଣେ ଅନ୍ଧ ଭିକାରି ବୁଲି ବୁଲି ଆସି ତାଙ୍କରି ପିଣ୍ଡାରେ ଆଶ୍ରୟ ନିଏ । ସିଦ୍ଧକବି ସଙ୍ଗୀତକାର ମହାପୁରୁଷ ତ୍ୟାଗରାଜଙ୍କର ଅନେକ କୃତି ସେ ମନେ ରଖିଥିଲା, ଠିକଣା ରାଗରାଗିଣୀ ଦେଇ ବୋଲି ପାରୁଥିଲା । କେବଳ ଭିକାରିର ଗଳାଟା ଥିଲା ଘାଗଡ଼ା ଆଉ ଫଟା, ସବୁବେଳେ କଫ ସଡ଼ସଡ଼ ବିଚରା, ନଟରା କାଶ ଉଠେ । କିନ୍ତୁ ଗୁମ୍ପାର ସ୍ୱରଟି ଭାରି ସୁନ୍ଦର ଥିଲା-। ସେ ତ୍ୟାଗରାଜ ବୋଲିଲେ ଲୋକେ ଭାରି ପ୍ରଶଂସା କରୁଥିଲେ । କେତେ ଗରାଖି ତ ତାଠୁଁ ଗୀତ ଶୁଣିବାକୁ ଆସି ପେଟେ ପେଟେ ଜଳଖିଆ ଖାଇ ଯାଉଥିଲେ । ସଞ୍ଜବୁଡ଼େ ସେ ମନ ଖୋଲି ଗୀତ ବୋଲେ । ସେତିକିବେଳେ ଦୋକାନରେ ଭିଡ଼ ହୁଏ ।

 

ତା’ପରେ ସେହି ଗରାଖିଙ୍କ ଭିତରୁ ଜଣେ ତାକୁ ପାଠ ପଢ଼ାଇଲେ । ଜଣେ ମାଲୟାଲୀ ଭଦ୍ରଲୋକ, ନାଁଟି ବି ସେହିପରି–ଭଦ୍ରାପ୍‍ପା, ନୂଆ ଡାକବାବୁ । ତାଙ୍କରି ଯତ୍ନ, ଉତ୍ସାହ ଓ ସାହାଯ୍ୟ ପାଇ ସେଠି ଥିବାଯାକେ ଚାରି ବର୍ଷରେ ଚାରୋଟି ଶ୍ରେଣୀ ପାସ୍‍କରି ବୃତ୍ତି ପାଇ ପାଇ ଆଉ ଚାରୋଟି ଶ୍ରେଣୀ ବି ଟପିଗଲା । ଆପେ ମାଷ୍ଟର ହେଲା । ଏଣେ କଫି ହୋଟେଲ ଖବର ବି ବୁଝେ, ଘରର କାମଦାମରେ ଭାଗ ନିଏ । ରାତି ଏଗାରଟାରୁ ଦୁଇଟାଯାକେ କଲେଜ ପାଠର ବହି ଘୋଷେ-। ତାହାରି ଭିତରେ ପୁଣି ଅବସ୍ଥା ସହିତ ନାନା ଯୁଦ୍ଧ–ଶୀତଦିନେ ଶୀତ ଲୁଗା ନାହିଁ, ରାତିରେ ଦେହ କୋଲ ମାରିଯାଉଥିବ, ଆଖି ମାଡ଼ି ମାଡ଼ି ପଡ଼ୁଥିବ, ଘରଯାକ ବୁଲି ଦେହକୁ ହାତରେ ଘଷି, ବେଶି ବଳାଇଲେ ଦଣ୍ଡ ବୈଠକ କରି ଦେହକୁ ଉଷୁମେଇଁ ଚାଲିଥିବ ପୁଣି ପଢ଼ା କାମ । ମୋଟେ ଗୋଟିଏ ଉମହେଇଁ ଯେ ସେ ରହିଥିବ ଆଉ ତିନୋଟିଙ୍କ ଶୋଇଲା କତିରେ । ଖରାଦିନେ ଝୋଲା ମାରି ଯାଉଥିବ, ତାହାରି ଉପରେ ପଡ଼ୁଥିବ ଦେହ ପରିଶ୍ରମ । ଆଉ ଭୋକ ଉପାସ ତ ସହଜେ । ବି.ଏ.ପାସ୍‍ ସରିଲା । ଚାକିରିଖଣ୍ଡେ ମିଳିଗଲା । ଚଳିଗଲା କୌଣସିମତେ, କିନ୍ତୁ ଅଭାବ ଘୁଞ୍ଚିଲା ନାହିଁ । ମା’ ମରିବା ସଙ୍ଗେ ସଙ୍ଗେ କଫି ହୋଟେଲଟି ବି ଉଠିଯାଇଥିଲା । ତେବେ ସେ ତା’ର ଯୋଡ଼ିକଯାକ ଭାଇଙ୍କି ପାଠ ପଢ଼ାଇଛି । ସେମାନେ ସ୍ଵାବଲମ୍ବୀ ହେଲେଣି । ଗୋଟିକି ବିଭା ବି କରାଇଦେଇଛି । ଘରେ ସେ, ତା’ର ସ୍ତ୍ରୀ, ତା’ର ସାନଭଉଣୀ, ତା’ର ନିଜର ପାଞ୍ଚଟି ପୁଅ । ସଞ୍ଚୟ ନାହିଁ, ଘର ନାହିଁ କି ଜମିବାଡ଼ି ନାହିଁ । ଉପାସ ଭୋକରେ ଚଳିଯାଆନ୍ତି, କିନ୍ତୁ କରଜ ବି ନାହିଁ ।

 

ଜଗୁ ପରିଡ଼ା ବି ସ୍ନେହରେ ଅନାଇଁଥିଲା ତାକୁ । ଗୋଟାଏ ଲମ୍ବା ଚଉଡ଼ା ମଣିଷ, ଶ୍ୟାମଳ ବର୍ଣ୍ଣ, ବଳିଲା ବଳିଲା ଦେହ ହାତ, ବଡ଼ ମାଉଁସିଆ ମୁହଁ, ମୁଣ୍ଡବାଳ ସିଧା ଦି’ଭାଗ ହୋଇ ଫିରେଇ ହୋଇଛି ଯେ ଦି’ପାଖେ କୁଞ୍ଚକୁଞ୍ଚିଆ କଳା ବାଳ ମୋଡ଼ି ମୋଡ଼ି ହୋଇଛି । କପାଳରେ ସିନ୍ଦୂର ଟୋପାଟିଏ । ମୁହଁରେ ସବୁବେଳେ ହସ । ପ୍ରଶାନ୍ତ ମୁହଁରେ ଅଧା ବୁଜି ହେଲା ପରି ଆଖିଯୋଡ଼ିକ ବେଳେବେଳେ ଯେତେବେଳେ ଅଳ୍ପ ଢାଙ୍କି ହୋଇ ପଡ଼େ ସେତେବେଳେ ସେହି ଧନୁପରି ଭ୍ରୂଲତା ତଳେ ଯେଉଁ ଚାହାଣି ସେ ମୁହଁରେ ଫୁଟିଉଠେ ସେ ଗୋଟିଏ ଅତି ଉଦାର ସହାନୁଭୂତିର, ସେ ମୁହଁର ଶାନ୍ତ ସଂଯମତାକୁ ଆକୃଷ୍ଟ କରିଥିଲା । ମନ ଲୋଡ଼ିଥିଲା, ସବୁ କଥା ଖୋଲି ଏହାରି ଆଗରେ କହିଦେଲେ ହାଲୁକା ଲାଗନ୍ତା । ସବୁ ଶୁଣି ଶୁଣି ଆଖିକୁ ଢଳଢଳ କରି ସେ ଯେପରି କାନ୍ଦି ଉପରେ ବାଁକୁ ଡାହାଣକୁ ମୁଣ୍ଡଟି ଝାଙ୍କେ, ସେତିକିରେ ଯେପରିକି ଅଉଲପଣ ହସିଉଠେ ତା’ର ହସରେ ।

 

କିଏ କେଉଁଆଡ଼ର ସେମାନେ, ଚିହ୍ନା ମୋଟେ ପନ୍ଦର ଦିନର । ଅଫିସ ଭୁବନେଶ୍ୱରକୁ ଉଠିଆସିଛି, ଗୁମ୍ପା ସ୍ଵାମୀ ଏଠକି ବଦଳିହୋଇ ଆସିଛି । ଜଗୁ ତ ମୂଳ ଅଫିସରେହିଁ ଥିଲା, ଅଫିସ ସହିତ ଏକାଠି ଆସିଛି । ସାତ ସହ ସହକର୍ମୀଙ୍କର ଗୋଟିଏ ଅଫିସ୍‍, ସେଠି କେଉଁ ଗାଁର କେଉଁ ସହରର ଲୋକ ଆସି ଏକାଠି କାମ କରନ୍ତି । ପାଞ୍ଚଟା ବାଜିଲେ ଏକାଠି ଗୋଛା ହୋଇ ବାହାରି କିଏ କେଉଁଆଡ଼େ ଚାଲିଯାଆନ୍ତି, ନାନା ଦିଗକୁ ମୁହେଁଇ ସାଇକଲ ଆଉ କଥା କୁହାକୋହି ହେଉଥିବା ମଣିଷଙ୍କ ସାନ ସାନ ଦଳ । ଝିଅ ପିଲାଏ ବି କୁହାକୋହି ହେଉଥିବା ମଣିଷଙ୍କ ସାନ ସାନ ଦଳ । ଝିଅ ପିଲାଏ ବି ସେ ଦଳଭିତରେ ବାହାରି ଚାଲିଯାଆନ୍ତି ।

 

ସାତ ଶହ ଲୋକଙ୍କର ଛୋଟିଆ ପୃଥିବୀ ଭିତରେ ଜଗୁ ପରିଡ଼ା ଆଉ ଗେଦେଲା ଗୁମ୍ପା ସ୍ଵାମୀ ପରସ୍ପରକୁ ବାଛିନେଇଥିଲେ । ଗୋଟାଏ ଲମ୍ବ ଘରର ଦୁଇ ମୁଣ୍ଡରେ ସେମାନଙ୍କର ବସିବା ଜାଗା, ମଝିରେ ଧାଡ଼ି ଧାଡ଼ି ହୋଇ ଟେବୁଲ୍‍, ଚୌକି, ଆଲମାରି, ଫାଇଲ୍‍ ଗଦା; ଦୁଇ କରରେ ପାରାଖୋପ ପରି ସାନ ସାନ ବଖୁରି, ପୁଣି ଆଲମାରି ଘେର ଭିତରେ ଆହୁରି କେତେ । ମଝିରେ କେତେ ମୁହଁ, କେତେ ମୂର୍ତ୍ତିମନ୍ତ ଇତିହାସ । ତଥାପି ଏପାଖୁ ଏ ଯାଏ, ସେପାଖରୁ ସେ ଆସେ । ଲାଗେ, ସତେକି ଭାବିଚିନ୍ତି କଳି ତୁଳି ଅନ୍ଧିସନ୍ଧି ଭିତରେ ବଛାବଛି କରି ସେମାନେ ପରସ୍ପରକୁ ଖୋଜି ବାହାର କରିଛନ୍ତି ।

 

ଅଥଚ ମୂଳର କଥା ଭାବିବାସିଲେ ସେମିତି କିଛି ନୁହେଁ । ପଶ୍ଚିମ ଦୁଆରପାଖେ ପରିସ୍ରା କରିବା ବଖୁରି । ଖୋପ ଖୋପ ହୋଇ ପାଞ୍ଚ ଜଣଙ୍କ ପାଇଁ ଜାଗା ଥିଲେ ବି ସାଧାରଣତଃ ଯେ ପଶେ ସେ କବାଟ ଦିଏ । ସେହି ଦୁଆରମୁହଁଆଡ଼କୁ ତରତର ହୋଇ ଜଗୁ ପରିଡ଼ା ଚାଲିଥିଲା; ସିମେଣ୍ଟ ଗଳିରାସ୍ତା ଉପରେ ଠକ୍‍ଠାକ୍‍ ଶୁଭୁଥିଲା ତା’ର ଜୋତା ଶବ୍ଦ । ଅନ୍ୟମନସ୍କପଣ ଭାଙ୍ଗିଗଲା, ଆଗରେ ଅଛି ଆଉ ଜଣେ, ସେ ଆଗ ପଶିବ । କିନ୍ତୁ ସେ ଆଗ ଜଣକ ବୁଲିପଡ଼ି ଅନାଇଁଲା, ଦୁଆରମୁହଁକୁ ଚାଲି ନ ଯାଇ ଘୁଞ୍ଚିଯାଇ ଆଡ଼େଇ ଠିଆ ହେଲା । ସେତେବେଳେ ବି ଜଗୁ ପରିଡ଼ା ତା’ ମୁହଁଆଡ଼କୁ ଭଲକରି ଚାହିଁ ନାହିଁ । ସେ ଭିତରେ ପଶି ନିଠେଇ ନିଠେଇ କବାଟ ବନ୍ଦ କଲା । ପଦାକୁ ବାହାରିଲା, ଦେଖିଲା, ସେହି ଆର ଜଣକ ସେମିତି ଅପେକ୍ଷା କରି ଠିଆ ହୋଇଛି; ମୁହଁକୁ ଚାହିଁଲା, ଆର ଜଣକ ଅଳ୍ପ ହସିଦେଲା; ଭିତରକୁ ଗଲା । ଏଇ ସାମାନ୍ୟ ଘଟଣାରେ ଯେପରିକି ଗୋଟାଏ ବଡ଼ ମଣିଷପାଣିଆର ଘେନାଘେନି ଘଟିଯାଇଥିଲା । ଜଗୁ ପରିଡ଼ା ଚାଲିଗଲା ନାହିଁ । ଅପେକ୍ଷା କରି ଠିଆ ହେଲା । ଭିତରେ ଫିନାଇଲ୍‍ ଆଉ ଗନ୍ଧକର୍ପୂର ଗୁଳି ପଡ଼ିଛି-। ସବୁ ମିଶି ଗୋଟାଏ ଉତ୍କଟ କଡ଼ା ଗନ୍ଧ ନାକରେ ବାଜୁଛି । ଠିଆ ହେବା ଜାଗା ସେ ନୁହଁ । ଜଗୁ ପରିଡ଼ା ଟହଲିଲା । ସେପାଖେ ବଡ଼ ମେଲା ଦୁଆରମୁହଁବାଟେ ଖୋଲା ଆକାଶଟା ଦିଶୁଛି-। କୋଠାବାଡି, ଗୋଟିଗୋଟିକିଆ ଗଛ, ଢାଲୁଆ ଟାଙ୍ଗି ତଳକୁ ତଳ ଖସିଛି; କେତେ ଦୂରରେ ଗୋଟାଏ ଗାଁର ଗଛଗହଳି ଟାଣ ହୋଇ ଧାଡ଼ି ବାନ୍ଧିଛି । ହୁଙ୍କା ଚାରି କରେ ବୁଦାଭିତରେ ଛେଳିପଲ ଚରୁଛନ୍ତି । ଧଳା ଧଳା ହୋଇ ଇଲେକ୍‍ଟ୍ରିକ୍‍ ଲାଇନ୍‍ର ଖୁଣ୍ଟ ଠିଆ ହୋଇଛି । ଖରା ପଡ଼ିଛି । ଚଢ଼େଇ ଉଡ଼ୁଛନ୍ତି । ପଦାକୁ ମୁହଁ କରି ସେହିଆଡ଼େ ଦୃଷ୍ଟି ଥାପିଲାତକ ଜଗୁ ପରିଡ଼ାର ମନ ଭିତରେ ଉଙ୍କି ମାରୁଥିଲା ସେହି ଅଜଣା ଲୋକର ମୁହଁଟି, ସେହି ଯେ ତା’ର କିଛି ନୁହେଁ, ଯାହା ସଙ୍ଗେ ତା’ର କିଛି ସମ୍ବନ୍ଧ ନାହିଁ-। ମନ ହେଉଥିଲା, ଆଗ ସେ ଭିତରକୁ ନ ପଶି ଆଗରେ ଥିବା ସେହି ଜଣକୁ ବାଟ ଛାଡ଼ିଦେଇଥିଲେ ଭଲ ହୋଇଥାନ୍ତା ପରା !

 

କବାଟ ଖୋଲିଲା, ଆରକ ବାହାରିଲା । ପୁଣି ତାକୁ ଦେଖି ପକାଇଲା; ମାତ୍ରେ ଧଳା ଦାନ୍ତ ଉପରୁ ଅଳ୍ପକେ ଓଠ ଉଠିଗଲା ।

 

ତା’ପରେ ଆଳାପ ଆରମ୍ଭ ହୋଇଗଲା, ଅତି ଧୀରେ ଧୀରେ । ଶବ୍ଦ ବେଶି ନୁହେଁ; ଭାବ ବେଶି । ତା’ର ମାଧ୍ୟମ ଓଡ଼ିଆ ନୁହେଁ, ତେଲୁଗୁ ନୁହେଁ, ଇଂରେଜୀ । ଉଚ୍ଚାରଣ ଶୁଣି ଚିହ୍ନରା କେହି ହୋଇଥିଲେ ବାରିପାରିଥାନ୍ତେ ପରା, ଜଗୁ ପରିଡ଼ାର ଇଂରେଜୀରେ ଓଡ଼ିଆ ଉଚ୍ଚାରଣ, ଗୁମ୍ପାସ୍ୱାମୀର କହିବା ଭଙ୍ଗୀରେ ବିଶୁଦ୍ଧ ତେଲୁଗୁ ଉଚ୍ଚାରଣ । ସେମାନେ ଆଦୌ ପରିଶ୍ରମ କରିନାହାନ୍ତି ସାହେବ ପରି ଇଂରେଜୀ କୁହାକୋହି ହେବାକୁ । ପରସ୍ପରର କଥା ବୁଝିଥିଲେ ସେମାନେ, ଆଉ କିଛି ଲୋଡ଼ୁ ନ ଥିଲେ । ଗପୁ ଗପୁ ଦୁହେଁ ପଦାକୁ ବାହାରିଗଲେ । ଖଣ୍ଡେଦୂରରେ ହତା ଫାଟକପାଖେ ରାସ୍ତା କରରେ ଗୋଟିଏ ପାନ ଦୋକାନ । ଗୁମ୍ପାସ୍ଵାମୀ ସିଗାରେଟ୍‍ କିଣି ଜଗୁ ପରିଡ଼ାକୁ ଦେଇଥିଲା, ଜଗୁ ପରିଡ଼ା ତାକୁ ଦେଇଥିଲା ପାନ । ଗୋଟାଏ ନୂଆ ସମ୍ବନ୍ଧ ଆରମ୍ଭ ହୋଇଥିଲା ।

 

ତା’ପରେ ପ୍ରତିଦିନ ଦେଖାଚାହାଁ, କଥାଭାଷା, ଦୁଃଖସୁଖ । ବଡ଼ ଚଞ୍ଚଳଘନିଷ୍ଠତା ବଢ଼ିଉଠିଲା । ପରସ୍ପରର ଜୀବନସଂଗ୍ରାମ ଆଉ ଦୁଃଖଜଞ୍ଜାଳ କଥା କୁହାକୋହି ହୋଇ ସେମାନେ ସତେକି ଛାତି ହାଲୁକା କରିବା ସଙ୍ଗେ ସଙ୍ଗେ କତିକି କତିକି ଆଉଜି ଆସୁଥିଲେ । ସେମାନେ ବୁଝିଥିଲେ, ସେମାନେ ଏକାଶ୍ରେଣୀର, ସେହି ଜଗତଯାକର ଖଟିଖିଆ ମଣିଷ, ଖଟି ଖଟି ଅତି କଷ୍ଟରେ ଟାଣି ଟାଣି ସଂସାର ଚଳାଇହୁଏ, ନାହା ବୁଡ଼ୁ ବୁଡ଼ୁ ହେଉଥାଏ, ବୁଡ଼େ ନାହିଁ । ସଞ୍ଜୟ ନାହିଁ, ଜମିବାଡ଼ି କି ଆପଣାର ମୋହର ମରି ଘର ନାହିଁ । ଅଭାବ ଖାଇଗୋଡ଼ାଏ, ଦାରିଦ୍ର୍ୟ ଆଖି ତରାଟେ, ବେଳେ ବେଳେ ରୋଗ ଆସି ଘରକରଣାର ସାଧାରଣ ଗତକୁ ଦିଏ ଓଲଟାଇ, ଭୋକ ଆଉ ଶୀତ କାଟେ, ପରିଶ୍ରମ ବାଧେ, କେବେ କରଜ ପାଇଁ ଡହଳ ବିକଳ ହୋଇ ବୁଲିବାକୁ ପଡ଼େ-। ତଥାପି ତାହାରି ଭିତରେ ଘରକରଣା ଚାଲେ, ଚୁଲି ଜଳେ, ପିଲାଙ୍କୁ ମଣିଷ କରିବାକୁ ହୁଏ, ବାହା ନିମିତ୍ତ ପୁଆଣି ପର୍ବ କରିବାକୁ ପଡ଼େ । ବେଳେ ବେଳେ କେଉଁଟା ଅଟକିଗଲା ପରି ଲାଗେ, କିଛି ଅଟକେ ନାହିଁ ।

 

ତାହାରି ଭିତରେ ସାଇତି ରଖିବାକୁ ହୁଏ ସାମାଜିକ ଶିଷ୍ଟାଚାର ଆଉ ଭଦ୍ରତା ଓ ତାଆର ଭେକ । ଆଉ ସମ୍ପାଦିବାକୁ ହୁଏ ଆଶା, ସ୍ଵପ୍ନ, ସ୍ନେହ ଓ ବିଶ୍ଵାସ ସହିତ ସମୁଦାୟ ମଣିଷପଣିଆ ।

 

ଆପଣା ଘରେ ବି ସେମାନେ ପରସ୍ପର କଥା ପକାଉଥିଲେ, କେଉଁ ବିଷୟରେ କିଏ କ’ଣ କହୁଥିଲା ବର୍ଣ୍ଣନା କରିବାକୁ ଯାଇ ପରସ୍ପରକୁ ରୂପ ଦେଉଥିଲେ ।

 

ଦିନେ ସାଢ଼େ ପାଞ୍ଚଟାବେଳେ ଅଫିସ୍‍ ଫେରନ୍ତି ଗୁମ୍ପାସ୍ଵାମୀ ଜଗୁର ହାତ ଧରିପକାଇ କହିଥିଲା, ଚାଲ, ଆଜି ଆମ ବସାକୁ ଯିବ । ବହୁତଦିନୁ ଯିବ ଯିବ କହୁଛ, ଆସୁନାହଁ କେବେ, ଆଜି ଛାଡ଼ିବି ନାହିଁ । ଜଗୁ ହସି ହସି ମଙ୍ଗିଥିଲା ।

 

ଧାଡ଼ି ଧାଡ଼ି ହୋଇ ସାନ ସାନ କୋଠାଘରଟିମାନ, ସବୁ ଘର ଏକାପରି, ସବୁ ଘର ସାମନାରେ ଏକା ପରିସରର ସାନ ସାନ ବାରି, ଲୁହାତାରର ବାଡ଼, କାଠ ଫାଟକ । ସେହି ବାରି ଘେନି ଘରମାନଙ୍କ ବିଶିଷ୍ଟତା, କେଉଁଟା ଘାସ ଅରମା ହୋଇ ଫୁଙ୍ଗା ପଡ଼ିଛି, କେଉଁଠି ଗହଳି ବଗିଚା, କେଉଁଠାରେ ଚିତ୍ରକାଟିଲା ପରି ନାନା ବର୍ଣ୍ଣର ଫୁଲଗଛସଜା ହୋଇଛି, କେଉଁଟା ପରିବା ବଗିଚା, କେଉଁଠି ପନିପରିବା ଓ ଫୁଲଗଛ ମିଶାମିଶି । ଗୁମ୍ପାସ୍ୱାମୀର ବାରିର ଡାହାଣ କରରେ କଦଳୀଗଛ ଧାଡ଼ି ଧାଡ଼ି ହୋଇ ଠିଆ ହୋଇଛି, କେତେଟାରେ କାନ୍ଦି ଓହଳିଛି, ବାଁକରରେ ଦୁଇ ଧାଡ଼ି ଅମୃତଭଣ୍ଡା ଗଛ, ଦୁଇଟା ଗଛରେ ଫଳ ଲଦିହୋଇଛି, ଅରାଏ ବିଲାତି ବାଇଗଣ, ଅରାଏ ବାଇଗଣ, ଛୋଟ ଛୋଟ ଭାଡ଼ିରେ ବହଳ ହୋଇ ଲାଉ କଖାରୁ ଲଟେଇଛି, ଛୋଟ ଛୋଟ ପଟାଳିରେ ଛନଛନିଆ ହୋଇ ଶାଗ ବଢ଼ିଛି । ଘର ସାମନାରେ ଗୋଲ ହୋଇ ଅରାଏ ଜାଗା ଯେ, ସେଠି ସେହି ସନ୍ଧ୍ୟା ପୂର୍ବରୁ ସତେ ଅବା ଚନ୍ଦ୍ରକିରଣ ଲୋଟୁଛି, କେବଳ ହଳଦୀ ଗର ଗର ସେବତୀ ଫୁଲ । ସେତିକି ତା’ ବାରିର ବିଶେଷତ୍ଵ, ଜଗୁ ପରିଡ଼ା ମନେ ମନେ ହେଜା କଲା, ନ ହେଲେ କଦଳୀ ଅମୃତଭଣ୍ଡା ଲାଉ କଖାରୁ ପ୍ରାୟ ସବୁଠି । ବାରବର୍ଷର ପିଲାଟିଏ କୋଡ଼ି ଧରି ମାଟି ହାଣୁଛି-। ଦି’ ଦି’ ବର୍ଷ ଏପାଖ ସେପାଖ ଯୋଡ଼ିଏ ଟୋକା ଗୋଟିଏ ଗୋଟିଏ ବାଲ୍‍ଟି ଧରି ବାରିର ଦୁଇପଟେ ଗଛରେ ପାଣି ଦେଉଛନ୍ତି । ଏକାପରି ଗଢ଼ଣ ତିନିଜଣଯାକ, ଦେହ ଖୋଲା ଅଛି, କେବଳ ଖଣ୍ଡେ ଲେଖାଁ ହାଫ୍‍ପ୍ୟାଣ୍ଟ ।

 

‘‘ଏଇ ମୋ ଘର’’, ଗୁମ୍ପାସ୍ଵାମୀ କହିଲା, ‘‘ବିଜେ କରନ୍ତୁ ।’’ ସେ ଫାଟକ ଖୋଲିଲା । ପିଲା ତିନୋଟି ଆପଣା ଆପଣା କାମ ଉପରୁ ନ ଆସି ଠିଆ ହୋଇ ହସିଲେ । ଗୁମ୍ପାସ୍ଵାମୀ ସେମାନଙ୍କୁ ହସି ହସି ଉତ୍ସାହିତ କଲା । ତା’ପରେ କହିଲା, ‘‘ଆରେ, ମଉସା ଆସିଛନ୍ତି, ଦଣ୍ଡବତ କର ।’’ ପିଲା ତିନିହେଁ ପାଖକୁ ଆସି ତାକୁ ଦଣ୍ଡବତ କଲେ । ଜଗୁ ପରିଡ଼ା ଠିଆ ଠିଆ ସେମାନଙ୍କ ସଙ୍ଗେ ଦୁଃଖସୁଖ ହେବାକୁ ଆରମ୍ଭ କରିଦେଲା । କାହା ନାଁ କ’ଣ, କିଏ କେଉଁ କ୍ଲାସରେ ପଢ଼େ, ବାଇଗଣ କେମିତି ଫଳୁଛି, ବଗିଚାରେ ପାଣି ମଡ଼ାଇବାପାଇଁ କଳରୁ ଯଥେଷ୍ଟ ପାଣି ମିଳୁଛି କି ନାହିଁ, ଏହିପରି ନାନା କଥା । ଗୁମ୍ପାସ୍ଵାମୀ ପଚାରିଲା, ଆମୀ କୁଆଡ଼େ ଯାଇଛି ? ଆମୀ ତା’ର ସାନ ଭଉଣୀ । ଆମୀ ପଡ଼ିଶାଘରକୁ ବୁଲିଯାଇଛି । ହଠାତ୍‍ ତରତର ହୋଇ ଗୁମ୍ପାସ୍ଵାମୀ ତା’ ଘରଭିତରକୁ ପଶିଗଲା, ଯେପରି ସେ ତା’ର କୁଣିଆଚର୍ଚ୍ଚା କଥା ଭୁଲିଯାଇଥିଲା, ହଠାତ୍‍ ମନେପଡ଼ିଗଲା, ସେହିପରି । ଦାଣ୍ଡଘର ଦୁଆରମୁହଁରୁ ବହୁତ ଆଦର ଦେଖାଇ ତାକୁ ଘରଭିତରକୁ ଡାକିନେଲା । ଘରେ ବସାଇଦେଇ ପୁଣି ଭିତରକୁ ଚାଲିଗଲା । ତା’ପରେ ଆସିଲେ ସେ, ତା’ ସ୍ତ୍ରୀ ଓ ତା’ର ଚାରି ବର୍ଷର, ଛ’ବର୍ଷର ପୁଅ ଯୋଡ଼ିଏ । ଗୁମ୍ପାସ୍ଵାମୀ ଚିହ୍ନା କରାଇଦେଲା । ଜଗୁ ଠିଆ ହୋଇପଡ଼ି ତା’ ସ୍ତ୍ରୀକୁ ଦଣ୍ଡବତ ହେଲା । ସମସ୍ତେ ବସିପଡ଼ିଲେ । ଆଳାପ ଆରମ୍ଭ ହେଲା ।

 

ଜଗୁ ଭୁଲିଯାଇଥାଏ, ଏ ଘରେ ଏହି ତା’ର ପ୍ରଥମ ପ୍ରବେଶ । ଖାଲି ଏମାନଙ୍କ କଥାଭାଷା କି ବାହାର ବ୍ୟବହାରରୁ ନୁହେଁ, କେମିତି କ’ଣ ହୋଇ ସବୁ ତାକୁ ଲାଗୁଥାଏ ଆପଣାର ଆପଣାର ପରି, ଯେପରି ବହୁଦିନୁଁ ସେମାନଙ୍କ ସଙ୍ଗେ ତା’ର ଘନିଷ୍ଠତା । ତାଙ୍କର ଆଡ଼ମ୍ବର ନାହିଁ, ତା’ପ୍ରତି ବିଶିଷ୍ଟ କୁତୂହଳ ନାହିଁ, ଯେପରି ସେ ଏଠି ଥିଲା, ଏଠି ଅଛି, ସହଜ ହୋଇ ସେମାନେ ତାକୁ ଗ୍ରହଣ କରିନେଇଛନ୍ତି । ଅନ୍ତର ଭିତରର ଆଲୁଅ ମୁହଁ ଉପରେ ପଡ଼ିଛି, ତା’ପ୍ରତି ଏମାନଙ୍କର ସ୍ନେହ ଆପେ ଫୁଟିଉଠୁଛି ।

 

ଗୁମ୍ପାସ୍ୱାମୀର ସ୍ତ୍ରୀ,–ଜଗୁ ଅନାଇଁ ଦେଖିଲା, ସତେକି ସେ ତାକୁ ଚିହ୍ନିଛି । ହାଡ଼ୁଆ ଧାର ମୁହଁଟି, ଟିକିଏ ଲମ୍ବା, ନାନା ଚିନ୍ତା ଦକ ଆଶା ଉଚ୍ଛ୍ୱାସରେ ସେ ପାକଳ ହୋଇଛି । ପାଞ୍ଚଟି ପିଲାଙ୍କ ଜଞ୍ଜାଳ, ସତର୍କ କି ପରିଶ୍ରମ, ଏତେ ସମସ୍ୟା ଭିତରେ ନିଜକୁ ଘୋରି ଘୋରି ଦେଇ ଦେଇ ଗୋଟିଏ ପରିବାରକୁ ବଞ୍ଚାଇ ରଖି ଚଳାଇବାକୁ ପ୍ରାଣପଣେ ଚେଷ୍ଟା, କେତେ ଅଲେଖା ଦିନ ଦିନକର ନାନା ଦୁଃଖକଷ୍ଟର ଅନିଭା ଛାପା, ସବୁ ଏକାଠି ହୋଇଛି ତା’ର ସେ ବ୍ୟକ୍ତିତ୍ୱର ଛବିରେ । ଅନୁମାନ କରିହେଉଛି, ଏଇ ସରୁ ଅଣ୍ଟାରେ ଲୁଗାକାନି ଗୁରେଇଦେଇ ସେ ଛାଞ୍ଚୁଣୀ ଧରି ନଇଁପଡ଼ି ଘରଯାକ ଅଳିଆ ସଫା କରୁଥିବ, ମାଜୁଥିବ, କାଚୁଥିବ, ରାନ୍ଧୁଥିବ, ପରଷୁଥିବ । କେତେବେଳେ କାହାକୁ ଧରିଛି ଝାଡ଼ା ରୋଗ, କେତେବେଳେ କାହାକୁ ଜର, କାଶ, ଦିନରାତି ଆଖି କସରା ପଡ଼ିନାହିଁ, ଜଗି ବସିଥିବ ସେ, କଳପରି ସେବାକାର୍ଯ୍ୟ କରିଯାଉଥିବ । ଆପେ ରୋଗରେ ପଡ଼ିରହିଥିବ କେତେ ଥର । ଆପତ୍ତି ନାହିଁ କି ଫରମାସି ନାହିଁ, ଖାଲି ସହିଥିବ, ଅପେକ୍ଷା କରିଥିବ, ସେମିତି ସେ ବେମାରିରେ ଘୁଷୁରି ଘୁଷୁରି ଉଠିଯାଇ ଚୁଲି ଲଗାଇଥିବ, ପିଲାଙ୍କ ଖାଇବା ଖବର ବୁଝିଥିବ । କେତେବେଳେ ସବୁ ଦୁଃଖଶୋକ ମନେ ପକାଇ ସଂସାରର ଗରଳରେ ଜରଜର ହୋଇ ଫଁ ଫଁ କରି ତତଲା ଦୀର୍ଘଶ୍ଵାସ ପକାଇଥିବ, ଠାକୁରଙ୍କୁ ଡାକିଥିବ ଯେଉଁ ନାଁରେ ତାକୁ ସେ ଚିହ୍ନେ ସେହି ନାଁରେ, କେତେବେଳେ ଭାବିଥିବ, ଆଉ ସହିହେଉନାହିଁ । ସେତେବେଳେ ସେ ଝର ଝର ହୋଇ କାନ୍ଦି କାନ୍ଦି ମନର ବୋଝ ହାଲୁକା କରିଥିବ, ଦେହର ସ୍ନାୟୁକୁ ସୁଷମ ଓ ସହଜ କରିଥିବ । ଆଉ, ହସିଥିବ ବି କେତେ କେତେବେଳେ ସେ, ମନ ଖୁସିରେ ଜିକି ଜିକି ଆଖିରେ ବିଞ୍ଚିଦେଇଥିବ ଆଶା ଓ ଆନନ୍ଦର ହସ ।

 

ଗୋରା ପାତଳ ଡେଙ୍ଗା ବୋହୂଟିଏ, ପାଦଯୋଡ଼ିକ ବଡ଼ ବଡ଼, ନାକଟି ଚେପ୍‍ଟା, ଦେହ ଅନୁପାତରେ ଦେଖିଲେ ବଳିଲା ପରି ବାହାଯୋଡ଼ିକ, ହାତପାପୁଲି ଫରଚା, ମୋଟା ମୋଟା ଗଣ୍ଠିଗଣ୍ଠିଆ ଆଙ୍ଗୁଠି, ଅଗ ଚେପ୍‍ଟା । ପାଟି ଟିକିଏ ବଡ଼, ଅଳ୍ପ ମୋଟା ମୋଟା ଓଠ, ଢଳ ଢଳ ଆଖିରେ ଗଭୀର ଚାହାଣି, ଡିମା ଡିମା ଭୂରୁ, ବହଳ କଳା ଭ୍ରୂଲତା ।

 

ସେ ଦେହର ସୌନ୍ଦର୍ଯ୍ୟ ସୁଠାମ ରୂପର ନୁହେଁ, ଯେପରି ଦିଶେ ବିଜ୍ଞାପନର ଛବିରେ । ସେ ନୁହେଁ ସୁନ୍ଦର ପ୍ରତିମାର ସୌନ୍ଦର୍ଯ୍ୟ, ସୁଠାମ, ନିଟୋପ, ପୂରିଲା ପୂରିଲା ଦେହର ସୌନ୍ଦର୍ଯ୍ୟ ସେ ନୁହେଁ, ତଥାପି ସେ ଅତି ଆପଣାର ଅତି ବିଶ୍ଵାସୀ ହୋଇ ସୁନ୍ଦର, ଦେଖିଲେ ଆଖି ଶାନ୍ତ ହୁଏ, ସ୍ନାୟୁ ଶାନ୍ତ ହୁଏ, ବୁଦ୍ଧି ସ୍ଥିର ହୁଏ, ଆତ୍ମା ଶୀତଳ ହୁଏ । ସୁଖ ଦୁଃଖର ଆଶା ନିରାଶାର ନାନା ଅନୁଭୂତିରେ ପାଗ ହୋଇ ହୋଇ ସେ ରୂପର ପ୍ରତି ଅଂଶ ସେହି ଜୀବନ ଅନୁଭୂତିର ଦ୍ୟୋତନା କରେ, ଆପେ ଅଙ୍ଗେ ନିଭେଇଥିବା ଜୀବନ, ସେଥିରେ ଦିନ ଦିନକର କେତେ ଜୟ ପରାଜୟର ରହସ୍ୟମୟ ଛପିଲା କାହାଣୀ, ଜଗୁ ପରିଡ଼ା ତାଙ୍କୁ ଦେଖି ସେହି କଥା ହେତୁ କଲା । ସାଧାରଣ ଶିଷ୍ଟାଚାର ପ୍ରକାରେ ତାଙ୍କୁ ଦଣ୍ଡବତ କରିସାରିଲା ପରେ ସେ ତାଙ୍କୁ ବାରମ୍ବାର ନମସ୍କାର କଲା ତା’ର ଆଖିର ଚାହାଣିରେ, ଯେପରିକି ସେ ଚାହାଣି କହିଲା, ମୁଁ ଚିହ୍ନିଛି ଆପଣଙ୍କୁ, ମାସକୁ ଶହେ ଟଙ୍କା ଆୟରେ ଦୁଇଶ ଟଙ୍କାର ଆବଶ୍ୟକତା କେଉଁ କିମିଆ ବଳରେ ତୁଲାଇହୁଏ, ସଂସାରର ସବୁ ଶକ୍ତିସବୁଆଡ଼ୁ ଓଟାରି ଓଟାରି ପରିବାରଟିକୁ ମାଟିରେ ମିଶାଇବାକୁ ଚେଷ୍ଟା କରୁଥିଲାବେଳେ କେଉଁ ଆହୁରି ବଡ଼ ଶକ୍ତି ବଳରେ ଧ୍ୱଂସକୁ ନିରୋଧ କରି ଜୀବନକୁ ବିକାଶ କରିହୁଏ, ତାହାରି ଆପଣ ପ୍ରତୀକ । ଏ ଦେହ ମାଟିର ମୂର୍ତ୍ତି ନୁହେଁ, ଏ ଜୀବନ୍ତ ଇତିହାସ ।

 

ସେ ଭଙ୍ଗା ଭଙ୍ଗା ଇଂରେଜୀରେ ହିଁ କଥା କହିଲେ, ସେଥିରେ ଥିଲା ଦକ୍ଷିଣୀ ବୋଲିର ଉଚ୍ଚାରଣ । ଜଗୁ ବି ଇଂରେଜୀରେ କଥା କହୁଥାଏ, ସେ ବି ଓଡ଼ିଆ ତୁଣ୍ଡର ଇଂରେଜୀ । ତାଙ୍କର ଲମ୍ବା ନେଳିଆ ଶାଢ଼ି, ଦକ୍ଷିଣୀ ପିନ୍ଧା, ଖୋଲା ମୁଣ୍ଡରେ ଦକ୍ଷିଣୀ ଖୋଷା, ସେଥିରେ ସେବତୀଫୁଲ ଗୁଞ୍ଜା ହୋଇଥିଲା । ନାକରେ କାନରେ ହାତରେ ବେକରେ ହୋଇ ସାମାନ୍ୟ ଅଳଙ୍କାର, ସେଥିରେ ବି ଦକ୍ଷିଣରହିଁ ଶୈଳୀ । କିନ୍ତୁ ତାଙ୍କ ବେଶ କି ଭାଷାର ବିଭିନ୍ନତା ଜଗୁର ମନକୁ ଆଦୌ ସ୍ପର୍ଶ କଲା ନାହିଁ-। ମନେ ମନେ ସେହି ଗୋଟିଏ ଧାରଣା ଯେ ସେ ଆପଣାର, ତା’ ନିଜ ସମାଜରେ ଯେପରି ସେ ଦେଖିଆସିଛି ସେମାନଙ୍କୁ, ମୋ ଖୁଡ଼େଇ ଭଉଣୀ ଭାଉଜମାନେ, ଯେପରି ତା’ର ନିଜର ଘରଣୀ, ସେହି ଶ୍ରେଣୀର, ସେହି ରୂପର, ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ପ୍ରତିଷ୍ଠିତା ନାରୀମୂର୍ତ୍ତି, ଗଢ଼ିବା ଓ ପାଳିବାହିଁ ତା’ର କାମ ।

 

ଅଳ୍ପ କଥାଭାଷା ପରେ ଗୁମ୍ପାସ୍ୱାମୀର ସ୍ତ୍ରୀ ଉଠିପଡ଼ି ଭିତରକୁ ଗଲେ, କଫି ଓ ଜଳଖିଆ ଆଣିବେ ବୋଲି ।

 

ତା’ପରେ ଜଗୁ ଓ ଗୁମ୍ପାସ୍ୱାମୀ ଦୁହେଁ କଥାଭାଷା ଆରମ୍ଭ କରିଦେଲେ । ପରସ୍ପର ସ୍ନେହ ଶ୍ରଦ୍ଧା କରୁଥିବା ଯୋଡ଼ିଏ ମଣିଷ ପରସ୍ପରର ନୂଆ ନୂଆ ଦିଗ ଆବିଷ୍କାର କରିବାକୁ ଇଚ୍ଛୁକ । ପୁରୁଷ କଥାରେ ପ୍ରୟୋଜନ ନାହିଁ, ତା’ ତ ସେମାନେ ଆଗରୁ ଜାଣିଛନ୍ତି । ଚାକିରି ଜୀବନର କାହାଣୀ ଆଲୋଚନା କରିବା କାହାର ଇଚ୍ଛା ନ ଥିଲା । ପଡ଼ିଲା ତାହାରି କଥା, ମଣିଷର ପିଠିପଟେ ସେହି ଯେଉଁ ଥାଏ ମାଟି ଆଉ ମଣିଷ, ମଣିଷର ସମାଜ ଆଉ ତା’ର ଚଳଣିଭଙ୍ଗୀ, ଆଉ ତା’ର ପରମ୍ପରାଗତ ବିଚାରଧାରା । ଏଇଥିରୁ ନାନା କଥା, କୁଜଙ୍ଗରୁ ତ୍ରିଚୁରଯାକେ । ଆସିଲା ରାଜନୀତି, ସ୍ୱାଧୀନତା ପୂର୍ବର କାହାଣୀ, ପୁଣି ସ୍ୱାଧୀନତା ଉତ୍ତାରୁ ଜଗୁ ପରିଡ଼ା ଓ ଗୁମ୍ପାସ୍ୱାମୀ ଦେଖିଲେ ଯେ ନାନା ବିଷୟରେ ସେମାନଙ୍କ ମତ ଓ ଅଭିଜ୍ଞତା ଏକାଠି ମିଳିଯାଉଛି । ଯେଉଁଠି ନ ମିଳୁଛି ସେଠି ବି ପରସ୍ପରକୁ ଆମୋଦ ଦେଉଛି ।

 

ଗପୁ ଗପୁ କଫି ଆସିଲା, ଜଳଖିଆ ଆସିଲା–ଇଟ୍‍ଲି, ଉପମା, ଦୋଷି, ଚଟଣି, ତରକାରି, ପାମ୍ପଡ଼ । ଗୁମ୍ପାସ୍ୱାମୀର ସ୍ତ୍ରୀ ଟିକିଏ ବସି କଥାଭାଷାରେ ଯୋଗ ଦେଇ ପୁଣି ଘରକାମ କରିବାକୁ ଚାଲିଗଲେ । ଆଲୁଅ ଲାଗିଲା, ପିଲାଏ ଘରଭିତରକୁ ଆସିଲେ, ଜଳଖିଆ ସାରି ପଢ଼ାଘରକୁ ଗଲେ । ଏଣେ ଆଲୋଚନା ଲାଗିରହିଲା । ଦୁଇଜଣ ସାଧାରଣ ଲୋକ ଯାହାଙ୍କ ନାଁ ଖବରକାଗଜରେ ବାହାରେ ନାହିଁ, କେଉଁ ନାଁ ଡାକ ପଙ୍ଗତରେ ପଡ଼େ ନାହିଁ, ଯାହାଙ୍କ ମତାମତ ପହଞ୍ଚେ ନାହିଁ କ୍ଷମତାର ଅଧିକାରୀମାନଙ୍କ କାନରେ, ପହଞ୍ଚିଲେ ବି କଡ଼ାକର ମୂଲକୁ ଆସନ୍ତା ନାହିଁ, ସେମାନେ ସ୍ପଷ୍ଟ କଥା କହି ଆଲୋଚନା କରିବାକୁ ଲାଗିଲେ ରାଷ୍ଟ୍ରଭାଷା ବିଷୟରେ, ଭାରତର ବୈଦେଶିକ ନୀତି, ଅର୍ଥନୀତି, ପଞ୍ଚବାର୍ଷିକ ଯୋଜନା, ଶାସନ ନୀତି, ଆଶ୍ରୟପ୍ରାର୍ଥୀ ସମସ୍ୟା ଓ ବିଭିନ୍ନ ସମସ୍ୟା ବିଷୟରେ । ଆମେରିକା, ରୁଷ, ଚୀନ, ପାରସ୍ୟ କିଛି ବାକି ରହିଲା ନାହିଁ । କଫି ଉତ୍ତାରୁ ସିଗାରେଟ୍ ଚାଲିଲା, ଆଲୋଚନା ଚାଲିଲା । ମନ ଖୋଲା ଗପ, ଚାକିରି କଟକଣା ଆଇନ୍‍ର ତୁମ୍ବୀ ମୁହଁରେ ନ ଥିଲା । କିଏ ଶୁଣିବ ପୁଣି ଆଉ କାହାକୁ କହିବ କି ଲେଖିବ ବୋଲି ଯେଉଁ ସଂକୋଚ ଥାଏ, ତା’ ବି ନ ଥିଲା; ଥିଲା, ଘରର ନିହିତ ସ୍ୱାଧୀନତା, ସ୍ୱାଧୀନ ମତାମତ ।

 

ଦୁହେଁ ଦୁହିଁଙ୍କ କଥାରେ ଉତ୍ସାହିତ ହୋଇ ଗପିଯାଉଥିଲେ । ମୁହଁ ଆହୁରି ଆହୁରି ଖୋଲିଯାଉଥିଲା । ତା’ପରେ କିପରି କ’ଣ ହେଲା କହିହେବ ନାହିଁ, ହଠାତ୍ ଦେଖାଗଲା, ସେମାନଙ୍କ ମୁହଁ ଆଖି ଝଲସି ଉଠୁଛି, ହାବଭାବରେ ଖେଳି ଉଠୁଛି ଅସ୍ଥିରତା । ସ୍ୱର ଚଢ଼ିଚଢ଼ିକା ଯାଉଛି । ସେମାନଙ୍କ ଉତ୍ତେଜିତ କଥାଭାଷା ଶୁଣି ପିଲାଏ ପଢ଼ା ବନ୍ଦ କରି କବାଟ ସେପାଖେ ଗହଳି କରି ଠିଆହେଲେ । ଗୁମ୍ପାସ୍ୱାମୀର ସ୍ତ୍ରୀ ରୋଷେଇଘର ଚୁଲିମୁଣ୍ଡରୁ ସେକଥା ଶୁଣିପାରି କାମ ବନ୍ଦ କରି ନିଶ୍ୱାସ ରୋକି ରୋକି କାନେଇ ରହିଲେ । ଦୋ ଦୋ ପାଞ୍ଚ ହେଉଥାନ୍ତି ଯେ ନିଜେ ଯାଇ ମଝିରେ ଠିଆହେବେ କି ନାହିଁ । ତାଙ୍କ ମୁହଁରୁ ପ୍ରଫୁଲ୍ଲତା ଉଭେଇଯାଇଥାଏ, ବିବ୍ରତ ଭଙ୍ଗୀ ସହିତ ଫୁଟିଉଠୁଥାଏ ଆଶଙ୍କାର ଛବି । ପ୍ରତି ମୁହୂର୍ତ୍ତରେ ଭାବୁଥାନ୍ତି, ‘‘କ’ଣ ହେଲା? କ’ଣ ହେଉଛି ? କ’ଣ ହେବ ୟା ପରେ ?’’

 

ଦୁଇ ବନ୍ଧୁ କଥା କହୁ କହୁ ପାଲଟିଯାଇଥିଲେ ସତେକି ଦୁଇ ବିରୋଧୀ ପକ୍ଷର ଦୁଇ ଯୋଦ୍ଧା, ପୁରୀ, କୋଣାରକ, ଭୁବନେଶ୍ୱର, ସୀମାଚଳ, ତିରୁପତି ଦେଉଳମାନଙ୍କରୁ ଓହ୍ଲାଇପଡ଼ିଥିଲେ ଇତିହାସକୁ, ପାଖ ପାଖ ହୋଇ ଯୋଡ଼ିଏ ରାଜ୍ୟ, ଓଡ଼ିଶା ଓ ଆନ୍ଧ୍ର, ଅତୀତରେ ତା’ର ବିବଦମାନ ଇତିହାସ କାହାଣୀ, ସେଇଠି ଥିଲେ ସେମାନେ ।

 

“ଏ ସମଗ୍ର ଦେଶଟା ଥିଲା ଯୋଦ୍ଧାମାନଙ୍କ ଦେଶ, ‘‘ଜଗୁ ପରିଡ଼ା କହୁଥାଏ, ‘‘ଓଡ଼ିଶାର ଚାଷୀସୈନ୍ୟ ଭରତ ବିଖ୍ୟାତ । ‘ଖଣ୍ଡା’ ଶବ୍ଦରୁ ‘ଖଣ୍ଡାଏତ’ର ଉତ୍ପତ୍ତି । ବିଚିତ୍ର ସେ ଖଣ୍ଡାଏତ ଜାତି-।”

 

“ଅବିକଳ ସେମିତି ଆନ୍ଧ୍ର ଦେଶରେ, ତେଲାଗା ବା ନାଉଡ଼ୁ ଜାତି, ଆଉ ରାଜୁଲୁ, ସେମାନେ ତ ପ୍ରସିଦ୍ଧ ଯୋଦ୍ଧା, ଇତିହାସରେ ଆପଣା ରକ୍ତରେ ସତେକି ଅମର ଅକ୍ଷର ଲେଖିଯାଇଛନ୍ତି ।” ଗୁମ୍ପାସ୍ୱାମୀ କହିଲା ।

 

“କୃଷ୍ଣା କାବେରୀ ଦୁଇ ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ବି ଓଡ଼ିଶାର ମାଟି ହୋଇଥିଲା, ଓଡ଼ିଆ ସେଠି ଘରଦ୍ୱାର କରି ରହିଥିଲେ, ସେ ଅଞ୍ଚଳକୁ ଶାସନ କରୁଥିଲେ ।”

 

“ଅସମ୍ଭବ,’’ ଗୁମ୍ପାସ୍ୱାମୀ ଜୋରରେ ମୁଣ୍ଡ ହଲେଇ କହିଲା, ‘‘ଓଡ଼ିଶା, ଆମେ ଜାଣୁ, ଚିଲିକା ଶେଷଯାକେ ହିଁ ଥିଲା, ତା’ପରେ ସେଠୁ ବି ଓଡ଼ିଆ ଚାଲିଗଲେ, ଋଷିକୁଲ୍ୟା ଉତ୍ତରପଟଟା ଓଡ଼ିଶା, ଦକ୍ଷିଣକୁ ତେଣିକି ଆନ୍ଧ୍ର ।”

 

“ଆପଣ ଇତିହାସକୁ ଅସ୍ୱୀକାର କରିବେ ? ପୁରୁଷୋତ୍ତମ ନିଜେ ମଲେ କୃଷ୍ଣାନଦୀ କୂଳରେ । ପ୍ରତାପରୁଦ୍ରଙ୍କ ସମୟରେ ରାୟ ରାମାନନ୍ଦଙ୍କ ରାଜଧାନୀ ହୋଇଥିଲା ରାଜମହେନ୍ଦ୍ର ।”

 

ଗୁମ୍ପାସ୍ୱାମୀ କହିଲା, ‘‘ସେସବୁ ସାମୟିକ ଯୁଦ୍ଧ-ବିଜୟ । ଗୋଟାଏ ଜାତି ଯେତେବେଳେ ଦୈବୀ ଯୋଗକୁ ଦୁର୍ବଳ ଅବସ୍ଥାରେ ଥାଏ, ଆଉ ଗୋଟାଏ ଜାତିର ଲୋକେ କିଛି ଦିନ ପାଇଁ ତା’ ଦେଶକୁ ଅଧିକାର କରି ଖଜଣା ଅସୁଲ କରନ୍ତି; ତା’ବୋଲି ସେ ମାଟିର ମଣିଷ ତ ଆଉ ତାଙ୍କ ଭାଷା ଛାଡ଼ନ୍ତି ନାହିଁ ।”

 

ଜଗୁ ପରିଡ଼ା କହିଲା, ‘‘ଯୁଆଡ଼େ ଦେଖିବେ, ଓଡ଼ିଆ ନାଁ, କଳିଙ୍ଗ ନଗର, କଳିଙ୍ଗ ପାଟଣା, ଓଡ଼ବାଡ଼ି, ବିଶାଖା ପାଟଣା, ବିଜୟ ବାହୁଡ଼ା,–ଇଂରେଜ ଆସିଲା ପରେ ସେ ନାଁକୁ ତେଲୁଗୁ କରାହୋଇଛି, ଯେମିତି ଜେମାଦେଈପୁରରୁ ଜିମିଡ଼ିପେଟା, କଙ୍କଡ଼ା ପାହାଡ଼କୁ ଏଣ୍ଡ୍ରୁକା, ‘ଗଡ଼ଗୁଡ଼ା’କୁ ‘ଗେଡ୍‍ଡା’ । ଦୁର୍ଗରେ, ଦେଉଳରେ ଅସଂଖ୍ୟ ଓଡ଼ିଆ ଶିଳାଲିପି, ଦାନପତ୍ର ଓଡ଼ିଆରେ ଲେଖା, ତା’ପରେ ତ ଛପା ଇତିହାସ, ଖାଲି ତୁଚ୍ଛା ତୁଣ୍ଡକଥାରେ କିଏ ୟାକୁ ଉଡ଼େଇଦେଇପାରିବ ? ଏ ଜାତିର ତଣ୍ଟି ଚିପାହୋଇଛି, ଆଜ୍ଞା, ଗଲା ମେଦିନୀପୁର, ସିଂହଭୂମି ଗଲା, ରାୟପୁର, ଫୁଲଝର, ବସ୍ତର କେତେ କ’ଣ ଗଲା, ଗଲା ଇଚ୍ଛାପୁର, ଜଳନ୍ତର, ବୁଡ଼ାରସିଂହ, ମଞ୍ଜୁଷା, ଟେକାଲି, ଗଙ୍ଗରାଜ, ମାଡ଼ଗୋଳ, ଦକ୍ଷିଣ ପ୍ରାନ୍ତର ସବୁ ଦେଶ । କାଲିକା କଥା, ଷଢ଼େଇକଳା ଖରସୁଆଁ ବି ନେଇଗଲେ-।” ତା’ର ସ୍ୱରରେ ଆହତ ଆର୍ତ୍ତ ଅଭିମାନର ଚିତ୍କାର ଫୁଟିଉଠିଲା ।

 

ଗୁମ୍ପାସ୍ୱାମୀ କହିଲା, ‘‘କୁଆଡ଼େ କ’ଣ ଯାଇଥିବ, ଦକ୍ଷିଣରେ ଓଡ଼ିଶାର କିଛି ଯାଇନାହିଁ, ବରଂ ଆନ୍ଧ୍ରର ସବୁ ଯାଇଛି । ଏଇ ଦେଖନ୍ତୁ ପାରଳାଖେମୁଣ୍ଡିଟା, କେଉଁ ଯୁକ୍ତିରେ ସେଇଟା ଓଡ଼ିଶାରେ ରଖାହୋଇଛି ? କୋରାପୁଟ ଜିଲ୍ଲାର ରାୟଗଡ଼ା, ଗୁଣୁପୁର ତାଲୁକମାନ, କିଏ ସେଠି ବୁଝେ ଓଡ଼ିଆ କଥା ? ତଣ୍ଟି ଚିପା ହେଲା ଆନ୍ଧ୍ରର, ବିନା କାରଣରେ ଲକ୍ଷ ଲକ୍ଷ ନିରୀହ ଆନ୍ଧ୍ରଙ୍କ ଉପରେ ଓଡ଼ିଆର ଶାସନ ଲଦିଦିଆହେଲା ।”

 

“କ’ଣ କହୁଛନ୍ତି ଆପଣ ! ପାରଳା-ରାୟଗଡ଼ା-ଗୁଣୁପୁର ! ସେ ଅଞ୍ଚଳରେ କେଇଜଣ ବା ତେଲୁଗୁ ? କେବେ ସେମାନେ ଆସିଲେ ସେଠିକି ? ଆପଣ ଦେଖିଛନ୍ତି ସେ ଜାଗା ସବୁ ?”

 

“ଦେଖିଲେ କ’ଣ ଅଧିକ ହେବ, ଆଜ୍ଞା, କେତେ ଲୋକ ତ ଦେଖିଛନ୍ତି, ଜାଣିଛନ୍ତି, ଲେଖିଛନ୍ତି । ଆପଣ ଏ ଯେତେ ଯେତେ ଜାଗା ନାଁ କହୁଛନ୍ତି, କେତେଟା ଦେଖିଛନ୍ତି ସେଥିରୁ ?”

 

“ପ୍ରତି ଗେଜେଟିଅର ଦେଖନ୍ତୁ, କମିଶନ ଉତ୍ତାରୁ କମିଶନ ବସିଲା, ତା’ର ରିପୋର୍ଟ ଦେଖନ୍ତୁ, ଆଉ ଦେଖନ୍ତୁ ଇତିହାସ, ଚୋଡ଼ଗଙ୍ଗ, ନରସିଂହଙ୍କଠାରୁ ଯେ ମୁକୁନ୍ଦଦେବଙ୍କ ଯାକେ–”

 

“ଦେଖିଛି, ମୁଁ ବି ଇତିହାସର ଛାତ୍ର । ଆପଣ ପ୍ରତାପରୁଦ୍ରଙ୍କ କଥା କହିଲେ; କୃଷ୍ଣଦେବ ରାୟଙ୍କୁ ଭୁଲିଯାଉନ୍ତୁ ନାହିଁ । ପଣ୍ଡିତ, ସଂଗୀତଜ୍ଞ, ମହାଯୋଦ୍ଧା, ଉଦାରଚେତା; ଭାରତରେ କେତେଜଣ ରାଜା ଥିଲେ ତାଙ୍କ ପରି ? ତାଙ୍କ ରାଜସଭା ସାକ୍ଷାତ୍ ବିକ୍ରମାଦିତ୍ୟଙ୍କ ରାଜସଭା ପରି । କୃଷ୍ଣଦେବ ରାଏଲୁ ଆନ୍ଧ୍ରଦେଶର ଗୌରବ, ଐତିହାସିକ ଆନ୍ଧ୍ର ସାତବାହନ ଚକ୍ରବର୍ତ୍ତୀଙ୍କ କୀର୍ତ୍ତିକୁ ତାଙ୍କ କାର୍ଯ୍ୟକଳାପ ସ୍ମରଣ କରାଇଦେଉଥାଏ । ଅନ୍ୟାୟରେ ଓଡ଼ିଶା ରାଜା ଆନ୍ଧ୍ର ଦେଶର ମସ୍ତବଡ଼ ଅଞ୍ଚଳ ଉପରେ ଶାସନ କରିଆସୁଥିଲେ । କୃଷ୍ଣଦେବ ରାୟ ସେ ଅନ୍ୟାୟର ପ୍ରତିକାର କଲେ । ଆଗ ମୁକ୍ତ କଲେ ଉଦୟଗିରି ଦୁର୍ଗକୁ, ପ୍ରତାପରୁଦ୍ରଙ୍କ କକେଇ ତିରୁମଲାଇ ରାଉତରାୟଙ୍କୁ ବନ୍ଦୀ କଲେ । ତା’ପରେ କୃଷ୍ଣାନନ୍ଦୀ ମୁହାଣ ପାଖର ପ୍ରସିଦ୍ଧ କୋଣ୍ଡାଭିଡ଼ଦୁର୍ଗ ଅଧିକାର କଲେ । ସେଠି ବନ୍ଦୀ ହେଲେ ପ୍ରତାପରୁଦ୍ରଙ୍କ ପୁଅ ବୀରଭଦ୍ର । ତା’ପରେ ଅନ୍ୟାନ୍ୟ ଦୁର୍ଗ ଦଖଲ କଲେ । ବିଣୁକୋଣ୍ଡା, ବାଲାକୋଣ୍ଡା ଦୁଇ ଦୁର୍ଗ ଅଧିକାର କଲେ, ତା’ପରେ ନେଲେ ପ୍ରସିଦ୍ଧ କୋଣ୍ଡାପଲ୍ଲି ଦୁର୍ଗ-। ପ୍ରତାପରୁଦ୍ରଙ୍କର ଏକ ରାଣୀ, ଦୁଇ ପୁଅ, ସାତ ଅମାତ୍ୟ ବନ୍ଦୀ ହେଲେ । ସେଉଠୁ ଗଲେ ସୀମାଚଳମ୍ । ସେଠି ବିଜୟସ୍ତମ୍ଭ ଗଢ଼ିଲେ, ତା’ପରେ ଉତ୍ତରକୁ ଯାଇ ସମୁଦାୟ ସମୁଦ୍ରକୂଳ ଅଞ୍ଚଳ ମୁକ୍ତ କଲେ । ପ୍ରତାପରୁଦ୍ର କି ସର୍ତ୍ତରେ ସନ୍ଧି କଲେ ଜାଣିଥିବେ ତ ଆପଣ–” ହସିଦେଇ ଗୁମ୍ପାସ୍ୱାମୀ କହିଲା, ‘‘ପ୍ରତାପରୁଦ୍ର ତାଙ୍କୁ ଜୋଇଁ କଲେ, ଆଜ୍ଞା, ତାଙ୍କ କନ୍ୟା ତୁକ୍‍କାଙ୍କୁ ତାଙ୍କୁ ବିଭା ଦେଲେ । ତା’ପରେ ମୁକୁନ୍ଦଦେବଙ୍କ କଥା କହୁଛନ୍ତି ନା, ମୁକୁନ୍ଦ ତ ନିଜେ ତେଲଙ୍ଗା ତୋକ, ରାଜୁ କି ତେଲଙ୍ଗା ସେ ଓଡ଼ିଶା ସିଂହାସନ ଦଖଲ କଲେ । ଏଇ ତ ଇତିହାସ !”

 

“ନୁହେଁ, ନୁହେଁ, ନୁହେଁ” ଜଗୁ ପରିଡ଼ା ଚିତ୍କାର କଲା, ‘‘ଏଥିରେ ଅନେକ ମନଗଢ଼ା କଥା ରହିଗଲା । ମୁକୁନ୍ଦ ବି ତେଲଙ୍ଗାନ ଥିଲେ, ସେ ଦକ୍ଷିଣ ଅଞ୍ଚଳର ଲୋକ, ତାଙ୍କ ଆଚାର ବ୍ୟବହାର ପାଇଁ ତାଙ୍କୁ ତେଲଙ୍ଗା କୁହାଯାଉଥିଲା–”

 

କଥାକୁହା ଜାହାଜଟା ତଳେ ଲାଗିଯାଇ ଅଟକିଯାଇଥାଏ, ଖାଲି ଲାଗିଯାଇ ନ ଥାଏ, ତା’ର ତଳି ଉଡ଼ିଯାଇଥାଏ, ସେଇଟା ଧୀରେ ଧୀରେ ବୁଡ଼ୁଥାଏ । ଗୁମ୍ପାସ୍ୱାମୀର ନିମନ୍ତ୍ରଣର ଆବେଗ, ଜଗୁ ପରିଡ଼ାର ଉଛୁଳା ସ୍ନେହ, ଗୁମ୍ପାସ୍ୱାମୀର ସ୍ତ୍ରୀର ଯତ୍ନ ଓ ପରିଶ୍ରମ, ସଞ୍ଜ ଗୋଟାକର ଘର ଘର ଆପଣା ଆପଣା ଭାବ, ଏସବୁ କୁଆଡ଼େ ଉଭେଇ ଯାଇଥାଏ । ଦୁଇ ବନ୍ଧୁ ନୁହନ୍ତି, ଯେପରିକି ଅଚିହ୍ନା ଶତ୍ରୁ ଦୁଇଜଣ ହଠାତ୍ ହାବୁଡ଼ା ହାବୋଡ଼ି ହୋଇ ଚିହ୍ନାଚିହ୍ନି ହୋଇ ତା’ ଉତ୍ତାରୁ ଯାହା ହେବ ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଥାନ୍ତି ।

 

ଏତିକିବେଳେ କବାଟ ଖୋଲିଗଲା, ପଶିଆସିଲେ ଗୁମ୍ପାସ୍ୱାମୀର ସ୍ତ୍ରୀ ଓ ତାଙ୍କ ପଛେ ପଛେ ପିଲାଗୁଡ଼ିକ । ଗୁମ୍ପାସ୍ୱାମୀର ସ୍ତ୍ରୀ ଭୟର ଭାବ ଉପରେ ହସ ଢାଙ୍କିଦେଇ କହିଲେ :

 

“ୟେ କେଉଁ କଥା ପଡ଼ିଛି ଆଜି ? ରାଜା ମହାରାଜାମାନଙ୍କ କାହାଣୀ ପରା ! ସେ ବିଷୟରେ ଯୋଗୀ ଗୀତ ବୋଲନ୍ତି।”

 

ଗୁମ୍ପାସ୍ୱାମୀ ଗମ୍ଭୀର ହୋଇ କହିଲା, ‘‘ଏ ଇତିହାସ ।”

 

ତା’ର ସ୍ତ୍ରୀ କହିଲେ, ‘‘ରଖ ତମର ଇତିହାସ । ମହାଭାରତ ପଢ଼ିଲେ ସେଦିନ ଘରେ କଳି ଲାଗେ ବୋଲି ଲୋକେ କହନ୍ତି । ତୁମର କୃଷ୍ଣଦେବ ରାଏଲୁ ଥିଲେ ତୁମକୁ ସେ ମନ୍ତ୍ରୀ କରିଥାନ୍ତେ, ଭାବିଚ, ନା ପ୍ରତାପରୁଦ୍ର ପୁରୁଷୋତ୍ତମ ଥିଲେ ଏ ଭଦ୍ରଲୋକ ହୋଇଥାନ୍ତେ ତାଙ୍କ ଅମାତ୍ୟ ? ଗରିବଲୋକେ ସେତେବେଳେ ବି ପେଟ ପାଇଁ କାମ କରୁଥିଲେ, ବୁଲୁଥିଲେ ବାବୁ, ମାଇପେ ଘର ଚଳେଇବାକୁ ଧନ୍ଦି ହେଉଥିଲେ, କେମିତି ହାଣ୍ତିଟା ଚୁଲି ଉପରେ ବସିବ, ଦିଟା ଫୁଟିଲେ ପିଲାଏ ଖାଇବେ, ବଞ୍ଚିବେ । ତୁମ କୃଷ୍ଣଦେବ ରାୟ ପ୍ରତାପରୁଦ୍ରଙ୍କ ଯୁଦ୍ଧର ପାହାର ସେଇ ଗରିବଙ୍କ ମୁଣ୍ଡ ଉପରେ, ଘର ଉପରେ, ହାଣ୍ଡି ଉପରେ ବି ପଡ଼ିଥିବ, ମୁଣ୍ଡ କୁଢ଼ ଉପରେ ତୋଳା ହୋଇଥିବ ବିଜୟସ୍ତମ୍ଭ ।”
 

ତାଙ୍କର ଉତ୍ତେଜିତ ଲୁହ ଛଳ ଛଳ ମୁହଁକୁ ଦେଖି ଦୁଇ ବନ୍ଧୁ ଚମକିପଡ଼ି ଠିଆ ହୋଇପଡ଼ିଲେ । ସେ କହିଗଲେ, ‘‘ଆଜି କୋଉ ଇତିହାସ ତମ ପିଲାଙ୍କ ମୁହଁରେ ଆଧାର ଦେଉଛି-? କାମ କର, ଦାନାକନା ଯୋଗାଡ଼ କର, ନ ହେଲେ ସରିଲା । ଖଟିଲ, ଘର ସମ୍ଭାଳିଲ, ତେଣିକି ଯୋଉ ବୋଲିରେ ଇଚ୍ଛା, ସେ ବୋଲିରେ କଥା କହ । ତାମିଲ କି ତେଲୁଗୁ କି ଓଡ଼ିଆ କି ବଙ୍ଗାଳି କି ପଞ୍ଜାବୀ, ଯୋଉ ପୋଷାକ ମନ ସେ ପୋଷାକ ପିନ୍ଧି, ଭଗବାନଙ୍କୁ ଆଶ୍ରା କଲ, ସତରେ ଚଳିଲ, ତୁମେ ମଣିଷ ହୋଇ ସଂସାରରେ ରହିବ । ଆଃ ! ତୁମେ ପୁରୁଷଗୁଡ଼ାକ । ମାଇପେ କେଡ଼େ କଷ୍ଟ ପଡ଼ି ସାଇତନ୍ତି, ସମ୍ଭାଳନ୍ତି, ସବୁ ଏକାଠି କରି ଗଢ଼ନ୍ତି, ଆଉ ତମକୁ କେଉଁ ଭୂତ ଲାଗେ ଯେ ଦୁନିଆକୁ ଭାଙ୍ଗିରୁଜି ଭସ୍ମ କରିଦେବାକୁ ତମକୁ ତର ସହେ ନାହିଁ !”

 

“ନାହିଁ–ନାହିଁ, କିଛି ନାହିଁ, କିଛି ନାହିଁ, ଖାଲି ଗପ ହେଉଥିଲା,” ଦୁଇ ବନ୍ଧୁ ଏକାଠି କହିହେଉଥିଲେ । ଅତୀତ କାହିଁ କୁଆଡ଼େ ଉଭେଇଯାଇଛି । ପୁଣି ଲେଉଟିଆସିଛି ସହଜ ଆବେଗ-

 

ଗୁମ୍ପା ସ୍ୱାମୀ ହସୁଛି, ଜଗୁ ପରିଡ଼ା ହସୁଛି ।

 

ଜଗୁ ନିମନ୍ତ୍ରଣ କଲା, ‘‘କାଲି ସଞ୍ଜରେ ସପରିବାରେ ଆମ ଘରେ– । ମୁଁ ଆସି ନେଇଯିବି-।”

 

“ନିଶ୍ଚୟ, ନିଶ୍ଚୟ” ଗୁମ୍ପାସ୍ୱାମୀ କହିଲା । ଖାଲି ମୁଣ୍ତ ହଲାଇ ହଲାଇ ନୁହେଁ, ତା’ର ଦେହ ଗୋଟାକଯାକ ଝାଙ୍କି ହୋଇଯାଉଥାଏ ।

 

ଆନନ୍ଦରେ ଗଦ୍‍ଗଦ ହୋଇ ଜଗୁ ପରିଡ଼ା ବିଦାହୋଇ ଯିବାକୁ ବାହାରିଲାବାଳେ ତା’ ହାତ ପାପୁଲିକି ବଜ୍ରମୁଠାରେ ଚିପିଧରି ଗୁମ୍ପାସ୍ୱାମୀ ତା’ର କାନପାଖେ ମୁହଁ ଲଗାଇ କହିଲା, ‘‘ଆମେ ଦୁଇ ଭାଇ ।” ଜଗୁପରିଡ଼ା ତା’ର ଅଣ୍ଟାରେ ହାତ ଗୁରେଇଦେଇ ତାକୁ କୁଣ୍ଢେଇପକାଇ କହିଲା, ‘‘ଖାଲି ଏ ଜନ୍ମର ନୁହେଁ, ଜନ୍ମଜନ୍ମାନ୍ତରର ।”

Image

 

ଚିତ୍

 

ଶଗଡ଼ିଆସାହିର ଜଗା ପଲେଇ ଯେଉଁଦିନ ବାରବାଟି ଷ୍ଟେଡ଼ିୟମରେ ହେଉଥିବା କୁସ୍ତି ପ୍ରତିଯୋଗିତାରେ ଦରଭଙ୍ଗାର ରାମ ଲାୱନ ପାଣ୍ତେକୁ ଜିତି ନିଖିଳ ଭାରତ କୁସ୍ତି ପ୍ରତିଯୋଗିତା ଅର୍ଥାତ୍ ନି-ଭା-କୁ-ପ୍ରର ଶେଷ ପାହାଚକୁ ଉଠିଥିଲା ସେଦିନ କିଲ୍ଲା ପଡ଼ିଆରେ ହଜାର ହଜାର ଦର୍ଶକଙ୍କ ଉତ୍ତେଜିତ ହର୍ଷରୋଳରେ ଗଗନ ଫାଟିଥିଲା । ‘‘ଜଗା ପଲେଇର ଜିତା ନୁହେଁ, ଓଡ଼ିଶା ଜିତିଛି । ଓଡ଼ିଶା ଜିତିଛି ।” ସବୁଠି ଏହି ଚେତନା । ସେହି ମୁହୂର୍ତ୍ତରେ ଓଡ଼ିଶାର ଜନତାର ମନଓରମାଣମେଣ୍ଟା ଆଶା ଆସ୍ପର୍ଦ୍ଧା ପୂରଣର ପ୍ରତୀକ ସେହି ଆଗରୁ ଅଚିହ୍ନା ଅଜଣା ଅଶୁଣା କୁସ୍ତି ପହିଲ୍‍ମାନ୍‍ ଲୋକଙ୍କୁ ଏପରି ଲାଗୁଥିଲା ଯେ ତା’ ପାଖକୁ ଯିବାକୁ ଚାରିଆଡ଼ୁ ଠେଲାପେଲା ଚାଲିଲା, ସେହି ମଣିଷ-ସମୁଦ୍ରରେ ନାନାଆଡ଼ୁ ଢେଉ ମାଡ଼ିଆସି ଢାଇ ହୋଇଥିଲା, ଡାକ୍ତରଖାନାକୁ ବୁହାହୋଇ ଚାଲିଗଲେ ଅନ୍ତତଃ ଏକୋଇଶି ଜଣ, ତା’ପରେ ସେହି ଅନିୟନ୍ତ୍ରିତ ଭିଡ଼ ଭିତରେ ଏପରି କଳିକନ୍ଦଳ ଲାଗିଲା ଯେ ଅବସ୍ଥା ସମ୍ଭାଳି ଜନତାକୁ ବାଟକୁ ଆଣିବାକୁ ପୁଲିସ୍ ଫଉଜ ଡକାଇବାକୁ ପଡ଼ିଲା ।

 

ସେଦିନ ସେହି ଯେଉଁ ଜନତା ଘରକୁ ଫେରିଲା, ସେଥିଭିତରୁ କାହାର କାମିଜ ଚିରିଛି, କାହାର ଦେହରେ ଦରଜ, କାହାର ଘଣ୍ଟା କି ଫାଉଣ୍ଟେନ୍ ହଜିଛି । ସେଥିରେ ପ୍ରତି ଲୋକର ଛାତିରେ ଥିଲା ଓଡ଼ିଆ ଜାତୀୟ ଚେତନା, ଆଉ ଏପରି କିଛି, ଯାହାକୁ କୁହାଯାଇପାରେ ବୀରମଦ । ସତେକି ପ୍ରତ୍ୟେକ ଜଣେ ଜଣେ ଜଗା ପଲେଇ ।

 

ଖବରକାଗଜରେ ସେହି ପ୍ରସିଦ୍ଧକୁସ୍ତିର ଫଟୋ ବାହାରିଲା । ଜଗା ପଲେଇର ପ୍ରଶଂସାରେ ସବୁ ଓଡ଼ିଆ ଖବରକାଗଜ ମୁଖର ହୋଇଉଠିଥାନ୍ତି । ‘‘ଓଡ଼ିଶାର ଗୌରବ ଜଗା ପଲେଇ ।” ‘‘ଓଡ଼ିଶାର ଇଜ୍ଜତ ଜଗା ପଲେଇ ।” ‘‘ଅ-ଦ୍ୱିତୀୟ ଓଡ଼ିଆ ପହିଲ୍‍ମାନ୍‍ ଜଗା ପଲେଇ ।” ‘‘କଟକରେ ଅଦୃଷ୍ଟପୂର୍ବ କୁସ୍ତି ।” ‘‘ବ୍ୟାୟାମସମ୍ରାଟ୍‍ ଜଗା ପଲେଇ ।’’ ‘‘ଅଜେୟ ବ୍ୟାୟାମଶିଳ୍ପୀଙ୍କ ଅଭିନବ କୃତିତ୍ୱ ।” ଏହିପରି ନାନା ଶିରୋନାମା ।

 

ଖବରକାଗଜ ମଫସଲରେ ପହଞ୍ଚିଯିବାମାତ୍ରେ ସେଠି ବି ଚହଳ ଖେଳିଗଲା । କେତେ ଲୋକ ନିଜ କର୍ମକୁ ନିନ୍ଦିଲେ ଯେ ଏପରି ଗୋଟିଏ ଘଟନାର ସେମାନେ ପ୍ରତ୍ୟକ୍ଷଦର୍ଶୀ ହୋଇପାରିଲେ ନାହିଁ । କଟକ ଜିଲ୍ଲା ମହୀଧରପଡ଼ା ଗାଁ ପାଖରେ ଯେଉଁ ବିଲର ଝର ଦିନାକେତେ ବଡ଼ ତୀର୍ଥ ହେଲା, ସେଠିକି ଯାଇ ନ ପାରି କେତେକଙ୍କ ମନରେ ଯେପରି ଖେଦ ରହିଗଲା, ଗୋବିନ୍ଦଦ୍ୱାଦଶୀକୁ ପୁରୀ ଯାଇ ନପାରି କେତେ ଲୋକ ଯେପରି ହନ୍ତସନ୍ତ ହେଲେ, ଖବରଟା କେତେ ଲୋକଙ୍କ ମନରେ ସେମିତି ଗୋଟାଏ ଓରମାଣ କୁହୁଳେଇଥିଲା । ତା’ ସଙ୍ଗେ ସଙ୍ଗେ ଆସିଲା ଗୋଟାଏ ପୁଲକ, ଗୋଟାଏ ଗର୍ବ,–“ଓଡ଼ିଶା ଜିତିଛି ।’’ କେତେ ଲୋକ ଭାବପ୍ରବଣ ହେଲେ । ଘଟନାର ପ୍ରାୟ ସାତ ଦିନ ପର୍ଯ୍ୟନ୍ତ ଯେଉଁ ସମୟ ଚାଲିଲା ତାକୁ କୁହାଯାଇପାରେ ‘‘ଜଗା ପଲେଇ ସପ୍ତାହ” । ରେଲରେ, ବସରେ, ହୋଟେଲରେ, ଗାଁ ଭାଗବତଟୁଙ୍ଗୀରେ ଜଗା ପଲେଇର କୁସ୍ତି କଥା । ମଙ୍ଗଳଗ୍ରହକୁ ହାବେଳି, ଉଡ଼ାଜାହାଜରେ ପୂରାଇ ମଣିଷ ପଠାଇବା ସମ୍ବାଦ, କଙ୍ଗୋରେ ଲୁମୁମ୍ବାଙ୍କ ମୃତ୍ୟୁ ଓ ତହିଁ ଉତ୍ତାରୁ କଙ୍ଗୋ ରାଜନୀତିର ଦିନ ଦିନକର କାହାଣୀ, ପଞ୍ଚାୟତ ସମିତି ଓ ଜିଲ୍ଲାପରିଷଦ ନିର୍ବାଚନରେ ହାରିବା ଜିତିବା ଖବର, ଦେଶରେ ନାନା ଚାଞ୍ଚଲ୍ୟକର ପରିବର୍ତ୍ତନ, ଏହି ସବୁ ଖବରର ଆଲୋଚନା ଉପରେ ମାଡ଼ିବସିଲା ଜଗା ପଲେଇର କୁସ୍ତି । ବର୍ଷେକାଳ ବାହାତିଥି ନାହିଁ ବୋଲି ଜାରି ହୋଇଥିବାରୁ ସେହି ପନ୍ଦରଦିନ ଭିତରେ ଶହ ଶହ ବିଭାଗର ହୋଇଗଲା, ତେଣୁ ଶହ ଶହ ବିବାହଭୋଜିମେଲଣ ଘଟିଗଲା । ସେଠି ଜଣେ ଆଉ ଜଣକୁ ଦେଖିଲାମାତ୍ରେ ପଚାରେ, ‘‘ଜଗା ପଲେଇ କୁସ୍ତି ଦେଖିବାକୁ ଯାଇଥିଲେ ନା ? କେମିତି ଲାଗିଲା ?” ନ ଦେଖିଥିଲେ ବି ଉତ୍ତର ଦେବାକୁ ପଡ଼େ, ‘‘ଭାରି ଚମତ୍କାର, ଭାରି ବଢ଼ିଆ ।’’ ଦେଖିନାହିଁ ବୋଲି କହିବା ସତେକି ଗୋପନ ଅପରାଧ ସ୍ୱୀକାର କରିବାଠୁଁ ବଳି ।

 

ସେହି ଜଗା ପଲେଇ ସପ୍ତାହ ଭିତରେ ଦେଖାଗଲା, ଗହଳି ଜାଗାରେ ପାଞ୍ଚ ପୃଷ୍ଠାର ଗୋଟିଏ ଚଟି ଗୀତ ବହି ବିକା ହେଉଛି, ଭଣତି କବି ଆବିଦ୍, ମୂଲ୍ୟ ଦଶ ନୂଆ ପଇସା । କିଚିରି ଆଗରେ, ରେଲଷ୍ଟେସନରେ, ମଟର ଷ୍ଟେସନରେ, ବଡ଼ ଛକରେ ହାର୍ମୋନିଆ ବଜାଇ ସେ ଗୀତକୁ ଗାଇ ଗାଇ ବୁଲାବିକାଳି ଚରୁଥିବା ଦେଖାଗଲା ସେ ସେହି କୁସ୍ତି ବିଷୟରେ ।ସହରର ଫଟୋଦୋକାନମାନଙ୍କରେ, ସ୍ଥାନେ ସ୍ଥାନେ ମିଠେଇ ଦୋକାନରେ, ଚାହା ଦୋକାନରେ ଓ ପାନ ଦୋକାନରେ ସେ କୁସ୍ତିର ଫଟୋ କାଚରେ ବନ୍ଧା ହୋଇ ଝୁଲୁଥିବାର ଦେଖାଗଲା ।

 

ଅଲାଣ୍ତୋ ମହିଳାମଣ୍ତଳୀ, ଓଲଂସ ଯୁବକମଣ୍ତଳୀ, ଗବବସ୍ତ ଗ୍ରାମସମାଜ, ବାମ୍ପିସାହି ଟକର୍ସ କ୍ଲବ, ଗଙ୍ଗନଗର ସାଂସ୍କୃତିକ ସମାଜ, ଉତ୍ତରବାଡ଼, କୁଚିନ୍ଦା ମୀନାମଣ୍ତଳୀ, ଘୁଷୁରିର ଅବସରବିନୋଦନସମାଜ, ଏହିପରି ନାନା ଅନୁଷ୍ଠାନ ଜଗା ପଲାଇଙ୍କୁ ଅଭିନନ୍ଦନ ଜଣାଇ ପ୍ରସ୍ତାବ ପାସ୍ କରି ଖବରକାଗଜମାନଙ୍କୁ ପଠାଇଥିଲେ ।

 

ସେତେବେଳେ ଜଗା ପଲେଇଙ୍କ ପ୍ରସିଦ୍ଧ କୁସ୍ତି କେତେ ଚିନ୍ତକ ଦାର୍ଶନିକ ପଣ୍ତିତଙ୍କ ବିଚାରଧାରାକୁ ପ୍ରଭାବିତ କରିଥିଲା ବୋଲି ଲାଗୁଥାଏ । ସେହି ସପ୍ତାହ ଭିତରେ ମତ୍ସ୍ୟଜୀବୀସଂଘର ବାର୍ଷିକ ଅଧିବେଶନର ସାହିତ୍ୟ ସଭାରେ ପ୍ରଧାନ ପଣ୍ଡିତ କାଳିଦାସଙ୍କ ଶକୁନ୍ତଳା ନାଟକ ବିଷୟରେ ବକ୍ତୃତା ଦେଉ ଦେଉ ଯେତେବେଳେ ଅନ୍ୟ ଆଡ଼କୁ ମାଡ଼ିଯାଇ ତା’ର ସ୍ୱରରେ କହିଲେ, ‘‘କଳିଙ୍ଗାଃ ସାହସିକାଃ” ଓ ଖାରବେଳଙ୍କ ମଗଧ ଅଭିଯାନ ବିଷୟରେ କହିସାରି ରବି ଠାକୁରଙ୍କ ଦୁଇ ବିଘା ଜମିରୁ ‘‘ହେନକାଲେ ହାୟ ଯମଦୂତ ପ୍ରାୟ” ଆଦି ଆବୃତ୍ତି କରି ଭାବପ୍ରବଣ ହୋଇ ଆଖି ପୋଛି ତାଙ୍କର ଅଭିଜ୍ଞାନ ଶାକୁନ୍ତଲମ୍ ବିଷୟକ ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ଶେଷ କଲେ ଓ ତାଙ୍କୁ ଧନ୍ୟବାଦ ଦେବାକୁ ଯାଇ ଆଉ ଜଣେ ପ୍ରସିଦ୍ଧ ବକ୍ତା ୧୮୦୩ ପରେ ଓଡ଼ିଶା ଶୋଷଣର କ୍ରମ ବିଷୟରେ ଆଲୋଚନା କରି ସେହି ସବୁ କାରଣରୁ ଏ ଦେଶରେ ସଂସ୍କୃତ ସାହିତ୍ୟ ଆଲୋଚନା କିପରି ବ୍ୟାହତ ହେଲା ସେ ବିଷୟରେ ଦୁଃଖ ପ୍ରକାଶ କଲେ, ସେତେବେଳେ ଲାଗୁଥାଏ, ସେମାନଙ୍କ ମନରେ ସତେ କି ଦବିଥିବା ଚକ ଟେକା ହେଲା ବେଳର ଉତ୍ତେଜନା ଖେଳୁଛି । କେତେଠିଁ ସେତେବେଳେ କଟା ଘା’ ହାକୁ ହାକୁ ହେଉଥିଲା । ଲୋକେ କୁହାକୁହି ହେଉଥିଲେ, ଷଢ଼େଇକଳା-ଖରସୁଆଁ-ମେଦିନୀପୁର-ମଞ୍ଜୁଷା-ବସ୍ତର ।

 

ଏଣେ ଯେତେବେଳେ ଚାରିଆଡ଼େ ଜଗା ପଲେଇ ହୁରି ପଡ଼ିଥିଲା ସେତେବେଳେ ଶଗଡ଼ିଆସାହିର ଜଗା ପଲେଇ ତା’ର ପୂର୍ବବୃତ୍ତି ଅନୁସରି ମାଲଗୋଦାମରେ ବସ୍ତା ବୋହୁଥିଲା । ସେ ଏ କାର୍ଯ୍ୟ ତା’ର ପନ୍ଦର ବର୍ଷ ବୟସ ବେଳୁ କରିଆସିଛି, ସେହି ଯେତେବେଳେ ତା’ ବାପ ଉଦ୍ଧବ ପଲେଇ ଦିନେ ବର୍ଷାପାଗରେ ମହାଜନର ଶଗଡ଼ ଆଣି ମହାଜନ ଘରେ ଜିମା କରିଦେଇ ଆପଣା ଘରେ କାନି ପାରି ଶୋଇପଡ଼ିଲା, ଆଉ ଉଠିଲା ନାହିଁ ।

 

ଉଦ୍ଧବ ପଲେଇ ପଡ଼ିଥିଲା ନିଉମୋନିଆ ରୋଗରେ । ମହମଦିଆ ବଜାରର ଗୁଣିଆ ଛୋଟା ମିଆଁ ଆସି ତାକୁ ଝାଡ଼ିଥିଲା, ଫୁଙ୍କିଥିଲା । ଟେଙ୍କର ସାହି ଗୋବିନ୍ଦ ଘଡ଼େଇ କଚିରି ହତାରେ ନାନା ରୋଗ ଭଲ କରିବା ପାଇଁ ଔଷଧ ବଟିକା ସଜାଇ ରଖେ, ପିତା କଷା ରାଗ ଲୁଣ ଏହିପରି ଚାରି ପ୍ରକାର ବଟିକା ତାକୁ ଖୋଇଥିଲା ।ସାତ ସୁଉକା ନେଲା । ତିନିଘେରିଆର ବାବାଜି କରୁଣି ଗୋସେଇଁ ବ୍ୟବସ୍ଥା ଦେଇଥିଲେ ଯେ ବୁଧବାର ଦିନ ବୁଲା ଗୋରୁଙ୍କ ଆଗରେ ଅଠର ବିଡ଼ା ନଡ଼ା ପକାଇଦେଇ ସଡ଼କ ଧୂଳିରେ ଲମ୍ବ ହୋଇ ଗୋଡ଼ତଳେ ପଡ଼ିଗଲେ ରୋଗ ଅବଶ୍ୟ ଭଲ ହେବ । ତା’ ବି କରାଗଲା; କିନ୍ତୁ ଉଦ୍ଧବ ପଲେଇ ଅଟକିଲା ନାହିଁ, ମଲା ।

 

ନିଉମୋନିଆ ରୋଗ ଭଲ କରିବା ପାଇଁ ମନୁଷ୍ୟ ଜାତି କ’ଣ ସତେ ଔଷଧ ଆବିଷ୍କାର କରିଛି, ସେ ତା ଜାଣିବାକୁ ସୁଯୋଗ ପାଇଲା ନାହିଁ ।

 

ବଡ଼ ସହର । ପୋଷଣାହାରି ବାପ ନାହିଁ । ବୃତ୍ତି ନାହିଁ । ସଞ୍ଚୟ ନାହିଁ । ସାହାଯ୍ୟ ନାହିଁ-। ଦୁଇ ବଖରା ଚାଳଘର ଓ ତିନି ଗୁଣ୍ଠ ଜମି ଉପରେ ଥିଲାବାଲାଙ୍କର ଚିଲଚାହାଣି । ଘରେ ବିଧବା ମା’, ନିପାରିଲା ବୟସର ଦି’ଭାଇ, ଜଗା ଆଉ ଖଗା, ତାଙ୍କ ତଳେ ବାର ବର୍ଷର ଭଉଣୀଟିଏ, ସର । ହିତକାରିଆ ଉପଦେଶ ଦେବାକୁ ଆସି ପହଞ୍ଚିଗଲେ । କହିଲେ, ଏଥର ଏ ଜାଗାଟା ବିକିଦିଅ, ଆଉଠିକି ଉଠିଯାଇ ଶସ୍ତାରେ ଘର ଖଣ୍ଡେ ତୋଳି ବଳକା ଧନରେ କିଛି ବେପାର କର । ଯୁକ୍ତି ବି ହୃଦବୋଧ ହେଲାଭଳି । ଏଠି ସିନା ଏଡ଼େ କନ୍ଦି ଜାଗା, ହେଲେ ଟିକିଏ ଚାଲିଗଲେ ତ ବଡ଼ ରାସ୍ତା ହାବୁଡ଼ିବ, ଗୁଣ୍ଠକ ହେଲାଣି ସାତ ଶହ, ଘର ଦି ବଖରା ମିଶାଇ ତିନି ହଜାର ବି ମିଳିପାରେ; କିନ୍ତୁ ଗୋଶାଳାପଟେ କି ତୁଳସୀପୁରରେ କି ବିଡ଼ାନାସୀରେ କି ଉତ୍ତମାପୁରରେ ଜମି ଟିକିଏ କିଣି ଘର କରିବାକୁ ଏତେ ଖର୍ଚ୍ଚ ତ ପଡ଼ିବ ନାହିଁ ।

 

ପିଠିଆଡ଼େ କଳା କିଟି କିଟି ଅସନା ନାଳ, ଡାହାଣପଟେ ସିଙ୍ଗାଣି ଭୁଟୁଭୁଟୁ ସଢ଼ା ପୋଖରୀ, ବାଁପଟେ ଗୋଟିଏ ଧୋବାଘର ଓ ତାକୁ ଲାଗି ବସ୍ତି ଲମ୍ବିଛି । ସାମନାରେ ଛ’ ସାତ ହାତ ଗଳି ଓ ଗରିବଦାସ ମହାଜନଙ୍କ ଦୋମାହାଲା କୋଠାର ପାଚିରିର ପିଠି, ଜଳାବାଟେ କଳାପାଣି ବୋହି ବୋହି ଆଗର ସେହି ଛ’ ସାତ ହାତ ଓସାର ଖୋଲା ଜାଗାରେ ଠୁଳ ହୁଏ । ବଢ଼େ, ମାଡ଼େ, ଦଲଦଲାଏ ।

 

କିନ୍ତୁ ଉଦ୍ଧବ ପଲେଇ ବି ତା’ର ସେହି ତିନିପୁରୁଷିଆ ଜାଗାକୁ ବିକି ନାହିଁ, ତା’ ସ୍ତ୍ରୀ ଓ ପୁଅ ବି ବିକିଲେ ନାହିଁ, ହିତକାରିଆଙ୍କ ଉପଦେଶ ପାଣିରେ ପଡ଼ିଲା ।

 

ସେମିତି ସେ ଉପକାରିଆ ବନ୍ଧୁମାନେ ଉପଦେଶ ଦେଇଥିଲେ ଯେ ଏ ଘରର ଲୋକେ ଏଥର ନିଜକୁ ବି ବିକିଦିଅନ୍ତୁ । କାହା କାହା ଘରେ ଚାକର ଚାକରାଣୀ ହୋଇ ରହିହେବ । ନ ହେଲେ ପୋଷିବ କିଏ ? ପନ୍ଦର ବର୍ଷରେ ଜଗାର ଚେହେରାଟା ଦେଖିଲା ଭଳି । କିଏ ଡାକିଲା ଶଗଡ଼ କାମରେ ମଣ ହେବାକୁ, କିଏ ଡାକିଲା କରତ ପେଲା ଶିଖିବୁ ଆ, ଅନେକେ ଡାକିଲେ ଦୋକାନରେ ଚାକର ରହିବୁ ଆ, ଜଣେ ବାବୁ ଫୁସୁଲେଇଲେ ମୋ ଘରେ ଆସି କାମଦାମ କର, ପଛେ କେଉଁଠି ଚପରାସି କାମରେ ରଖେଇଦେବି । ଜଣେ ଖାନ୍ଦାନ୍ ନାଁ ଡାକ ଲୋକଙ୍କ ପାଖରେ ବୁଲିବା ଲୋକ ଆସି କହିଲା, ତୋ କପାଳ ଖୋଲିଗଲାରେ, ତତେ କେମିତି ଦେଖିଲେ କେଜାଣି, ସେ ନିଜେ କହିପଠେଇଛନ୍ତି । କାମ କିଛି ନାହିଁ, ତାଙ୍କ ସଙ୍ଗରେ ରହିଥିବୁ, ଯୁଆଡ଼େ ଯେଉଁ ଦେଶକୁ ଗଲେ ଯିବୁ, କ’ଣ ସାମାନ୍ୟ ବୋଲହାକ ବରଗିବେ କରିବୁ, କେତେ ଖାଇବୁ, କେତେ ପାଇବୁ, ତା’ ଉପରେ ପୁଣି ଦରମା । ଆରେ, ତୋ ପାଦ ତଳେ ଲାଗିବ ନାହିଁ, ଖାଲି ମଟରରେ ଉଡ଼ାଜାହଜରେ ବୁଲିବୁ, ଗଦିରେ ଶୋଇବୁ, ଦାମୀ ପୋଷାକ ପିନ୍ଧିବୁ, ପେଟ ପୂରେଇ କେତେ ସୁଆଦିଆ ସୁଆଦିଆ ଜିନିଷ ଖାଇବାକୁ ପାଇବୁ । କେତେ ଅନୁସରଣିଆ ଗୋଡ଼ାଣିଆ ଆସି କେତେ ପ୍ରକାରରେ ତତେ ପାକଳାପାକଳି ଫୁସୁଲାଫୁସୁଲି କରୁଥିବେ, ତୁ କାହାକୁ ମାରିବୁ କାହାକୁ ତାରିବୁ । ତୁ ବି ହେଇପାରିବୁ ଜଣେ ଦମ୍ଭିଲା ମଣିଷ । ତାଙ୍କ କଥା ଜାଣିନୁ, ଯେ ତାଙ୍କୁ ଅଶ୍ରା କରିଛି କାହାକୁ ସେ କ’ଣ ନ କରିଛନ୍ତି ! ଆରେ ସେ ମଣିଷ ସେମିତିଆ, ପଇସା ତାଙ୍କ ଆଖିରେ କ’ଣ ? ଆମକୁ ଯେମିତି ଗୋଡ଼ିମାଟି ।

 

ଜଗା ପଲେଇ ଗୁମ୍ ହୋଇ ରହି ସବୁ ଶୁଣୁଥିଲା । ତା’ ଭିତରେ ଯେମିତି କିଏ କହୁଥିଲା, କାନ ଦେ ନାଇଁ ଜଗା, ଆଖି ବୁଜି ଦେ, ନଁ ନାଇଁ ।

 

ନା, ଚାକିରି ସେ କରିବ ନାହିଁ, କାହାରି ଆଶ୍ରାରେ ବାନ୍ଧି ହେବ ନାହିଁ । ଯେଡ଼େ ବଡ଼ ବଡ଼ ରୁମ, ମୋଟ ଲାଙ୍ଗୁଡ଼, ବଡ଼ ଶରୀର, ଠିଆ ନିଶ ଆଉ ମୋଟ ମୋଟ ଦାନ୍ତ ହେଲେ ବି କୁକୁରଟା କୁକୁରହିଁ ତ, ଖାଉନ୍ଦ ତୁ ତୁ ଡାକିଲେ ଧାଇଁଯାଏ, ଲାଙ୍ଗୁଡ଼ ହଲାଏ, ଜୋତାକୁ ଚାଟେ; ବେକପଟିରେ ଜଞ୍ଜିର ବନ୍ଧା ହୋଇ ଖୁଣ୍ଟିରେ ବନ୍ଧା ହୋଇ ପଡ଼ିଥାଏ । କୁକୁର ତା’ ଖାଉନ୍ଦ ସଙ୍ଗେ ମଟରରେ ବସି ଯାଏ, ବଡ଼ ମୁଣ୍ଡକୁ କାଚରେ ଠେଁସିଦେଇ ବଡ଼ ବଡ଼ ଆଖି କରି ରାସ୍ତାକୁ ଅନାଏଁ, ଜିଭ ଲହ ଲହ କରେ । ଲୋକେ ତା’ ଠାଣି ଆଉ ଠାଣ୍ଟ୍ ଦେଖି କେଡ଼େ ପସନ୍ଦ କରନ୍ତି । ଯେତେହେଲେ କେହି ତ କେବେ କହେ ନାହିଁ, ସେ କୁକୁର ଛଡ଼ା ଆଉ କିଛି ବୋଲି !

 

ପନ୍ଦର ବର୍ଷର ଜଗା ପଲେଇର ବିଚାର ଭିତରେ ସତେ କି ତା’ର ରକ୍ତର ଗୁଣ ଏ ଛବି ଆଙ୍କିଦେଇଥିଲା, ହିଡ଼ମାଟି ହିଡ଼ରେ ଲଦୁଥିବା ଅତୀତର ଅକଳନ୍ତି ପୂର୍ବପୁରୁଷଙ୍କର ବିଚାରର ପରମ୍ପରା ତା’ ରକ୍ତରେ ବି ସାଇତି ରଖିଥିଲା ଗୋଟାଏ ଅଣନୁଆଣି ଏକବାଗିଆ ଚେମେଡ଼ା ଆଣ୍ଟ, ସହରରେ ତିନି ପୁରୁଷର ରହଣି ତାକୁ କଳଙ୍କି ଲଗାଇ ପାରି ନାହିଁ ।

 

ଏତେ ଯଚାଯଚି ଫୁସୁଲାଫୁସୁଲିକୁ ପିଠି ବୁଲେଇଦେଇ ସେ ଆପଣା ପାଇଁ ବରଣ କରିନେଲା ବୋଝବୁହା ହେମାଳି କାମ, ନିତି ଖଟିଖିଆ ମୂଲିଆ ଜୀବନ । ତା’ ବୋଉ ଆପତ୍ତି କଲା ନାହିଁ । ଝିଅକୁ ହାତବାରିସୀ କରି ବରାଗୁଲୁଗୁଲା, ଚକୁଳି, ଏଣ୍ଡୁରିପିଠା ତିଆରି କରି ଆଗ ବଖରାରେ ସେମାନେ ସାନ ଦୋକାନଟିଏ ଠିଆ କଲେ । ଜଗାବୋଉର ହାତ ସୁଆଦ । ବିକ୍ରି ଚାଲିଲା । ଖଗା ବୁଲି ବୁଲି ଚିନାବାଦାମ ଓ ବାରମଜା ବିକିଲା । ତା’ପରେ ରହିଗଲା ଜଣକର ବିଡ଼ିତିଆରି କାରଖାନାରେ, ବିଡ଼ି ବଳିଲା । ଚାରିଜଣିଆ ପରିବାରଟି ଚଳିଗଲା କୌଣସିମତେ, କେହି ମଲେ ନାହିଁ, ଘର ବିକା ହେଲା ନାହିଁ, ପଦାରୁ ଦେଖିଲେ ଯେମିତି ନା ସେମିତି । ଚାରୋଟି ମଣିଷ ଏକମନହୋଇ କେତେ ଭୋକଉପାସ ରହିଲେ, ପାଟିଟକ ରୋକିଲେ, ପଦାରେ କେହି ଜାଣିଲେ ନାହିଁ ।

 

ଜଗାର ଗୋଟିଏ ଝୁଙ୍କ ଥାଏ, ଶରୀରଚର୍ଚ୍ଚା । ସେଥିପାଇଁ ଉତ୍ସାହ ଦେଇଥିଲେ ଶଗଡ଼ିଆସାହିର ବୁଢ଼ା ଖଲିଫା, ତା’ ବାପର ଧର୍ମବାପ । ପାକେଲା ଆମ୍ବ ପରି ଗୋରା, ଭେଣ୍ଡିଆ ଲୋକର ଦେହ ପରି ଦେହ, ଛାତିଯାକେ ଓହଲିଥାଏ ଧଳା ଦାଢ଼ି, ଟିକି ଟିକି ନେଳିଚା ଆଖିରେ ସାନ ପିଲାର ଚାହାଣି, ମୁଣ୍ଡରେ ଶାଗୁଆ ଛିଟଛିଟ ପାଗ, ପିଲାଦିନେ ବୁଢ଼ା ଖଲିଫା ତା’ କାନ୍ଧକୁ ଧରି ଝାଙ୍କିଦେଇ କହିଥିଲେ, ତୁ କାହିଁକି ଆମ ଆଖଡ଼ାରେ ମିଶୁନାହୁଁରେ ଟୋକା ? ତୋ ଦେଇ ତ ଭଲ ହୁଅନ୍ତା । ଆରେ ଉଦ୍ଧବ, ୟାକୁ ମୋ ହାତରେ ଛାଡ଼ି ଦେ, ପହିଲ୍‍ମାନ୍‍ ‘ବନେଇ’ ଦେବି । ଉଦ୍ଧବ ହସି ହସି କହିଥିଲା, ଦେଇଦେଲି, ନେଇଯା । ସେଦିନୁ ଚାଲିଛି ।

 

ବୁଢ଼ା ତେନ୍ତୁଳିଗଛ ଛାଇତଳେ ଦେଢ଼ ପୁରୁଷ ଉଚ୍ଚ ପାଚିରି ଘେରା ହୋଇ ହତା । ହତା ଆଗରେ ଦୁଇ ବଖରା ଅତି ପୁରୁଣା କୋଠା, ଖଲିଫାଙ୍କ ରହିବା ଘର । ସ୍ତ୍ରୀ ନାହିଁ, ପୁଅଝିଅ ନାହାନ୍ତି, କେବେ ଥିଲେ ଜଣାନାହିଁ । ଜୀବନରେ ଗୋଟିଏ ସଉକ, ତାଙ୍କର ପ୍ରସିଦ୍ଧ ଆଖଡ଼ା । ଆଖଡ଼ା ଚାଲେ ହତାରେ ।

 

ଅନ୍ଧାର ଥାଉ ଥାଉ ଜଗା ସେହି ଆଖଡ଼ାକୁ ଯାଇ ଦଣ୍ଡ, ବୈଠକ, ମୁଦ୍‍ଗରବୁଲା ଓ ଅନ୍ୟାନ୍ୟ ନାନା ପ୍ରକାର କସରତ୍‍ କରେ, କୁସ୍ତି ଲଢ଼େ, ବନାଠି ବୁଲା ଓ ଲାଠି ଖେଳ କରେ । ଆଖଡ଼ାରେ କେତେ ଲୋକ ମିଶନ୍ତି, କିଏ ପୁଣି କେଉଁଦିନଠୁଁ ଆଉ ଆସନ୍ତି ନାହିଁ, କିନ୍ତୁ ସେହି ପାଚିରିଘେରା ହତାରେ ଏପରି କୌଣସି ଦିନ ଉଦେ ନାହିଁ, ଯେଉଁଦିନ ସୂର୍ଯ୍ୟୋଦୟବେଳେ ସେ ହତା ଭିତରୁ ଜଗୁ ପଲେଇ ବାହାରିଯାଉଥିବା ଦେଖା ନ ପଡ଼େ ।

 

ସହରରେ ଆଉ କେଉଁ ଆଖଡ଼ାରେ କିଏ ଯୋଗ୍ୟ ଲୋକ ଅଛନ୍ତି ଖଲିଫାଙ୍କୁ ସବୁ ଜଣା-। ଅନ୍ୟ କେଉଁ ସହରରୁ କେଉଁ ଯୋଦ୍ଧା ଆସି ପହଞ୍ଚିଲେ ତାଙ୍କୁ ସମ୍ବାଦ ମିଳେ, ତା’ପରେ ନିମନ୍ତ୍ରଣ ଯାଏ, ବଳ କଷାକଷି ଲାଗେ । ଗତ ତିନି ବର୍ଷ ହେଲା ଏମିତି ନାନା ପ୍ରତିଯୋଗିତାରେ ଜଗା ପଲେଇ କ୍ରମାନ୍ୱୟରେ ଜିତିଆସିଛି, କେବେ ହାରିନାହିଁ । ଏଡ଼େ ବଡ଼ ସହରରେ ଯେଉଁ ଅଳ୍ପ କେତେ ଜଣ ଲୋକ ଫୁଲ୍‍କାରୁ ଓହ୍ଲାନ୍ତି କି କୁସ୍ତି କସରତ୍ ସହିତ ସମ୍ପର୍କ ରଖନ୍ତି ସେମାନେ ଜଗା ପଲେଇର ନାଁ ଜାଣନ୍ତି । ପଚାରିଲେ କହିବେ, ଟୋକାର ଦେହଟା ଲୁହା ପରି, ଧରିପକାଇଲେ ଛାଡ଼ିବ ନାହିଁ, ଅସମ୍ଭବ ପ୍ରକାରେ ତା’ର ଦମ୍, ତା’ ଗତି ବିଜୁଳି ପରି, ଉମର ଖଲିଫାଙ୍କଠୁ ପେଞ୍ଚ କାଇଦାଗୁଡ଼ାକ ଶିଖିନେଇଛି ସବୁ । କିନ୍ତୁ ଯେଉଁମାନେ ଏ ଖବର ରଖନ୍ତି, କ୍ୱଚିତ୍ ସେମାନେ ଅଫିସ୍ କି କଚିରି କି ସେମିତିଆ ଅନ୍ୟାନ୍ୟ ଚିହ୍ନାଜଣା ଶ୍ରେଣୀର ଲୋକ । ସେଥିଭିତରୁ କାହାର ପାନ ଦୋକାନ, କାହାର ଫଳ ଦୋକାନ, କାହାର ସାନ ଚାଉଳଡାଲି ଦୋକାନ କି ପରିବାପତ୍ର ଦୋକାନ, କିଏ ଦର୍ଜି, କିଏ କଂସେଇ, କିଏ ଶଗଡ଼ିଆ, କିଏ ମଟର ଡ୍ରାଇଭର; କିଏ ବଢ଼େଇ, କିଏ ଆଉ କେଉଁ ବୃତ୍ତିଧାରୀ । ଆପଣା ଆପଣା ବୃତ୍ତିର ଧନ୍ଦା ସେମାନଙ୍କୁ କାର୍ଯ୍ୟବ୍ୟସ୍ତ ରଖେ, ପ୍ରଚାର ସେମାନଙ୍କର ମାର୍ଗ ନୁହେଁ । ତା’ଛଡ଼ା ଖଲିଫାଙ୍କର କଟକଣା ଅଛି । ଆଖଡ଼ାର କଟକଣା ମାନିବାହିଁ ସମ୍ମାନକର-। ତେଣୁ ସେମାନେ ଲୋକ ଭେଳେଇ ବାହାବଳ ଦେଖାଇ ହୁଅନ୍ତି ନାହିଁ । ଦୁର୍ବଳ ଲୋକ ଦେଖିଲେ ତା’ ହାତ ମୋଡ଼ନ୍ତି ନାହିଁ, କାନ୍ଧକୁ ଟାଙ୍କନ୍ତି ନାହିଁ, ଛାତି ଫୁଲାନ୍ତି ନାହିଁ । ପରପୀଡ଼ା ପାଇଁ ବା ପ୍ରଚାର ପାଇଁ ସେ ବଳ ଖର୍ଚ୍ଚ ହେବ ନାହିଁ, ଏହିପରି ତାଙ୍କର ଉପଦେଶ । କେବଳ ଦଶହରାରେ, ମହରମରେ ତାଙ୍କର ଥାଟ ଖେଳ ଦେଖାଇ ବୁଲିବାର ପ୍ରଥା ଅଛି, ଆଉ କେତେବେଳେ ସେମାନେ ପ୍ରତିଯୋଗିତାରେ ମିଶନ୍ତି ।

 

ଆଖଡ଼ାରେ ଅଭ୍ୟାସ କରୁ କରୁ ଶରୀର ପରିପୁଷ୍ଟ ହୋଇ ପହିଲ୍‍ମାନ୍‍ ହେଲା ଭିତରେ ଜଗା ପଲେଇ ଆହୁରି ଅନେକ ପ୍ରକାର ବୃତ୍ତି ଯଚାଯଚିକୁ ପ୍ରତ୍ୟାଖ୍ୟାନ କରିଥିଲା । ଜଗୁଆଳି ହେବାକୁ ସେ ନାନା ସ୍ଥାନରୁ ଡକରା ପାଇଛି, ପୋଷାକ ପିନ୍ଧି ବନ୍ଧୁକ କି ଠେଙ୍ଗା ଧରି କାହାର କେଉଁ ଘର ଦୁଆରମୁହଁରେ ଟହଲିଆ କାମ । ଭଲ ଦରମା । ଆର ପ୍ରସ୍ତାବଟି ଆହୁରି ଚମକପ୍ରଦ । ପ୍ରଚୁର ଖୋରାକି ମିଳିବ, ମାସକୁ ମାସ ଦରମା, ତା’ଛଡ଼ା ବିଶିଷ୍ଟ କାର୍ଯ୍ୟ ପାଇଁ ଉପଯୁକ୍ତ ପାରିଶ୍ରମିକ । କାର୍ଯ୍ୟ ବି ଅତି ପ୍ରାଚୀନ କାଳର,–କୀଚକପଣ, ଆଜିକାଲି ଯାହାକୁ କହନ୍ତି ଗୁଣ୍ଡାମି । କୀଚକ ବାହାବଳରେ ବିରାଟ ରାଜା ହୋଇ ବସିବ । ବୃତ୍ତି ବ୍ୟବସାୟର ନାନା କ୍ଷେତ୍ରରେ ରାଜତ୍ୱ ଖୋଲିଯାଇଛି, କୀଚକ ଦରକାର । କିଏ ଶତ୍ରୁ ସେକଥା ଖାଉନ୍ଦ ଚିହ୍ନେଇଦେବ । ଆଖି ତରାଟିବାଠୁଁ ଗୋଡ଼ ଛୋଟା କରିବା, ମୁଣ୍ଡ ଫଟାଇବା, ବଳେ ବଳେ ଧରି ଘର ଭିତରେ ପୂରାଇ ତାଲାପକାଇ ନିର୍ଦ୍ଦିଷ୍ଟ ସମୟଯାକେ ଅଟକାଇ ରଖିବା, ରାତିରେ କାହା ଘରକୁ ଟେକା ପକାଇବା, ବାଟରେ ଧରି ବେଜିତ୍ କରିବା, ଏହିପରି ନାନା କାର୍ଯ୍ୟ । ମକଦ୍ଦମା ଲାଗିଲେ ଖାଉନ୍ଦ ପିଠି ପତେଇଦେବ, ନିଜେ ପଛେ ଚିହ୍ନା ନ ପଡ଼ୁ, ଓକିଲ ଲାଗିବେ, ମକଦ୍ଦମା ଲଢ଼ା ହେବ । ଆର ପ୍ରସ୍ତାବଟି ଥିଲା ଘରଜୋଇଁଆ ହୋଇ କୋଠାବାଡ଼ି ସମ୍ପତ୍ତି ଭୋଗ କରିବା ପାଇଁ । ତା’ର ସ୍ୱାସ୍ଥ୍ୟ ଓ ରୂପ ଉପର ମାହାଲାର ଝରକା ବାଟେ କାହାର ପସନ୍ଦ ହୋଇଛି । ତାକୁ ବି ସେ ନାସ୍ତି କରିଦେଇଥିଲା ।

 

ଖାଲି ସେହି ପୁରୁଣା କାମ, କୁଣ୍ଡା ସରସର, ସିମେଟ୍‍ଗୁଣ୍ଡ ସରସର ଧୂସର ହୋଇ ବସ୍ତା ବୋହି ଏଠୁ ନେଇ ସେଠି ଥୋଇବା, ବସ୍ତାପିଛା ମୂଲ ।

 

ସେଦିନ କୁସ୍ତି ସରିଲା ମାତ୍ରେ ଖଣ୍ଡେ ଦୂରରେ ଯେତେବେଳେ ତା’ ପାଖକୁ ଆସିବାକୁ ଲୋକ ଠେଲାପେଲା ଲଗାଇଥିଲେ ସେ ଦେଖିଲା ଯେ ବହୁତ ଅଚିହ୍ନା ଲୋକ ତାକୁ ଘେରିଗଲେ । ବହୁତଆଡ଼ୁ ତା’ ଉପରେ ଝକ୍‍ଝକ୍‍ ହୋଇ ଆଲୁଅ ପଡ଼ିଲା, ତା’ ଶରୀରର ନାନାପଟୁ ଲୋକେ ଫଟୋ ଉଠାଇନେଲେ । ତା’ପରେ ବୃଷ୍ଟି ହେଲା ପ୍ରଶ୍ନବାଣ, କାନରେ ବାଜିଲା, ଉତ୍ତର ନ ଦେଉଣୁ ଆହୁରି ଆହୁରି ପ୍ରଶ୍ନ–

 

ଆପଣ କେତେ ବର୍ଷ ହେଲା କୁସ୍ତି କରୁଛନ୍ତି ? ଗୁରୁ କିଏ ? ଏଁ ? ଉମର୍ ଖଲିଫା ? ୟା ପୂର୍ବରୁ କେବେ କାହାକୁ ଜିତିଥିଲେ ? ତାଲିକା କହନ୍ତୁ । କି କି ପୁରସ୍କାର ପାଇଥିଲେ ? ଆପଣ କ’ଣ କ’ଣ ଖାଆନ୍ତି ଓ କେତେ ପରିମାଣରେ ? ଆପଣ ବିଭା ହୋଇଛନ୍ତି କି ନାହିଁ ? କେତୋଟି ପିଲା ? ଦେହକୁ ଠିକ୍ ରଖିବାପାଇଁ ଆପଣ କି ପ୍ରକାର କ’ଣ ଯତ୍ନ ନିଅନ୍ତି ? ମଣିଷ ସୁସ୍ଥ ସବଳ ହୋଇ ଦୀର୍ଘଜୀବନ ପାଇବା ସକାଶେ କ’ଣ କ’ଣ ଦରକାର ବୋଲି ଆପଣ ଭାବନ୍ତି ?

 

ଘେର ଭିତରୁ କିଏ ପାଟିକଲା–ଭେଜିଟେବୁଲ୍ ଘିଅ ସ୍ୱାସ୍ଥ୍ୟକୁ ତାଜା ରଖିବାପାଇଁ ଅତି ଚମତ୍କାର, ଏ କଥା ଆପଣ ସ୍ୱୀକାର କରନ୍ତି କି ନାହିଁ ? ଏଁ ! କେବେ ଖାଇନାହାନ୍ତି ? ନାଇଁ, ନାଇଁ, ସେପରି କହନ୍ତୁ ନାହିଁ ।

 

ଆହୁରି ପ୍ରଶ୍ନ । ଆପଣ ଦିନକୁ କେତେଥର କି ଚାହା ପିଅନ୍ତି ? ଜମା ପିଅନ୍ତି ନାହିଁ ? ମିଛ କଥା, କହନ୍ତୁ ଆଜ୍ଞା–

 

ଆପଣ କି ବିଡ଼ି ପାନ କରନ୍ତି ?

 

କି ଗୁଡ଼ାଖୁ ଘଷନ୍ତି ?

 

ଆପଣ କେଉଁ ପାର୍ଟିର ସମର୍ଥକ ?

 

ଦେଶରେ ଏ ଯେଉଁ ପରିବର୍ତ୍ତନମାନ ଘଟୁଛି ସେ ବିଷୟରେ ଆପଣଙ୍କର ମତାମତ କଅଣ ? କେତେବେଳେ ଗଲେ ଆପଣଙ୍କ ସଙ୍ଗେ ଦେଖାହେବ ? ଆପଣଙ୍କ ଫଟୋ, ତା’ ତଳେ ଆମ ପଦାର୍ଥ ବିଷୟରେ ଆପଣଙ୍କର ମତ, ତା’ ତଳେ ଆପଣଙ୍କ ଦସକତ ଏମିତି ଆମେ ଛାପିବୁ ଆଜ୍ଞା, ସିନେମାରେ ସ୍ଲାଇଡ୍‍ ଦେବୁଁ, ଦେବା ନେବା କଥା ବି ତୁଟିଯିବ, ସେଥିରେ କ’ଣ ଅଛି ?

 

ଆଜ୍ଞା ଟିକିଏ ଦସକତ, ଆପଣଙ୍କ ଅଟୋଗ୍ରାଫ୍ । ଠେଲାପେଲା କହୁଣିଆ ବେକ ଧରାଧରି ଗୋଡ଼ କୁଦାକୁଦିର ହାବୁକା ଉଠିଲାମାତ୍ରେ ଅନେକ ପ୍ରଶ୍ନର ଆପେ ଆପେ ସମାଧାନ ହୋଇଗଲା, କୌଣସି ପ୍ରଶ୍ନକର୍ତ୍ତା ନିଜ ସ୍ଥାନରେ ମୁହୂର୍ତ୍ତକରୁ ଅଧିକ ବେଳ ଠିଆ ହୋଇ ରହିପାରିଲେ ନାହିଁ । ଜଗା ପଲେଇକୁ ଛଟପଟ ଲାଗିଲା । ସେ ଗୁମ୍ ହୋଇ ଠିଆ ହୋଇ ରହିଲା । ତା’ପରେ ହାତ ଯୋଡ଼ିଲା, ତା’ର ବି ଫଟୋ ଉଠାଗଲା । ତା’ପରେ ଗୋଟାଏ କରକୁ ବୁଲିପଡ଼ି ଭିଡ଼ଭିତରେ ଠେଲିପେଲି ହୋଇ ଧାଇଁ ପଳାଇଯାଇଥିଲା । ଡର ମାଡ଼ୁଥାଏ, କାଳେ ସେମାନେ ତା’ ପିଛା ନେବେ !

 

ଆଗ ଗଲା ତା’ ଗୁରୁ ଖଲିଫାଙ୍କ ପାଖକୁ । ଗୋଡ଼ତଳେ ପଡ଼ିଲା । ତାକୁ ଉଠାଇ କୁଣ୍ଢେଇ ତା’ ଛାତିରେ ପିଠିରେ ଦାଢ଼ି ଘଷି ଘଷି ଖଲିଫା କହିଲେ, ‘‘ଓ୍ୱାଃ, ପଠଠେ, ମୋ ନାଁ ରଖିଲୁ, ବେଟା !”

 

ବାକି ଲୋକେ ଯେତେ ପ୍ରଶଂସା କଲେ ସେ ତା’ ନିଘାରେ ପଡ଼ିଲା ନାହିଁ, ଯାହା ବା ଶୁଣିଲା ସେ ତାକୁ କାନକୁ ନେଲା ନାହିଁ । ଜଣେ ଜିତେ ଆଉ ଜଣେ ହାରେ । ସେମିତି ସେ ଆର ଜଣକ ହାରିଗଲା, ସେ ନିଜେ ଜିତିଲା, ଘଟନାରୁ ଏତିକି ତାତ୍ପର୍ଯ୍ୟ ସେ ଘେନିଥିଲା ।

 

ଖଲିଫାଙ୍କ ପାଖକୁ ଲେଉଟି ସେ କାହାକୁ କିଛି ନ କହି ନଣ୍ଡା ଦେଉଳକୁ ଚାଲିଗଲା । ସେଠି କିଛିବେଳ ଖଞ୍ଜଣିପିଟା ଶୁଣି ଦେହକୁ ମନକୁ ଟିକିଏ ଶାନ୍ତ କରିସାରି ଘରକୁ ଆସିଲାବେଳେ ବାଟରେ ଶୁଣିଲା, ଦୋକାନମାନଙ୍କରୁ ରେଡ଼ିଓରେ ସେହି କୁସ୍ତି ଖବର ପ୍ରଚାର କରାଯାଉଛି । ଆଉ ଅଳ୍ପ ସମୟ ପରେ ଖବରକାଗଜବିକାଳିମାନେ ଯେତେବେଳେ ବଣ୍ଡୁଳା ବଣ୍ଡୁଳା ଖବରକାଗଜ କାଖେଇ ପାଟି କରିକରି ଧାଇଁଗଲେ, ସେତେବେଳେ ସେ ସେହି ଖବର ବାରମ୍ବାର ଚିତ୍କାର କରାହେଉଥିବାର ଶୁଣିଲା । ତା’ ମୁଣ୍ଡ ଝାଇଁ ଝାଇଁ ଲାଗିଲା । ସେ ଆଉ ଘରକୁ ନ ଫେରି ସିଧା ଚାଲିଲା କାଠଯୋଡ଼ି ବନ୍ଧଆଡ଼େ । ବହୁତ ରାତିରେ ଘରକୁ ଫେରିଲାମାତ୍ରେ ଦେଖିଲା, ଘରର ଲୋକ ଅତି ଯତ୍ନରେ ତା’ପାଇଁ ଭଲ ଭୋଜନ ସଜାଡ଼ି ରଖିଛନ୍ତି, ଅର୍ଥାତ୍ ଭାତ, ଡାଲି, ଆଳୁଭରତା ସାଙ୍ଗକୁ ସେଦିନ ହୋଇଛି ବାଇଗଣ ଭଜା ଓ ମାଛଝୋଳ । ସେମାନେ ତାକୁ କୁଣ୍ଢେଇ ଆଉଁସି ନାନା ପ୍ରକାର ପ୍ରଶଂସା କରି ଆପଣା ଉପାୟରେ ସମ୍ବର୍ଦ୍ଧନା ଜଣାଇଲେ । କେତେଜଣ ସାହିଲୋକଙ୍କ ଛଡ଼ା ଆଉ ତାକୁ କେହି ଖୋଜିବାକୁ ଆସିଲେ ନାହିଁ । ସେ ଆଶ୍ୱସ୍ତ ହେଲା । ତହିଁ ଆରଦିନ ପୁଣି ପାହାନ୍ତିଆରୁ କସ୍‍ରତ୍ ଓ ତା’ପରେ ବସ୍ତାବୁହା କାମ ।

 

ଆପଣା ବୃତ୍ତି କି ବ୍ୟକ୍ତିଗତ ଜୀବନ ବିଷୟରେ କାହାକୁ କିଛି ସେ କହିନାହିଁ । ଖବରକାଗଜ ଏତିକି ଛାପିଥିଲା ଯେ ସେ ଶ୍ରମିକ ।

 

ତା’ପରେ କେମିତି କେମିତି ହୋଇ ତା’ର ପରିଚୟ ପ୍ରଚାର ପାଇଥିଲା ସେ ଜାଣେ ନାହିଁ । କିନ୍ତୁ ମାଲଗୋଦାମର ଯେଉଁ ଅଞ୍ଚଳରେ ସେ ବୋଝ ଉଠାଏ, ଜୀବିକା ଅର୍ଜନ କରେ, ତା’ର ପ୍ରଶଂସାର ଚହଳ କୁହୁଡ଼ିପରି ସେଠି ବି ପହଞ୍ଚିଯାଇଥିଲା ଓ ତା’ର କାମ ଅଟକାଇ ଲୋକେ ତାକୁ ସେ କୁସ୍ତି ବିଷୟରେ ଓ ତା’ ନିଜ ବିଷୟରେ ପଚାରିଲେ । ବାହାବା ଦେଇଥିଲେ । ଭାରତର କୁସ୍ତି କ୍ଷେତ୍ରରେ ତା’ର କେତେ ଉଚ୍ଚ ଆସନ ଓ ତାରି ଯୋଗୁ ଓଡ଼ିଶାର କେଡ଼େ ନାଁ ହେଲା ସେ ବିଷୟରେ ତାକୁ ବୁଝାଇଥିଲେ । ତା’ ଆଖି ଆଗରେ ତା’ ଭବିଷ୍ୟତର ଛବି ରଙ୍ଗେଇ ଆଙ୍କି ଦେଇଥିଲେ ଯେ ଏହା ପରେ ସେ ଯଦି ଶେଷ ପ୍ରତିଯୋଗିତାରେ ଜିତିଯିବ ତା’ହେଲେ ଆହୁରି ବିପୁଳତର ପ୍ରଶଂସା ପାଇବା ସଙ୍ଗେ ସଙ୍ଗେ ତା’ର ବାଟ ଫିଟିଯିବ ଓଡ଼ିଶା ବାହାରକୁ କ’ଣ ଭାରତ ବାହାରକୁ ବି ଯାଇ କୁସ୍ତି ଲଢ଼ିବା ପାଇଁ । ସେତେବେଳେ ସେ ଯିବ ଲଙ୍କା, ଶିଙ୍ଗାପୁର, ମଙ୍ଗୋଲିଆ, ପେକିଂ, ଜାପାନ୍, ରୁଷ, ଜର୍ମାନି, ଆମେରିକା, ଆଫ୍ରିକା, ନାନା ଦେଶ । କେତେ ସମ୍ମାନ ପାଇବ, କେତେ ଧନ ବି ଅର୍ଜିବାବେଳ ଆସିଗଲା । ଆଗରୁ ଚେଷ୍ଟା କରି ନି.ଭା.କୁ.ପ୍ର.ର ଶେଷ କୁସ୍ତିରେ ତାକୁ ଜିତିବାକୁ ହିଁ ପଡ଼ିବ ।

 

ସେମାନେ ତାକୁ ଉପଦେଶ ଦେଲେ ଯେ ସେ ତା’ର ଖାଦ୍ୟ, ସ୍ୱାସ୍ଥ୍ୟ ଓ କୁସ୍ତି ଅଭ୍ୟାସ ବିଷୟରେ ଆହୁରି ଯତ୍ନ ନେବା ଉଚିତ । ଫଳ, ମାଂସ, ଦୁଧ, ଭିଟାମିନ, ତା’ର କେତେ କଥା ଖାଇବା ଉଚିତ । ହୁସିଆର, ଓଡ଼ିଶାର ନାଁ ରଖିବାକୁ ପଡ଼ିବ, ତା’ପରେ ଭାରତର ନାଁ ରଖିବାକୁ ପଡ଼ିବ ।

 

ସେହି ଉପଦେଶ ଶୁଣି ଶୁଣି ସେ ଦୀର୍ଘଶ୍ୱାସ ପକାଇଥିଲା । ମାଂସ ସହିତ ତା’ର ଦେଖାସାକ୍ଷାତ ହୁଏ ବାଟରେ ଗଲାବେଳକୁ । ଦୁଧ ସେ ଖାଇବାକୁ ପାଏ ନାହିଁ । ଫଳ କହିଲେ ସେ ବୁଝେ କେବେ କେବେ କଦଳୀ, ନଡ଼ିଆ । ତା’ର ଇଚ୍ଛା, ସେ ଦିନକୁ ସେରେ ଚୁଡ଼ା ଚୋବାନ୍ତା; କିନ୍ତୁ ଅଧସେରରୁ ବେଶି ଖାଇବାକୁ ତା’ର ଘରୋଇ ଅଟକଳ ସୁବିଧା ଦିଏ ନାହିଁ, ସବୁ ଟାଣଟୁଣ ।

 

ତହିଁର କେତେ ଦିନ ପରେ ପରିବାର ସଙ୍ଗରେ ଧରି ଦକ୍ଷିଣ ଆଡ଼ୁ ବହୁତଗୁଡ଼ିଏ ବସ୍ତାଟେକା ଶ୍ରମିକ ଆସି ପହଞ୍ଚିଗଲେ । ସେମାନେ ଗଛମୂଳେ ରହନ୍ତି । ଫୁଙ୍ଗାରେ ପଡ଼ନ୍ତି । କୌଣସିମତେ କିଛି ଉପାର୍ଜନ କରି ଏ ସଂସାରରେ ମାଟି କାମୁଡ଼ି ପଡ଼ି ରହିବାକୁ ସେମାନଙ୍କର ପ୍ରବଳ ଆଗ୍ରହ ।

 

ବସ୍ତାବୁହା ମୂଲ କମିଗଲା । ଏମିତି ଦିନେ ଜଗାର ସାନଭାଇ ଖଗା କାମ ସାରି ବିଡ଼ି କୁମ୍ପାନିରୁ ଘରକୁ ଲେଉଟିଲାବେଳେ ତା’ ସଙ୍ଗରେ କାହାର ମଟର ଧକ୍‍କା ହେଲା । ତା’ର ଗୋଡ଼ ଭାଙ୍ଗିଲା । ଦେହ ଜଖମ ହେଲା । ସେ ଡାକ୍ତରଖାନାକୁ ବୁହାହେଲା ଓ ତା’ର ରୋଜଗାର ବନ୍ଦ ହେବା ଯୋଗୁଁ ଘରେ ଅଭାବ ବଢ଼ିବା ସଙ୍ଗେ ସଙ୍ଗେ ଜଗାର ଦିନଗୁଡ଼ାକ କଟିଯିବାକୁ ଲାଗିଲା ଦକ ଦୁଶ୍ଚିନ୍ତାରେ ।

 

ସାହିମୁଣ୍ଡରେ ଜଣେ କୁଆଡ଼ର କିଏ ଗୋଟିଏ ହୋଟେଲ ଖୋଲିଲା । ସେଠି ବରା, ପିଆଜି, ଚକୁଳି, ଏଣ୍ଡୁରିପିଠା, ଚାହା ବିକା ହୁଏ, ତା’ଛଡ଼ା ଆଉ ନାନାପ୍ରକାର ପିଠା ଓ ମିଠା, ପିଠା ସଙ୍ଗରେ ତରକାରୀ ଓ ଚଟଣି ଦିଆହୁଏ, ଖାଦ୍ୟ ପଦାର୍ଥ ବଢ଼ା ହୁଏ ଚକ୍‍ଚକ୍‍ ପାତ୍ରରେ, ବସିବାକୁ ବେଞ୍ଚ, ମୁଣ୍ଡ ଉପରେ ବିଜୁଳି ପଙ୍ଖା ବୁଲେ ଓ ଖାଇ ବସିଥିଲେ କାନରେ ବାଜୁଥାଏ ରେଡ଼ିଓରୁ ସଂଗୀତ । ଜଗା ବୋଉର ପିଠାଦୋକାନରୁ ଗରାଖି କମିଗଲେ । ଚାରିଆଡ଼ୁ ଖାଇଗୋଡ଼ାଇଲା ଅଭାବ ।

 

ତଥାପି ଜଗା ପଲେଇ କସରତ୍ କରେ । ଚୁଡ଼ା ଅଧସେରରୁ ପାଏକୁ ଖସିଲା । ମୁଢ଼ି ଦିନକୁ ଚାରିଅଣାର । ନଡ଼ିଆ ତିନିଦିନକୁ ଗୋଟିଏ । ପେଜ ଭାତ ବାରିର ପୋଇପତ୍ର ପୋଇଖଡ଼ି ଏକାଠି ସିଝାଇ ସେ ତା’ର ଉଦର ପୂରାଏ । ଭୋକ ଜଳୁଥାଏ ।

 

ଯେତେବେଳେ ବସ୍ତା ବୁହା ନ ଥାଏ କି ଜଗାକୁ କେହି ଦେଖି ନ ଯାଉଥାଏ ଅନେକ ସମୟରେ ସେ ଗୁମ୍ ହୋଇ ବସି ଚିନ୍ତାରେ ବୁଡ଼ିଯାଏ । ତାକୁ ଲାଗେ ସେ ନିହାତି ଏକୁଟିଆ, ସାହା ନାହିଁ, ସଖା ନାହିଁ । ତା’ର ସେ କୁସ୍ତିର ଅଳ୍ପଦିନ ପରେ ଆଉ ତା’ ବିଷୟରେ କେହି ଆଲୋଚନା କଲେ ନାହିଁ ।

 

ତା’ପରେ ତିନିମାସ ଗଲା । ଆସିଲା ଶେଷ ପରୀକ୍ଷାର ଦିନ, ପଞ୍ଜାବ୍‍ର ଦଲିପ୍ ସିଂ ସହିତ ଓଡ଼ିଶାର ଜଗା ପଲେଇର କୁସ୍ତି । ଖବରକାଗଜରେ ତା’ର ଫଳ ଆଲୋଚନା ବାହାରିଲା । ସମସ୍ତେ ସ୍ୱୀକାର କଲେ ଯେ ଅତିକାୟ ଅତି ପରିପୁଷ୍ଟ ଦଲିପ୍ ସିଂ ସହିତ ମଲ୍ଲଯୁଦ୍ଧରେ ଜଗା ପଲେଇ ଯେଉଁ ବଳ ଓ କୌଶଳ ଲଗାଇ ଲଢ଼ିଥିଲେ ତାହା ବଡ଼ ଉଚ୍ଚକୋଟୀର ହୋଇଥିଲା, ପ୍ରତି ମୁହୂର୍ତ୍ତରେ ଲାଗୁଥାଏ ଦଲିପ୍ ସିଂ ଏଥର ଚିତ୍ ହେବେ; କିନ୍ତୁ ଦଲିପ୍ ସିଂ ଜିତିଲେ ।

 

ଦଲିପ୍ ସିଂଙ୍କର ପରିଚୟ ବାହାରିଥାଏ । ବହୁଦିନୁ ବହୁତ ବଡ଼ ବଡ଼ ଲୋକ ତାଙ୍କର ପୃଷ୍ଠପୋଷକ । ସେ ବହୁତ ପ୍ରକାର ବହୁତ ଖାଆନ୍ତି । ପ୍ରତିଦିନ ତାଙ୍କର ଓଜନ ନିଆହୁଏ । ଏହିପରି ନାନା ତଥ୍ୟ ।

 

ଜଗା ପଲେଇ ଚିତ୍ ହେଲା ।

 

ପୁଣି ରେଲରେ ମଟରରେ ଗହଳି ଜାଗାରେ ଆଲୋଚନା ।

 

ଓଡ଼ିଶାର ଇଜ୍ଜତ ମାଟି ହେଲା ବୋଲି କେହି କେହି ତା’ ବିରୁଦ୍ଧରେ କଟୂକ୍ତି କରିଥିଲେ । ଅନେକେ ବିଷଣ୍ଣ ହୋଇଥିଲେ । ତା’ ବି ଭୁଲି ହୋଇଗଲା ।

 

କିନ୍ତୁ କୁସ୍ତିର ତହିଁ ଆରଦିନ ଜଗା ପଲେଇ ସବୁଦିନ ପରି ଯାଇଥିଲା କସରତ୍ କରିବାକୁ ଓ ତା’ପରେ ବସ୍ତା ବୋହିବାକୁ ।

Image